ସାହିତ୍ୟ-ବିଚାର

 

 

 

 

 

 

 

 

 

 

ସାହିତ୍ୟ ବିଚାର

ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସୂଚୀପତ୍ର

 

୧.

ଜଣେ ମଣିଷ

୨.

ଆମର ସାଂସ୍କୃତିକ ଜିଜ୍ଞାସା

୩.

ବିରୋଧାଭାସ

୪.

ସାହିତ୍ୟର କାଉଁରୀ କାଠି

୫.

ସାହିତ୍ୟବଲ୍ଲଭ ଆର୍ତ୍ତବଲ୍ଲଭ

୬.

କବି ଗଙ୍ଗାଧର

୭.

ସାହିତ୍ୟରେ ପରିବର୍ତ୍ତିତ ଭାବବୋଧ

୮.

ରବୀନ୍ଦ୍ର-ଗଳ୍ପର ବିଶେଷତ୍ୱ

୯.

ଲେଖକର ଆଶ୍ଚର୍ଯ୍ୟ ଟଲଷ୍ଟୟ

୧୦.

ପ୍ରାଚୀନ ଓଡ଼ିଆରେ ବ୍ୟଙ୍ଗବିଚାର

୧୧.

ସତ୍ୟ-ଶିବ-ସୁନ୍ଦର

୧୨.

ତ୍ୟାଗ ଓ ପ୍ରେମ

୧୩.

ପ୍ରାଚୀନ ଭାରତର ବିଦୁଷୀ

୧୪.

ସାହିତ୍ୟରେ ବ୍ୟବସାୟ

୧୫.

ସଭ୍ୟତାର ପହିଲି ପେଶା

୧୬.

ବେଗ ହିଁ ଉନ୍ନତିର ଲକ୍ଷଣ

୧୭.

ହିନ୍ଦି ସାହିତ୍ୟର କଥାସମ୍ରାଟ ପ୍ରେମଚନ୍ଦ୍ର

୧୮.

କୈଶୋର ଜ୍ଞାନ

୧୯.

ମୋହେନ୍‌-ଜୋ-ଦାରୋ

୨୦.

ଫକୀରମୋହନଙ୍କ ଚରିତ୍ରଚିତ୍ରଣ

୨୧.

ଦକ୍ଷିଣାୟନ

Image

 

ଜଣେ ମଣିଷ

 

କୌତୁକ କଥାଟିଏ । ଆଜିକାଲିର ନୁହେଁ, ପ୍ରାୟ ଅଢ଼େଇ ହଜାର ବର୍ଷ ତଳର । ଗ୍ରୀସ ଥାଏ ପୃଥିବୀର ଗୋଟାଏ ବଡ଼ ଶକ୍ତି । ତାହାର ରାଜଧାନୀ ଏଥେନ୍‌ସ ସଭ୍ୟତାର ସବା ଉପରେ–ସୁଖ ସମୃଦ୍ଧି ବିଳାସିତାର ଶିଖର ଦେଶରେ । ଅଥଚ ସେଇ ଏଥେନ୍‌ସରେ ଜଣେ ଅଦ୍ଭୁତ ଲୋକଥାନ୍ତି । ଘର ତାଙ୍କର ଗୋଟିଏ ବଡ଼ କୋଠା ପାହାଚତଳ ଆଲୋଡ଼ା ଖୋଲ ଭିତରେ । ପିନ୍ଧିବାକୁ ଖଣ୍ଡିଏ ବୋଲି ଲୁଗା, ପାଦ ଯୋଡ଼ିକ ପାଦୁକାହୀନ । କେହି କେହି ତାଙ୍କୁ ପାଗଳ ଭାବନ୍ତି-

 

ସୌଖୀନ ନାଗରିକମାନେ ଦେଖି ହସନ୍ତି । ପିଲାମାନେ ଖତେଇ ହୁଅନ୍ତି, ପାଠୁଆ ପଣ୍ଡିତମାନେ ପରିହାସରେ ଉଡ଼ାନ୍ତି, ଧନୀ ଲୋକେ ଆଗ୍ରହ୍ୟ କରନ୍ତି । ମଝିରେ ମଝିରେ ଲୋକଟିର ଆଚରଣ ଆହୁରି ଅଧିକ ବିରକ୍ତିକର ଓ ଅଦ୍ଭୁତ ହୋଇପଡ଼େ । ଥରେ ଦିନ ଦି’ ପହରେ ଗୋଟିଏ ମଶାଲ ଧରି ବାହାରିଲେ । ଲୋକେ ଆଶ୍ଚର୍ଯ୍ୟ ହୋଇ କାରଣ ପଚାରିଲେ, ଜବାବ ମିଳିଲା, ‘‘ମୁଁ ଜଣେ ମଣିଷ ଖୋଜୁଛି ।’’

 

ମଣିଷ ! ଏଥେନ୍‌ସ ଦାଣ୍ଡରେ ମଣିଷର ଥାଟପଟାଳି । ରାଜାରାଣୀଙ୍କର ରୋଷଣି । ଯୋଡ଼ା ଯୋଡ଼ା ଘୋଡ଼ା ଲାଗିଛନ୍ତି ରାଜାରାଣୀଙ୍କ ସୁଶୋଭିତ ରଥରେ । ଆଗପଛରେ ଚାଲିଛନ୍ତି ସୈନ୍ୟସାମନ୍ତ; ପାତ୍ରମନ୍ତ୍ରୀ, ସିପାହୀ ଓ ବରକନ୍ଦାଜ । ବ୍ୟାଣ୍ଡବାଜା, ବ୍ୟାଣ୍ଡ୍‌ପାଇପ୍‌ ଓ ପୋଷାକର ଝଲକରେ ଚମକି ଉଠୁଚି ପବନ । ଦାଣ୍ଡ ଦୁଇପାଖରେ ଲକ୍ଷଲକ୍ଷ ମଣିଷ–ବୁଢ଼ା, ପିଲା, ଝିଅପୁଅ, ସ୍ତ୍ରୀ-ପୁରୁଷ–ନୂଆ ପୋଷାକ ନୂଆରଙ୍ଗ । ଲକ୍ଷ ଲକ୍ଷ ମଣିଷର ହାତ ଉଫରକୁ ଉଠୁଛି ରାଜାରାଣୀଙ୍କୁ ଅଭିବାଦନ ଜଣାଇ; ତାଙ୍କ ଦୀର୍ଘଜୀବନ କାମନାକରି । ଉଛୁଳି ପଡ଼ୁଛି ମଣିଷ କଣ୍ଠର ହରିବୋଲ ହୁଳହୁଳିରେ । ସବୁ ଦେଉଳରେ ବାଜି ଉଠିଚି ଘଣ୍ଟାକାହାଳି । ଏଥେନ୍‌ସର ହାଟବଜାର ଫାଟି ପଡ଼ୁଚି ମଣିଷ ଗହଳିରେ । ଏଥେନ୍‌ସର ରଙ୍ଗମଞ୍ଚ, ଚିତ୍ରଶାଳା, ପାଠଶାଳାରେ ମଣିଷ ଭିଡ଼ର ସୀମା ନାହିଁ । ନୂଆ ରାସ୍ତା, ପୋଲ, ନୂଆ ନଅର, ଜଳାଶୟ ଗଢ଼ିବାରେ ଲାଗିଛନ୍ତି ଲକ୍ଷଲକ୍ଷ ମଣିଷ । ଆଉ ତେବେ କେଉଁ ମଣିଷକୁ ଦେଖିବାପାଇଁ ଦିନ ଦି’ ପହରେ ମଶାଲ !

 

ମଣିଷ ! ପୃଥିବୀର ମୁକୁଟମଣି ଏଥେନ୍‌ସ ନଗରୀର ଗୌରବମୟ ସଭ୍ୟତା । ଚାରିଆଡ଼େ ଲକ୍ଷଲକ୍ଷ ମଣିଷର ଭିଡ଼ । ସେଇ ଭିଡ଼ ଭିତରେ ସେ ଦିନ ଦି’ପହରେ ମଶାଲ ଜାଳି ମଣିଷ ଖୋଜୁଛନ୍ତି । ରାଜାରାଣୀ, ପାତ୍ରମନ୍ତ୍ରୀ, କବିପଣ୍ଡିତ, କୃଷକଶିଳ୍ପୀ, ସ୍ଥପତିଭାସ୍କର, ଗାୟକଗାୟିକା, ନର୍ତ୍ତକନର୍ତ୍ତକୀ, ବୀରଯୋଦ୍ଧା, ଯୋଗୀସନ୍ନ୍ୟାସୀ, ଶିକ୍ଷକଛାତ୍ର, ଧନୀବ୍ୟବସାୟୀ, ବକ୍ତାଲେଖକ, କେଉଁ ଶ୍ରେଣୀର ମଣିଷ ନାହାନ୍ତି ବିରାଟ ଏଥେନ୍‌ସ ନଗରୀରେ ? ସବୁ କ୍ଷେତ୍ରରେ ଯେ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ।

 

ତଥାପି ଜଣେ ମଣିଷ ଦେଖିବା ତାଙ୍କର ଲୋଡ଼ା ଯେ କି ଏ ସବୁ କିଛି ପଦବୀ ନଥାଇ ଖାଲି ଜଣେ ମଣିଷ ହୋଇଥିବ ଯାହାର ଆଉକିଛି ଗୁଣଗାରିମା ନଥାଇ ଥିବ ଖାଲି ମଣିଷ ପଣିଆ-। ସେମିତି ଜଣେ ମଣିଷ ପାଇବାକୁ ହେଲେ ଦିନ ଦି’ପହରେ ମଶାଲ ଜାଳିବାକୁ ପଡ଼େ । ସେଇ ମଶାଲ ଜାଳିଥିଲେ ଏଥେନ୍‌ସର ଲକ୍ଷ ଲକ୍ଷ ଭିଡ଼ ଭିତରେ ଜଣେ ମଣିଷ–ସକ୍ରେଟିସ୍‍–ଯେ ଥରେ ଏଥେନ୍‌ସ ନଗରୀ ବୁଲିଆସି ଆଶ୍ଚର୍ଯ୍ୟ ହୋଇ କହିଥିଲେ, ‘‘କେତେ ଚମତ୍କାରିତା ଦେଖିବାରୁ ମୁଁ ନିଜକୁ ବଞ୍ଚିତ କରି ରଖିଛି !’’

 

ପାଶ୍ଚାତ୍ୟ ଜଗତର ସଭ୍ୟତା ପାଇଁ ପ୍ରଥମେ ମୂଳଦୁଆ ପକାଇଥିବା ଏଥେନ୍‌ସ ଆଜି ଆଉ ନାହିଁ କେବଳ ସକ୍ରେଟିସ୍‌ଙ୍କ ଦିନ ଦି’ ପହରର ସେଇ ମଶାଲଟା ଆଜିପର୍ଯ୍ୟନ୍ତ ମଣିଷ ହୃଦୟରେ ଜଳୁଛି ଅଢ଼େଇ ହଜାର ବର୍ଷପରେ ମଧ୍ୟ । ସେଇ ମଶାଲ ଆଲୁଅରେ ସକ୍ରେଟିସ୍‌ଙ୍କ ଆଖିକି ଆଉ କେହି ମଣିଷ ଦିଶିଲେ କି ନାହିଁ କେଜାଣି । କିନ୍ତୁ ସେଇ ନିଜେ ଆଜି ସମୟରେ ଧୂଳିରେ ଉଡ଼ିଯାଇଥିବା ଏଥେନ୍‌ସ ନଗରୀ ମାଟିରେ ଜୀଇଁ ଉଠିଛନ୍ତି । ବଡ଼ ବଡ଼ କୋଠାସବୁ ଉଡ଼ିଗଲାଣି ସେସବୁ ପାହାଚ ଧାଡ଼ିରେ ଉପରକୁ ଉଠୁଥିବା ଧନୀମାନଙ୍କ ସହିତ । ହେଲେ ପାହାଚତଳେ ଖୋଲରେ ସବୁରି ପାଦଧୂଳି ମୁଣ୍ଡାଇ ରହୁଥିବା ସେଇ ମଣିଷଟିର ମୁଣ୍ଡ ଆଜି ଆକାଶରେ ଉଚ୍ଚରେ ରହିଚି ।

 

ଆଚାର୍ଯ୍ୟ ହରିହରଙ୍କ କଥା ଲେଖିବାକୁ ଗଲାବେଳେ ଏଇ ଉଦାହରଣଟି ମନେପଡ଼ିଲା-। ସକ୍ରେଟିସ୍‌ଙ୍କ ମଶାଲ ଖାଲି କଣ ଏଥେନ୍‌ସରେ ଜଳିଥିଲା ? ଭାରତରେ ନୁହେଁ କି ଓଡ଼ିଶାରେ ନୁହେଁ ? ସେ ମଶାଲ ଖାଲି କଣ ଅତୀତର, ଆଜି ମଧ୍ୟ ତାହା ଜଳୁନାହିଁ ? ଆଜି ମଧ୍ୟ ଜଣେ ମଣିଷ ଖୋଜିବାକୁ ଦିନ ଦି’ପହରେ ତାର କଣ ଲୋଡ଼ା ନୁହେଁ ? ଏସବୁ ପ୍ରଶ୍ନର ଉତ୍ତର ଠିକ୍‌ ଭାବରେ କିଏ ଦେଇପାରନ୍ତି ? କେଉଁ କବି, ପଣ୍ଡିତ, ବୈଜ୍ଞାନିକ, ଦାର୍ଶନିକ, ବାଗ୍ମୀ, ନେତା, ଶାସକ, କର୍ମଚାରୀ ? କେତେ ଗାଁରେ କେତେ ସର୍ବଜ୍ଞ ଅଛନ୍ତି, ଗୁଣିଆ ଓଝା ଅଛନ୍ତି । କିଏ ଖୋଜି ବାହାର କରିଦେଇ ପାରିଲେ ଜଣେ ମାତ୍ର ମଣିଷକୁ ଯାହାଙ୍କର କିଛିହେଲେ ସମ୍ବଳ ନାହିଁ କି ଭୂଷଣ ନାହିଁ, ଖାଲି ମଣିଷ ପଣିଆ ଛଡ଼ା ।

 

ପୂଜ୍ୟ ଗୋପବନ୍ଧୁ ଚୌଧୁରୀଙ୍କ ଶବ ଶୋଇ ରହିଥାଏ ଥୋରିଆସାହି ଭୂଦାନ ଅଫିସ ବାରଣ୍ଡାରେ; ଆରପାଖ ବାରଣ୍ଡାରେ ଖଣ୍ଡେ ତାଳପତ୍ର ପଟି ଉପରେ ବସିଥାନ୍ତି ଆଚାର୍ଯ୍ୟ ହରିହର । ଗୋପବାବୁଙ୍କ ମହାପ୍ରୟାଣ କାହାଣୀ ନିର୍ବିକାର ଭାବରେ କହିଗଲେ । ଦୁହେଁ ଏକାଠି ସେଇ ବାରଣ୍ଡାରେ ଶୋଇଥିଲେ । ଗୋପ ବାବୁଙ୍କଠାରୁ ‘ହରି ଭାଇନା’ ବୟସରେ ଢେର ବଡ଼ ।

 

ସବୁକଥା କହିସାରି ଶେଷରେ ଖାଲି ଟିପ୍‌ପଣୀ କଲେ, ‘ମୁଁ ରହିଯାଇ ଏ ସବୁ ଦେଖିଲି-।’’ ବେଶି କଥା ତ କହନ୍ତି ନି । ଯେତିକି କହନ୍ତି ଅଙ୍କ କଷିଲାଭଳି ଯେମିତି ଅଳ୍ପ ସେମିତି ଓଜନଦାର-। କିନ୍ତୁ ନିପୁଣ ଅଙ୍କ ଶିକ୍ଷକ ଭାବରେ ଶୁଷ୍କ ଗଣିତ ବିଦ୍ୟାକୁ ସରସ ସୁନ୍ଦର କରି ଶିକ୍ଷାଦେବାର କ୍ଷମତା ତାଙ୍କର ସୁବିଦିତ ।

 

ଆଜି ହେଲା ଗଣିତର ଯୁଗ । ସଂଖ୍ୟା ହିସାବ ହେଲା ସବୁଠାରୁ ବଡ଼ କୈଫିୟତ । ଏହି କୈଫିୟତ ଦେଖାଇ ସ୍ୱାଧୀନ ଭାରତ ଆଜି ଖୁବ୍‌ ଜୋରରେ ଆଗେଇ ଚାଲିଛି ବୋଲି ଆମେ କହୁଁ-। କେତେ ସଂଖ୍ୟାରେ ନୂଆ ସ୍କୁଲ କଲେଜ ବସିଲା ଅବା ବସୁଛି । କେତେ ନୂଆ ଡାକ୍ତରଖାନା, ନୂଆ ଶଯ୍ୟା, କେତେ ହଜାର ମାଇଲ ନୂଆ ରେଳରାସ୍ତା, କେତେ ସଂଖ୍ୟାରେ ନାଳ, ପୋଲ, ବନ୍ଧ, କଳକାରଖାନା ତିଆରି ହୋଇଛି ବା ହେବ, କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି ବା କରାଯିବ । କେତେ ସଂଖ୍ୟାରେ ପଞ୍ଚାୟତ ବା ଜିଲା ପରିଷଦ ଗଢ଼ା ଚାଲିଛି ଓ ସେ ସବୁର ସଭ୍ୟ କେତେ । କେଉଁ ଉତ୍ସବ ବା ସାଧାରଣ ସଭାରେ କେତେ ହଜାର ବା କେତେ ଲକ୍ଷ ଲୋକ ଉପସ୍ଥିତ ଥିଲେ ସେ ସବୁର ହିସାବ ଖବରକାଗଜ ଫିଟାଇବା ମାତ୍ରେ ଆଖିରେ ପଡ଼େ । ଗାଣିତିକର ହିସାବପତ୍ରରେ ଦୋରସ୍ତ ଥିବା ଆଚାର୍ଯ୍ୟ ହରିହର କିନ୍ତୁ ଏ ସବୁ ହିସାବ ବାଟରେ ନ ଯାଇ ଅନ୍ୟ ରାସ୍ତା ଧରିଛନ୍ତି–ଯୁଆଡ଼ିକି ଜମା ବାଟ ନାହିଁ କିମ୍ବା ନିକଟରେ ରାଜପଥ ଯିବାର ସମ୍ଭାବନା ନାହିଁ । ସେହି ସବୁ ଅଗମ୍ୟ, ନଈ, ନାଳ , ବନ ପାହାଡ଼ ତଳେ ଲୁଚି ଯାଇଥିବା ଅଜଣା ଅଶୁଣା ମଣିଷ ବସ୍ତି ଭିତରକୁ ସେ ପାଦରେ ଚାଲି ଚାଲି ବାଟ ଫିଟାଇଛନ୍ତି । ସେଇଠି ସେଇ ଇଂଜିନିୟର, ମିସ୍ତ୍ରୀ, କୁଲି, କାରିଗର ହୋଇଛନ୍ତି ।

 

ଆମେ ହିସାବପ୍ରିୟ ଲୋକେ ସେ କେତେ ହଜାର ମାଇଲ ଚାଲିଛନ୍ତି ବୋଲି ହିସାବ ପ୍ରକାଶ କରି ଆତ୍ମସନ୍ତୋଷ ଲାଭକରୁ । ବୋଧହୁଏ ସେଇ ହିସାବରେ ତାଙ୍କର ଗୁଣ ଗାରିମା ମାପିବାକୁ ଚେଷ୍ଟା କରୁ । ଠିକ୍‌ ସେମିତି ପଦ ପଦକେ ସତ୍ୟ ଅହିଂସାରେ କଥା କହିଥାଉଁ । ଆଚାର୍ଯ୍ୟ ହରିହର ସାହିତ୍ୟ ବେଶି ଲେଖି ନାହାନ୍ତି କିମ୍ବା ଦର୍ଶନର ତତ୍ତ୍ୱ ବ୍ୟାଖ୍ୟା କରି ନାହାନ୍ତି; କିନ୍ତୁ ତାଙ୍କର ଜୀବନଯାପନ ପ୍ରଣାଳୀରେ ସାହିତ୍ୟର ମୌଳିକ ତଥ୍ୟ ଦର୍ଶନର ଅସଲ ତତ୍ତ୍ୱ ନିହିତ ଅଛି । ତାଙ୍କ ଦର୍ଶନ ପାଇବାକୁ ହେଲେ ବାଇଶିପାହାଚ ଚଢ଼ିବାକୁ ହୁଏ ନାହିଁ କି ପଣ୍ଡା ସେବକଙ୍କ ପାଖରୁ ଟିକଟ କିଣିବାକୁ ପଡ଼େ ନାହିଁ । ସେ ଛାଏଁ ଆସି ଆମ ଦୁଆରେ ଧକ୍‌କା ମାରି ଦର୍ଶନ ଦେଇଯାନ୍ତି ।

 

ବିଖ୍ୟାତ୍‌ ଫରାସୀ ସାହିତ୍ୟିକ ଆନ୍ଦ୍ରେଜିଦ୍‌ କହିଛନ୍ତି, ଯେ ସତ୍ୟକୁ ସାକ୍ଷାତ୍‌ କରିଛନ୍ତି ମୁଁ ତାଙ୍କୁ ବିଶ୍ୱାସ କରେ ନାହିଁ; କିନ୍ତୁ ଯେ ସତ୍ୟକୁ ଖୋଜିବାକୁ ଯାଆନ୍ତି ତାଙ୍କୁ ହିଁ ମୁଁ ବିଶ୍ୱାସ କରେ । ଓଡ଼ିଶାର ଅନ୍ଧାରୀ ବଣ ଜଙ୍ଗଲ ମୁଲକର ଗାଁ ଗଣ୍ଡା ଭିତରେ ହରିହର ସତ୍ୟକୁ ଖୋଜି ବୁଲୁଛନ୍ତି । ସେ ବୋଧହୁଏ ଓଡ଼ିଶାର ଜଣେ ମାତ୍ର ମଣିଷ ଯାହାଙ୍କୁ ସିଧା ସଳଖ ଶ୍ରଦ୍ଧା ଜଣାଇବା ସମ୍ଭବପର ନୁହେଁ । ଶ୍ରଦ୍ଧା ଜଣାଇବାପାଇଁ ଆମର ସାମର୍ଥ୍ୟ ଲୋଡ଼ା–ଯାହାଙ୍କଠାରୁ ଓଡ଼ିଶା ଭୂଇଁ କୌଣସି କାର୍ଯ୍ୟ ବା ସେବା ଲୋଡ଼େ ନାହିଁ, ଲୋଡ଼େ କେବଳ ଆଶୀର୍ବାଦ ।

Image

 

ଆମର ସାଂସ୍କୃତିକ ଜିଜ୍ଞାସା

 

ସମାଜ-ବିଜ୍ଞାନରୁ ଜଣାଯାଏ ପୃଥିବୀ ଉପରେ ମନୁଷ୍ୟର ଜନ୍ମକାଳରୁ ହଜାର ହଜାର ବର୍ଷହେଲା ତାହାର ଆଚାର-ବ୍ୟବହାର ଓ ଶିକ୍ଷାଦୀକ୍ଷା ଅନବରତ ବଦଳିବାରେ ଲାଗିଛି । ସେ କିପରି ଅଧିକ ସୁଖସ୍ୱାଚ୍ଛନ୍ଦ୍ୟ, ସ୍ୱାସ୍ଥ୍ୟ ଓ ଆନନ୍ଦଲାଭ କରି ନିରାପଦରେ ବସବାସ କିମ୍ବା ଯାତାୟାତ କରିପାରିବ, ସେଥିଲାଗି ଘରବାଡ଼ି ଯାନବାହନର ନବନବ ଉଦ୍ଭାବନ ଦେଖାଦେଇଛି । ସେଥି ସଙ୍ଗେ ଆପଣାର ମାନସିକ ସ୍ୱାସ୍ଥ୍ୟ-ସମୃଦ୍ଧି ଲାଗି ନୃତ୍ୟଗୀତ ଓ ସାହିତ୍ୟ ଆଦି ନାନାପ୍ରକାର ଚିତ୍ତବିନୋଦନର ବ୍ୟବସ୍ଥା ମଧ୍ୟ ସେ କରିଛି । ମନୁଷ୍ୟର ଆଦିମ ଅବସ୍ଥାରୁ ଏହି ସକଳ ବ୍ୟବସ୍ଥାର ସଂସ୍କାର କାଳକ୍ରମେ ହୋଇ ଆସୁଛି । ସେଥିଲାଗି ସେସବୁ ବ୍ୟବସ୍ଥାର ସମଷ୍ଟିକୁ ଆମେ ସଂସ୍କୃତି କହିଥାଉଁ । କାରଣ ଯୁଗେ ଯୁଗେ ତାହା ସଂସ୍କୃତ ଓ ମାର୍ଜିତ ହୋଇ ମନୁଷ୍ୟକୁ ଆର୍ଯ୍ୟ-ଅନାର୍ଯ୍ୟ ଭେଦରେ ଚିହ୍ନିତ କରେ; ପୁଣି ସଭ୍ୟତାର ମାପକାଠିରୂପେ ପରିଗଣିତ ହୁଏ । ଏହିରୂପେ ସଭ୍ୟତା ସଙ୍ଗେ ସଂସ୍କୃତିର ସମ୍ବନ୍ଧ ଅବିଚ୍ଛେଦ୍ୟ ।

 

ସଂସ୍କୃତିର ଏକ ବିଶିଷ୍ଟ ଅଙ୍ଗ ହେଉଛି କଳା । ମନୁଷ୍ୟ ପଞ୍ଚ କିମ୍ବା ଏକାଦଶ ଇନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ଓ କର୍ଣ୍ଣ ସାହାଯ୍ୟରେ ସେ କଳାର ଉପଭୋଗ କରିଥାଏ । ଚକ୍ଷୁକର୍ଣ୍ଣର ପରିତୃପ୍ତ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟର ଅଭିବୃଦ୍ଧିହିଁ କଳା-ସଂସ୍କୃତିର କର୍ମ । ସାହିତ୍ୟ, ସଙ୍ଗୀତ, ନୃତ୍ୟ, ସ୍ଥାପତ୍ୟ ଓ ଚିତ୍ର ଆଦି ଜ୍ଞାନର ବହୁ ବିଭାଗ ପୁଣି ଉପବିଭାଗ ଅଛି । ପ୍ରାଚୀନ ଶାସ୍ତ୍ରରେ ଚଉଷଠି କଳା ଓ ସେସବୁର ଗୁଣଫଳର ବର୍ଣ୍ଣନା ମଧ୍ୟ ଦେଖାଯାଏ । ଯେଉଁ ଦେଶ ବା ଜାତିର କଳା ଯେତେ ବେଶି ପ୍ରାଚୀନ ଓ ସମୃଦ୍ଧ, ତାହାର ସଭ୍ୟତା ସେହି ଅନୁପାତରେ ଗୌରବମୟ ବିବେଚିତ ହୋଇଥାଏ । ଏପରିକି ଜାତି ବା ଦେଶ ଧ୍ୱଂସ ପାଇଗଲେ ମଧ୍ୟ ତାହାର ସାଂସ୍କୃତିକ ଭଗ୍ନାବଶେଷ ମାନବ-ସଭ୍ୟତାକୁ ଆଜି ପର୍ଯ୍ୟନ୍ତ ଆଲୋକିତ କରିଥାଏ ।

 

ମିଶର, ବେବିଲୋନ୍‌, ତୁରସ୍କ, ଗ୍ରୀସ୍‌ ବା ରୋମ୍‌ର ଅତୀତ ଏହାର ନଜିର ହୋଇ ରହିଛି-। ଭାରତ ଆଜି ଶିକ୍ଷା-ସମ୍ପଦ କିମ୍ବା ଶକ୍ତିସାମର୍ଥ୍ୟ ତୁଳନାରେ ପୃଥିବୀର ଉନ୍ନତତର ଦେଶମାନଙ୍କର ଅନେକ ପଛରେ ପଡ଼ିଥିଲେହେଁ ତାହାର ସଂସ୍କୃତି ହିଁ ଭାରତୀୟ ସଭ୍ୟତାର ପ୍ରାମାଣିକରୂପେ ବିଦ୍ୟମାନ । ଭାରତରେ ଓଡ଼ିଶା ମଧ୍ୟ ସେହିପରି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଧନରେ ବା ଶିକ୍ଷାସାମର୍ଥ୍ୟରେ ଖୁବ୍‌ପଛୁଆ ହେଲେ ସୁଦ୍ଧା ତାହାର ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ଦେଖାଇ ସେ ଚାରିଆଡ଼ୁ ଯାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିବ ଏବଂ ଦରିଦ୍ର ହେଲେ ମଧ୍ୟ ଏହିସବୁ ପୂର୍ବପୁରୁଷଙ୍କ କୀର୍ତ୍ତି ଜରିଆରେ ତାହାର ଅନ୍ତତଃ ଆତ୍ମ-ସନ୍ତୋଷର ଅଭାବ ନାହିଁ ।
 

ସଂସ୍କୃତିର ମୌଳିକ ଉତ୍ସ ହେଲା ଆନନ୍ଦ । ସେହି ଆନନ୍ଦରୁହିଁ ସମୁଦାୟ ବିଶ୍ୱ-ସୃଷ୍ଟିର ଉଦ୍ଭବ–‘‘ଆନନ୍ଦାତ୍‌ ଖଳୁ ଇମାନି ଭୂତାନି ଜାୟନ୍ତେ ।’’ ତେଣୁ ମାନବୀୟ ସଂସ୍କୃତି ଏକ ଓ ଅଖଣ୍ଡ । ଭୌଗୋଳିକ ଅବସ୍ଥିତି କିମ୍ବା ଜଳବାୟୁ ଭେଦରେ ପୃଥିବୀ ଉପରେ ରହୁଥିବା ମନୁଷ୍ୟ ସମାଜ ଯେପରି ପୃଥକ୍‌ ପୃଥକ୍‌ ଗୋଷ୍ଠୀରେ ପରିଣତ ହୋଇଛି, ତାହାର ଆହାର, ପରିଧାନ, ଆଚାର–ବ୍ୟବହାର, ଜାତିବର୍ଣ୍ଣ ବା ଭାଷା, ଧର୍ମର ରୂପ ମଧ୍ୟ ସେହିପରି ଅନ୍ୟଠାରୁ ସ୍ୱତନ୍ତ୍ର ହୋଇ ପଡ଼ଛି । ସେହି ଦୃଷ୍ଟିରୁ କେହି କେହି ସଂସ୍କୃତିକୁ ମଧ୍ୟ ଖଣ୍ଡିତ ଆକାରରେ ଦେଖିବାକୁ ଯାଆନ୍ତି ।

 

ବିଶେଷ କରି ପୃଥିବୀରେ ସାନବଡ଼ ଯେତେଗୁଡ଼ିଏ ଧର୍ମର ସୂତପ୍ରାତ ହୋଇଛି ଓ ମଧ୍ୟଯୁଗରେ ଯୁଦ୍ଧ, ଦେଶ ଜୟ ବା ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ଧର୍ମ ଯେପରି ବିଶେଷ ଅଂଶ ଗ୍ରହଣ କରିଛି, ସେହି ଅନୁପାତରେ ମାନବୀୟ ସଂସ୍କୃତିକୁ ମଧ୍ୟ ଖଣ୍ଡିତ ଆକାର ଦେଇ ପ୍ରତ୍ୟେକ ଧର୍ମ ଓ ଦେଶ ସଙ୍ଗେ ସଂସ୍କୃତି ତାହାର ସ୍ୱାତନ୍ତ୍ର୍ୟ ଦାବୀ କରିଛି । କାରଣ ପ୍ରତ୍ୟେକ ଧର୍ମାନୁଷ୍ଠାନ ସଙ୍ଗେ ଗଢ଼ି ଉଠିଛି ତାହାର ସ୍ୱତନ୍ତ୍ର ସାହିତ୍ୟ, କଳାସ୍ଥାପତ୍ୟ, ଗୀତନୃତ୍ୟ, ଚିତ୍ର–ଗିର୍ଜା ମସ୍‌ଜିଦ ବା ମନ୍ଦିର ପ୍ରଭୃତିରେହିଁ ପ୍ରଥମ ଶୁଭ ଦିଆଯାଇଛି ସଂସ୍କୃତିର ।

 

ତଥାପି ଆଶ୍ଚର୍ଯ୍ୟର ବିଷୟ ଏହି ଯେ ବିଭିନ୍ନ ଦେଶରେ ପ୍ରଚଳିତ ଲୋକ ସାହିତ୍ୟ, ଲୋକ-ଗାଥା, ଲୋକ-ନୃତ୍ୟ, ଲୋକ-ଗୀତ ବା କାରୁକଳାମାନଙ୍କ ମଧ୍ୟରେ ଏକ ସହଜ ସାମଞ୍ଜସ୍ୟ ସ୍ପଷ୍ଟ ଲକ୍ଷିତ ହୋଇଥାଏ । ତହିଁରୁ ମାନବୀୟ ସଂସ୍କୃତିର ମୌଳିକ ଉପାଦାନଗୁଡ଼ିକର ନିରବଚ୍ଛିନ୍ନ ଐକ୍ୟ ଧରାପଡ଼େ । ମନୁଷ୍ୟର ରଙ୍ଗ କିମ୍ବା ଶରୀର ଗଠନଭଳି ଏହି ସଂସ୍କୃତିର ଉତ୍ସ ଯେପରି ଏକ, ତାହାର ପ୍ରକାଶ ସେହିପରି ବିଚିତ୍ର । ଗୋଟିଏ ଜନନୀଗର୍ଭରୁ ବିଭିନ୍ନ ରୂପ, ରଙ୍ଗ ଘେନି ପୁତ୍ର କନ୍ୟା ଜାତ ହେଲାଭଳି ‘‘ନଈକେ ବାଙ୍କ, ଦେଶକେ ଫାଙ୍କ’’ ରୀତିରେ ସଂସ୍କୃତି ଉପରେ ଭୌଗୋଳିକ, ପ୍ରାକୃତିକ, ରାଜନୈତିକ ବା ଜଳବାୟୁର ପ୍ରଭାବ ମଧ୍ୟ ପଡ଼ିବା ସ୍ୱାଭାବିକ ।

 

ଉତ୍କଳ, କଳିଙ୍ଗ ବା ଓଡ଼ିଶାର ସୁଦୀର୍ଘ ରାଜନୈତିକ ସ୍ୱାଧୀନତା ସଙ୍ଗେ ତାହାର ଭୌଗୋଳିକ ଓ ପ୍ରାକୃତିକ ବୈଶିଷ୍ଟ୍ୟ ହିଁ ଏ ରାଜ୍ୟର ସଂସ୍କୃତି ଗଠନରେ ଏକ ଅଭାବନୀୟ ସ୍ୱାତନ୍ତ୍ର୍ୟ ଆଣିଦେଇଛି । ସେ ସଂସ୍କୃତିର ଉତ୍ପତ୍ତି ଓଡ଼ିଶାର ମୃତ୍ତିକାରୁ, ବାହାରର କୌଣସି ପ୍ରଭାବ କିମ୍ବା ଅନୁକରଣରେ ତାହା ଗଠିତ ହୋଇନାହିଁ । ଠିକ୍‌ ଯେପରି ସକଳ ଧର୍ମର ସମନ୍ୱୟରେ ତାହା ଏକ ସ୍ୱତନ୍ତ୍ର ଧର୍ମର ପ୍ରତିଷ୍ଠା କରିଛି–ଜଗନ୍ନାଥ ଧର୍ମ ।

 

ସେ ଧର୍ମକୁ ଆମେ ବୈଦିକ, ଜୈନ, ବୌଦ୍ଧ, ଶାକ୍ତ, ବୈଷ୍ଣବ ଆଦି ଯେ କୌଣସି ନାମରେ ଅଭିହିତ କରିପାରୁଁ । କବୀର, ନାନକ, ରାମାନୁଜ, ଶଙ୍କର, ଚୈତନ୍ୟ ଆଦି ବିଭିନ୍ନ ପନ୍ଥୀମାନେ ତାହା ଉପରେ ନିଜ ନିଜ ଦାବୀ ସାବ୍ୟସ୍ତ କରିପାରନ୍ତି । ସେଥିରୁ କେବଳ ପ୍ରମାଣିତ ହୁଏ ଯେ ସବୁଧର୍ମର, ସବୁଜାତିର ତାହା ଏକ ସମଷ୍ଟି ଗତ ମାନବୀୟ ଧର୍ମ । କଳା-ଧଳା-ହରିତ୍‌ ସବୁ ବର୍ଣ୍ଣର ମନୁଷ୍ୟଙ୍କ ପାଇଁ ତାହା ପରିକଳ୍ପିତ । ଆଦିବାସୀ ଅନାର୍ଯ୍ୟମାନଙ୍କ ଠାରୁ ସେ ଧର୍ମର ଉତ୍ପତ୍ତି; ପୁଣି ଆର୍ଯ୍ୟ ଓ ଦ୍ରାବିଡ଼ ସଂସ୍କୃତି ଦ୍ୱାରା ତାହା ପରିପୃଷ୍ଟ ।

 

ପୁରୀ, କୋଣାର୍କ, ଭୁବନେଶ୍ୱର ପ୍ରଭୃତିରେ ଥିବା ମନ୍ଦିରମାନ ସେ ସଂସ୍କୃତିର ପ୍ରତୀକରୂପେ ଦଣ୍ଡାୟମାନ । ଏହି ମନ୍ଦିରଗୁଡ଼ିକରୁ ଓଡ଼ିଶାର ଅତୀତ ସଭ୍ୟତାର ଯେଉଁସବୁ ପ୍ରମାଣ ମିଳେ, ତାହା ବାସ୍ତବିକ ବିସ୍ମୟକର । କେବଳ ଶିଳ୍ପର ନିପୁଣତା ବା ଉତ୍କର୍ଷ ଯୋଗୁଁ ତାହା ବିଶ୍ୱବନ୍ଦିତ ନୁହେଁ । ସୌନ୍ଦର୍ଯ୍ୟ ପରିକଳ୍ପନାର ପରାକାଷ୍ଠା କିମ୍ୱା ସୂକ୍ଷ୍ମତମ ଆଲେଖ୍ୟରୁ ଆରମ୍ଭ କରି ବିରାଟତମ ଚିନ୍ତାର ତାହା କେବଳ ସାକ୍ଷ୍ୟ ଦିଏ ନାହିଁ । ଅଥବା ମନ୍ଦିରଗାତ୍ରର ପ୍ରତି ଜଡ଼ ଶିଳାଖଣ୍ଡ ଉତ୍କଳୀୟ ଶିଳ୍ପୀର କରସ୍ପର୍ଶରେ ଅହଲ୍ୟାପରି କେବଳ ଜୀବନ୍ୟାସ ପାଇ ସଚଳ, ସଚେତନ ହୋଇ ଉଠି ନାହିଁ-

 

ତାହା ଯେପରି ଏକ ବିଶ୍ୱରୂପ । ସମୁଦାୟ ଜଗତର ପ୍ରତିଫଳନ ହିଁ ଯେପରି ମନ୍ଦିର–କାରିଗରର ପ୍ରଧାନ ଲକ୍ଷ୍ୟ ଥିଲା । କ୍ଷୁଦ୍ର ମଧ୍ୟରେ ବୃହତ୍ତମକୁ, ରୂପ ମଧ୍ୟରେ ଅରୂପକୁ ପାଇବାର କୌଶଳହିଁ ଯେପରି ତାହାର ଚରମ ସାଧନା । ସେହି ସାଧନାବଳରେ ପୃଥିବୀର ଜାତି-ଧର୍ମ-ନିର୍ବିଶେଷରେ ସମଗ୍ର ମାନବୀୟ ସଂସ୍କୃତିର ସାର ସଂଗ୍ରହଲାଗି ସେ ଉଦ୍ୟମୀ ହୋଇଛି । ନୃତ୍ୟ, ଗୀତ, ଚିତ୍ର, ଭାସ୍କର୍ଯ୍ୟ, କାରୁକାର୍ଯ୍ୟର ଯେତେ ଯେତେ ଭଙ୍ଗିମା ତହିଁରେ ଛନ୍ଦୋମୟ, ବାଙ୍‌ମୟ ହୋଇପାରିଛି, ପୁଣି ଧ୍ୟାନମଗ୍ନ ଯୋଗୀ, କୃଷକ, ଭିକାରୀ, ଯୋଦ୍ଧା, ସୈନିକ, ରାଜା ଓ ପାରିଷଦମାନେ ଯେପରି ରୂପାୟିତ ହୋଇଛନ୍ତି, ତାହା ଏକ ମହାନ୍‌ ସଭ୍ୟତାର ନିର୍ଯାସ ବ୍ୟତୀତ ଆଉ କିଛି ନୁହେଁ । ପୁଣି ସପ୍ତମଠାରୁ ଚତୁର୍ଦ୍ଦଶ ଶତାଦ୍ଦୀପର୍ଯ୍ୟନ୍ତ ଓଡ଼ିଶାର ଏହି ମନ୍ଦିରଗୁଡ଼ିକ ନିର୍ମିତ ହୋଇ କେବଳ ସମସାମୟିକ ସଭ୍ୟତା ସଂସ୍କୃତିର ସାକ୍ଷ୍ୟ ଦିଏ ନାହିଁ ।

 

ସୁଦୀର୍ଘ ଅତୀତରୁ ସାମାଜିକ ବହୁ ଉତ୍‌ଥାନ ପତନ ଭିତରେ ହିଁ ଉତ୍କଳୀୟ ସଂସ୍କୃତିର ଧାରା ପ୍ରବାହିତ ହୋଇଆସିଛି । ଓଡ଼ିଆ ସାହିତ୍ୟ ମଧ୍ୟ ସେହିରୂପେ ବତ୍ସା ଦାସ, ମାର୍କଣ୍ଡ ଦାସ କିମ୍ୱା ସାରଳା ଦାସଙ୍କଠାରୁ ଆରମ୍ଭ ହୋଇନାହିଁ । ବହୁ ପୂର୍ବରୁ ଆରମ୍ଭ ହୋଇ ସେ ସମୟକୁ ତାହା ଏକପ୍ରକାର ପରିପକ୍ୱ ଅବସ୍ଥାକୁ ଆସିଯାଇଥିଲା ।

 

କିନ୍ତୁ କେବଳ ପ୍ରାଚୀନତାହିଁ ଉତ୍କଳୀୟ ସଂସ୍କୃତିର ସବୁଠାରୁ ବଡ଼ ପ୍ରମାଣ ନୁହେଁ । ସବୁଠାରୁ ବଡ଼ ପ୍ରମାଣ ହେଲା ତାହାର ସ୍ୱାତନ୍ତ୍ର୍ୟ, ତାହାର ବୈଶିଷ୍ଟ୍ୟ । ଉତ୍କଳୀୟ ସ୍ଥାପତ୍ୟ ବେଶି ପରିମାଣରେ ଉତ୍ତର ଭାରତୀୟ ବା ନାଗରି ସ୍ଥାପତ୍ୟ ଅଥବା ଦକ୍ଷିଣ ଭାରତୀୟ ନିର୍ମାଣରୀତି ସଙ୍ଗେ ସାମଞ୍ଜସ୍ୟ ରକ୍ଷା କରିପାରିଛି । ଓଡ଼ିଶୀ ନୃତ୍ୟ ଭାରତ ନାଟ୍ୟମ୍‌ର ପୂର୍ବରୁ କି ପରବର୍ତ୍ତୀ, ଛଉନୃତ୍ୟର ଆଉ କୌଣସି ରାଜ୍ୟରେ ସାମ୍ୟ ଅଛି କି ନାହିଁ, ଓଡ଼ିଶୀ ସ୍ୱରସଙ୍ଗୀତରେ ବେଶି ପରିମାଣ ଉତ୍ତର-ଭାରତୀୟ କିମ୍ୱା କର୍ଣ୍ଣାଟକୀ ରାଗର ଢାଞ୍ଚା ଦେଖାଯାଏ, ଏସବୁ ବିବାଦ ଭିତରକୁ ଯିବା ଏଠାରେ ଅନାବଶ୍ୟକ । କାରଣ ମୂଳରୁ ଦକ୍ଷିଣ-ଭାରତ ଉତ୍ତର-ଭାରତର ସାଂସ୍କୃତିକ ବିଭାଗୀକରଣ ଉପରେ ମଧ୍ୟ ସନ୍ଦେହର ଅବକାଶ ଯେତିକି ବେଶି, ତାହାର ମୌଳିକ ସାମଞ୍ଜସ୍ୟ ଉପରେ ବିଶ୍ୱାସର କାରଣ ତହିଁରୁ କଦାପି ଊଣା ନୁହେଁ ।

 

ନିର୍ବିବାଦରେ କେବଳ ଏତିକି ମାତ୍ର କୁହାଯାଇପାରେ ଯେ ଭାରତର ବିଭିନ୍ନ ରାଜ୍ୟରେ ସ୍ୱତନ୍ତ୍ର ଭାଷାଭଳି ସ୍ୱତନ୍ତ୍ର ସଂସୃତି ଯଦି କିଛି ଥାଏ ଏବଂ ଅଖଣ୍ଡ ବିରାଟ ଭାରତୀୟ ସଂସ୍କୃତିକୁ ସେସବୁ ଅତୀତରେ ତଥା ବର୍ତ୍ତମାନ ଯୁଗରେ ପରିପୁଷ୍ଟ କରୁଥାଏ, ତାହାହେଲେ ଓଡ଼ିଶାର ସଂସ୍କୃତି ଅନ୍ୟ କୌଣସି ରାଜ୍ୟର ସଂସ୍କୃତି ଅପେକ୍ଷା ସାମାନ୍ୟ କିମ୍ୱା ହୀନ ନୁହେଁ: ବରଂ ରାଜ୍ୟର ସଂସ୍କୃତି ତୁଳନାରେ ତାହା ଅନେକ ଊର୍ଦ୍ଧ୍ୱରେ ।

 

ବିଶେଷଭାବରେ ଧର୍ମ ଉପରେ ହିଁ ସଂସ୍କୃତିର ପ୍ରତିଷ୍ଠା ହୋଇଥିବାରୁ ଓଡ଼ିଶାର ଅଭିନବ ଜଗନ୍ନାଥ ଧର୍ମ ହିଁ ଏ ରାଜ୍ୟର ସାଂସ୍କୃତିକ ସ୍ୱାତନ୍ତ୍ର୍ୟର ପ୍ରଧାନ ହେତୁ । ଓଡ଼ିଆ ସାହିତ୍ୟର ଭିତ୍ତିଭୂମି ସାରଳା ମହାଭାରତ ଯେପରି ଭାରତୀୟ ଘଟଣା, ସ୍ଥାନ ଓ ଚରିତ୍ରଗୁଡ଼ିକୁ ଓଡ଼ିଶାର କରିନେଇ ପାରିଛନ୍ତି, ସେହିରୂପେ ଓଡ଼ିଶାର କଳାସ୍ଥାପତ୍ୟ, ନୃତ୍ୟସଙ୍ଗୀତ ମଧ୍ୟରେ ହିଁ ଭାରତୀୟ ସଂସ୍କୃତିର ଉତ୍କର୍ଷ ବିକଶିତ ।

 

ସ୍ୱୀକାର କରିବାକୁ ହେବ ଯେ ଅତୀତରେ ଯେଉଁସବୁ କଳାସ୍ଥାପତ୍ୟ, ନୃତ୍ୟସଙ୍ଗୀତ ବା ସାହିତ୍ୟ ଉତ୍କଳୀୟ କଳ୍ପନାର ଐଶ୍ୱର୍ଯ୍ୟକୁ ନିଃଶେଷ କରି ରୂପ ଘେନିଥିଲା, ଆଜି ଆମ୍ଭେମାନେ ସେହି ମହିମାମୟ ସଂସ୍କୃତିର ଯୋଗ୍ୟ ଉତ୍ତରାଧିକାରୀ କି ନୋହୁଁ, ତାହା ପ୍ରଶ୍ନର ବିଷୟ ହୋଇପଡ଼ିଛି । ଆଜି ଆମର ଦେଖିବା ଆବଶ୍ୟକ ହୋଇଛି, ଅତୀତର ନିର୍ମାଣପରେ ଆଉ ଯାହା ଆଜି ନିର୍ମିତ ହୋଇଛି ବା ହେବାକୁ ଯାଉଛି, ତାହାର ସ୍ଥାନ କେଉଁଠାରେ–ଦିନେ ଯେଉଁ ରାଜ୍ୟର ମନ୍ଦିରଚୂଡ଼ାରେ ମହାଦୀପ ଜଳିଉଠି ଅମାଅନ୍ଧକାରକୁ ଆଲୋକିତ କରିଥିଲା, ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଆଜି ତାହାର କଳା-ସାହିତ୍ୟ, ନୃତ୍ୟସଙ୍ଗୀତ କେତେଦୂର ଅଗ୍ରସର ହୋଇପାରିଛି ।

 

ଅଥବା ସେହି ମଧ୍ୟଯୁଗୀୟ ଓଡ଼ିଶୀ ନୃତ୍ୟସଙ୍ଗୀତକୁ ମାର୍ଜିତ, ସଂସ୍କୃତ କରିବା ଦିଗରେ ସେହି କଳାସ୍ଥାପତ୍ୟର ଅଧିକ ଉନ୍ନତି କରି ଓ ସାହିତ୍ୟକୁ ନବ ନବ ଭଙ୍ଗିରେ ପ୍ରକାଶ କରିବାଲାଗି କି ପରିମାଣରେ ଆମ୍ଭମାନଙ୍କୁ ତ୍ୟାଗ, ସାଧନା, ଉଦ୍ୟମ ପ୍ରାଣିପାତ କରିବାକୁ ହେବ ଏହାହିଁ ଆଜି ଭାବିବାର କଥା । ଦେଶରେ ଯେତେ ବେଶି ସଂଖ୍ୟାରେ ସାଂସ୍କୃତିକ ଅନୁଷ୍ଠାନ ଗଠିତ ହୁଏ, ପୁଣି ସେସବୁ ଅନୁଷ୍ଠାନ ଯେତେ ବେଶି ସୁନିୟନ୍ତ୍ରିତ ହୋଇ ଆମ ଗୌରବମୟ ଐତିହ୍ୟର ଉପଯୁକ୍ତ ହୁଏ ଓ ସୁସ୍ଥ ସୁନ୍ଦର ବଳିଷ୍ଠ ଚରିତ୍ର ଗଠନରେ ସାହାଯ୍ୟ କରେ, ଉତ୍କଳ ତଥା ଭାରତପକ୍ଷରେ ତାହା ତେତିକି ଶୁଭ ସଙ୍କେତ ଓ ସ୍ପୃହଣୀୟ ।

Image

 

ବିରୋଧାଭାସ

 

ଦିନ ପାଖେଇ ଆସିଥାଏ । ଇଂରେଜ ସରକାର ଭାରତକୁ କ୍ଷମତା ହସ୍ତାନ୍ତର କରିବା କଥା କେଉଁଠି କେମିତି ଉଠିଲାଣି । ହଠାତ୍‌ ଶୁଣାଗଲା, ଗାନ୍ଧୀଜି ଓ ନେହେରୁଜୀଙ୍କ ଭିତରେ ମନାନ୍ତର । ଖବର କାଗଜରେ ତ ସବୁବେଳେ ସବୁକଥା ବାହାରେ ଅନେକ ସମୟରେ ଖାଲି ସତକଥାଟି ଛାଡ଼ି । ତେଣୁ ଏତେବଡ଼ କଥାଟା ଲୁଚି ରହନ୍ତା କାହିଁକି ?

 

ଚାହୁଁ ଚାହୁଁ ଚାରିଆଡ଼େ ତାହା ବ୍ୟାପିଗଲା । ଦେଶ ବିଦେଶରୁ ସାମ୍ୱାଦିକମାନେ ତଥ୍ୟ ସଂଗ୍ରହ ପାଇଁ ଧାଁ ଧପଡ଼ କଲେ । ବଡ଼ ବଡ଼ ସମ୍ୱାଦ ଅନୁଷ୍ଠାନମାନ ନିଜର ବିଶେଷ ପ୍ରତିନିଧିମାନଙ୍କୁ ଏହି ବିଷୟର ତଦନ୍ତ କରି ଚାକ୍ଷୁଷ ପ୍ରମାଣ ଜଣାଇବାକୁ ପଠାଇଲେ । ଭାରତରେ ସୁଦ୍ଧା କେତେ ଲୋକ ତାଟକା ହୋଇ ପଡ଼ିଲେ–ଗାନ୍ଧି ନେହେରୁଙ୍କ ବିରୋଧ ? ତେବେ ଯେ କଂଗ୍ରେସ, ସ୍ୱରାଜ ପୁଣି ଭାରତବର୍ଷର ମଧ୍ୟ ମାନେ କିଛି ହୁଏ ନାହିଁ । ତେବେ କଣ ଏତେ ଅହିଂସା, ଏତେ ଜେଲ ଜରିମାନା, ଠେଙ୍ଗା ଗୁଳି ବାରବର୍ଷର ତପସ୍ୟା–ଶେଷକୁ କଣନା ।

 

କଳ୍ପନା ଜଳ୍ପନାର ଅନ୍ତ ନାହିଁ । ବିରୋଧିତା ରହିଲା କେଉଁଠି ? ଠିକ୍‌ ଅଛି–ଗାନ୍ଧି ବିଚାରୁଛନ୍ତି ସେ ବଡ଼, ନେହେରୁ ବିଚାରୁଛନ୍ତି ସେ ନିଜେ ମହାଦେବ ଆଉ ତାଙ୍କ ଡମ୍ୱରୁ ଯେମିତି-। ଡମ୍ୱରୁ ପିଟି ମହାଦେବ କହୁଛନ୍ତି ହାମ୍‌ବଡ଼ା ହାମ୍‌ବଡ଼ା; ଡମ୍ୱରୁ କହୁଛି, ନାହିଁ ନାହିଁ ମୁଁ । ତେବେ ଗାନ୍ଧିଙ୍କ ସଭାରେ ବେଶି ଲୋକ କି ନେହେରୁଙ୍କ ସଭାରେ ? ଗାନ୍ଧିଙ୍କ ପତାକାରେ ଚରଖା ତ ନେହେରୁଙ୍କର ଅଶୋକ ଚକ୍ର; ଜଣକର ଚରଖା ତ ଆରଜଣକର ଲୁଗାକଳ; ଜଣକର ତାଳଗୁଡ଼ ହେଲେ, ଆରଜଣକର ଚିନି କାରଖାନା; ଜଣକର ଖାଣ୍ଟି ଛେଳି ଦୁଧ ହେଲେ ଆର ଜଣକ ସୁଧୁ ପାଉଡ଼ର; ଜଣେ ପଦଯାତ୍ରୀ ହେଲେ ଆରଜଣକ ଏରୋପ୍ଳେନ୍‌ରେ; ଜଣେ ପୂରାପୁରି ଅହିଂସ, ଅନ୍ୟ ଜଣକ ବେଶି ବେଶି ଲୁହା ଆମଦାନୀ ପାଇଁ ବ୍ୟସ୍ତ ।

 

ବିରୋଧିତା ନାହିଁ କିମିତି ? ନ ରହି ବା ଯିବ କୁଆଡ଼େ । ଦୃଷ୍ଟିକୋଣର ବିରୋଧିତା, ଆଦର୍ଶର ବିରୋଧିତା, କର୍ମ ପନ୍ଥାର ବିରୋଧିତା, ନେତୃତ୍ୱର ବିରୋଧିତା । ତେବେ କଣ ଭାରତୀୟ ବୃତ୍ତର କେନ୍ଦ୍ରବିନ୍ଦୁ ଗୋଟାଏ ନ ହୋଇ ଯୋଡ଼ାଏ ହେବ ! ଗାନ୍ଧି ନେହେରୁଙ୍କ ଭିତରେ ଫାଙ୍କ୍‌ ଫାଙ୍କ୍–ତା ହେଲେ ଜିନ୍ନାଙ୍କୁ ଦୋଷୀ କରାଯିବ କାହିଁକି ! ଇଂରେଜ ସରକାର ଅବା କ୍ଷମତା ଦେଇ ଯିବେ କାହା ହାତରେ ! ସେଇତ ଏତେକାଳ ହେଲା ସ୍ୱରାଜ ନ ମିଳିବାର ଅସଲ କାରଣ । ନଇଲେ ଇଂରେଜ ତ ସବୁବେଳେ ଚାହିଁ ବସିଛନ୍ତି ଭାରତକୁ ସ୍ୱାଧୀନ କରିବାପାଇଁ, ତାଙ୍କର କି ଦୋଷ ? ତେବେ କାହା ହାତରେ ସେ କ୍ଷମତା ଛାଡ଼ନ୍ତେ, ହିନ୍ଦୁ ନା ମୁସଲମାନ ? ଏବେ ପୁଣି ଆହୁରି ଏକ ନୂଆ ସମସ୍ୟା–ଗାନ୍ଧି ନା ନେହେରୁ ? ହାୟ ହତଭାଗ୍ୟ ଭାରତ !

 

ତେବେ କଥାଟା କିଭଳି ଅବସ୍ଥାରେ ଅଛି । ଦୁଇ ନେତାଙ୍କର ବିଚାର କଣ, କଂଗ୍ରେସ ମହଲରେ ଏହାର ପ୍ରତିକ୍ରିୟା କିପରି ? ବହୁତ ଘାଣ୍ଟଚକଟ ପରେ ଦୁଇଜଣଙ୍କର ମତାମତ ଆଗ ବୁଝିବା ଆବଶ୍ୟକ ପଡ଼ିଲା । କିନ୍ତୁ କଥାଟାକୁ ଉକୁ କରିବ କିଏ, କେମିତି ? କାହାକୁ ପହିଲେ ପଚାରିଲେ ଠିକ୍‌ହେବ-ଗାନ୍ଧି ନା ନେହେରୁ ? ପୁଣି ଏକଥା ପଚାରିବାର ସାହସ ଅଛି କାହାର ? କେଉଁ ସ୍ୱଦେଶୀ ନା ବିଦେଶୀ ସାମ୍ବାଦିକର ? ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କେଉଁ ମୂଷାଟି ?

 

ନେହେରୁଙ୍କୁ ପଚାରିବା ତ ଅସମ୍ଭବ । ତା ହେଲେ ଗାନ୍ଧିଙ୍କୁ ପଚରାଯାଉ । କାରଣ ଗାନ୍ଧିଙ୍କର ସବୁଯାକ ଦାନ୍ତ ପଡ଼ିଯାଇ ସେ ପୂରାପୂରି ପାକୁଆ । ସେଠିକି ବି ସବୁରି ଅବାରିତ ଦ୍ୱାର, ବେଳକାଳ ଉଣ୍ଡି ତାଙ୍କ ପାଖରେ ପହଞ୍ଚି ପାରିଲେ ହେଲା । ସେତକ ବି କେହି ସ୍ୱଦେଶୀ ସାମ୍ବାଦିକ ସାହସ କରିପାରିଲେ ନାହିଁ । ଅଣ୍ଟାଭିଡ଼ି ବାହାରିଲେ ଜଣେ ବିଦେଶୀ ସାମ୍ବାଦିକ । କାରଣ ଭାରତବର୍ଷ ବିଦେଶୀ କବଳରୁ ମୁକ୍ତ ହେବା ବିଷୟରେ ସେଇମାନଙ୍କର ହିଁ ସବୁଠାରୁ ବେଶି ଚିନ୍ତା କି ନା !

 

ସାମ୍ବାଦିକ ସିଧାସଳଖ ଯାଇ ଗାନ୍ଧିଜୀଙ୍କୁ ପଚାରିଲେ–ନେହେରୁଙ୍କ ସହିତ ଆପଣଙ୍କର ବିରୋଧିତାର କାରଣ କ’ଣ ? ଗାନ୍ଧିଜୀ ଉତ୍ତର କଲେ–‘‘କାରଣ ବଡ଼ ଗୁରୁତର ।’’ ଆନନ୍ଦ ସାଗରରେ ବୁଡ଼ାମାରି ସାମ୍ବାଦିକ ବିଚାରିଲେ ଗୋଟାଏ ମସ୍ତବଡ଼ ସ୍କୂପ ତାଙ୍କ ହାତପାଉଣାକୁ ଆସିଛି । ସେ ଖାତା ପେନସିଲ ଧରି ଅବାକ୍‌ ବିସ୍ମୟରେ ଗାନ୍ଧିଜୀଙ୍କ ମୁହଁକୁ ଚାହିଁ ରହିଲେ । ପୁଣି ସେହି ଦନ୍ତହୀନ ଓଷ୍ଠରେ ଶିଶୁ ସୁଲଭ ହାସ୍ୟ ଫୁଟି ଉଠିଲା–‘‘ବିରୋଧିତାର ଏକମାତ୍ର କାରଣ ହେଲା ନେହେରୁ ଓ ମୋ ଭିତରେ କିଏ କାହାକୁ ବେଶି ଭଲ ପାଉ ଏଇଥିପାଇଁ ଆମେ ଦୁହେଁ ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ ।

 

ଅଳଙ୍କାର ଶାସ୍ତ୍ରରେ ଏହାକୁହିଁ ବିରୋଧାଭାସ ବୋଲାଯାଏ । ଗୋଟିଏ ଅର୍ଥରେ ବିରୋଧକୁ ବୁଝାଉଥିବ, ଅଥଚ ଗୋଟିଏ ଶବ୍ଦ କିମ୍ବା ଗୋଟିଏ ପ୍ରକାର ପ୍ରୟୋଗର ଅର୍ଥ ଭିନ୍ନ ହେଲେହେଁ ତାହାର ପ୍ରକୃତ ଅର୍ଥ ଅଭିନ୍ନ । ପ୍ରାଚୀନ ଓଡ଼ିଆ କାବ୍ୟ କବିତାରେ ବିପରୀତ ଅର୍ଥବୋଧକ ରଚନାର ପ୍ରମାଣ ଅଭାବ ନାହିଁ ଏବଂ ତାହାର ମୌଳିକମର୍ମ ସମାନ ।

 

ସାହିତ୍ୟ ଖାଲି ଭାଷାଛନ୍ଦ ପ୍ରକାଶ ଭଙ୍ଗିର ସମଷ୍ଟି ନୁହେଁ । ଯେଉଁ ସମାଲୋଚକ ତାହା କହନ୍ତି, ସେହି ଭାଷାଛନ୍ଦ ଭିତରେ ତାଙ୍କର ଏହି ବିରୋଧାଭାଷର ଅଧ୍ୟୟନ ଆବଶ୍ୟକ । ଏହାରି ଭିତରେ ହିଁ ରାଷ୍ଟ୍ରନୀତି, ସମାଜନୀତି, ଧର୍ମନୀତି, ଅର୍ଥ-ବିଜ୍ଞାନ, ଜୀବ ବିଜ୍ଞାନ ଆଦିର ଅନେକ ତଥ୍ୟ ଅନେକ ସମସ୍ୟାର ତାତ୍ପର୍ଯ୍ୟ ଖୋଜିଲେ ମିଳିପାରିବ । ଦକ୍ଷିଣପନ୍ଥୀ, ବାମପନ୍ଥୀ, ସରକାର ଦଳ, ବିରୁଦ୍ଧ ଦଳ ପୁଣି ରାଜନୈତିକ ବିଭିନ୍ନ ଦଳର ଉତ୍ପତ୍ତି ଓ ଗଠନ ବିଷୟରେ ମୌଳିକ ବିଚାରମାନ ଜଣାପଡ଼ିବ । ସାହିତ୍ୟ ଖାଲି ଚିତ୍ତ ବିନୋଦନର ଉପାଦାନ ନୁହେଁ । ଜୀବନ ଗଠନ, ଜାତିଗଠନ ଦିଗରେ ତାହାର ଅବଦାନ ଅସାମାନ୍ୟ ।

 

ଭାରତର ସ୍ୱାଧୀନତା କଥା ଧରାଯାଉ । ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାରେ ଗୋରା ଶାସକମାନଙ୍କ ପାଖରେ ଭାରତୀୟମାନଙ୍କ ମର୍ଯ୍ୟାଦାରକ୍ଷା ପାଇଁ ଯେତେବେଳେ ଏକ ମହା ପରୀକ୍ଷାର ସମ୍ମୁଖୀନ, ସେତେବେଳେ ତାଙ୍କୁ ପ୍ରେରଣା ମିଳେ ଋଷର ବିଶ୍ୱବିଦିତ ସାହିତ୍ୟିକ ଟଲଷ୍ଟୟଙ୍କଠାରୁ–ଯେତେବେଳେ ଟଲଷ୍ଟୟବାଦ ଇଉରୋପ ଆମେରିକାରେ ମହାଚହଳ ପକାଇଥାଏ; ଟଲଷ୍ଟୟଫାର୍ମର ଆଦର୍ଶ ପାଖରେ ପାଶ୍ଚାତ୍ୟ ସଭ୍ୟତାର ମୂଳଦୁଆ ଦୋହଲି ପଡ଼ିଥାଏ ।

 

ଟଲଷ୍ଟୟ ସେତେବେଳକୁ ଶତାଧିକ ଗ୍ରନ୍ଥ ଲେଖି ପୃଥିବୀକୁ ଦୁଇଟି ଅମର ଉପନ୍ୟାସ ‘ସମର ଓ ଶାନ୍ତି’ ଏବଂ ‘ଆନାକାରନିନା’ ଦେଇସାରିଥାନ୍ତି । ତାଙ୍କ ମନରେ ଅନୁତାପ ଆସିଥାଏ । ସେ ଏତେ ଗଳ୍ପ ଉପନ୍ୟାସ ଲେଖି ସମାଜରେ କେବଳ ବିଳାସୀ ଓ ଅଳସୁଆ ପାଠକଙ୍କର ସଂଖ୍ୟା ବଢ଼ାଇଛନ୍ତି । ତାଙ୍କର ବିଶାଳ ଭୂସମ୍ପତ୍ତି ଓ ଏହି ସବୁ ଅଳସୁଆଙ୍କ ସଂଖ୍ୟା ବଢ଼ାଉଥିବା ଗ୍ରନ୍ଥର ପ୍ରକାଶଲବ୍‌ଧ ଧନର ସେ କଦାପି ପ୍ରକୃତ ଅଧିକାରୀ ନୁହନ୍ତି । ଏସବୁକୁ ସମାଜ ପାଇଁ ଉତ୍ସର୍ଗ କରି ନିଜ ଅନ୍ନବସ୍ତ୍ର ନିଜକୁ ଉପାର୍ଜନ କରିବାକୁ ହେବ । ତେଣୁ ଆପଣା ହାତରେ ଯୋତା ସିଲେଇ କରି, କଲମ ଛାଡ଼ି ଚାଷୀମାନଙ୍କ ସଙ୍ଗେ ହଳଧରି ମଇଟାଣି ନିଜ ଖର୍ଚ୍ଚ ସେ ତୁଲାଇବାକୁ ଲାଗିଲେ । କାଠହାଣିବା, ପାଣିକାଢ଼ିବା, ଲୁଗାକାଚିବା, ବୋଝ ମୁଣ୍ଡାଇବା ଆଦି ସବୁକର୍ମ ନିଜ ହାତରେ । ଦରିଦ୍ର, ମୂର୍ଖ ଚାଷୀ ମୂଲିଆଙ୍କ ଭିତରେ ସତ୍ୟର ଅବସ୍ଥାନ । ଏହିରୂପେ ଟଲଷ୍ଟୟଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଏକ ବିରୋଧାଭାସର ନିଦର୍ଶନ ହୋଇ ପଡ଼ିଲା ।

 

ପୁଣି ତାଙ୍କର ନୀତି ଓ ଆଦର୍ଶ ମଧ୍ୟ ଗାନ୍ଧିଜୀଙ୍କ କର୍ମପନ୍ଥା ଭିତରେ ଆଶ୍ଚର୍ଯ୍ୟ ଭାବରେ ପ୍ରତିଫଳିତ ହେଲା ।

 

ସ୍ୱାଧୀନତା ସଂଗ୍ରାମର ପ୍ରଧାନ ଅସ୍ତ୍ରରୂପେ, ଟଲଷ୍ଟୟ ରାଷ୍ଟ୍ରକୁ ଏକ ସଂଗଠିତ ହିଂସା ଭାବରେ ବିଶ୍ୱାସ କରୁଥିଲେ । କାରଣ ଗୁଳିବାରୁଦ-ତୋପକମାଣ-ସୈନ୍ୟସାମନ୍ତ ହିଁ ଯେ କୌଣସି ରାଷ୍ଟ୍ରର ସୁରକ୍ଷା ଲାଗି ଅନିବାର୍ଯ୍ୟ । ତେଣୁ ରାଷ୍ଟ୍ର ସହିତ ଅସହଯୋଗ କରିବାହିଁ ଅହିଂସାବାଦୀର କର୍ତ୍ତବ୍ୟ । ଏହି ବାଣୀରେ ଉଦ୍‌ବୁଦ୍ଧ ହୋଇ ସେତେବେଳେ କେବଳ ରୁଷିଆର ବହୁ ସଂଖ୍ୟକ ସୈନ୍ୟ କାର୍ଯ୍ୟରୁ ଇସ୍ତଫା ଦେଇ ଜେଲ ନିର୍ବାସନ ବରଣ କଲେ ନାହିଁ, ଭାରତରୁ ଇଂରେଜ ଶାସନର ନିର୍ବାସନ ଲାଗି ମଧ୍ୟ ଅହିଂସାଅସହଯୋଗ ହିଁ ପ୍ରଧାନ ଅସ୍ତ୍ରରୂପେ ବ୍ୟବହୃତ ହେଲା । ପୁଣି ଭାରତୀୟ ରାଷ୍ଟ୍ର ଯେପରି ସଂଗଠିତ ହିଂସାର ପ୍ରତୀକ ହୋଇ ନ ରହେ ସେ ଦିଗରେ ଗାନ୍ଧିଜୀଙ୍କର ଚିନ୍ତା ଓ ବିଚାର ଅତୁଳନୀୟ ।

 

ସେହି ଚିନ୍ତା ଓ ବିଚାର ଉପରେ ନବଭାରତର ରାଷ୍ଟ୍ରସଂଗଠନ ପ୍ରତିଷ୍ଠିତ । ତାହାହିଁ ଭାରତୀୟ ରାଜନୈତିକ ଆଦର୍ଶର ଭିତ୍ତିଭୂମି । ଏହି ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ହେଲେ ବହୁ ବିରୋଧାଭାସ ଭିତରେ ଗତି କରିବାକୁ ହେବ । ରାଷ୍ଟ୍ରକୁ ହିଂସାମୁକ୍ତ କରିବାପାଇଁ କେତେ ସ୍ଥଳରେ ହିଂସା ହିଁ ଅପରିହାର୍ଯ୍ୟ ହୋଇ ପଡ଼ିବା ସ୍ୱାଭାବିକ । ଯୁଗ ଯୁଗ ଧରି ସଭ୍ୟତାର ଆରମ୍ଭରୁ ଯେଉଁ ରାଷ୍ଟ୍ର ହିଂସା ବଳରେ ହିଁ ଗଠିତ ହୋଇ ଆସିଥିଲା, ତାହା ଆଜି ଭାରତକୁ ମିଳିଛି ଏକ ଅଭାବନୀୟ ଉପାୟରେ ଅହିଂସା ବଳରେ । ତେଣୁ ତଥାକଥିକ ମାନବ ସଭ୍ୟତାର ଚିରାଚରିତ ଧାରାକୁ ସଂମ୍ପୂର୍ଣ୍ଣରୂପେ ବଦଳାଇ ଦେଇ ରାଷ୍ଟ୍ରକୁ ‘ସଂଗଠିତ ହିଂସା’ ସଂଜ୍ଞାରୁ ମୁକ୍ତ କରିବାର ଅଦ୍ଭୁତ କୌଶଳ ଓ ଦାୟିତ୍ୱ ବହନ କରିଛି କେବଳ ଭାରତ ।

 

ଉପସ୍ଥିତ ଗଣତନ୍ତ୍ରର ନିକଟବର୍ତ୍ତୀ ହେବା ପଥରେ ଯେଉଁ ଏକାଧିକ ରାଜନୈତିକ ଦଳର ଅଭ୍ୟୁଦୟ ହେଲା ଏବଂ ତାହା ଫଳରେ ଦେଶ ଆଜି ଯେଉଁସବୁ ଅବସ୍ଥାର ସମ୍ମୁଖୀନ, ସେ ସବୁ ଭିତରେ ବିରୋଧାଭାସର ସନ୍ଧାନ ମିଳି ପାରିବ । ଭାରତର ଆଭ୍ୟନ୍ତରୀଣ ତଥା ବୈଦେଶିକ ସମସ୍ୟାଗୁଡ଼ିକ ମଧ୍ୟରେ ତାହାରି ସନ୍ଧାନ କରିବାକୁ ହେବ । ଗଣତନ୍ତ୍ର ଶାସନରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପୁଣି ବ୍ୟକ୍ତିଗତ ଦାୟିତ୍ୱ ଯେଉଁ ପରିମାଣରେ ବଢ଼ି ଯାଇଛି, ସେଥିପ୍ରତି ଅବହିତ ରହିବାକୁ ହେବ । କାରଣ କେବଳ ଟଲଷ୍ଟୟଙ୍କ ବ୍ୟକ୍ତିଗତ ଜୀବନରେ ବିରୋଧାଭାସ ଦେଖାଯାଏ ନାହିଁ, ପ୍ରତ୍ୟେକ ବ୍ୟକ୍ତିର ନିଜ ଜୀବନରେ ଏହା ଲକ୍ଷ୍ୟ କରିବାର ବସ୍ତୁ ।

 

ସମଗ୍ର ଏସିଆ କିମ୍ବା ଆଫ୍ରିକା ମହାଦେଶରେ ଯେଉଁ ନବଜାଗରଣ ହୋଇଛି, ଯାହା ଫଳରେ ପ୍ରାଚୀନ ସଭ୍ୟତାର ସଂଜ୍ଞା ଓ ମାନଦଣ୍ଡ ଦୋହଲି ଯାଇ ଓଲଟ ପାଲଟ ହେବାକୁ ବସିଲାଣି-। ତାହା ଭିତରେ ଭାରତୀୟ ନେତୃତ୍ୱ ନିଜର ସ୍ଥାନ ନିରୂପଣ କରିବାକୁ ବାଧ୍ୟ । କେଉଁ ବିଜ୍ଞାନ ଉଦ୍ଭାବନ, କେଉଁ ଅସ୍ତ୍ର-ଶସ୍ତ୍ର-ଧନ-କ୍ଷମତାର ବଳ ଆଜି ଯୁଗପ୍ରାଚୀନ ଇଉରୋପୀୟ ଔପନିବେଶିକ ଶାସନକୁ ଏହି ଦୁଇ ମହାଦେଶରେ ଭୁଷୁଡ଼ି ପଡ଼ିବା ବିପତ୍ତିରୁ ରକ୍ଷା କରୁଛି ? କେଉଁ ବିଦ୍ୟା-ବୁଦ୍ଧି-କୂଟନୀତିର କରାମତି ସେଠାରେ ଖାଟି ପାରୁଛି ? ମୂର୍ଖ, ଦରିଦ୍ରର ନିରଳସ ଶ୍ରମ, ତାହାର ଚରିତ୍ର ଓ ସତ୍ୟ ହିଁ ବିଜୟୀ ହୋଇ ଉଠିଚି ସବୁଠାରେ । ସେହି ସତ୍ୟର ସନ୍ଧାନ କରି ଭାରତ ତାହାର ଅପହୃତ ସ୍ୱାଧିନତାକୁ ଫେରାଇ ଆଣିଚି । ଆଜିର ଭାରତରେ ତାହାରି ସନ୍ଧାନ ହିଁ ତାର ବ୍ରତ । ସକଳ ବିରୋଧାଭାସ ମଧ୍ୟରେ ସେହି ବ୍ରତ ପାଳନ, ସେହି ମନ୍ତ୍ର ସାଧନା ହିଁ ସ୍ୱାଧୀନତା ଦିବସରେ ପୃଥିବୀ ପୃଷ୍ଠରେ ତାହାର ବାଣୀ ।

Image

 

ସାହିତ୍ୟର କାଉଁରୀ କାଠି

 

ଏପରି କିଛି ବିଷୟ ନାହିଁ କି ବିଚାର ନାହିଁ, ଯାହା ସାହିତ୍ୟ ଭିତରେ ଗଣାଯାଇ ନ ପାରେ ପୁଣି ଯାହା ଉପରେ ସାହିତ୍ୟର ପ୍ରଭାବ ନ ପଡ଼ିଛି । ସାହିତ୍ୟର ସଂଜ୍ଞା ଯେପରି ସର୍ବବ୍ୟାପୀ, ସେହିପରି ସର୍ବଗ୍ରାସୀ । ବାସ୍ତବ ଜଗତରେ ପୁଣି ଜଗତର ବାହାରେ, ତାହାର ସୀମାସରହଦ ମାପିବା ଅସମ୍ଭବ । ଦେଶକାଳପାତ୍ରର ଅବସ୍ଥିତିରୁ ତାହା ଅତୀତ । ସେ ସବୁର ସ୍ୱୀକୃତି ଯେମିତି ତାହା ପକ୍ଷରେ ସମ୍ଭବପର, ସଂମ୍ପୂର୍ଣ୍ଣ ଅସ୍ୱୀକାର ମଧ୍ୟ ସେମିତି ।

 

ଅସତ୍ୟ, ଅଶିବ, ଅସୁନ୍ଦରକୁ ସୁଦ୍ଧା ତାହା ସତ୍ୟ, ଶିବ, ସୁନ୍ଦରର ରୂପଦିଏ । ବିଚାରର ନିକ୍ତି ତାହାର ସେଇଥିପାଇଁ ଯେତିକି ବିଚିତ୍ର ସେତିକି ଅଦ୍ଭୁତ । ସାନକୁ ବଡ଼, ଉଚ୍ଚକୁ ନୀଚ, ସୁନ୍ଦରକୁ କୁତ୍ସିତ, ଧନୀକୁ ଦରିଦ୍ର, ପଣ୍ଡିତକୁ ମୂର୍ଖ, ପୂଣ୍ୟକୁ ପାପ, ଦୁଃଖକୁ ସୁଖ ପୁଣି ଅନ୍ଧାରକୁ ଆଲୁଅ କରି ଦେଖାଇ ଦେବାର ଯେଉଁ ଶକ୍ତି, ସାହସ ତାହାର ଅଛି, ସେପରି କୌଣସି ତଥାକଥିତ ବିଚାରାଳୟ କି ଶାସନ ଦରବାରର ନାହିଁ । ସବୁ ବିପରୀତକୁ ସମାନ କରିଦେବାର ଅସୀମ ଅଧିକାର ମଧ୍ୟ ସାହିତ୍ୟ ପରି ଆଉ କାହରି ନାହିଁ ।

 

ସେଥିପାଇଁ କଥା ଅଛି, ସବୁଠାରୁ ବଡ଼ ପ୍ରଲୋଭକ, ବଡ଼ ପ୍ରତାରକ, ପୁଣି ଭୀଷଣତମ ବସ୍ତୁ ଯଦି କିଛି ଥାଏ ତ, ତାହା ହେଉଛି ସାହିତ୍ୟ । ପ୍ରଲୋଭନ ତାହାର ମନୁଷ୍ୟ ପକ୍ଷରେ ଧନକ୍ଷମତାର ପ୍ରଲୋଭନ, ବିଳାସ-ସୁଖର ପ୍ରଲୋଭନ କିମ୍ବା ପୁରୁଷ ପକ୍ଷରେ ନାରୀର ପ୍ରଲୋଭନଠାରୁ ମଧ୍ୟ ଢେର ବେଶି । ଏତେ ବେଶି ଯେ ସମୁଦାୟ ପ୍ରଲୋଭନକୁ ଛଡ଼ାଇଦେଇ ସାହିତ୍ୟ ତାହାର ଉପାସକକୁ ସମ୍ପୂର୍ଣ୍ଣ ନିଃସ୍ୱ, ପଥର ଭିକାରୀ କରିଦେବାର ବିଦ୍ୟମାନ । ସବୁ ଯୁଗରେ ସବୁ ଦେଶରେ କବି, ସାହିତ୍ୟିକ, ଲେଖକଗୋଷ୍ଠୀ ସତ୍ୟ, ଶିବ, ସୁନ୍ଦରର ସାଧନପାଇଁ ଦୁଃଖ, ଦୈନ୍ୟ, ଲାଞ୍ଛନା, ନିର୍ଯାତନାକୁ ଭ୍ରୃକ୍ଷେପ କରି ନାହାନ୍ତି । କବୀର, ତୁକାରାମଙ୍କ ଭଳି କେତେ ପୁରୁଷଙ୍କ କବିତା ପାଖରେ ରାଜଶକ୍ତି ମଉଳି ଫିକା ପଡ଼ିଯାଇଛି; ମୀରାବାଈଙ୍କ ଭଳି ରାଜରାଣୀଙ୍କୁ ଉଆସର ଅବରୋଧ ଭିତରୁ ଟାଣିଆଣି ଦାଣ୍ଡ ମଝିରେ ଠିଆ କରାଇଛି । ଅତିବଡ଼ୀ ଜଗନ୍ନାଥ ଦାସଙ୍କୁ ପୂରାଇଛି ବନ୍ଦୀଶାଳାରେ ପୁଣି ମତ୍ତ ବଳରାମ ଦାସଙ୍କ ଉପରେ ଆଣିଛି ଅପମାନ ବିତାଡ଼ନ-

 

ତାହାର ପ୍ରଲୋଭନ ଭଳି ପ୍ରତାରଣା ମଧ୍ୟ ଅତି ମାରାତ୍ମକ । ଭାଷାର ଏକ ଚମତ୍କାର ଘୋଡ଼ଣୀ ଭିତରେ ନବରସର ପରିବେଷଣ ଛଳନାକରି ବକ୍ରୋକ୍ତି-ପରୋକ୍ଷାନୁଭୂତି ମାଧ୍ୟମରେ ସେ ଯେଉଁ ଲକ୍ଷ୍ୟ ହାସଲ କରିପାରେ, ତାହା ଅତି ଭୀଷଣ । ଋଷ କବି ବରିସ୍‌ ପାସ୍ତରନାକଙ୍କର ‘ଡକ୍‌ଟର ଝିବାଗୋ’ ଉପନ୍ୟାସ ଖଣ୍ଡି ପୃଥିବୀବ୍ୟାପୀ ଯେପରି ଚାଞ୍ଚଲ୍ୟ ସୃଷ୍ଟି କଲା ପୁଣି ତାହା ଫଳରେ ଲେଖକ ଯେଉଁ ଦୁଃଖ ଦୁର୍ଦ୍ଦଶା ବରଣ କଲେ, ତାହା ତ ଅଳ୍ପଦିନର ଘଟଣା । ଜର୍ମାନୀର ଶ୍ରେଷ୍ଠ କବି ଗେଟେଙ୍କର ‘ଓଆର୍ଦର ଦୁଃଖ’ (Sorrows of Werther) ଉପନ୍ୟାସ ଖଣ୍ଡି ସେହିପରି ଅତୀତରେ ବହୁ ଯୁବକଙ୍କର ଆତ୍ମହତ୍ୟାର କାରଣ ହୋଇଥିଲା । ବାସ୍ତବିକ୍‌ ସାହିତ୍ୟର ଶକ୍ତି ପ୍ରଖ୍ୟାପନ ଲାଗି ଉଦାହରଣର ଅନ୍ତ ନାହିଁ ।

 

ନାୟମାତ୍ମା ବଳହୀନେନ ଲଭ୍ୟଃ -ଯାହାର ବଳ ନାହିଁ ସେ ନିଜକୁ ଅବା ଆତ୍ମାକୁ ଚିହ୍ନିବ କୁଆଡ଼ୁ ? ସେ ବଳ, ସେ ଓଜ ତ ଖାଲି ମନର ନୁହେଁ, ଦେହର ମଧ୍ୟ । ସେଥିପାଇଁ ଏ ଦେଶରେ ବହୁ ପୁରାକାଳରୁ ଶକ୍ତିପୂଜାର ବ୍ୟବସ୍ଥା ଅଛି । ଆତ୍ମସଚେତନ ହେବାଲାଗି ଋଷି ବାକ୍ୟର ଏହି ଉଦ୍‌ବୋଧନ କେବଳ ଆଧ୍ୟାତ୍ମିକ ଉନ୍ନତିପାଇଁ ନୁହେଁ, ଆଧିଭୌତିକ, ବୈଷୟିକ କିମ୍ବା ଦୈହିକ ଉନ୍ନତିବିନା ଯେ ମାନସିକ ଶକ୍ତିର ବିକାଶ ସମ୍ଭବପର ନୁହେଁ, ସୁଦୂର ଅତୀତର ଦ୍ରଷ୍ଟାମାନେ ତାହା ଉପଲବ୍‌ଧି କରିଥିଲେ ।

 

ଓଡ଼ିଶାରେ ଦଶହରା ବା ଦେବୀପୂଜାର ତାତ୍ପର୍ଯ୍ୟ ଏହିଠାରେ । ଏଠାରେ କେବଳ ଦୁର୍ଗାଙ୍କର ମହିଷମର୍ଦ୍ଦିନୀ ସୁନ୍ଦର ମୂର୍ତ୍ତି ଗଢ଼ି ଯାନିଯାତ୍ରା, ଭୋଗରାଗ, ମଉଜମଜଲିସ୍‌, ରୋଷଣୀବାଜା ଅସଲ ଅଙ୍ଗ ନୁହେଁ । ପୁରୀର ‘ଗୋସାଣୀ’ ଯାତହିଁ ଓଡ଼ିଆମାନଙ୍କର ପାରମ୍ପରିକ ଅନୁଷ୍ଠାନ । ଗୋସାଣୀ ମୂର୍ତ୍ତିଗୁଡ଼ିକରେ ସୌନ୍ଦର୍ଯ୍ୟ, କମନୀୟତା ଅପେକ୍ଷା ସାହସ, ବୀରତ୍ୱର ବିରାଟ ଭୈରବୀରୂପ ଲକ୍ଷ୍ୟ କରିବାର ବିଷୟ ।

 

ପଲ୍ଲୀ ଅଞ୍ଚଳରେ ଘଟପୂଜା ହିଁ ସାଧାରଣରେ ବେଶି ପ୍ରଚଳିତ । ସେଥି ସଙ୍ଗେ ଖଣ୍ଡାୟତ ପାଇକମାନଙ୍କର ଖଣ୍ଡାଖେଳ, ଗଡ଼ମାନଙ୍କରେ ରାଜାମାନେ ‘ଦଶହରା ପଡ଼ିଆ’କୁ ଯାଇ ‘ଲାଖବିନ୍ଧା’ କରିବା ମଧ୍ୟ ଏହି ପର୍ବର ଏକ ପ୍ରଧାନ ଅଙ୍ଗ । ଏହାହିଁ ଓଡ଼ିଶାରେ ଶକ୍ତିପୂଜାର କ୍ଷୀଣ ସଙ୍କେତ ହୋଇ ଆଜିପର୍ଯ୍ୟନ୍ତ ରହିଛି; ଶକ୍ତିର ଆରାଧନା କରି ରାମଚନ୍ଦ୍ର ରାବଣବଧର ଅଭିଯାନ ଆରମ୍ଭ କରିବାର ସ୍ମାରକ ହୋଇଛି ।

 

ସେଇ ଶକ୍ତିର ଆବାହନ ଓ ସାଧନା କରାଯାଇଛି ଏକମାତ୍ର ସାହିତ୍ୟ ଜରିଆରେ । ସାହିତ୍ୟ ହିଁ ସେହି ଶକ୍ତି । ତାହା ଖାଲି ଦୁର୍ବଳକୁ ଆତ୍ମସଚେତନ କରିନାହିଁ, ମନ୍ତ୍ରବଳରେ ମୃଣ୍ମୟୀ ପ୍ରତିମାକୁ ମଧ୍ୟ ଜୀବନ୍ୟାସ ଦେଇନାହିଁ କିମ୍ବା ଚଣ୍ଡୀ, ବଗଳା ପ୍ରଭୃତି ସ୍ତୁତି ରଚନାଦ୍ୱାରା, ଶକ୍ତି, ସାହସ, ତେଜବୀର୍ଯ୍ୟର କେବଳ ରୂପ ପରିକଳ୍ପନାରେ ସନ୍ତୁଷ୍ଟ ରହିନାହିଁ, ମାତ୍ର ସର୍ବଭୂତରେ ସେହି ଶକ୍ତିର ସଂସ୍ଥାନ କରିଛି, ‘‘ଯା ଦେବୀ ସର୍ବଭୁତେଷୁ ଶକ୍ତିରୂପେଣ ସଂସ୍ଥିତା ।’’ ପ୍ରଥମ ଅବସ୍ଥାରେ ସାହିତ୍ୟର ଆଦିମ ଉତ୍ପତ୍ତି ଏହିପରି ତନ୍ତ୍ରମନ୍ତ୍ର, ଗୁଣିଗାରିଡ଼ି ଓ ଯାଗଯଜ୍ଞକୁ ଘେନି । ସେତେବେଳେ ଶକ୍ତି ତାହାର ଅଲୌକିକ । ମନ୍ତ୍ରତନ୍ତ୍ର ବଳରେ ସେ ଅସାଧ୍ୟ ସାଧନ କରି ପାରୁଥିଲା । ମନୁଷ୍ୟକୁ ସର୍ବଶକ୍ତିମାନ ଦେବତା କିମ୍ବା ରାକ୍ଷସ କରୁଥିଲା । ବିଷାକ୍ତ ସାପ ପୁଣି ନୃଶଂସ ବାଘ, ସିଂହଙ୍କୁ ସୁଦ୍ଧା ବଶୀଭୂତ କରୁଥିଲା । ମନ୍ତ୍ର ବଳରେହିଁ ମହା ମହାବ୍ୟାଧି ହଇଜା, ବସନ୍ତ, କଫ, କାମଳଆଦି ଛଡ଼ାଇ ଦେଉଥିଲା–‘ବାଣ’ ପେଶି ଶତ୍ରୁମାନଙ୍କୁ ସଂହାର କରୁଥିଲା ।

 

ରାମତାରକ ମନ୍ତ୍ରରେ ସିଦ୍ଧିଲାଭ କରି ଉପେନ୍ଦ୍ର ଭଞ୍ଜ କବିସମ୍ରାଟ ହେଲେ, ସାରଳା ଠାକୁରାଣୀଙ୍କ ବର ପାଇ ସାରଳା ଦାସ କେବଳ ତାଙ୍କରିଠାରୁ ଶୁଣି ଶୁଣି ଓଡ଼ିଆ ମହାଭାରତ ଲେଖିଲେ । ସ୍ୱୟଂ ଭଗବାନ ଆସି ଜୟଦେବଙ୍କ ଗୀତଗୋବିନ୍ଦର ପାଦପୂରଣ କଲେ । ପୁଣି କାଳିଦାସଙ୍କ ସମକ୍ଷରେ ଆବିର୍ଭୂତା ହେଲେ ସ୍ୱୟଂ ସରସ୍ୱତୀ । ସାହିତ୍ୟ ସଙ୍ଗେ ଶକ୍ତିର ସମ୍ପର୍କ ପ୍ରତିଷ୍ଠା ବିଷୟରେ କେବଳ ପ୍ରତି ଆଞ୍ଚଳିକ ଭାରତୀୟ ସାହିତ୍ୟରେ ଏହିପରି ଉଦାହରଣ ପୂର୍ଣ୍ଣ ହୋଇନାହିଁ, ଭାରତ ବାହାରେ ସୁଦ୍ଧା ପୃଥିବୀର ସବୁ ସାହିତ୍ୟରେ ଏହିଭଳି ସମ୍ପର୍କ ଯୁଗ ଯୁଗ ଧରି ବିଦ୍ୟମାନ ।

 

ସାହିତ୍ୟର ଅଦ୍ଭୁତ ଯାଦୁକରୀ ଶକ୍ତି ସବୁ ଦେଶରେହିଁ ବିଭିନ୍ନ ଧର୍ମର ସୃଷ୍ଟି କରିଛି । ଧର୍ମଗ୍ରନ୍ଥଗୁଡ଼ିକହିଁ ସଭ୍ୟତା ସମ୍ପ୍ରଦାୟର ଭିତ୍ତିଭୂମି । ଇଂରାଜୀ ସାହିତ୍ୟର ସର୍ବପ୍ରାଚୀନ ଖ୍ରୀଷ୍ଟିଆନ୍‌ କବି ସିଡ଼୍‌ମନ୍‌ଙ୍କୁ ହଠାତ୍‌ ଦିନେ ସ୍ୱପ୍ନବାଣୀ ହେଲା, ‘‘ସିଡ଼୍‌ମନ୍‌ ! ସୃଷ୍ଟିବସ୍ତୁର ଆରମ୍ଭ ତୁମ୍ଭେ ଗାନ କର’’–(Caedomn ! Sing the beginning of created things) ସେ ଶୂନ୍ୟବାଣୀରୁ ହେଲା ଇଂରାଜୀ କବିତାର ପ୍ରଥମ ସୂର୍ଯ୍ୟୋଦୟ । ସୃଷ୍ଟି ରହସ୍ୟର ଉଦ୍‌ଘାଟନ ହେଲା କବିତାର ଧର୍ମ, ତହୁଁ ରହସ୍ୟବାଦୀ କବିକୁଳର ଆବିର୍ଭାବ ।

 

ମନ୍ତ୍ର ଉଚ୍ଚାରଣର ଅଦ୍ଭୁତ ଶବ୍ଦ-ଶକ୍ତିବଳରେ ସୃଷ୍ଟି-ମନୁଷ୍ୟ ସୃଷ୍ଟିକର୍ତ୍ତାଙ୍କ ନିକଟବର୍ତ୍ତୀ ହୋଇ ଯେପରି ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରୁଥିଲା, ସେହିପରି କବିତା ମାଧ୍ୟମରେ ସେ ସୃଷ୍ଟିତତ୍ତ୍ୱ ଭେଦ କରି ପ୍ରକୃତି ପୁରୁଷର ଜୟଗାନ କଲା । ସିଡ଼୍‌ମନ୍‌ଙ୍କ ସ୍ୱପ୍ନାଦେଶ ଭଳି ଆଜି ପର୍ଯ୍ୟନ୍ତ ବହୁ କବି ଏକ ଅଶରୀରୀ ଆତ୍ମାର ନିର୍ଦ୍ଦେଶରେ କବିତାସ୍ଫୁରଣ ହେବାର ବିଶ୍ୱାସ କରୁଥିଲେ । ଓ୍ୱାଡସ୍‌ଓ୍ୱାର୍ଥ, ଶେଲି, କିଟ୍‌ସ୍‌ଙ୍କର ମଧ୍ୟ ଏହିଭଳି ଧାରଣା ଥିବାର ଜଣାପଡ଼େ । ପୁଣି ସାହିତ୍ୟ ସଙ୍ଗେ ଗୁଣିଗାରଡ଼ି, ଯାଦୁବିଦ୍ୟାର ସମ୍ବନ୍ଧ ଯେ ନିବିଡ଼, ତାହା ଖାଲି ସେକ୍‌ସପିଅର୍‌ଙ୍କ ‘ଟେମ୍ପେଷ୍ଟ’ (ଝଡ଼) ନାଟକର ଏରିୟଲ୍ ବା ପ୍ରସ୍‌ପରୋଙ୍କ ଆଶ୍ଚର୍ଯ୍ୟ କ୍ଷମତା କିମ୍ବା ମ୍ୟାକ୍‌ବେଥ୍‌ ନାଟକର ଡାହାଣୀ ବୁଢ଼ୀମାନଙ୍କ ଭବିଷ୍ୟତ୍‌ବାଣୀରୁ ଅଥବା ଜର୍ମାନ୍‌ କବି ଗେଟେଙ୍କ ନାଟକ ‘ଫାଉଷ୍ଟ’ର ଯାଦୁବିଦ୍ୟାରୁ ପ୍ରମାଣିତ ହୁଏ ନାହିଁ । ସାହିତ୍ୟର ରହସ୍ୟ ଭେଦଲାଗି କେତେକ କବି ମନ୍ତ୍ରସାଧନ ଦ୍ୱାରା ଯାଦୁବିଦ୍ୟା ଶିଖିବାପାଇଁ ପ୍ରୟାସୀ ହୋଇଥିବାର ଉଦାହରଣ ଅଛି । ଗତ ଦେଢ଼ଶହ ବର୍ଷ ଭିତରେ ଫରାସୀ କବି ଜେରର୍‌ଡ଼୍‌ଦ୍ୟ ନର୍ଭଲ (Gerardde Nerval) କିମ୍ବା (Rimband) ଏବଂ ଇଂରେଜ କବି ଇଟ୍‌ସ୍‌ (W.B Yeats) ପ୍ରକୃତରେ ଯାଦୁବିଦ୍ୟା ଶିକ୍ଷା କରିଥିଲେ ।

 

ଶବ୍ଦର ଶକ୍ତି ଉପରେ ବିଶ୍ୱାସ ଏତେ ଦୂର ଦୃଢ଼ ହୋଇ ପଡ଼ିଥିଲା ଯେ, ଚଣ୍ଡୀପାଠ, ବଗଳାପାଠ କିମ୍ବା ଯାଗଯଜ୍ଞର ମନ୍ତ୍ର ଉଚ୍ଚାରଣରେ ଭୁଲହେଲେ ମାନ୍ତ୍ରିକର ଅପମୃତ୍ୟୁ ଓ ବଂଶଧ୍ୱଂସର ଭୟ ମଧ୍ୟ ତାହାର ପରିଣାମ ବୋଲି ନିରୂପିତ ହୋଇଛି । ଆଜିର ବିଜ୍ଞାନଯୁଗରେ ଏସବୁ ବିଶ୍ୱାସ ଅବଶ୍ୟ କମିଯାଇଛି ମାତ୍ର ସାହିତ୍ୟର ଶକ୍ତି ଊଣା ପଡ଼ିନାହିଁ ।

 

ଆଜି ଶକ୍ତି ବୋଇଲେ ରାଷ୍ଟ୍ର-ଶକ୍ତି ଆଉ ତାହାର ସନ୍ତକ ମାରଣାସ୍ତ୍ରଗୁଡ଼ିକୁ ଯେପରି ବୁଝାଇଥାଏ, ସାହିତ୍ୟର ଶକ୍ତି ସେହି ପରିମାଣରେ ଦର୍ଶନୀୟ ନୁହେଁ, କାରଣ ତାହା ଅନେକ ସମୟରେ ପ୍ରଚ୍ଛନ୍ନ । କିନ୍ତୁ ପ୍ରଚ୍ଛନ୍ନ ରହିବା ଫଳରେ ତାହା ସବୁଠାରୁ ବଳି ମାରାତ୍ମକ କ୍ଷେପଣାସ୍ତ୍ର ଅପେକ୍ଷା ମଧ୍ୟ ଅଧିକ ମାରାତ୍ମକ । ସେଥିପାଇଁ ଇଂରାଜିରେ ଗୋଟିଏ କଥା ଅଛି–ଅସି ଅପେକ୍ଷା ମସୀ ହେଉଛି ବେଶି ଶକ୍ତିଶାଳୀ । ଭଗବଦ୍‌ଗୀତା କେବଳ ଅତୀତରେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ବିଜୟୀ କରିନାହିଁ, ଏବର ସ୍ୱାଧୀନତା ସମରରେ ଗାନ୍ଧି ଏବଂ ତାଙ୍କ ସହକର୍ମୀମାନଙ୍କୁ ମଧ୍ୟ ଯଥେଷ୍ଟ ପ୍ରେରଣା ଯୋଗାଇଛି ।

 

ଆଗେ ସାହିତ୍ୟ ଯେପରି ଧର୍ମବିପ୍ଳବ ପାଇଁ ଦାୟୀ ହୋଇଥିଲା, ଆଜି ରାଷ୍ଟ୍ରବିପ୍ଳବ ପାଇଁ ମଧ୍ୟ ତାହା ସେହି ପରିମାଣରେ ଦାୟୀ । ରୁଷୋ, ଟଲ୍‌ଷ୍ଟୟ, ଦୋସ୍ତଏଭ୍‌ସ୍କାଇ, ଗାର୍କୀ ପ୍ରମୁଖ ସାହିତ୍ୟିକମାନେ ଫରାସି ଓ ଋଷ୍‍ବିପ୍ଳବକୁ ତେଜିବାପାଇଁ ଯେଉଁ ଇନ୍ଧନ ଯୋଗାଇଥିଲେ ତାହା ଭୁଲିବାର ନୁହେଁ । ଭାରତୀୟ ଏକତା ଏ ଜାତୀୟତାର ନିନ୍ଦନୀୟ ବିରୋଧୀ ହେଲେହେଁ ଆସାମୀ ଭାଷାରେ ପ୍ରକାଶିତ ‘‘ମାଟି କା’ର’’ ନାମକ ଉପନ୍ୟାସ ଗତ ଆସାମ ଗଣ୍ଡଗୋଳର ଗୋଟିଏ ପ୍ରଧାନ ହେତୁ ବୋଲି କଥିତ । ଏଥିରୁ ପ୍ରମାଣିତ ହୁଏ, ସମାଜକୁ ଠିକ୍‌ ବାଟରେ ସାହିତ୍ୟ ଯେପରି ଚଳାଇପାରେ ଭୁଲ ବାଟରେ ମଧ୍ୟ ଚଳାଇବାର ଶକ୍ତି ତାହାର ଅପରିସୀମ । ଏହା ଯେତିକି ସୃଷ୍ଟି ବିଧାୟକ ସେତିକି ଧ୍ୱଂସମୁଖୀ ମଧ୍ୟ । ଯୁଦ୍ଧ ଓ ବିପ୍ଳବ ପାଇଁ ତାହା ଯେମିତି ସକ୍ଷମ, ଚିର ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ସେମିତି । ସମାଜରେ ଯେତେ ବିଳାସ, ଆଳସ୍ୟ, ବ୍ୟଭିଚାର, ଅନାଚାର, ଅନ୍ୟାୟ, ଅଧର୍ମ ବ୍ୟାପିଯାଏ ସେସବୁର କ୍ଷାଳନ କରି ଧର୍ମରାଜ୍ୟ ଓ ନ୍ୟାୟରାଜ୍ୟର ପ୍ରତିଷ୍ଠା ପାଇଁ ସାହିତ୍ୟର ଯେଉଁ କ୍ଷମତା ଅଛି, ତାହା ଆଉ କାହାର ନାହିଁ ।

 

ଗଳ୍ପ, ଉପନ୍ୟାସ, ନାଟକ, କବିତା କିମ୍ବା ଭ୍ରମଣ କାହାଣୀ ଭଳି ସାହିତ୍ୟର ଏକ ଆଧୁନିକ ଅଙ୍ଗ ସମ୍ବାଦପତ୍ର । ସମ୍ବାଦପତ୍ରର ଉତ୍ପତ୍ତି ବେଶି କାଳର ନ ହେଲେ ମଧ୍ୟ ଏହା ରାଷ୍ଟ୍ର ପଛକୁ ଅନ୍ୟତମ ପ୍ରଧାନ ଶକ୍ତି ଭାବରେ ବିବେଚିତ । ରାଷ୍ଟ୍ର ଓ ସମାଜର ପରିଚାଳନା ଲାଗି ଏହାର ନେତୃତ୍ୱ ଅନସ୍ୱୀକାର୍ଯ୍ୟ । ଯୁଦ୍ଧବିଗ୍ରହ ଶାନ୍ତି ସବୁ କ୍ଷେତ୍ରରେ ଏପରି କି କୃଷି, ବାଣିଜ୍ୟ, ଶିଳ୍ପ, ସ୍ୱାସ୍ଥ୍ୟ ପୁଣି ମଣିଷର ଦୈନନ୍ଦିନ ଜୀବନନିର୍ବାହ ପାଇଁ ପ୍ରତି ସାନ ବଡ଼ ବିଷୟ ଆଜି ସମ୍ବାଦପତ୍ର ଦ୍ୱାରା ନିୟନ୍ତ୍ରିତ ହେଉଛି । କାହାରି କାହାରି ମତରେ ସମ୍ବାଦପତ୍ରମାନେ ଇଚ୍ଛା କରିଥିଲେ ଗତ ମହାଯୁଦ୍ଧକୁ ସୁଦ୍ଧା ବନ୍ଦ କରି ଦେଇଥାନ୍ତେ ଓ ପୃଥିବୀକୁ ଧ୍ୱଂସମୁଖରୁ ଉଦ୍ଧାର କରି ପାରିଥାନ୍ତେ । ତାହା ନ କରି ସେମାନେ ଯୁଦ୍ଧକୁ ଉସୁକାଇବା ଫଳରେ ବିଶ୍ୱବ୍ୟାପୀ ସମୂହହତ୍ୟାର ତାଣ୍ଡବଲୀଳା ଲାଗିଯାଇଥିଲା-

 

ପୃଥିବୀମୟ ଆଜି ଯେଉଁ ବିପୁଳ ବିରାଟ ଜନ-ଜାଗରଣ ଦେଖାଦେଇଛି, ଶତ ଶତ ବର୍ଷବ୍ୟାପୀ ଔପନିବେଶିକ ଶାସନ ତଳେ ଦଳିତ ନିଷ୍ପେଷିତ ଅନୁନ୍ନତ ଏସିଆ ଓ ଆଫ୍ରିକା ମହାଦେଶର ଜାତି ସକଳ ମୁଣ୍ଡଟେକି ଉଠିଛନ୍ତି । ସେ ସବୁ ଦେଶରେ କେଉଁ ବିଜ୍ଞାନ, କେଉଁ ଅସ୍ତ୍ରଶସ୍ତ୍ର ଓ କୂଟନୀତିର କୌଶଳ ଔପନିବେଶିକ ଶାସନକୁ ଆଉ ଥରେ ସୁଦୃଢ଼ କରିବାର ଆଶା ଅଛି ? ସବୁ ଅସ୍ତ୍ରଶସ୍ତ୍ର ଉପରେ ଲେଖନୀର ବିଜୟ ଘୋଷିତ ହୋଇ ନାହିଁ କି ? ବିଜ୍ଞାନର ନୂଆ ନୂଆ ଅଦ୍ଭୂତ ଉଦ୍ଭାବନଗୁଡ଼ିକ ଉପରେ ଶବ୍ଦବାଣର ଯାଦୁକାରୀ ଶକ୍ତି ବେଶି କାର୍ଯ୍ୟ କରି ନାହିଁ କି ? ବିଶ୍ୱବ୍ୟାପୀ ଲେଖନୀର ଶାନ୍ତି ନୀତି ଆଜି ଯୁଦ୍ଧଖୋରମାନଙ୍କୁ ନାକଚ ଅଲଗା କରି ପଦାରେ ପକାଇ ଦେଇ ନାହିଁ କି ଓ ଶାନ୍ତିକୁ ନିକଟତର କରି ନାହିଁ କି ?

 

କେତେବେଳେ ତାହା ଧର୍ମଦର୍ଶନର ବ୍ୟାଖ୍ୟା କରିବାକୁ ଯାଇ ନୀତିଶାସ୍ତ୍ର ବୟାନରେ ସମାଜରେ ଦୋଷଗୁଣ, ଆଚାରବିଚାର, ନ୍ୟାୟାନ୍ୟାୟର ପ୍ରତିଷ୍ଠା କରିଛି–ଜଣେ ଜଣେ ଧର୍ମପ୍ରଚାରକ କିମ୍ବା ଗୋଟିଏ ଗୋଟିଏ ଧର୍ମନୀତିକୁ ସମର୍ଥନ କରି ସମାଜ, ଗୋଷ୍ଠୀ ବା ସଂପ୍ରଦାୟ ସୃଷ୍ଟି କରିଛି । କେତେବେଳେ ପୁଣି ନାରୀପୁରୁଷର ପ୍ରଣୟ ବର୍ଣ୍ଣନାରେ ପାଠକ ଚିତ୍ତକୁ ସମ୍ଭୋଗମୁଖୀ କରିଛି, ଆଉ କେବେ ଦେଖାଇ ଦେଇଛି ସମ୍ଭୋଗତ୍ୟାଗର ଚୂଡ଼ାନ୍ତ ଦୃଷ୍ଟାନ୍ତ । ଧର୍ମ ସଂପ୍ରଦାୟ ଭଳି ତାହା ରାଜନୀତିକ ଦଳଗତ ସମର୍ଥନରେ ମଧ୍ୟ ଶତମୁଖ ହୋଇପଡ଼ିଛି । କେଉଁଠି ଯୁଦ୍ଧ ପାଇଁ ଉଦ୍ୟୋଗ ପର୍ବର ତ କେଉଁଠି ଶାନ୍ତିପର୍ବର ଅବତାରଣା କରିଛି ।

 

କେଉଁଠି ଦୃଶ୍ୟମାନ ପ୍ରକୃତିର ସୌନ୍ଦର୍ଯ୍ୟରେ ବିହ୍ୱଳ ଅଭିଭୂତ ହେବାର ଉପାଦାନ ପାଠକ ଆଗରେ ବାଢ଼ିଛି, ସୃଷ୍ଟିର ଜୟଗାନରେ ଉନ୍ମତ୍ତ ହୋଇପଡ଼ିଛି । ଆଉ କାହିଁ ଅଦୃଶ୍ୟ ପୁରୁଷ, ଅଜ୍ଞାତସ୍ରଷ୍ଟା ସହିତ ସମ୍ପର୍କ ରଖିବା ଓ ପୁଣି ଅବୋଧ୍ୟକୁ ବାକ୍ୟରେ ଫୁଟାଇବା, ଦୂରତମକୁ ନିକଟତମ କରିବା ହୋଇଛି ତାହାର ଏକମାତ୍ର ଧ୍ୟାନ ।

 

ପୃଥିବୀ ଜୟ କରିସାରି ଆଉ ବିଜୟ ପାଇଁ ସ୍ଥାନ ନ ମିଳିବାରୁ ମହାବୀର ସିକନ୍ଦରଙ୍କର ଯେପରି ଅବସାଦ ଆସିଥିଲା, ବିଜ୍ଞାନ ଆଜି ଦୂରତାକୁ ଜୟକରି ସେହିଭଳି ଏକ ଅବସାଦର ସମ୍ମୁଖୀନ ହେବାକୁ ଯାଉଛି । ପୃଥିବୀ ଉପରେ ଔପନିବେଶିକ ଶାସନ ଭୁଷୁଡ଼ି ପଡ଼ୁଥିବାରୁ ପୃଥିବୀ ବାହାରେ ତାହାର ଅନ୍ୟ ଗ୍ରହ ଉପଗ୍ରହରେ ଉପନିବେଶ ସ୍ଥାପନର ପରିକଳ୍ପନା ଚାଲିଛି ।

 

ମନୁଷ୍ୟର ଅସଂଖ୍ୟ ଅଭାବ ଗଢ଼ିସାରି ସେଗୁଡ଼ିକର ପରିପୂରଣ ଲାଗି ବିଜ୍ଞାନର ପ୍ରଚେଷ୍ଟା ଶେଷକୁ ଭସ୍ମାସୁର ଅବସ୍ଥାରେ ପହଞ୍ଚିଯାଇଛି । ରାଜନୀତିର ସକଳ ବାଦ, ରାଷ୍ଟ୍ରର ସବୁ ଅସ୍ତ୍ର ଘୋରି ହୋଇ ମୁଣ୍ତା ଧରିଗଲାଣି । ସାହିତ୍ୟକୁ ନିଜର ଚରମ କ୍ଷେପଣାସ୍ତ୍ର ପ୍ରୟୋଗ କରିବାର ଏହାହିଁ ଅସଲ ଘଡ଼ିସନ୍ଧି ବେଳ । ପୃଥିବୀଜୟୀ ସିକନ୍ଦର ଦାନଦକ୍ଷିଣା ଯାଚିଲାବେଳେ ଦରିଦ୍ର ନିଃସ୍ୱ ଡିମସ୍ଥେନିସ୍‌ ଗାଧୁଆକୁଣ୍ତରେ ବସି ଉତ୍ତର ଦେଲାଭଳି ସାହିତ୍ୟକୁ ଆଜି ନୂଆଢଙ୍ଗରେ ମନ୍ତ୍ର ଉଚ୍ଚାରଣ କରିବାକୁ ହେବ–‘‘ହେ ବିଜୟୀ, ଆଉ କାହିଁରେ ମୋର ଲୋଡ଼ା ନାହିଁ, ଲୋଡ଼ା ଖଲି ତୁମେ ଟିକିଏ ଆଡ଼େଇ ଯାଅ, ଆଲୁଅ ଆସିବାକୁ ବାଟ ଛାଡ଼ । ମୁଁ ଖାଲି ଟିକିଏ ଆଲୁଅ ମାଗୁଛି, ଆଉ କିଛି ନୁହେଁ ।’’ ଛତ୍ରପତି ଶିବାଜୀ ଯେଉଁଦିନ ଭିକାରୀ ସନ୍ନ୍ୟାସୀ ଗୁରୁ ରାମଦାସଙ୍କୁ ରାଜ୍ୟଭାର ଟେକିଦେଲେ, ଗୁରୁ ତାଙ୍କୁ କହିଥିଲେ, ‘‘ତୁମେ ତାହାହେଲେ କି କାମ କରିବ ? ଏଇ ନିଅ ମୋର ଏକମାତ୍ର ସମ୍ବଳ ଥାଳ ଖଣ୍ତିକ, ତୁମ ସାମ୍ରାଜ୍ୟର ବଦଳରେ ।’’ ଶିବାଜୀ ମୁଣ୍ତନୁଆଁଇ ଗୁରୁଙ୍କ ଦାନ ଥାଳ ଖଣ୍ତିକୁ ଧରି ଦ୍ୱାରେ ଦ୍ୱାରେ, ପଥେ ପଥେ ଭିକମାଗି ବୁଲିଥିଲେ । ଶେଷରେ ଗୁରୁ କହିଲେ, ‘‘ଏବେ ତୁମେ ରାଜନୀତି ପରୀକ୍ଷାରେ ସମ୍ପୁର୍ଣ୍ଣ ଉତ୍ତୀର୍ଣ୍ଣ ହୋଇପାରିଛ ଭିକ୍ଷୁକର ପ୍ରକୃତ ପ୍ରତିନିଧି । ଏହି ତମର ରାଜସନ୍ତକ ଗ୍ରହଣ କର ଗେରୁଆ କନ୍ଥା’’–ଏହି କନ୍ଥାକୁ ଛତ୍ରପତି ଶିବାଜୀ ଭାରତ ଆକାଶରେ ଉତ୍ତୋଳନ କରିଥିଲେ । ଏହାରି ନାମ ‘ଭଗୁଆ ଝଣ୍ତା’ ! ଭାରତ ସ୍ୱାଧୀନତାର ଶେଷ ପର୍ଯ୍ୟାୟରେ ଯେଉଁ ରାଜନୀତିର ଆଦର୍ଶ ରହି ଯାଇଚି, ଭିକାରୀ ରାମଦାସ ଯେଉଁ ଗୀତ ଗାଇ ବୀର ଛତ୍ରପତିଙ୍କୁ ସିଂହାସନରୁ ଟାଣିଆଣି ଶାସନଦଣ୍ତ ବଦଳରେ ଭିକାରୀର ଥାଳ ଧରାଇଥିଲେ, ଆଜି ମଧ୍ୟ ସାହିତ୍ୟରେ ସେହିପରି ଗୀତ କରିବାର ଶକ୍ତ ଅଛି, ସାହସ ଅଛି, କ୍ଷମତା ଅଛି ।

Image

 

ସାହିତ୍ୟବଲ୍ଲଭ ଆର୍ଭବଲ୍ଲଭ

 

ଉତ୍କଳ ସାହିତ୍ୟଗଗନର ଏକ ଉଜ୍ଜ୍ୱଳତମ ଜ୍ୟୋତିଷ୍କ ଅସ୍ତମିତ ହୋଇ ଯାଇଛି । ଓଡ଼ିଆ ସାହିତ୍ୟର ନିରବଚ୍ଛିନ୍ନ ସାଧକ, ଓଡ଼ିଶାର ଆଧୁନିକ ଲେଖକଲେଖିକାମାନଙ୍କର ପରମପୂଜ୍ୟ ଗୁରୁଦେବ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ଆଉ ଇହଜଗତରେ ନାହାନ୍ତି । ଏ ରାଜ୍ୟର ପୁରପଲ୍ଲୀରେ ସେହି ସରଳ, ସୁଦୀର୍ଘ, କୃଶ, କର୍ମଠ ଶରୀର ଚିରକାଳ ପାଇଁ ଅଦୃଶ୍ୟ ହୋଇଗଲା । ଅସରନ୍ତି ଉତ୍ସାହର ଉତ୍ସ ସେହି ସଦାଉଦ୍ୟମଶୀଳ କର୍ମମୟବିରାଟ ଜୀବନର ଅବସାନ ଯେ କେବେ ଘଟିପାରେ, ତାହା କଦାପି ବିଶ୍ୱାସ କରି ହୁଏ ନାହିଁ । ଏତେ ଆଶା, ଏତେ ଚିନ୍ତା, ପୁଣି ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ସଂସ୍କୃତି ଉପରେ ଏତେ ଦମ୍ଭ ଓ ଗର୍ବ, ଏତେ ଉତ୍ତେଜନା ଓ ସ୍ପନ୍ଦନ, ଏତେ ବିଶ୍ୱାସ ଓ ଦୃଢ଼ତାର ଦୃଷ୍ଟାନ୍ତ ଅନ୍ୟତ୍ର ବିରଳ । ରତ୍ନଗର୍ଭା ଉତ୍କଳ ଭାରତୀଙ୍କର ଏହି ବରପୁତ୍ରଙ୍କ ସାହଚର୍ଯ୍ୟରେ ଯେ ଥରେ ମାତ୍ର ଆସିବାର ସୌଭାଗ୍ୟ ଲାଭ କରିଥିବେ ସେ ନିଶ୍ଚୟ ତାଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ ବହ୍ନିର ଉତ୍ତାପ ଅନୁଭବ କରିଥିବେ ଓ ଅନୁଭବ କରିଥିବେ ଓଡ଼ିଆ ସାହିତ୍ୟର ଗଗନଭେଦୀ ଉଚ୍ଚତା ଓ ସାଗରତୁଲ୍ୟ ବିଶାଳତା ପୁଣି ଗଭୀରତା । ଓଡ଼ିଶାର କେଉଁ ସହର କିମ୍ବା ପଲ୍ଲୀଗ୍ରାମରେ କେଉଁ ଅମୂଲ୍ୟ ପ୍ରାଚୀନ ପୋଥି ଅଛି, ସେହି ସବୁ ସଂଗ୍ରହକରି ଗୋଟିଏ ବିଶାଳ ଗ୍ରନ୍ଥରୁ ବିଭିନ୍ନପାଠର ସମୀକ୍ଷା, ସଂଶୋଧନ, ସମୀକରଣ ଓ ସଂସ୍କରଣ, ଯୌବନକାଳରୁ ଶୂଳରୋଗରେ ପୀଡ଼ିତ ହୋଇ ଉପାଧାନ ଆଶ୍ରୟକରି ପୋଥିପାଠ, ଉପେନ୍ଦ୍ର ଭଞ୍ଜପ୍ରମୁଖ ପ୍ରାଚୀନ କବିମାନଙ୍କର ସଟୀକ ବିଶୁଦ୍ଧ ସଂସ୍କରଣ ଦିବାରାତ୍ର ତାଙ୍କ ସାଧନାର ସାମଗ୍ରୀ ଥିଲା ।

 

କଲେଜ ଅଧ୍ୟାପନା ସମୟରେ ଛାତ୍ରମାନଙ୍କୁ କବି କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ବୁଝାଇବା ବେଳେ ଯେପରି ସେ ବିହ୍ୱଳ ହୋଇ ପଡ଼ୁଥିଲେ; ସେହିପରି ଭଞ୍ଜ, କବିସୂର୍ଯ୍ୟ, ଦୀନକୃଷ୍ଣ, ଅଭିମନ୍ୟୁ ତାଙ୍କର ସର୍ବୋତ୍ତମ ଗର୍ବ ଥିଲା । ତାଙ୍କ ଗୃହଦ୍ୱାରରେ ପ୍ରବେଶ କରିବାମାତ୍ରେ ଉତ୍କଳର ବାଣୀମନ୍ଦିର ପୁଣ୍ୟପୀଠରେ ଉପସ୍ଥିତ ହେଲାପରି ବୋଧ ହେଉଥାଏ । ଓଡ଼ିଆ ସାହିତ୍ୟର ସେ ଥିଲେ ଏକ ମୂର୍ତ୍ତିମନ୍ତ ବିଗ୍ରହ । କଲେଜରେ ଅଧ୍ୟାପନା କରିବା ସମୟରୁ ସେ ଯେଉଁ କଠୋର ସାହିତ୍ୟ ସାଧନା ଆରମ୍ଭ କରିଥିଲେ, ଜୀବନର ଶେଷ ମୁହୂର୍ତ୍ତରେହିଁ ସେ ସାଧନାରୁ ଚିରକାଳ ପାଇଁ ବିଶ୍ରାମ ନେଇଛନ୍ତି; ତାହା ପୂର୍ବରୁ କେବେହେଲେ ମୁହୂର୍ତ୍ତକ ପାଇଁ ନୁହେଁ ।

 

ପ୍ରାଚୀସମିତିରେ ଅନ୍ୟତମ ପ୍ରଧାନ ପ୍ରତିଷ୍ଠାତା ରୂପେ ଓଡ଼ିଆ ସାହିତ୍ୟର ଆଧୁନିକ ଇତିହାସରେ ସେ ଯେଉଁ ବିଶିଷ୍ଟ ସ୍ଥାନ ଅଧିକାର କରିଛନ୍ତି ତାହା ଅନନ୍ୟ । ପ୍ରଚୀସମିତି ଆନୁକୂଲ୍ୟରେ ଏବଂ ତାଙ୍କରି ସମ୍ପାଦନା, ମୁଖବନ୍ଧ ଓ ଯୋଜନା ଅନୁଯାୟୀ ବିଦଗ୍‌ଧ ଚିନ୍ତାମଣି, ସ୍ତୁତି ଚିନ୍ତାମଣି, ରସକଲ୍ଲୋଳ, ଲାବଣ୍ୟବତୀ ପ୍ରମୁଖ କାବ୍ୟମାନଙ୍କର ଗଭୀର ପାଣ୍ତିତ୍ୟପୂର୍ଣ୍ଣ ମୁଖବନ୍ଧମାନ ଲେଖି କେବଳ ସେଥିଲାଗି ସେ ଅମର ହୋଇ ରହିଥିବେ ।

 

ପ୍ରାଚୀନ ସାହିତ୍ୟର ଲୁପ୍ତରତ୍ନ ଉଦ୍ଧାରରେ, ଡକ୍ଟର ଆର୍ତ୍ତବଲ୍ଲଭ ଥିଲେ ଶ୍ରେଷ୍ଠ ଆବିଷ୍କାରକ । ଦେବଦୁର୍ଲ୍ଲଭ ଦାସରଚିତ ରହସ୍ୟମଞ୍ଜରୀ କାବ୍ୟଖଣ୍ତି ତାହାର ଏକ ନିଦର୍ଶନ ମାତ୍ର । ଏହି କାବ୍ୟରୁ ମଧୁର ଛନ୍ଦବିନ୍ୟାସର କେତେ ପଂକ୍ତି ଉଚ୍ଚାରଣ କରି ସେ ଯେପରି ଭାବବିହଳ ହୋଇପଡ଼ୁଥିଲେ, ଅନେକ ତାହା ଲକ୍ଷ୍ୟ କରିଥିବେ । ଏହା ବ୍ୟତୀତ ବୃନ୍ଦାବତୀ ଦାସୀବିରଚିତ ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’, ରାୟରାମାନନ୍ଦ, ପ୍ରତାପରୁଦ୍ର ଓ କପିଳେନ୍ଦ୍ର ଆଦି ପୁଣ୍ୟଶ୍ଲୋକ ପ୍ରାଚୀନ ଶାସକମାନଙ୍କର ନାଟକ, ପୁଣି ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ ପୁସ୍ତକରେ ଓଡ଼ିଆ ସାହିତ୍ୟର ପ୍ରାଥମିକ ଗୌରବମୟ ରୂପର ଯେଉଁ ମହାନୀୟ ସେ ଦେଇଛନ୍ତି , ତାଙ୍କ ପୂର୍ବରୁ ତାହା ଆଉ କେହି ଦେଇଥିବା ଜଣାଯାଏ ନାହିଁ ।

 

ବିଶ୍ୱ ସାହିତ୍ୟରେ ସୁଦ୍ଧା ଓଡ଼ିଆ ସାହିତ୍ୟ ଯେ ଗୋଟିଏ ବିଶିଷ୍ଟ ସ୍ଥାନରୁ ଦାବୀ ରଖେ, ତାହାରି ପ୍ରମାଣ ଦେଖାଇବାକୁ ସେ ଅସାଧ୍ୟସାଧନ କରି ଯାଇଛନ୍ତି । ସବୁ କନିଷ୍ଟଙ୍କ ପ୍ରତି ସମାନସ୍ନେହୀ, ସମାନପ୍ରିୟ, ନିର୍ମଳନିଷ୍କଳଙ୍କ ସ୍ୱଭାବ, ଆଦର୍ଶ ଶିକ୍ଷକ ଓ ଜନ୍ମଗୁରୁ ଆର୍ତ୍ତବଲ୍ଲଭଙ୍କ ଅଗାଧ ପାଣ୍ତିତ୍ୟ ଓ ଅଦମ୍ୟ ସାଧନା ସ୍ଥଳେ ସରଳ ଚରିତ୍ରବତ୍ତା ତାଙ୍କୁ ଏକ ମହାନ୍‌ ଆଦର୍ଶ ପୁରୁଷ ରୂପେ ପରିଚିତ କରିଥିଲା । ଆର୍ତ୍ତବଲ୍ଲଭ ଯଥାର୍ଥରେ ସାହିତ୍ୟବଲ୍ଲଭ ଥିଲେ । ମୃତ୍ୟୁପରେ ଏହି ସାଧକ ଓ ପ୍ରେମିକ ପୁରୁଷ ଏକ ଅକ୍ଷୟ ଆଦର୍ଶ ଭାବରେ ସାହିତ୍ୟ ତଥା ସାଧାରଣ କ୍ଷେତ୍ରରେ ପ୍ରେରଣା ହୋଇ ରହିବେ ।

 

ତାଙ୍କର ମହାପ୍ରୟାଣରେ ଦେଶବାସୀ ଓ ସାହିତ୍ୟିକବର୍ଗ ନିଜର ଏହି ପରମ ପ୍ରିୟଜନଙ୍କୁ ହରାଇ ଦୁଃଖାଭିଭୂତ । ତାଙ୍କ ସାଧନାର ସ୍ମାରକ ରୂପେ ହୁଏତ ସେ ତତ୍‌କାଳୀନ ଇଂରେଜ ସରକାରଙ୍କଠାରୁ ଉଚ୍ଚ ଉପାଧି ଲାଭ କରିଥିଲେ, ପୁଣି ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ଉକ୍ଟରେଟ୍‌ ଉପାଧିରେ ଭୂଷିତ କରିଛନ୍ତି ଓ ସ୍ୱାଧୀନ ଭାରତ ସରକାରଙ୍କ ଦ୍ୱାରା ସେ ‘ପଦ୍ମଶ୍ରୀ’ ପଦବୀରେ ସମ୍ମାନିତ ହୋଇଛନ୍ତି । କିନ୍ତୁ ଦେଶର ସାହିତ୍ୟିକ ଓ ସାଧାରଣ ତାଙ୍କୁ ଯେଉଁ ରସମାଧୁର୍ଯ୍ୟମଣ୍ତିତ ଶ୍ରେଷ୍ଠ ଶକ୍ତିମନ୍ତ ଗୁରୁ ସ୍ଥାନରେ ଅଭିଷିକ୍ତ କରି ଏକାନ୍ତ ଆପଣାର ବୋଲି ବିଚାରନ୍ତି ତାହା ତାଙ୍କର ସୁତୀବ୍ର ଚରିତ୍ର ଓ ପାଣ୍ଡିତ୍ୟ ସହିତ ସ୍ନେହ ଓ ହୃଦୟବତ୍ତାର ସମିଶ୍ରଣ ଯୋଗୁଁ । ସେଥିଲାଗି ତାଙ୍କର କୌଣସି ଉପଯୁକ୍ତ ଉପାଧି କିମ୍ବା ପଦବୀ ନାହିଁ । କାରଣ ଯେ କୌଣସି ପଦବୀ କିମ୍ବା ଉପାଧି ଠାରୁ ତାଙ୍କର ଏହି ଗୁଣାବଳୀ ହେଲା ମହତ୍ତର ଓ ଉଚ୍ଚତର ।

 

ଶେଷ ଜୀବନରେ ସାରଳା ମହାଭାରତର ଏକ ବିଶୁଦ୍ଧ ସଂସ୍କରଣ ସମ୍ପୂର୍ଣ୍ଣ କରି ସେ ଅନେକଙ୍କ ଆଗରେ ପ୍ରକାଶ କରିଛନ୍ତି–ଚିର ଆକାଙ୍‌କ୍ଷିତ ସାରଳା ମହାଭାରତରେ ମହାପ୍ରସ୍ଥାନ ପର୍ବର ସଂଶୋଧନ ସମାପ୍ତ ହେଲା-ଏଣିକି ମୋ ନିଜର ସ୍ୱର୍ଗରୋହଣ ପର୍ବ ଆସିଗଲା–ଆଶ୍ଚର୍ଯ୍ୟ କଥା, ଏହି ଉକ୍ତିର ଅଳ୍ପଦିନ ମଧ୍ୟରେ ଏହି କ୍ଷଣଜନ୍ମା ପୁରୁଷଙ୍କର ଦେହାନ୍ତ ଘଟିଲା ।

 

ଏକ ପ୍ରାଚୀନ ଓଡ଼ିଆ ଗ୍ରନ୍ଥର ମୁଖବନ୍ଧ ଶେଷରେ ସେ ଲେଖିଛନ୍ତି, ନିଜର ଜାତୀୟ କବି ସାହିତ୍ୟିକମାନଙ୍କ କଥା କହି ଅନ୍ୟ ସ୍ଥାନର ଲୋକେ ତିଳକୁ ତାଳ କରିଥାନ୍ତି । ମୁଁ କିନ୍ତୁ ତାଳକୁ ତିଳ ସୁଦ୍ଧା କରି ଦେଖାଇ ପାରିଲି ନାହିଁ । ଡକ୍ଟର ଆର୍ତ୍ତବଲ୍ଲଭଙ୍କ ନିଜ ବିଷୟରେ ମଧ୍ୟ ଏହି କଥାଟି ବେଶି ଖାଟେ । ସେ ତାଳ ହେଲେହେଁ ଆମେ ତାଙ୍କୁ ତିଳ କରି ଦେଖାଇବା ମଧ୍ୟ ଦୁଃସାଧ୍ୟ । କେବଳ କୃତାଞ୍ଜଳି ପୁଟରେ ତାଙ୍କୁ ହୃଦୟର ଶ୍ରଦ୍ଧା ଜଣାଇ ତାଙ୍କରି ଆଶୀର୍ବାଦହିଁ ଆମର କାମ୍ୟ । ତାଙ୍କରି ସୁଯୋଗ୍ୟ ଉତ୍ତରାଧିକାରହିଁ ଉତ୍କଳ ଭାଗ୍ୟରେ ଚିରକାଳ ଉଦିତ ହୋଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି କରୁଥାଉ ।

Image

 

କବି ଗଙ୍ଗାଧର

 

ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ । ମୁଁ ଥାଏ ଦୈବାତ୍‌ ଦିଲ୍ଲୀରେ । ଭୋରରୁ ଯାଇ ଲାଲକିଲ୍ଲାରେ ହାଜର ହେଲି ଭାରତ ରାଜଧାନୀର ପତାକା ଉତ୍ତୋଳନ ଉତ୍ସବ ଦେଖିବାପାଇଁ । ଆଗରୁ ଆସି ଅସୁମାରି ଜନତା ରୁଣ୍ତ ହୋଇଥାନ୍ତି । ଲାଲକିଲ୍ଲା ପାଚେରୀର ଗୋଟାଏ ପଟ ବସ୍‌, ଜିପ୍‌, ମଟର ଗାଡ଼ିରେ ପୂର୍ଣ୍ଣ । ଜିଲ୍ଲା ଉପରେ କେନ୍ଦ୍ରମନ୍ତ୍ରୀ ଓ ବୈଦେଶିକ ଦୂତମାନେ, ଆଉ ପାଚେରୀ ତଳେ ସବୁଶ୍ରେଣୀର ନାରୀ, ପୁରୁଷ, ବାଳକ, ବୃଦ୍ଧ ସମାସୀନ ।

 

ପ୍ରଧାନମନ୍ତ୍ରୀ ପଣ୍ତିତ ନେହେରୁ ପତାକା ଉତ୍ତୋଳନ କରି ବିପୁଳ କରତାଳି ଧ୍ୱନି ମଧ୍ୟରେ କହିଥିଲେ ଯେ, ଆଜି ଅଗଷ୍ଟ ପନ୍ଦର ସ୍ୱାଧୀନତା ସହିତ ଭାରତରେ ରାକ୍ଷୀପୂର୍ଣ୍ଣିମା ଉତ୍ସବ ମଧ୍ୟ ପାଳିତ ହେଉଛି । ଏହି ଶୁଭ ସଂଯୋଗରେ ଆମେ ସମସ୍ତେ ଭ୍ରାତୃତ୍ୱ ସୂତ୍ରରେ ପରସ୍ପରକୁ ବାନ୍ଧି ଭାରତମାତାଙ୍କ ହସ୍ତରେ ରାକ୍ଷୀବନ୍ଧନ କରିବୁଁ । ଭାରତମାତାଙ୍କୁ ରକ୍ଷା କରିବୁଁ ।

 

ମୋର ସେହିଠାରେ ମନେ ପଡ଼ିଲା, ଓଡ଼ିଶାର ପୁରପଲ୍ଲୀରେ ଆଜି ଗହ୍ମାପୁନିଅଁ ସକାଳ ନଡ଼ିଆ ଲଢ଼େଇ, ପିଠାପଣାର ଧୂମ୍‌ ଲାଗି ଯାଇଥିବ । ଆହୁରି ମନେପଡ଼ିଲା, ଆଜିକି ଠିକ୍‌ ଶହେବର୍ଷ ତଳେ ଓଡ଼ିଶାରେ ଜନ୍ମିଥିବା ଜଣେ କବିଙ୍କର ଏମିତି ଏକ ମଧୁର ଶୀତଳ ପୁଣ୍ୟ ପ୍ରଭାତର ଆବାହନ ।

 

ମଙ୍ଗଳେ ଅଇଲା ଉଷା ବିକଚ ରାଜୀବଦୃଶା

ଜାନକୀ ଦର୍ଶନ-ତୃଷା ହୃଦୟେ ବହି,

କରପଲ୍ଲବେ ନୀହାର, ମୃକ୍ତାଧରି ଉପହାର

ସତୀଙ୍କ ବାସବାହାର ପ୍ରାଙ୍ଗଣେ ରହି,

କଳକଣ୍ଠ-କଣ୍ଠେ କହିଲା,

‘ଦରଶନ ଦିଅ ସତୀ, ରାତି ପାହିଲା ।’’

ଶତସହସ୍ର ଉନ୍ମୁଖ ଜନତା ଯେପରି ଆଜି ଲାଲକିଲ୍ଲାର ପ୍ରାଙ୍ଗଣରେ କବି ଗଙ୍ଗାଧରଙ୍କ କଣ୍ଠରେ ହିଁ କଣ୍ଠ ମିଳାଇ ନିବେଦନ କରି ଉଠିଲେ, ‘‘ହେ ଯୁଗ ଯୁଗ ନିର୍ବାସିତା ମୁନିଜନବନ୍ଦିତା ସତୀସାଧ୍ୱୀ ଜନନୀ ଭାରତ ! ଆଜି ବନ୍ଦୀଶାଳାର ଅନ୍ଧକାର ରାତ୍ରି ପାହିଛି । ତୁମେ ବାରେ ଶୁଭଦର୍ଶନ ଦିଅ !’’

ଠିକ୍‌ ଶହେ ବର୍ଷ ପରେ ଆଜି ସକାଳର ବର୍ଣ୍ଣନା ଯେପରି କବିଙ୍କର ଭୂପୃଷ୍ଠରେ ଅବତୀର୍ଣ୍ଣ ହେବାର ଶୁଭ ସୂଚନା ଦେଇଥାଏ । ଆଜିର ପ୍ରଭାତ ଜାଗରଣ ଯେପରି ଧ୍ୱନିତ ହୋଇ ଉଠିଛି ଜଗତର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ -ସ୍ଥାବର-ଜଙ୍ଗମ, ପଶୁପକ୍ଷୀ, କୀଟ ପତଙ୍ଗ, ବୃକ୍ଷଲତା, ସମୀରଣ ଯେପରି ଏକ ସ୍ୱରରେ ଗାଇ ଉଠିଛନ୍ତି–

ସମୀର ସଙ୍ଗୀତ ଗାଏ ଭ୍ରମର ବୀଣା ବଜାଏ

ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ,

କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ

କଳିଙ୍ଗ ଅଇଲା ପାଟ ମାଗଧ ବେଶେ,

ଲଳିତ ମଧୁରେ କହିଲା,

‘ଉଠ ସତୀ -ରାଜ୍ୟ-ରାଣୀ ରାତି ପାହିଲା ।’

 

ତପସ୍ୱିନୀ ଭାରତ ବକ୍ଷରେ ଆଜି ରାତି ପାହିଛି । ସେ ଆଜି ସତୀ ରାଜ୍ୟରାଣୀ ଆସନର ଅଧିକାରିଣୀ । ହେ ସତି ! ହେ ରାଜ୍ୟରାଣୀ ! ଉଠ ! ଜାଗ ! ଦୁଃଖ ଦୁର୍ଦ୍ଦିନର ରାତି ଆଜି ପାହିଲାଣି । ରୂପ ତୁମର ଅପୂର୍ବ ଶ୍ରୀ ଧାରଣ କରିଛି । ଅଭିନବ ବେଶରେ ତୁମେ ଜଗତ-ସଭାର ଅଧିଷ୍ଠାତ୍ରୀ । ଉଠ ! ଜାଗ !

 

ଏହି ପଦଟିରେ ‘କଳିଙ୍ଗ’ ଶବ୍ଦଟିର ଅର୍ଥ ହେଲା କଜଳପାତି ପକ୍ଷୀ, ପୁଣି ‘ମାଗଧ’ ଶବ୍ଦର ଅର୍ଥ ଭାଟ । କିନ୍ତୁ କଳିଙ୍ଗ ଓ ମାଗଧ ଶବ୍ଦ ଦୁଇଟିର ପ୍ରୟୋଗଦ୍ୱାରା କବି ଜାତୀୟ ଉଦ୍‌ବୋଧନ ଲାଗି ପରୋକ୍ଷ ଭାବରେ ସ୍ପଷ୍ଟ ଇଂଗିତ ଦେଇ ନାହାନ୍ତି କି ?

 

ଭାରତର ତପୋବନ ସଭ୍ୟତାର ମହନୀୟ ପରମ୍ପରାହିଁ କବି ଗଙ୍ଗାଧରଙ୍କର ସାଧନାର ପ୍ରଧାନ ଉତ୍ସ ଥିଲା । ଯେତେବେଳେ ପାଶ୍ଚତ୍ୟ ସାହିତ୍ୟର ପ୍ରଭାବରେ ଭାରତର ବାଣୀମନ୍ଦିର ଝଂକୃତ ହୋଇ ଉଠିଥିଲା, ପାଶ୍ଚାତ୍ୟ ଆଙ୍ଗି କାହିଁ ଥିଲା ତାର ଶ୍ରେଷ୍ଠ ଆବରଣ, ସେତିକିବେଳେ କବି ଗଙ୍ଗାଧର ତାଙ୍କର ସମସାମୟିକ କବିଗୋଷ୍ଠୀ ମଧ୍ୟରେ ଏକ ସୁଦୃଢ଼ ପ୍ରତିବାଦ ଭଳି ଦଣ୍ତାୟମାନ ହେଲେ । ସେଥି ସଙ୍ଗେ ପ୍ରାଚୀନ ପରମ୍ପରାର ଯାହା କିଛି ଉତ୍କଷ୍ଟ, ଜାତୀୟଚରିତ୍ରକୁ ସୁସ୍ଥ, ସୁନ୍ଦର, ବଳିଷ୍ଠ, ଐଶ୍ୱର୍ଯ୍ୟମଣ୍ତିତ କରିବାପାଇଁ ଯାହା କିଛି ଉପାଦେୟ, ତାହାକୁହିଁ ସେ ଗ୍ରହଣ କରି ଉଭୟ ଭାବଧାରା ମଧ୍ୟରେ ଯେଉଁ ସାମଞ୍ଜସ୍ୟର ସନ୍ଧାନ କରିଛନ୍ତି ତାହା ଅନନ୍ୟ । ଏହି କାରଣରୁ ‘ତପସ୍ୱିନୀ’ କାବ୍ୟ ତାଙ୍କର ଶ୍ରେଷ୍ଠକୃତୀ ରୂପେ ପରିଚିତ ।

 

ରାମକେରୀ, ବଙ୍ଗଳାଶ୍ରୀ, ଚୋଖି, ରସକୁଲ୍ୟା, କଳହଂସ କେଦାର, କାମୋଦି, ପଟବାଣୀ ଓ କଲ୍ୟାଣପଡ଼ିତାଳ ଆଦି ବିଭିନ୍ନ ଛନ୍ଦରେ ଏହି କାବ୍ୟଟି ଗ୍ରଥିତ । ବିଷୟବସ୍ତୁ ହେଲା ସୀତାବନବାସ । ବୈଦେହୀଶବିଳାସ କଥାବସ୍ତୁର ଯେଉଁ ଅଂଶକୁ ଦୁଃଖଦ ବୋଲି କବି ସମ୍ରାଟ ପରିହାର କରିଥିଲେ, ତାହାର ଏକ ନିପୁଣ ଆଲେଖ୍ୟ ଅଙ୍କନକରି ଗଙ୍ଗାଧର ଓଡ଼ିଆ ସାହିତ୍ୟକୁ ପରିପୂର୍ଣ୍ଣ କଲେ ।

 

ତପସ୍ୱିନୀର ସ୍ଥାନ ଅମରସାହିତ୍ୟ ପର୍ଯ୍ୟାୟର ଅନ୍ତର୍ଭୁକ୍ତ ହେଲେ ମଧ୍ୟ ଗଙ୍ଗାଧରଙ୍କର ପ୍ରଣୟବଲ୍ଲରୀ, ଇନ୍ଦୁମତୀ, କୀଚକବଧ, ଉତ୍କଳଲକ୍ଷ୍ମୀ, ଅଯୋଧ୍ୟାଦୃଶ୍ୟ, କବିତାକଲ୍ଲୋଳ, ଅର୍ଘ୍ୟଥାଳୀ, ଭାରତୀଭାବନା ପ୍ରଭୃତି ସାନ ବଡ଼ କବିତାଗୁଡ଼ିକରେ ଏକ ସ୍ୱଚ୍ଛ ସାରସ୍ୱତ ହୃଦୟର ଆଲେଖ୍ୟ ସୁସ୍ପଷ୍ଟ ଭାବରେ ମୁଦ୍ରିତ । ବିଶ୍ୱବିଦିତ ଅଭିଜ୍ଞାନ ଶାକୁନ୍ତଳମ୍‌ର କାବ୍ୟରୂପାୟନରେ କବି କେବଳ ଓଡ଼ିଆ ଭାଷା ଉପରେ ଏକ ଅପୂର୍ବ ବିଷୟର ଘୋଷଣା କରିନାହାନ୍ତି, ପ୍ରତ୍ୟେକ ଚରିତ୍ରର ମହନୀୟ ମାଧୂର୍ଯ୍ୟ ସଙ୍ଗେ ତପୋବନପ୍ରକୃତିର ସୌନ୍ଦର୍ଯ୍ୟଚିତ୍ରଣରେ ଯେଉଁ ଦକ୍ଷତାର ପରିଚୟ ଦେଇଛନ୍ତି ତାହା ତାଙ୍କୁ ସହଜରେ ଉତ୍କଳର କାଳିଦାସ ଆସନ ପ୍ରଦାନ କରିଛି ବୋଲି ଧାରଣା ହୁଏ-

 

ଶିକାର ଲାଗି ରାଜା ଦୁଷ୍ମନ୍ତ ଯେବେ ମୃଗ ପଛରେ ଧାବିତ ହୋଇ କଣ୍ୱମୁନିଙ୍କ ଆଶ୍ରମ ଦିଗରେ ଗତି କରୁଛନ୍ତି, ସେତିକିବେଳେ ହଠାତ୍‌ ଶୁଣି ପାରିଲେ–

 

‘ମାରନା ମାରନା, ଆଶ୍ରମ ମୃଗ ଏ’

ଏ କାଳେ ହେଲା ଏ ଶବ୍ଦ,

ଶବ୍ଦ ଲକ୍ଷ୍ୟକରି ତପସ୍ୱୀ ଯୁଗଳ

ଦେଖି ରାଜା ହେଲେ ସ୍ତବ୍‌ଧ ।

 

ତାହାପରେ ଋଷି ଆଶ୍ରମ ଭିତରେ ପ୍ରବେଶ କରି ରାଜା ତପୋବନ ପ୍ରକୃତିରେ ମୁଗ୍‌ଧ ହୋଇଛନ୍ତି–

 

ମୁନିକୁମାରଙ୍କ ହସ୍ତୁ କୁଶାଙ୍କୁର

ଭକ୍ଷଣରେ ଚିରାଭ୍ୟସ୍ତ,

ଚରୁଛନ୍ତି ମୃଗ– ଗଣ କାହିଁ ନୃପ-

ଦର୍ଶନେ ନ ହୋଇ ତ୍ରସ୍ତ ।

ବାୟୁ ବିଚଳିତ କୁଲ୍ୟାଜଳେ ଧୌତ

ମୂଳ ତହିଁ ତରୁମାନ,

କିନ୍ତୁ ହୋମଧୂମ ଲାଗି ଲାଗି ତାଙ୍କ

ପତ୍ରଚୟ ଦିଶେ ମ୍ଲାନ ।

 

ଋଷିକନ୍ୟା ଶକୁନ୍ତଳା ଓ ରାଜକୁମାର ଦୁଷ୍ମନ୍ତଙ୍କର ପ୍ରଥମ ସାକ୍ଷାତରେ ପ୍ରଣୟ ଜାତ ହୋଇଛି ପବିତ୍ର ପୁଣ୍ୟମୟ ତପୋବନର ପରିବେଶରେ । ତାହାପରେ ଉଭୟେ ନୀରବରେ ପରସ୍ପରଠାରୁ ବିଦାୟ ହୋଇ ଯାଉଛନ୍ତି । ସେତିକିବେଳେ–

 

ସଖୀଙ୍କ ସଙ୍ଗରେ ଚାଲିବାକୁ ବାଳା-

ପାଦରେ ନ ହେଲା ଶକ୍ତି,

ଚାଲୁଁ ଚାଲୁଁ ଦୃଷ୍ଟି ଆକର୍ଷିତ ହେଲା

ପୁନଶ୍ଚ ନୂପତି ପ୍ରତି ।

‘କୁରୁବକ କଣ୍ଟା ଲାଗିଗଲା’ ବୋଲି

ସଖୀଙ୍କି କହିଲା ଛଳି,

ପ୍ରିୟମ୍ବଦା ବୋଲେ, ‘ପୁରୁବକ କଣ୍ଟା

ମୀନାକ୍ଷୀ ଗଲା କି ଗଳି ?’

 

ପ୍ରଣୟବଲ୍ଲରୀର ଏକାଧିକ କବିତାଂଶ ଉଦ୍ଧାର କରାଯାଇପାରେ, କିନ୍ତୁ ଓଡ଼ିଶାର ପୁରପଲ୍ଲୀରେ ବୋଧହୁଏ ଅତି ଅଳ୍ପ ସଂଖ୍ୟକ ଶିକ୍ଷିତବ୍ୟକ୍ତି ଥିବେ ଯେ କି ଏହି ଲୋକପ୍ରିୟ ରଚନାର ରସାସ୍ୱାଦନରୁ ବଞ୍ଚିତ ।

 

କବିବର ରାଧାନାଥ ରାୟ ତାହାଙ୍କ ‘କୀଚକ ବଧ’ କାବ୍ୟ ଉପରେ ମନ୍ତବ୍ୟ ଦେଇ ଯଥାର୍ଥରେ ଉଲ୍ଲେଖ କରିଛନ୍ତି, ‘‘ଏହି ପ୍ରାଚୀନ କାହାଣୀକୁ କବି ଗଙ୍ଗାଧରଙ୍କର ରସମୟୀ ଲେଖନୀ ସମ୍ପୂର୍ଣ୍ଣ ନୂତନ ମୂର୍ତ୍ତିରେ ସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରିଅଛି । ପୁରାତନରେ ନୂତନତା ଏବଂ ଆହୃତରେ ମୌଳିକତା ପ୍ରତିଫଳିତ କରିବାର ପ୍ରତିଭାବିଧି ପ୍ରତିପାଦିତ ଅଧିକାର ଅଟେ । ଏ ସମ୍ବନ୍ଧରେ କବି ଗଙ୍ଗାଧର ଯେପରି ଶକ୍ତିମତ୍ତା ଦେଖାଇଛନ୍ତି, ତାହା କି ପ୍ରାଚୀନ କି ଆଧୁନିକ ଯେକୌଣସି ଉତ୍କଳୀୟ କବିଙ୍କ ପକ୍ଷରେ ଗୌରବାବହ ହୁଅନ୍ତା ।

 

‘ଇନ୍ଦୁମତୀ’ ଦ୍ୱାରା ଯେଉଁ ସ୍ଫୁଟୋନ୍ମୁଖ ପ୍ରତିଭାର ଆଦ୍ୟସୌରଭ ବିକୀର୍ଣ୍ଣ ହୋଇ ଉତ୍କଳୀୟ ସାହିତ୍ୟ ସଂସାରକୁ ଆମୋଦିତ କରିଥିଲା, କୀଚକବଧରେ ସେହି ପ୍ରତିଭା ପୂର୍ଣ୍ଣବିକାଶ ପାଇଥିବାର ପ୍ରତୀୟମାନ ହୁଏ ।

 

ଗଙ୍ଗାଧରଙ୍କର ଦୁର୍ଭାଗ୍ୟ, ସେ ଓଡ଼ିଶାରେ ଜନ୍ମଗ୍ରହଣ କରି ଅଛନ୍ତି । ଅନନ୍ତ ସୌନ୍ଦର୍ଯ୍ୟାଭାସିନୀ ପ୍ରକୃତି ଦେବୀ ଏବଂ ପ୍ରକୃତି ଦେବୀଙ୍କର ପଟ୍ଟପୁରୋହିତ ବ୍ୟାସବାଲ୍ମୀକି ଯାହାଙ୍କର କଳ୍ପନାର ଚିରସହଚର, ଦୁଷ୍ପ୍ରର ଉଦରପୂର୍ତ୍ତି ସକାଶେ ଏକୁଆଳ, ଏକପଦିଆ, ଭେଆଣ, ଓଆରିଜା ପ୍ରଭୃତିର ଜଟିଳ ସମସ୍ୟା ସମାଧାନ ତାହାଙ୍କର ବାସ୍ତବ ଜୀବନର ପ୍ରଧାନ ବ୍ୟବସାୟ ହୋଇଅଛି ।’’

Image

 

ସାହିତ୍ୟରେ ପରିବର୍ତ୍ତିତ ଭାବବୋଧ

 

ଯୁଗ ଯୁଗ ଧରି ଯେଉଁ ସବୁ ଜାଗତିକ ରୀତି, ପରିସ୍ଥିତି ବା ପରିବେଶ, ସମାଜ କିମ୍ବା ବ୍ୟକ୍ତିଜୀବନକୁ ନୂଆ ନୂଆ ପ୍ରେରଣା ଯୋଗାଇ ପ୍ରଭାବିତକରି ରଖେ, ସାଧାରଣରେ ତାହାକୁହିଁ କୁହାଯାଏ ପରମ୍ପରା । ତହିଁରେ ଏକ ବିସ୍ତୃତ ବିରାଟ ଐତିହ୍ୟର ଶିଥିଳତା ଅଛି; ଧ୍ୟାନରତ ତପସ୍ୟା, ନିର୍ବେଦ ନିଶ୍ଚଳ ଗତାନୁଗତିକତା ଅଛି; ମାତ୍ର ପ୍ରାଣଧର୍ମୀ ଜୀବନ-ଜିଜ୍ଞାସାର ଅସ୍ୱସ୍ତି, ଅସନ୍ତୋଷ ଓ ଚାଞ୍ଚଲ୍ୟକର ସ୍ପନ୍ଦନ ନାହିଁ । ସେଥିରେ ଅଛି ଭାବର ଗଭୀର ପ୍ରାଚୁର୍ଯ୍ୟ, ଅଛି ବିଚାରଧାରାର ସୂକ୍ଷ୍ମତମ ନୈପୁଣ୍ୟ, ଅଛି ପୁଣି ଏକ ଅନୁଦ୍‌ବେଗ ଅନୁଭୂତି; ନାହିଁ କିନ୍ତୁ ଅନନୁଭୂତ ଅଜ୍ଞେୟୁର ଆବିଷ୍ମରଣ ଲାଗି ଅସ୍ଥିର ବ୍ୟାକୁଳତା, ଅଭାବର ସୁତୀବ୍ର ଉତ୍ତାପଜନିତ ଜ୍ୱାଳାମୁଖୀ ଯନ୍ତ୍ରଣା । ଅଛି ଏକ ଅନ୍ତର୍ମୁଖୀ ସୌର୍ଯ୍ୟ ସଂଯମର ଜଡ଼ିମା, ନାହିଁ କିନ୍ତୁ ଉନ୍ମୁଖ ପ୍ରାଣପ୍ରାଚୁର୍ଯ୍ୟର ଅସମ୍ଭବ ଆବେଗ ଆଉ ଅନପେକ୍ଷ ଔଦ୍ଧତ୍ୟ । ତଥାପି ଏଇ ଅଛି ଆଉ ନାହିଁ ଭିତରେ ଗୋଟିଏ ସଜାଗ ସ୍ୱୀକୃତି ଅଛି, ଏକ ସୁଶୋଭନ ସାଲିସ୍ ବା ସାମଞ୍ଜସ୍ୟ ଅଛି । କାରଣ ପରମ୍ପରାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟକରି ଆଧୁନିକତାର ପ୍ରତିଷ୍ଠା ଅବାନ୍ତର–ବାପମାଆଙ୍କ ସ୍ଥିତିକୁ ଅସ୍ୱୀକାର କରି ନିଜ ଜନ୍ମର ବାସ୍ତବତାକୁ ବିଶ୍ୱାସ କଲାଭଳି ତାହା ଅପ୍ରାମାଣିକ ।

 

ବ୍ୟକ୍ତି, ସମାଜ ବା ରାଷ୍ଟ୍ରର ମୁହୁର୍ମୁହୁ ପରିବର୍ତ୍ତିତ ପରିବେଶକୁ ଘେନି ସାହିତ୍ୟର ଅଭିନବ ଅଭିବ୍ୟକ୍ତି ସୁନିର୍ଦ୍ଦିଷ୍ଟ । ତହିଁରୁ ବିଚ୍ୟୁତ ହେବା ତାହାର ସ୍ୱଧର୍ମ ନୁହେଁ । ଆଧୁନିକ ଜୀବନଜିଜ୍ଞାସାର ନବ ନବ ମୂଲ୍ୟବୋଧହିଁ ସୃଜନାତ୍ମକ ଉଦ୍ଦେଗର ଲକ୍ଷଣ । ଏଠାରେ ଏହି ତିନିଗୋଟି ପ୍ରୟୋଗର ମର୍ମ ଆଗ ବିଚାର କରାଯାଉ । ପ୍ରଥମ କଥାଟି ହେଲା, ଜୀବନ-ଜିଜ୍ଞାସା କଣ ? ଦ୍ୱିତୀୟରେ ନୂତନ ମୂଲ୍ୟବୋଧ କାହାକୁ ବୁଝାଏ ? ଆଉ ତୃତୀୟରେ ସୃଜନାତ୍ମକ ଉବ୍ଦେଗର ପରିଚୟ ମିଳେ କେଉଁଠି ?

 

ଆଦିକାଳରୁ ହିଁ ଜୀବନ ଜିଜ୍ଞାସାର ଅନ୍ତ ନାହିଁ । ଦାର୍ଶନିକମାନେ ନାନା ଦିଗରୁ ଜୀବନର ବିଶ୍ଲେଷଣାତ୍ମକ ବ୍ୟାଖ୍ୟା କରିଛନ୍ତି । ଜୀବନଟା ଆମୂଳଚୂଳ ଦୁଃଖଦ, ଆଉ ସେ ଦୁଃଖରୁ ଉଦ୍ଧାର ପାଇବାକୁ ହେଲେ ଅହରହ କର୍ମତତ୍ପର ରହିବା ଆବଶ୍ୟକ । ଏହି ଦୁଃଖମେବଂ କେବଳମ୍‌ ବୌଦ୍ଧିକ ବା ସାଂଖ୍ୟ ନ୍ୟାୟର ଠିକ୍‌ ଓଲଟା କଥାଟି ହେଲା-ଆନନ୍ଦାତ୍‌ ଖଳୁ ଇମାନି ଭୂତାନି ଜାୟନ୍ତେ-। ପୁଣି ଏହି ଦୁଃଖ ଓ ଆନନ୍ଦର ଅତୀତ ଆଉ ଗୋଟିଏ ଅବସ୍ଥା ଅଛି, ଯାହା ନିଃସଙ୍ଗ ନିର୍ବିକଳ୍ପ, ଜ୍ଞାନମୟ ଚୈତନ୍ୟ । କିନ୍ତୁ ଆଜିର ଜୀବନ-ଜିଜ୍ଞାସା ଏତିକିରେ ସନ୍ତୁଷ୍ଟ ନୁହେଁ । ତାହାର ସମୀକ୍ଷା ନିରୀକ୍ଷା ଲାଗି ଅସୀମ କ୍ଷେତ୍ର ବିସ୍ତୃତ । ତାହାର ଶୂନ୍ୟତାର ସୀମା ଆଜିର ମହାକାଶ ବା ଅନ୍ତରୀକ୍ଷଠାରୁ ଅଧିକ ଦୂରପ୍ରସାରୀ । ତାହାର ସଂଜ୍ଞା ନାହିଁ, ବ୍ୟାଖ୍ୟା ବର୍ଣ୍ଣନା ନାହିଁ । ସେ ଏକ ନିରୁତ୍ତର ପ୍ରଶ୍ନବାଚୀ ।

 

ମନୁଷ୍ୟ ଆଜି ମହାକାଶ ବା ଅନ୍ତରୀକ୍ଷରେ ତାହାର ଜନ୍ମଭୂମି ଏଇ ଧରିତ୍ରୀକୁ ମହାବେଗରେ ବାରମ୍ବାର ପ୍ରଦକ୍ଷିଣ କରୁଛି । ଆଜି ତାହାର ଲକ୍ଷ୍ୟ ହୋଇଛି ଗ୍ରହାନ୍ତରରେ ଉପନିବେଶ ସ୍ଥାପନ । ତାହାର ବେଗର ମାତ୍ରା ଗ୍ରହ ଉପଗ୍ରହର ଅକ୍ଷାଂଶ ଗତିବେଗ ଠାରୁ ଆହୁରି କ୍ଷିପ୍ରତର ହେବାକୁ ଯାଉଛି । ପ୍ରଗତିର ବିଶ୍ୱପରିଧିରେ ବିଜୟ ହାସଲ କରି ତାହାର ବୈଜ୍ଞାନିକ ଚେତନା ଜାଳି ଦେଇଛି ଏକ ଅନନ୍ତ ଆକାଙ୍‌କ୍ଷାର ମଶାଲ । କୃଷିସଭ୍ୟତାକୁ ବହୁତ ପଛରେ ପକାଇ ଦ୍ରୁତ ବେଗରେ ଆଗେଇ ଚାଲିଛି ଶିଳ୍ପ-ସଭ୍ୟତା । ବ୍ୟକ୍ତି, ପରିବାର, ସମାଜ ତଥା ରାଷ୍ଟ୍ରର ଆବହମାନ ପରିକଳ୍ପିତ ସଂଗଠନକୁ ଭାଙ୍ଗିଚୂରି, ତାହା ସ୍ଥାନରେ ଦେଖା ଦେଇଛି ଅକଳ୍ପିତ ବୈପ୍ଲବିକ ପରିବର୍ତ୍ତନ । ବ୍ୟକ୍ତି ବିଶେଷହି ସମାଜ ବା ରାଷ୍ଟ୍ରର ଅବିଚ୍ଛିନ୍ନ ଅଙ୍ଗ ହୋଇଥିବା ହେତୁ ତାହାର ସମୁଦାୟ ବୈଷୟିକ ଦାୟିତ୍ୱ ତୁଲାଇବା ଭାର ପଡ଼ିଛି ଆଜିର ବିଜ୍ଞାନ ନିୟନ୍ତ୍ରିତ ସମାଜ ଓ ବିଜ୍ଞାନସମ୍ମତ ରାଷ୍ଟ୍ର ବା ସମାଜକୁ ଧନଶାଳୀ, ଶକ୍ତିଶାଳୀ କରି ଗଢ଼ିବାରେ ହଁ ବ୍ୟକ୍ତିର ସମସ୍ତ ସୁଖସ୍ୱାଚ୍ଛନ୍ଦ୍ୟ ନିହିତ । ଆଉ ରାଷ୍ଟ୍ରର କର୍ତ୍ତବ୍ୟ ହେଲା ବ୍ୟକ୍ତିର ସବୁ ପାରିବାରିକ ଦାୟିତ୍ୱ ବହନ କରି, ତାହାର ଅନ୍ନବସ୍ତ୍ର, ବାସଗୃହ, ଶିଶୁଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା ଆଦି ମୌଳିକ ପ୍ରୟୋଜନଗୁଡ଼ିକ ଯୋଗାଇ ଦେଇ ବ୍ୟକ୍ତିବିଶେଷକୁ ରାଷ୍ଟ୍ରର ସାମୂହିକ ଉତ୍ପାଦନ ଯୋଜନାରେ ଏକ ଉପାଦାନ ଆକାରରେ ବ୍ୟବହାର କରିବା; ଅବିକଳ କଳ-କବ୍‌ଜାକୁ ଯେମିତି ବ୍ୟବହାର କରାଯାଏ ।

 

କଳକାରଖାନାଜଡ଼ିତ ଶିଳ୍ପ ସଂଗଠନ କରି ସମାଜ ସ୍ୱୟଂ ସଂଗଠିତ ହେବା ଫଳରେ ବ୍ୟକ୍ତିସ୍ୱାତନ୍ତ୍ର୍ୟ ସଙ୍କୁଚିତ ହୋଇପଡ଼େ । ବିରାଟ ସାମାଜିକ ଶିଳ୍ପଯୋଜନାରେ ବ୍ୟକ୍ତିର ସ୍ଥାନ ଏକ ସାମାନ୍ୟ ଯାନ୍ତ୍ରିକ ଉପାଦାନରେ ପରିଣତ ହୁଏ । ସମାଜର ସମୂହ ସ୍ୱାର୍ଥ ଦୃଷ୍ଟିରେ ବ୍ୟକ୍ତି ଏକ ହସ୍ତପଦବିଶିଷ୍ଟ କର୍ମକ୍ଷମ ପରିପୂରକ କ୍ଷୁଦ୍ର ଅଙ୍ଗମାତ୍ର । ସ୍ଥାନ ତାର ଯେପରି ଗୌଣ, ସେହିପରି ନଗଣ୍ୟ । କିନ୍ତୁ ସୃଜନାତ୍ମକ ସାହିତ୍ୟ କଳା ପାଇଁ ବ୍ୟକ୍ତିସ୍ୱାତନ୍ତ୍ର୍ୟର ମୂଲ୍ୟବୋଧ ସର୍ବୋଚ୍ଚରେ । ପ୍ରତ୍ୟେକ କବି ସାହିତ୍ୟିକର ରଚନାରେ ବୈଶିଷ୍ଟ୍ୟ ଫୁଟି ଉଠେ ବ୍ୟକ୍ତିର ସ୍ୱାକ୍ଷର ବହନ କରି । ଏହିଠାରେ ହିଁ ସମାଜ ଓ ରାଷ୍ଟ୍ରର ସର୍ବବ୍ୟାପୀ ସଂଗଠନ ସହିତ ସାହିତ୍ୟିକ ଓ କଳାକାରର ତାତ୍ତ୍ୱିକ ସଂଘର୍ଷ ।

 

ରାଷ୍ଟ୍ର ବା ଜନତାର ସମ୍ମିଳିତ ବିଚାର ଉପରେ ବ୍ୟକ୍ତିର ବିଚାରକୁ ସେ ସବୁକାଳେ ଉଚ୍ଚସ୍ଥାନ ଦେଇ ଆସିଛି । ଜନତାର ଅନ୍ୟାୟକୁ ବ୍ୟକ୍ତି ସେଠାରେ କ୍ଷମା କରିନାହିଁ । ଅତୀତର ଆଦର୍ଶ ରାଷ୍ଟ୍ର ରାମରାଜ୍ୟକୁ ସୁଦ୍ଧା ବିଚାରର ଅଗ୍ନି ପରୀକ୍ଷାରେ ସେ ନିନ୍ଦିତ କରିଛି । ସେହି ତାତ୍ତ୍ୱିକ ସଂଘର୍ଷର କଷଟିରେ ଆଜି ପରୀକ୍ଷିତ ହେଉଛି ପ୍ରଗତିବାଦର ଚୂଡ଼ାନ୍ତ ପରିଣତି ରୂପେ ପୁଣି ଏକ ବିଶ୍ୱଯୁଦ୍ଧର ସମ୍ମୁଖୀନତା । ତାହା ଫଳରେ ବ୍ୟକ୍ତିବାଦର ଏକାଧିକ ଅବାଞ୍ଛିତ ଅପାଂକ୍ତେୟ ରୂପ ମୁଣ୍ତ ଟେକିଛି । କେତେକ ସ୍ଥଳରେ ବ୍ୟକ୍ତି ଆଜି ସମାଜକୁ ଉପେକ୍ଷା କରିଯିବାକୁ ଉତ୍‌କ୍ଷିପ୍ତ । ଫରାସୀ ସାହିତ୍ୟିକ ସାତ୍ରେ ପ୍ରମୁଖ ଏହାର ଉଦାହରଣ । ଅବଶ୍ୟ ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ଅକ୍ଷୂର୍ଣ୍ଣ ରଖି ଆଧୁନିକ ରାଷ୍ଟ୍ର ସଂଗଠନକୁ ଶକ୍ତିଶାଳୀ କରିବାହିଁ ସୁସ୍ଥ ଦୁନିଆର ଲକ୍ଷଣ । କିପରି ତାହା ସମ୍ଭବପର ହେବ, ଏହାହିଁ ହେଲା ଆଜିର ସମସ୍ୟା । ବ୍ୟକ୍ତିବାଦ ଯେ କଦାପି ସମାଜବାଦୀ ରାଷ୍ଟ୍ରର ବିରୋଧୀ ନୁହେଁ, ବରଂ ତାହାର ପୂରକ ଓ ଚରମ ବିକାଶର ପରିଚାୟକ, ଏହାରି ବିଚାର ଓ ବ୍ୟାଖ୍ୟା ହେଲା ଆଧୁନିକ କଳାକାର ବା ସୃଷ୍ଟିଧର୍ମୀ ବା ସାହିତ୍ୟିକର ସାଧନା । ସାମାଜିକ ସଂଘବଦ୍ଧ ସଚେତନତା ଭିତରେ ସେ ବ୍ୟକ୍ତିସ୍ୱାତନ୍ତ୍ର୍ୟର ପ୍ରତିଷ୍ଠା ଲୋଡ଼େ ।

 

ବିଜ୍ଞାନ ସଚେତନ ପାଶ୍ଚାତ୍ୟର ଅଦ୍ଭୁତ ଶିଳ୍ପଯୋଜନା ପ୍ରାଚ୍ୟର ସବୁଦାୟ ଜନସମାଜକୁ ମଧ୍ୟ ପ୍ରଭାବିତ କରିଛି । ସମୁଦାୟ ପୃଥିବୀର ରାଷ୍ଟ୍ରସଂଗଠନ ଅଳ୍ପ ବେଶି ତାହାରି ଅନୁକୃତି । ସେଠାରେ କିନ୍ତୁ ବ୍ୟକ୍ତି-ସ୍ୱାତନ୍ତ୍ର କିପରି କ୍ଷୁଣ୍ଣ ହୋଇଛି, ତାହାରି ଦୁଇଟି ଉଦାହରଣ ନିଆଯାଉ । ପାଶ୍ଚାତ୍ୟର ଦୁଇଟି ଶ୍ରେଷ୍ଠ ଶକ୍ତିଶାଳୀ ରାଷ୍ଟ୍ର ହେଲା ଆମେରିକା ଓ ରୁଷିଆ, ଯାହା ଉପରେ ଆଜି ବିଶ୍ୱଯୁଦ୍ଧ ବା ବିଶ୍ୱଶାନ୍ତି ସବୁଠାରୁ ବେଶି ପରିମାଣରେ ନିର୍ଭର କରେ । ବିଜ୍ଞାନସମ୍ମତ ଶିଳ୍ପସଂଗଠନରେ ଏ ଦୁଇରାଷ୍ଟ୍ର ହିଁ ଅଗ୍ରଣୀ । ତଥାପି ସେଠାରେ ଏକାଧିକ କବି, ସାହିତ୍ୟିକ ଓ କଳାକାର ଆତ୍ମହତ୍ୟା କରିଥାନ୍ତି ।

 

ସେଥିମଧ୍ୟରୁ କେତେକ ବର୍ଷ ପୂର୍ବେ ଋଷର ପ୍ରଖ୍ୟାତ କବି ମାୟାକୋଭସ୍କାଇ ଓ ଅଳ୍ପକାଳ ପୂର୍ବେ ଆମେରିକାର ଶ୍ରେଷ୍ଠ ଔପନ୍ୟାସିକ ହେମିଂଓୟେ ଆତ୍ମହତ୍ୟା କରିଛନ୍ତି । ପୃଥିବୀର ଆଧୁନିକ କବିତା ପୁଣି ଉପନ୍ୟାସ କ୍ଷେତ୍ରରେ ଏ ଦୁଇଜଣଙ୍କ ପ୍ରତ୍ୟକ୍ଷ ପ୍ରବଳ ପ୍ରଭାବ ଅନସ୍ୱୀକାର୍ଯ୍ୟ-। ପୁଣି ଏହି ଦୁଇଟି ରାଷ୍ଟ୍ର ପୃଥିବୀର ଆଜି ଆଦର୍ଶ । ତଥାପି ସେ ଦେଶରେ ଦୁଇଜଣ ଶ୍ରେଷ୍ଠ ଭାବୁକ ଓ ସାହିତ୍ୟିକଙ୍କ ଆତ୍ମହତ୍ୟା ଭଳି ଅତ୍ୟାଶ୍ଚର୍ଯ୍ୟ ମର୍ମନ୍ତୁଦ ଦୁର୍ଘଟଣା ମୂଳରେ କି ଗୂଢ଼ ରହସ୍ୟ ଥାଇପାରେ, ତାହାର ଯଥାର୍ଥତା ଖୋଜିବାପାଇଁ ବହୁ ସାମ୍ବାଦିକ, କବି ଓ ଭାବୁକ ଉଦ୍ୟମ କରିଛନ୍ତି-। ଅଥଚ କେହିହେଲେ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ବିନ୍ଦୁରେ ପହଞ୍ଚି ଥିବାର ବିଶ୍ୱାସ କରନ୍ତି ନାହିଁ । ଏପରିକି ଏଇ ଦୁଇଜଣ ମହାମନୀଷୀଙ୍କର ଆତ୍ମହତ୍ୟା, ସ୍ୱେଚ୍ଛାକୃତ କି ଅତର୍କିତ, ସେ ବିଷୟରେ ମଧ୍ୟ ଅନେକ ସନ୍ଦେହ ଆଜି ପର୍ଯ୍ୟନ୍ତ ଝୁଲୁଛି । ସେଥିସଙ୍ଗେ ଆଉ ଏକ ବିଚାର ଅଛି । ହେମିଂଓୟେଙ୍କ ରଚନାରେ ଜୀବନର ଚରମ ବ୍ୟର୍ଥତା ହେଲା ପ୍ରେମ ଆଉ ମୃତ୍ୟୁ । ଜୀବନ କହିଲେ ବୁଝାଏ କେବଳ ହତ୍ୟା -ଯାହା କିଛି ସୁନ୍ଦର, ଯାହା କିଛି ମଧୁର । ପୁଣି ତାର ସାହସିକତା ଅଖଣ୍ତ, ତାହାକୁ ସେ ନିରପେକ୍ଷ ଭାବରେ ହତ୍ୟାକରେ–ସବୁକିଛି ଭାଙ୍ଗି ପକାଏ । ଏକମାତ୍ର ହତ୍ୟାହିଁ ହେଲା ଜୀବନର ଧର୍ମ ଓ ସାର୍ଥକତା । ହେମିଂଓୟେଙ୍କ ବିଚାରରେ ମୃତ୍ୟୁ ହେଲା ଗୋଟିଏ ଅଭିଜ୍ଞତାର ସାମଗ୍ରୀ-ଜୀବନର କେନ୍ଦ୍ରବିନ୍ଦୁରେ ହିଁ ତାହାର ଅବସ୍ଥିତି । ତାହାହିଁ ଏକମାତ୍ର ବାସ୍ତବତା, ଯାହା ଉପରେ ମନୁଷ୍ୟ କେବଳ ନିଶ୍ଚିତରୂପେ ନିର୍ଭର କରିପାରେ । ସେହି ନିଶ୍ଚିତକୁ ସ୍ୱେଚ୍ଛାରେ ପାଇବାପାଇଁ ହୁଏତ ସେ ନିଜର ଅନିଶ୍ଚିତ ଜୀବନକୁ ଶେଷ କରିଥିବେ, ମୃତ୍ୟୁ ଆସି ତାଙ୍କୁ ଜବରଦସ୍ତି ଟାଣିନେବା ଆଗରୁ । ମାତ୍ର ସେଥିପାଇଁ କଣ ଶିଳ୍ପସମୃଦ୍ଧ ବିଜ୍ଞାନସଚେତନ ପାଶ୍ଚାତ୍ୟର ବୈଷୟିକ ସମାଜଚେତନା ଓ ଦୈହିକଶକ୍ତି ଉପରେ ଗଠିତ ରାଷ୍ଟ୍ର ପୁଣି ଅର୍ଥନୈତିକ ସଂଘର୍ଷ ଜଞ୍ଜାଳ ସର୍ବସ୍ୱ ପାରିବାରିକ ପରିବେଶ ଆଦୌ ଦାୟୀ ନୁହେଁ ? ଏ ପ୍ରଶ୍ନର ଉତ୍ତର ପାଶ୍ଚାତ୍ୟ ଦାର୍ଶନିକ ଓ ଭାବୁକମାନଙ୍କଠାରୁ ପାଇବା ଲାଗି ଦୁନିଆ ଆଜି ହକ୍‌ଦାର ନୁହେଁ କି ?

 

ସେଇଭଳି ଏକ ସୁଦୀର୍ଘ ପ୍ରଶ୍ନଚିହ୍ନ ମଧ୍ୟ ଠିଆ ହୋଇଛି ମାୟାକୋଭସ୍କାଇଙ୍କ ଆତ୍ମହତ୍ୟା ଘଟଣା ଉପରେ । ବୈଜ୍ଞାନିକ ସାମ୍ୟବାଦର ପ୍ରତିଷ୍ଠାତା ଋଷ୍‍କମ୍ୟୁନିଷ୍ଟ ପାର୍ଟିଦ୍ୱାରା ପରିଚାଳିତ ସର୍ବହରା ଲେଖକମାନଙ୍କ ସଂଗଠନରେ ଯୋଗଦେବାର ଦୁଇ ମାସ ପରେ ସେ ଆତ୍ମହତ୍ୟା କରନ୍ତି-। କେହି କେହି ତାହା ଏକ ବ୍ୟର୍ଥପ୍ରେମର ପରିଣତି ବୋଲି ଚିତ୍ରଣ କରିଛନ୍ତି । କିନ୍ତୁ ତାଙ୍କର ପରମବନ୍ଧୁ କମ୍ୟୁନିଜିମ୍‌ର ବିରୋଧୀ ପାସ୍ତରନାକ୍‌ ନିଜ ଆତ୍ମଜୀବନୀରେ ଲେଖିଛନ୍ତି ଯେ ମାୟାକୋଭ୍‌ସ୍କାଇଙ୍କର ଆତ୍ମହତ୍ୟା ଲେଖକ, ଭାବୁକ ପକ୍ଷରେ ମହାନ୍‌ ଗର୍ବର ସାମଗ୍ରୀ ! କାରଣ ସେ ସମୂହର ହୁକୁମନାମା ପାଖରେ ଭାବୁକ-ସଷ୍ଟ୍ରାର ବ୍ୟକ୍ତିସ୍ୱାତନ୍ତ୍ର୍ୟକୁ ଜଳାଞ୍ଜଳି ଦେଇ ନାହାନ୍ତି । ତଥାପି ଏଇ ଆତ୍ମହତ୍ୟା ଦୁଇଟିର ମୌଳିକ ରହସ୍ୟ ଏବେ ସୁଦ୍ଧା ଉଦ୍‌ଘାଟିତ ହୋଇନାହିଁ । କମ୍ୟୁନିଜିମ୍‌ ଦର୍ଶନରେ ଆତ୍ମହତ୍ୟା ଯେପରି ଏକ ଘୋର ଅପରାଧରୂପେ ନିଷିଦ୍ଧ, ଅକମ୍ୟୁନିଷ୍ଟ ସମାଜରେ ସେହିଭଳି ତାହା ଏକ ମହାପାପ । ବୈଜ୍ଞାନିକ ଦୁଷ୍ଟିରୁ ତାହା ପୁଣି ଉତ୍କଟ ପାଗଳାମି । ଅଥଚ ମାୟାକୋଭ୍‌ସ୍କାଇ ଓ ହେମିଂଓୟେଙ୍କୁ ଯଦି ପାଗଳ ବୋଲିଯାଏ, ତେବେ ଋଷ୍‍ ଆମେରିକାରେ ସୁସ୍ଥତର ମସ୍ତିଷ୍କ କେଉଁଠି ଅଛି ?

 

ଏହି ଦୁଇଟି ଐତିହାସିକ ଆତ୍ମହତ୍ୟାହିଁ ଆଧୁନିକ ସାହିତ୍ୟରେ ଜୀବନ -ଜିଜ୍ଞାସାର ବାଣୀ ଶୁଣାଇଥାଏ । ଏହି ଜୀବନଜିଜ୍ଞାସାହିଁ ନୂତନ ମୂଲ୍ୟବୋଧ ପ୍ରତି ସ୍ପଷ୍ଟ ଅଙ୍ଗୁଳି ସଂକେତ କରିଥାଏ । ହେମିଂଓୟେଙ୍କ ଭାଷାରେ କୌଣସି ବସ୍ତୁ, କୌଣସି ସାମାଜିକ ବା ପାରିବାରିକ ସମ୍ପର୍କ ଆଜି ବିଶ୍ୱାସଯୋଗ୍ୟ ନୁହେଁ, କାହାରି ଉପରେ ଆଜି ପ୍ରତ୍ୟୟ କରାଯାଇ ନ ପାରେ, କେବଳ ମୃତ୍ୟୁ ବ୍ୟତୀତ । ଆଜିର ମନୁଷ୍ୟ ଯାହା କହେ, କିମ୍ବା ଆଜିର ଲେଖକ ଯାହା ଲେଖେ, ତଦୁପରି ତାହାର ନିଜର ବିଶ୍ୱାସ ଅଛି କି ନାହିଁ, ଦୃଢ଼ତାର ସହିତ ତାହା ଘୋଷଣା କରିବାକୁ ସେ ଅସମର୍ଥ । ହୁଏତ ନିଜକୁ ସମର୍ଥନ କରିବା ପାଇଁ ଆଜି ସେ ଯୁକ୍ତି ବାଢ଼ିପାରେ ଯଥେଷ୍ଟ । କ୍ୟୁବିଜ୍‌ମ୍‌, ଏକ୍‌ଜିଷ୍ଟେନ୍‌ସିଆଲିଜମ୍‌, ସରଲିୟାଲିଜମ୍‌, ରୋମାଣ୍ଟିସିଜମ୍‌ ଆଦି ବୈଦେଶିକ ବିଭାଗୀକରଣ ଅନୁଯାୟୀ ଛାୟାବାଦ, ଅତି-ବାସ୍ତବବାଦ ଆଦି ଶ୍ରେଣୀରେ ନିଜ ସାହିତ୍ୟକୁ ଚିହ୍ନିତ କରିପାରେ । ବିଚିତ୍ର ଛନ୍ଦବିନ୍ୟାସ ଓ ପ୍ରକାଶର ଭଙ୍ଗିମା ମଧ୍ୟରେ ଜୀବନର କେତେଗୋଟି ଶୁଭ ବା ଅଶୁଭ ମୁହୂର୍ତ୍ତକୁ ସତ୍ୟର ରୂପ ଦେବାକୁ ଉଦ୍ୟମ କରିପାରେ, ମାତ୍ର ଆଜିର ଲେଖକ ପକ୍ଷରେ ଜୀବନର ସମୁଚିତ ନୂତନ ମୂଲ୍ୟବୋଧ ଲାଗି ଯେଉଁ ଦୁର୍ଦ୍ଦମ, ଦୁର୍ବିନୀତ ସାହସ ଲୋଡ଼ା, ମୃତ୍ୟୁ ସମକ୍ଷରେ ମଧ୍ୟ–ହେମିଂଓୟେ ଓ ମାୟାକୋଭସ୍କାଇ ତାହାରି ଏକ ନିର୍ମମ ନିରଙ୍କୁଶ ବହ୍ନି-ଆହ୍ୱାନ । ଏହାକୁ ଆମେ ପାଶ୍ଚାତ୍ୟ ପରମ୍ପରା ଉପରେ ନିର୍ମିତ ପରିବର୍ତ୍ତିତ ଭାବବୋଧର ଆହ୍ୱାନ କହିପାରୁଁ ।

 

ସେହି ଆହ୍ୱାନହିଁ ଆଧୁନିକ ଲେଖକର ଭାବବୋଧରେ ଆଣିଛି ତୁମୁଳ ପରିବର୍ତ୍ତନ । ସ୍ନେହ, ଭକ୍ତି, ପ୍ରେମ, ମମତା, ଦୟା, କ୍ଷମା ଆଦି ଭାବବୋଧ ଉପରେ ପୁଣି ଥରେ ସତ୍ୟାନୁଭୂତିର ସମୀକ୍ଷା କରାଯାଉଛି ଆଜିର ପରିବର୍ତ୍ତିତ ପରିବେଶରେ । ସ୍ୱାମୀ, ସ୍ତ୍ରୀ, ପିତା, ପୁତ୍ର, କନ୍ୟା, ଜାମାତା ପ୍ରଭୃତି ସମ୍ବନ୍ଧଗୁଡ଼ିକର ବିଚାର ହେଉଛି ଆଜି ଏହି ନୁତନ ପରିପ୍ରେକ୍ଷିରେ । ପୃଥିବୀର ପ୍ରଗତିଶୀଳ ଦେଶମାନଙ୍କ ସହିତ ଭାରସାମ୍ୟ ରଖିବା ପାଇଁ ଭାରତ ମଧ୍ୟ ଆଜି ବଳିଷ୍ଠ ପଦକ୍ଷେପ କରିଛି । କିନ୍ତୁ ପ୍ରାଚ୍ୟପରମ୍ପରାର ସ୍ୱାତନ୍ତ୍ର୍ୟ ବଜାୟ ରଖିବାକୁ ସେ କେତେଦୂର ସମର୍ଥ, ତାହା ଅବଶ୍ୟ ବିଚାର୍ଯ୍ୟ । ଭାରତର ଏହି ନୂତନ ଜୟଯାତ୍ରାର ମାଙ୍ଗଳିକ ଆବାହନୀ ଶୁଣାଇବ ଆଧୁନିକ ଭାରତୀୟ ସାହିତ୍ୟ । ସେ ପୁଣି ଫେରାଇ ଆଣିବ ତାର ସେହି ସୃଜନାତ୍ମକ ଉଦ୍‌ବେଗ, ସେହି ମନ, ସେହି ଜୀବନ; ଫେରାଇ ଆଣିବ ସେହି ବିଶ୍ୱାସ, ଯେ ତାହାର ପରମ୍ପରାର ସମ୍ପଦ, ପୁଣି ଆଧୁନିକତାର ଅଗ୍ରଲେଖ । ଯେଉଁ ବିଶ୍ୱାସ ବଳରେ ପୃଥିବୀର ଯେକୌଣସି ଦେଶର ହତାଶ ହେମିଂଓୟେ କିମ୍ବା ଅନୁତପ୍ତ ମାୟାକୋଭସ୍କାଇଙ୍କ ଆଧୁନିକ କଣ୍ଠରୁ ସୁଦୂର ପ୍ରାଚ୍ୟ ପରମ୍ପରାର ବାଣୀ ପୁଣି ଥରେ ଅଭିନବ ଛନ୍ଦରେ ଧ୍ୱନିତ ହୋଇ ଉଠିବ–ଶୃଣ୍ୱନ୍ତୁବିଶ୍ୱେ ଅମୃତସ୍ୟ ପୁତ୍ରାଃ ।

 

ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ

ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍‌ ଦୁଃଖଭାଗ୍‌ଭବେତ୍‌ ।

 

ରବୀନ୍ଦ୍ର–ଗଳ୍ପର ବିଶେଷତ୍ୱ *

 

* କଟକ ଆକାଶବାଣୀର ସୌଜନ୍ୟରୁ ତା ୭ । ୮ । ୫୮ ରିଖ ରବୀନ୍ଦ୍ର ତିରୋଧାନ ଦିବସରେ ପ୍ରଚାରିତ ।

 

ଶିଳ୍ପୀ, କବି ତଥା ସାହିତ୍ୟିକର ବ୍ୟକ୍ତିତ୍ୱ ବା ସ୍ୱାତନ୍ତ୍ର୍ୟ ବିକଶିତ ହୁଏ ନିଜ ନିଜ କଳା କିମ୍ବା ସାହିତ୍ୟର ସୃଷ୍ଟି ଭିତରେ । ସ୍ରଷ୍ଟା ସେଠାରେ ନିଜ ମହିମାରେ ମହିମାନ୍ୱିତ, ଅନନୁକରଣୀୟ, ଅନନ୍ୟ । ରବୀନ୍ଦ୍ର–ସାହିତ୍ୟ-ସାଗର ବିଶାଳତର ହୋଇପାରିଛି ବହୁ ବିଚିତ୍ର ରସବାହୀ ନଦୀର ସମନ୍ୱୟ ଦ୍ୱାରା–କବିତା, ସଙ୍ଗୀତ, ନାଟକ, ଉପନ୍ୟାସ, ଗଳ୍ପ, ପ୍ରବନ୍ଧ, ଆଲୋଚନା, ଜୀବନୀ ବା ଆତ୍ମଜୀବନୀ–କୌଣସି ଦିଗକୁ ସେ ଉପେକ୍ଷା କରିନାହାନ୍ତି ।

 

ତେବେ ଏଥିମଧ୍ୟରୁ କେଉଁ ଗୋଟିଏ ଦିଗରେ ଅଥବା ସକଳ କ୍ଷେତ୍ରରେ ରବୀନ୍ଦ୍ର ପ୍ରତିଭାର ଦାନ ସର୍ବୋତ୍ତମ ? ଏକାଧିକ ଆଲୋଚକ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ପ୍ରୟାସୀ ହୋଇଛନ୍ତି । ତାଙ୍କ ମଧ୍ୟରୁ କିଏ କେତେଦୂର ସାର୍ଥକ ବା ଅସମର୍ଥ ହୋଇଛନ୍ତି, ସେସବୁ ମତାମତର ପରୀକ୍ଷାଗାର ଅନ୍ୟତ୍ର । ଏଠାରେ କେବଳ ଗୋଟିଏ ମତ ଉଲ୍ଲେଖଯୋଗ୍ୟ ।

 

ବଙ୍ଗର ଜଣେ ପ୍ରସିଦ୍ଧ ଗବେଷକ କହନ୍ତି, କବିତାରେ ରବୀନ୍ଦ୍ର ପ୍ରତିଭାର ଯେଉଁ ବିକାଶ ଘଟିଛି, ତାହା ବଙ୍ଗର ମାଇକେଲ ପ୍ରତିଭାକୁ ଅତିକ୍ରମ କରି ପାରିନାହିଁ । ସଙ୍ଗୀତରେ ଉର୍ଦ୍ଦୁ, ହିନ୍ଦୀ ପ୍ରାଚୀନ ଭଜନ, ଗଜଲ ଓ ଆଧୁନିକର ବୈଚିତ୍ର୍ୟ ଅତୁଳନୀୟ । ନାଟକରେ ଗିରୀଶ ଦ୍ୱିଜେନ୍ଦ୍ରଲାଲ ପୁଣି ଉପନ୍ୟାସରେ ବଙ୍କିମ, ଶରତ୍‌ଚନ୍ଦ୍ରଙ୍କ ସ୍ଥାନ ଅପ୍ରତିହତ । ପ୍ରବନ୍ଧ ବା ଆଲୋଚନା ସାହିତ୍ୟରେ ମଧ୍ୟ ଏକାଧିକ ଭାଷାବିତ୍‌ ତଥା ଭାବୁକଙ୍କର ଆବିର୍ଭାବ ହୋଇଛି । ମାତ୍ର ଗୋଟିଏ ଦିଗରେ ରବୀନ୍ଦ୍ରନାଥ ଅନତିକ୍ରମ୍ୟ, ଏକକ ଓ ଅପ୍ରତିଦ୍ୱନ୍ଦ୍ୱୀ–ତାହା ହେଲା କ୍ଷୁଦ୍ରଗଳ୍ପ ।

 

ରବୀନ୍ଦ୍ରନାଥ ବହୁ କ୍ଷୁଦ୍ରଗଳ୍ପର ସ୍ରଷ୍ଟା । ସେସବୁ ପ୍ରାୟ ଶତସଂଖ୍ୟାର ନିକଟବର୍ତ୍ତୀ । ତାଙ୍କର କଳ୍ପନାବିଳାସୀ ଚିତ୍ତ ଅହରହ ନବ ନବ ରୂପରସ ଓ ଛନ୍ଦର ଆବିଷ୍କାର କରିବାରେ ବ୍ୟାପୃତ ଥିଲା । କ୍ଷୁଦ୍ରଗଳ୍ପ ଗୁଡ଼ିକର ବିଷୟବସ୍ତୁର ଅଭିନବତ୍ୱ ସଙ୍ଗେ ଭାଷା ଓ ବର୍ଣ୍ଣନାର ସାବଲୀଳ ଭଙ୍ଗି ଯେଉଁ ସାମଞ୍ଜସ୍ୟ ରକ୍ଷା କରି ପାରିଛି, ତାହା ବାସ୍ତବିକ ବିସ୍ମୟକର ।

 

ସାହିତ୍ୟର ଅନ୍ୟାନ୍ୟ ଦିଗଭଳି ଛୋଟ ଗଳ୍ପର ମଧ୍ୟ କେତେକ ସ୍ୱତନ୍ତ୍ର ଲକ୍ଷଣ ଅଛି । ସେହି ଲକ୍ଷଣ ଗୁଡ଼ିକ ନଥିଲେ ତାହାକୁ ଛୋଟ ଗଳ୍ପ ନକହି ଆଉ କିଛି କୁହାଯିବା ଉଚିତ । ଛୋଟ ଗଳ୍ପର ପରିସର ହେଲା ସଂକୀର୍ଣ୍ଣ । ସେହି ସଂକୀର୍ଣ୍ଣ ପରିସର ଭିତରେ ଗୋଟିଏ ମାତ୍ର ଚରିତ୍ର, ଗୋଟିଏ ମାତ୍ର ଘଟଣା କିମ୍ବା ଗୋଟିଏ ମାତ୍ର ଆଦର୍ଶର ବିକାଶ ସାଧିତ ହୋଇପାରିବାହିଁ କ୍ଷୁଦ୍ରଗଳ୍ପର ସାର୍ଥକତାର ପରିଚାୟକ । ଏକାଧିକ ଚରିତ୍ର, ଘଟଣା କିମ୍ବା ଆଦର୍ଶ ସମାବେଶରେ ସୁବୃହତ୍‌ ଉପନ୍ୟାସ ହୋଇପାରେ । କ୍ଷୁଦ୍ରଗଳ୍ପରେ ସେଥିଲାଗି ସ୍ଥାନାଭାବ ।

 

‘ଗଳ୍ପଗୁଚ୍ଛ’ ନାମରେ ରବୀନ୍ଦ୍ର ନାଥଙ୍କର ଯେଉଁ ତିନିଗୋଟି କ୍ଷୁଦ୍ରଗଳ୍ପ ସଞ୍ଚୟନ ପ୍ରକାଶିତ ହୋଇଛି, ସେଥିମଧ୍ୟରେ ବୃହତ୍‌ଗଳ୍ପ ମଧ୍ୟ ସଂକଳିତ ହୋଇଛି, ଯାହା ଛୋଟଗଳ୍ପ ନୁହେଁ, କିମ୍ବା ଉପନ୍ୟାସ ନୁହେଁ । ସେଗୁଡ଼ିକୁ ବଡ଼ଗଳ୍ପ ନାମ ଦିଆଯାଇପାରେ । ‘ନଷ୍ଟନୀଡ଼’ ଏହିଭଳି ଏକ ବଡ଼ଗଳ୍ପ ଓ କୋଡ଼ିଏଟି ପରିଚ୍ଛେଦରେ ତାହା ବିଭକ୍ତ । ସେହିରୂପେ ‘ମାଷ୍ଟର ମଶାୟ’, ‘ଅତିଥି’, ମେଘ ଓ ରୌଦ୍ର’ ଆଦି ଏକାଧିକ ବଡ଼ଗଳ୍ପ ତାଙ୍କର କୃତୀ ।

 

ବଡ଼ ହେଉ, ଛୋଟ ହେଉ, ବିଷୟବସ୍ତୁର ପରିବେଷଣ ପରିପାଟୀରେ, ଭାଷା ଏବଂ ବର୍ଣ୍ଣନା ପ୍ରକ୍ଷେପରେ ପୁଣି ତ୍ୟାଗ, ଉଦାରତା, ସ୍ନେହ, ପ୍ରେମ, କ୍ଷମା ଆଦି ଗୁଣ ସହିତ ମହାମାନ ବିକତାର ମହତ୍ତ୍ୱ ଉତ୍ତୋଳନରେ ରବୀନ୍ଦ୍ର-ଗଳ୍ପସାହିତ୍ୟ ଆଦର୍ଶ ପ୍ରତିଷ୍ଠା କରିଛି । ‘ମେଘ ଓ ରୌଦ୍ର’ ଗଳ୍ପଟି ଅପେକ୍ଷାକୃତ ବଡ଼ ଏବଂ ଅଳ୍ପଦିନ ପୂର୍ବେ ଏହାର ଏକ ନାଟ୍ୟରୁପ ଆକାଶବାଣୀ କଲିକତା କେନ୍ଦ୍ରରୁ ପ୍ରଚାରିତ ହୋଇଥିଲା । ସତ୍ୟ ଓ ନ୍ୟାୟ ନାମରେ ଯେଉଁ ବ୍ୟକ୍ତି ଜନ-ସେବାରେ ନିଜକୁ ଉତ୍ସର୍ଗ କରେ, ଶେଷରେ ପୁଣି ସେହି ଅଜ୍ଞ ଜନତା ସମସ୍ତ ଉପକାର ବଦଳରେ ଜନନାୟକର ଯେଉଁ ଦୁର୍ଦ୍ଦଶା ଘଟାଏ ତାହାରି ଏକ ବାସ୍ତବ ପ୍ରାଣବନ୍ତ ଆଲେଖ୍ୟ ହେଲା ‘ମେଘ ଓ ରୌଦ୍ର’ ।

 

ଯେଉଁ ଦେଶ, ସମାଜ ଓ ଜନତା ଉଦ୍ଦେଶ୍ୟରେ କବି ନିଜ ହୃଦୟର ଅସରନ୍ତି ସ୍ନେହ, ପ୍ରେମ ଢାଳି ଦେଇଥିଲେ, ଶେଷରେ ପ୍ରତିଦାନ ସ୍ୱରୂପ ତାହାରିଠାରୁ ସେ ଯେ ତୀବ୍ର ବ୍ୟଙ୍ଗ, ତିରସ୍କାର ଦ୍ୱାରା ଲାଞ୍ଚିତ ହୋଇଥିଲେ, ସେଇ ବ୍ୟର୍ଥତାର ଚିତ୍ରହିଁ ମନୋଜ୍ଞ ପ୍ରକାଶ ଭଙ୍ଗିରେ ଓ କାହାଣୀର ପରୋକ୍ଷ ଆବରଣ ମଧ୍ୟରେ ଅସାମାନ୍ୟ ବାସ୍ତବ ରୂପ ଘେନିଛି ‘ମେଘ ଓ ରୌଦ୍ର’ ଗଳ୍ପଟିରେ । କଳାସୃଷ୍ଟିର ଉତ୍କର୍ଷ ଘଟେ ସେହି ସମୟରେ, ଯେଉଁ ଶୁଭ ମୁହୂର୍ତ୍ତରେ ଲେଖକର ନିଜ ଅଭିଜ୍ଞତାର ମହାନ୍‌ ବିସ୍ତୃତି ପୁଣି ବାସ୍ତବ ଅନୁଭୂତିର ଗଭୀରତା ସଙ୍ଗେ ଉତ୍ତୁଙ୍ଗ ଆଦର୍ଶବାଦର ସାମଞ୍ଜସ୍ୟ ପ୍ରତିଷ୍ଠିତ ହୁଏ । ରବୀନ୍ଦ୍ର-ଗଳ୍ପର ବିଶେଷତ୍ୱ ଏହିଠାରେ ।

 

ଆମ ବୁଢ଼ୀମା କାହାଣୀରେ ଯେଉଁ କଥାଟି ଅଛି-ଦୁଃଖ କହିବି କି ସୁଖ କହିବି, ନା ଯାହା ଅଙ୍ଗେ ନିଭେଇଛି ତାହା କହିବି । ରବୀନ୍ଦ୍ର ନାଥ ଯାହା ଅଙ୍ଗେ ନିଭେଇଛନ୍ତି ତାହାକୁହିଁ ନିଜ ଗଳ୍ପ ମଧ୍ୟରେ ରୂପଦେବାକୁ ଯାଇଛନ୍ତି, ଭାଷା, ବ୍ୟଞ୍ଜନା, କଳ୍ପନାର ନିତ୍ୟନୂତନ ଉପାଦାନ ଘେନି । ରବୀନ୍ଦ୍ର–କଳ୍ପନାର ଚୂଡ଼ାନ୍ତ ବିଳାସର ଅନ୍ୟତମ ଅନବଦ୍ୟ ସୃଷ୍ଟି ‘କ୍ଷୁଧିତ ପାଷାଣ’–ଅଢ଼େଇଶହ ବର୍ଷ ପୂର୍ବର ଦ୍ୱିତୀୟ ଶା-ମାମୁଦଙ୍କର ଅରଣ୍ୟବେଷ୍ଟିତ ସେହି ନିର୍ଜନ ପ୍ରାସାଦ–ସେଇଠାରେ ଲେଖକ ନିଜକୁ ଅଢ଼େଇଶହ ବର୍ଷର କେଉଁ ଏକ ଅଲେଖା ଇତିହାସର ଜଣେ ଅପୂର୍ବ ବ୍ୟକ୍ତି ରୂପେ ଅନୁଭବକରନ୍ତି, ଆଉ ସେଥିସଙ୍ଗେ ଓଟାରି ଘେନିଯାନ୍ତି ପାଠକର ଅନୁଭୂତିମୟ ଚିତ୍ତକୁ, ‘‘ଏଇ ଖଣ୍ତ ସ୍ୱପ୍ନର ଆବର୍ତ୍ତ ମଧ୍ୟରେ, ଏହି କ୍ୱଚିତ୍‌ ହେନାର ଗନ୍ଧ, କ୍ୱଚିତ୍‌ ସେତାର ଶବ୍ଦ, କ୍ୱଚିତ୍‌ ସୁରଭି ଜଳ-ଶିକର ମିଶ୍ରବାୟୁର ହିଲ୍ଲୋଳ ମଧ୍ୟରେ କ୍ଷଣେ କ୍ଷଣେ ବିଦ୍ୟୁତ୍‌ ଶିଖାପରି ଗୋଟିଏ ନାୟିକାର ସାକ୍ଷାତ୍‌ ପାଏଁ । ତାହାରି ଜାଫ୍ରାନ୍‌ ରଙ୍ଗର ପାଇଜାମା ଏବଂ ଦୁଇ ଶୁଭ୍ରରକ୍ତିମ କୋମଳ ପାଦରେ ବତ୍ରିଶୀର୍ଷ ଜରିର ଚଟି, ଅତିପିନଦ୍ଧ ଜରି ଫୁଲକଟା–କାଞ୍ଚଲା ତହିଁରୁ ସୁନାର ଝାଲର ଝୁଲିପଡ଼ି ତାହାର ଶୁଭ୍ର ଲଲାଟ ଓ କପୋଳ ବେଷ୍ଟନ କରିଛି ।’’

 

ଆଧୁନିକ ଚଳଚ୍ଚିତ୍ର ଯୁଗରେ ଅବଶ୍ୟ ଏ ଶ୍ରେଣୀୟ ରୂପଲାବଣ୍ୟ ଅତି ବାସ୍ତବ ଦୈନନ୍ଦିନ ପରିଚିତ ଛବିରେ ପରିଣତ ହୋଇଛି, କିନ୍ତୁ ମୋଗଲ ବାଦ୍‌ଶାଙ୍କର କଳ୍ପନାବିଳାସର ଐତିହାସିକ ବର୍ଣ୍ଣନା କବିଲେଖନୀରେ ଯେଉଁ ଅହେତୁକ ଭାଷାଲାଳିତ୍ୟ ଓ ଆବେଗମୟ ଅନୁଭୂତିର ଆବେଶ ସୃଷ୍ଟ କରିଥାଏ, ଆଜି ମଧ୍ୟ କ୍ଷୂଧିତପାଷାଣ ପାଠରେ ତାହା ହ୍ରାସ ପାଇ ନାହିଁ । ଆଜି ମଧ୍ୟ ବ୍ୟୋମଯାତ୍ରାର ବାହୁଲ୍ୟ ଅତି ସାଧାରଣତ୍ୱ ଭିତରେ ପର୍ବତମୟ ମରୁପଥରେ ଉଷ୍ଟ୍ରଶ୍ରେଣୀର ସୁଦୁର ଅଭିଯାନ ଚମକ ଆଣେ–ଦିଗନ୍ତ ସୀମାରେଖାର କେଉଁ ଦୋଳାୟମାନ ଖର୍ଜୁର କୁଞ୍ଜର ଗ୍ରାମ କୋଳରେ ଲୁଚିରହେ, ଆଜି ମଧ୍ୟ କାବୁଲୀବାଲାର ପ୍ରାଣର ଦୁଲାଳି ମିନୀ ।

 

ରାସ୍ତା କଡ଼ରେ ମିନୀର ଘର । ହଠାତ୍‌ ମିନୀ ଆଗଡ଼ୁମ୍‌ ବାଗଡ଼ୁମ୍‌ ଖେଳ ଛାଡ଼ି ଝରକା ପାଖକୁ ଧାଇଁଗଲା ଏବଂ ଚିତ୍କାରକରି ଡାକିବାକୁ ଲାଗିଲା, ‘‘କାବୁଲିବାଲା, ହେ କାବୁଲିବାଲା ।’’ ‘‘ଢିଲା କୋତରା ପାଇଜାମା ପିନ୍ଧା, ମୁଣ୍ତରେ ପଗଡ଼ି, କାନ୍ଧରେ ଝୁଲି, ହାତରେ ଦୁଇ ଚାରିଟା ଅଙ୍ଗୁର ବାକ୍‍ସ ଧରି ଜଣେ ଲମ୍ୱା କାବୁଲିବାଲା ମୃଦୁ ମନ୍ଦ ଗମନରେ ରାସ୍ତା ଉପରେ ଯାଉଥିଲା ।’’ ଗଳ୍ପଟିରେ ପାହାଡ଼ିଆ ନୃଶଂସ କାବୁଲିବାଲା ପ୍ରାଣରେ ଯେଉଁ ଅପୂର୍ବ ବାତ୍ସଲ୍ୟ ଜାଗ୍ରତ ହୋଇଛି ତାହା ମାନବ ଚରିତ୍ରର ଏକ ବିରାଟ ଅଧ୍ୟୟନ । ସେଥିସଙ୍ଗେ ପାଞ୍ଚ ବର୍ଷ ବୟସର ଛୋଟ ଝିଅ ମିନୀର ଶିଶୁ-ଚରିତ୍ର ଯେଉଁ ବୈଷମ୍ୟ ବା ତାରତମ୍ୟ ସୃଷ୍ଟି କରିଛି, ତାହା ଫଳରେ ହୋଇଛି ଦୁଇଟି ଅମର ଚରିତ୍ରର ଉଦ୍ଭବ ।

 

ଔପନ୍ୟାସିକ ସକାଳ ଓଳି ତାଙ୍କ ନଭେଲ ଲେଖାର ସପ୍ତଦଶ ପରିଚ୍ଛେଦରେ ହାତ ଦେଇଛନ୍ତି । ଏହି ସମୟରେ କନ୍ୟା ମିନୀ ଆସି କହିଲା, ‘‘ବାପା, ରାମଦୟାଲ୍‌ ଦରୁଆନ୍‌ ‘କାକ’କୁ ‘କୁଆ’ କହୁଥିଲା-ସେ କିଛି ଜାଣେ ନାହିଁ, ନୁହେଁ ?’’ ବାପାଙ୍କଠାରୁ କୌଣସି ଉତ୍ତର ନପାଇ କିଛି ସମୟ ପରେ ମିନୀ ପୁଣି ପଚାରେ ‘‘ଦେଖିଲ ବାପା ! ଭୋଳା କହୁଥିଲା ଆକାଶରେ ହାତୀ ଶୁଣ୍ଢ ଭିତରେ ପାଣି ଛାଡ଼େ, ସେଇଥିପାଇଁ ବର୍ଷା ହୁଏ । ଏ ମା ! ଭୋଳା ଏମିତି ମିଛ କହିପାରେ । ଖାଲି ଗପେ, ଦିନରାତି ପରା ଖାଲି ଗପେ ।’’

 

ଏ ବିଷୟରେ ବାପାଙ୍କ ମତାମତ ପାଇଁ ଆଦୌ ଅପେକ୍ଷା ନକରି ପୁଣି ସେ ପଚାରେ, ‘‘ବାପା ! ମା ତମର କଣ ହୁଏ ?

 

ବିରକ୍ତ ହୋଇ ଲେଖକ ମନେ ମନେ କହନ୍ତି, ‘‘ ଶ୍ୟାଳିକା’’–କିନ୍ତୁ ମୁହଁରେ କହନ୍ତି ‘‘ମିନୀ-! ତୁ ଭୋଳା ସାଥିରେ ଖେଳିବୁ ଯା ।’’ ଏହି ମିନୀ ଝରକା ବାଟେ କାବୁଲି ବାଲାକୁ ଦେଖି ଡାକ ପକାଇଛି । କିନ୍ତୁ କାବୁଲିବାଲା ତା ଡାକ ଶୁଣି ଘର ଆଡ଼କୁ ମୁହାଁଇବାକୁ ଡରିକରି ଭିତରକୁ ପଳାଇଛି । ଘରେ ବାପା ମିନୀର ଭୟ ଛଡ଼ାଇବା ପାଇଁ କାବୁଲିବାଲା ସଙ୍ଗେ ଆଳାପ କରାଇ ଦିଅନ୍ତି । ତାହା ପରେ ଉଇଁ ଉଠେ କାବୁଲିବାଲାର ଚରିତ୍ରାକାଶରେ ଅପତ୍ୟସ୍ନେହର ନବୀନ ବାଳାରୁଣ । ପୁଣି ତାର ଘୋର ନୃଶଂସତା ମଧ୍ୟରେ ନ୍ୟାୟ ଓ ସତ୍ୟର ଯେଉଁ ପ୍ରଦୀପ ଜଳୁଥିଲା, ତାହା ଜେଲ, ହାତକଡ଼ି ଭୟରେ କେବେହେଲେ ମଳିନ ପଡ଼ିନାହିଁ–ନିଭିଯିବା ତ ଦୂରର କଥା । କାବୁଲିବାଲା ଯଥାର୍ଥରେ ବିଶ୍ୱସାହିତ୍ୟର କ୍ଷୁଦ୍ରଗଳ୍ପରେ ଏକ ଅମର ଅବଦାନ । ଗଳ୍ପର ବିଶେଷତ୍ୱହିଁ ଚଳଚ୍ଚିତ୍ରରେ ତାହାରି ଅସାଧାରଣ ସାର୍ଥକତା ପାଇଁ ଦାୟୀ । ‘ଦାଲିୟା’ ଭଳି ଐତିହାସିକ, ‘କାଙ୍ଗାଳ’ ଭଳି ମନସ୍ତାତ୍ତ୍ୱିକ ପୁଣି ଜୀବନରେ ଅସଂଖ୍ୟ ଘଟଣାକୁ ଘେନି ତାଙ୍କ ଛୋଟଗଳ୍ପର ସୃଷ୍ଟି । ପ୍ରତ୍ୟେକ ଗଳ୍ପ ସ୍ୱତନ୍ତ୍ର ଓ ଅଦ୍ୱିତୀୟ ।

 

ଟଲଷ୍ଟୟ, ଗୋର୍କି, ଶେକଫ୍‌, ଓ’ –ହେନ୍‌ରି, ବାଲ୍‌ଜାକ୍‌ କିମ୍ବା ମୋ ପାସା ପ୍ରଭୃତି କ୍ଷୁଦ୍ରଗଳ୍ପ ଜଗତରେ ଯେଉଁ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ଭାରତର ଶ୍ରେଷ୍ଠ ଗାଳ୍ପିକ ରୂପେ ବିଶ୍ୱସାହିତ୍ୟକୁ ରବୀନ୍ଦ୍ରନାଥଙ୍କୁ ଦାନ ସେହିପରି କିମ୍ବା କେତେକ ସ୍ଥଳରେ ତାଙ୍କ ଅପେକ୍ଷା ଅଧିକ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତି ଛୋଟ ଗଳ୍ପରେ ମନୁଷ୍ୟର ଚାରିତ୍ରିକ କୌଳିନ୍ୟ ଏବଂ ତଦୁପରି ଅଖଣ୍ତ ପ୍ରଗାଢ଼ ବିଶ୍ୱାସ ଅଙ୍କିତ; ସେ ଦୃଷ୍ଟିରୁ ମଧ୍ୟ ରବୀନ୍ଦ୍ରନାଥଙ୍କ ଛୋଟ ଗଳ୍ପ ଗୁଡ଼ିକର ସାମାଜିକ ମୂଲ୍ୟବୋଧ ଅସାମାନ୍ୟ । ସର୍ବୋପରି ଗଳ୍ପ ଗୁଡ଼ିକରେ ଦୟା, କ୍ଷମା, ଧୈର୍ଯ୍ୟ, ଅହିଂସା, ପ୍ରେମ, ଭକ୍ତି, ସ୍ନେହ, ତିତିକ୍ଷା ଆଦି ମାନବ ଧର୍ମର ଆଦର୍ଶରାଜି ଚିରନ୍ତନ ମର୍ମବାଣୀ ରୂପେ ଝଂକୃତ ।

Image

 

ଲେଖକର ଆଶ୍ଚର୍ଯ୍ୟ ଟଲଷ୍ଟୟ

 

ସବୁଠାରୁ ଯଦି କିଛି କଠିଣ ସମସ୍ୟା ଥାଏ ତେବେ ତାହା ହେଉଛି ନିଶ୍ଚୟ ଟଲଷ୍ଟୟଙ୍କ ଜୀବନର ମୂଲ୍ୟାଙ୍କନ–ହଁ, ସେ ଏକ ସମସ୍ୟ ଯାହା ଯେ କୌଣସି ଗାଣିତିକ ବା ମନସ୍ତାତ୍ତ୍ୱିକ ମସ୍ତିଷ୍କକୁ ବିଚଳିତ କରେ । ସେ ଏକ ରହସ୍ୟ, ଯାହାକୁ ଭେଦ କରିବା ଯେକୌଣସି ଉଦଭାବକ ପକ୍ଷରେ ଦୁରୂହ । କଳାଧଳା, ପୂର୍ବପଶ୍ଚିମ ଆକାଶପାତାଳ, ଉତ୍ତରମେରୁ ଦକ୍ଷିଣମେରୁ ଓ ସକାଳସନ୍ଧ୍ୟା ମିଶି ଯଦି କେଉଁଠାରେ ଏକ ହୋଇପଡ଼ନ୍ତି, ଟଲଷ୍ଟୟଙ୍କ ଜୀବନ ସେହିପରି ଏକ ଆଶ୍ଚର୍ଯ୍ୟ । ଅଥଚ ଆରବୀୟ ଗଳ୍ପ ଭଳି ଅଦ୍ଭୁତ ହେଲେହେଁ ତାହା ବାସ୍ତବ ସତ୍ୟ । ଚାଳିଶ କୋଠରୀ ବିଶିଷ୍ଟ ପ୍ରକାଣ୍ତ ପ୍ରାସାଦରେ ଯେଉଁ ଜୀବନର ଆରମ୍ଭ ତାହାର ଅନ୍ତ ହେଲା ପଥପ୍ରାନ୍ତରେ-। ବିଶାଳ ପୈତୃକ ଭୂସମ୍ପତ୍ତିର ଅଧିକାରୀ ହୋଇ ବିଳାସ ବ୍ୟସନର ଶୀର୍ଷଦେଶରେ ଯେ ବିଚରଣ କରୁଥିଲେ, ସେହି ପୁଣି ଶେଷରେ ସର୍ବସ୍ୱ ତ୍ୟାଗକରି ନିଜେ ହଳଧରି ଜମିଚାଷ କଲେ ଶ୍ରମିକ ବେଶରେ । ନୃତ୍ୟଗୀତ, ମଦ୍ୟମାଂସ, ଶିକାର, ଦ୍ୟୁତକ୍ରୀଡ଼ାରେ ଯାହାଙ୍କର ସମୟ ଅଣ୍ଟୁ ନଥିଲା, ସେଇ ପୁଣି ଗ୍ରହଣ କଲେ, ନିରାମିଷାଶୀ କଠୋର ସନ୍ନ୍ୟାସବ୍ରତ । ଛାତ୍ର ଥିବାବେଳେ ବହୁ ଚେଷ୍ଟାରେ ମଧ୍ୟ ଯେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଲେ ନାହିଁ, ରାଶି ରାଶି ଗ୍ରନ୍ଥଲେଖି କେବଳ ଋଷର ନୁହନ୍ତି ସମଗ୍ର ବିଶ୍ୱର ହେଲେ ସେ ଶ୍ରେଷ୍ଠ ମନୀଷୀ । ଶେଷରେ ପୁଣି ବିଶ୍ୱସାହିତ୍ୟକୁ ଦୁଇଟି ଅମର ଗ୍ରନ୍ଥ ଦାନ କରି ମଧ୍ୟ ସେଥିପାଇଁ ସେ ଲଜ୍ଜିତ ହେଲେ ଓ ସାନ ସାନ ବହି ଲେଖି ବିତରଣ କରିବାକୁ ଲାଗିଲେ । ଦିନେ ଜଣେ ନାସ୍ତିକ ଥିଲେ ହେଁ ଶେଷରେ ସେ ପରମ ଆସ୍ତିକ ହୋଇ ଯିଶୁଙ୍କର ପ୍ରତି ଉପଦେଶ ମାନିବାକୁ ଚେଷ୍ଟା କଲେ । ଏହିପରି ପରସ୍ପର ବିରୋଧୀ ବିପରୀତ ଘଟଣାବଳୀରେ ଜୀବନ ତାଙ୍କର ରହସ୍ୟମୟ ।

 

ଟଲଷ୍ଟୟଙ୍କର ଜନ୍ମ ୧୮୨୮ ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସ ୨୮ ତାରିଖରେ ତାଙ୍କ ମାତୁଳାଳୟ ଓ ପରେ ପିତ୍ରାଳୟ ୟାସନାୟା ପୋଲିୟାନାରେ । ଏହିଠାରେ ହିଁ ତାଙ୍କ ଯଶୋମୟ ଜୀବନର ଆରମ୍ଭ ଓ ଶେଷ । ପାଞ୍ଚଭାଇଙ୍କ ମଧ୍ୟରେ ସେ ଚତୁର୍ଥ । ଋଷ୍‍ ସମ୍ରାଟ ପିଟର ଦି’ ଗ୍ରେଟ୍‍ଙ୍କ ଦ୍ୱାରା ତାଙ୍କର ପୂର୍ବପୁରୁଷ ଏକ ସାମନ୍ତ ବଂଶର ପରିଣତ ହୁଅନ୍ତି ଏବଂ ଧନିକ ରାଜବଂଶଜମାନଙ୍କ ସହିତ ପାରିବାରିକ ବିବାହ ସମ୍ପର୍କ ସ୍ଥାପିତ ହୁଏ ।

 

ପିଲାଦିନେ ଟଲଷ୍ଟୟ ପିତୃମାତୃହୀନ ହୋଇ ପଡ଼ିଲେ । ଫରାସି ଶିକ୍ଷକମାନଙ୍କ ହାତରେ ତାଙ୍କର ପ୍ରାଥମିକ ଶିକ୍ଷାର ଭାର ନ୍ୟସ୍ତ ହେଲା । ତେଣୁ ଋଷୀୟ ସଂସ୍କୃତି ସହିତ ତାଙ୍କର ଯୋଗ ଥିଲା ସାମାନ୍ୟ । ଷୋଳବର୍ଷ ବୟସରେ ସେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ; ମାତ୍ର ତାହାପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ପ୍ରତି ତାଙ୍କ ମନରେ ବିତୃଷ୍ଣା ଜନ୍ମେ । ବିଦ୍ୟାଶିକ୍ଷା ଛାଡ଼ି ସେ ସାମାଜିକ ଜୀବନଯାପନ କରନ୍ତି । ସେହି ସମୟରେ ସେ ରୁଷୋଙ୍କ ଦ୍ୱାରା ପ୍ରବଳ ଭାବରେ ପ୍ରଭାବିତ ହୁଅନ୍ତି । ସମାଜଗଠନ ପାଇଁ ଏକ ବୈପ୍ଳବିକ ଚିନ୍ତାଧାରା ତାଙ୍କୁ ଆଲୋଡ଼ିତ କରିବାକୁ ଲାଗିଲା ।

 

୧୮୪୭ରେ ବିଶ୍ୱବିଦ୍ୟାଳୟ ତ୍ୟାଗକରି ସେ ୟାସନାୟା ପୋଲିୟାନାରେ ରହିଲେ ଓ ନିଜର ସମ୍ପତ୍ତି ତଥା ଚାଷୀମାନଙ୍କର ଉନ୍ନତି ଲାଗି ଧ୍ୟାନ ଦେଲେ । ମାତ୍ର ସେଥିରେ ସେ ଅକୃତକାର୍ଯ୍ୟ ହୋଇ ମସ୍କୋ ସହରକୁ ଆସିଲେ ଓ ଉଚ୍ଚ ନାଗରିକ ସମାଜର ବିଳାସ, ଅନିୟମ ମଧ୍ୟରେ ନିଜକୁ ଉତ୍ସର୍ଗ କଲେ । ସେଥି ସଙ୍ଗେ ସଙ୍ଗେ ତାଙ୍କର ଆତ୍ମନିରୀକ୍ଷଣ ଓ ଆତ୍ମପରୀକ୍ଷଣ ଆରମ୍ଭ ହେଲା । ସେହି ସମୟରୁ ସେ ଯେଉଁ ଦୈନିକ ବିବରଣୀ ଲିପିବଦ୍ଧ କରି ଯାଇଛନ୍ତି, ତହିଁରୁ ଜଣାପଡ଼େ କିପରି ସେ ଏହି ସବୁ ଆଳସ୍ୟ ବିଳାସକୁ ଘୃଣା କରୁଥିଲେ ଓ ନୂତନ କର୍ମମୟ ପନ୍ଥା ଖୋଜୁଥିଲେ । ଏହି ଦୈନିକ ଲିପିରୁହିଁ ତାଙ୍କ ବିପୁଳ ସାହିତ୍ୟ ସୃଷ୍ଟିର ଉତ୍ପତ୍ତି ।

 

ଟଲଷ୍ଟୟଙ୍କ ଜୀବନର ଅନ୍ୟ ଏକ ଅଧ୍ୟାୟ ଆରମ୍ଭ ହେଲା ୧୮୫୧ରେ ସେ ସୈନ୍ୟ ବିଭାଗରେ ଯୋଗଦେବା ଦ୍ୱାରା ଶତ୍ରୁଦମନ ଲାଗି ନରହତ୍ୟାକୁ ମଧ୍ୟ ସେତେବେଳେ ସେ ଅପରାଧ-ଅନ୍ୟାୟ ଜ୍ଞାନ କରୁ ନ ଥିଲେ । କିନ୍ତୁ ପରେ ଏହାରି ବିରୁଦ୍ଧରେ ଲେଖନୀ ତାଙ୍କର ପ୍ରଜ୍ଜ୍ୱଳିତ ହୋଇ ଉଠିଲା । ୧୮୫୨ରେ ତାଙ୍କର ପ୍ରଥମ ଗଳ୍ପ ‘ଶୈଶବ’ ସମାପ୍ତ କରି ଏକ ବିଖ୍ୟାତ ପତ୍ରିକାକୁ ପଠାଇଲେ ଓ ତତ୍‌କ୍ଷଣାତ୍‌ ତାହା ଗୃହୀତ ହୋଇ ପ୍ରକାଶ ପାଇଲା । ଗଳ୍ପଟିର ଧାରା ବହୁପରିମାଣରେ ଚିରାଚରିତ ହେଲେ ମଧ୍ୟ ତହିଁରେ ମାନବଚେତନାକୁ ଆଚ୍ଛନ୍ନ କରି ରଖିଥିବା ମିଥ୍ୟାଜାଲର ଚିତ୍ର ଓ ବିଶ୍ଳେଷଣ ଯେପରି କରାଯାଇଛି ସାହିତ୍ୟ ସୃଷ୍ଟିରେ ତାହା ଅଭିନବ ।

 

ସୈନ୍ୟ ବଭାଗରେ କୃତିତ୍ୱ ସହ କାର୍ଯ୍ୟକରି ଟଲଷ୍ଟୟ ୟାସ୍‌ନାୟା ପୋଲିୟାନାକୁ ଫେରି ଆସିଲେ ଏବଂ ଋଷର୍‌ ଏକ ନୂତନ ଆଇନ ବଳରେ ଭୂମିବିବାଦ ନିଷ୍ପତ୍ତି ପାଇଁ ଜଣେ ମ୍ୟାଜିଷ୍ଟ୍ରେଟ୍‌ ରୂପେ ନିଯୁକ୍ତ ହେଲେ । ଏହି ସମୟରେ ‘ୟାସ୍‌ନାୟା ପୋଲିୟାନା’ ନାମକ ଏକ ପତ୍ରିକା ସେ ପ୍ରକାଶ କରନ୍ତି ଏବଂ ଶ୍ରମିକ ସନ୍ତାନମାନଙ୍କ ଶିକ୍ଷା ଲାଗି ଗୋଟିଏ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରନ୍ତି । ବିଦ୍ୟାଳୟଟିରେ କିନ୍ତୁ ବିଦ୍ୟାଭ୍ୟାସ ପାଇଁ କୌଣସି ବାଧ୍ୟବାଧକତା ନଥିଲା । ଶିଶୁମାନେ ମନଇଚ୍ଛା ଖେଳିବା ଗାଇବା ପାଇଁ ସ୍ୱାଧୀନତା ପାଇଲେ ଏବଂ ଟଲଷ୍ଟୟ ମଧ୍ୟ ତାଙ୍କ ସହିତ ଯୋଗ ଦେଲେ । ମାତ୍ର ଏହା ଦ୍ୱାରା ସେ ଦେଖିଲେ ତାଙ୍କର ଆଶା ପୂରଣ ହେଲା ନାହିଁ । ମାଜିଷ୍ଟ୍ରେଟ ପଦ ସଙ୍ଗେ ସ୍କୁଲ ସଙ୍ଗଠନକୁ ମଧ୍ୟ ସେ ତ୍ୟାଗ କଲେ ।

 

ମନ ତାଙ୍କର ଶୂନ୍ୟତା ଓ ହତାଶରେ ଭରି ଉଠିଲା । ସାନ୍ତ୍ୱନା ଖୋଜିବାକୁ ଯାଇ ସେ ଦେଖିଲେ ଜୀବନର ଗୋଟାଏ ଦିଗ ଖାଲି ପଡ଼ିଛି । ସେତେବେଳକୁ ବୟସ ତାଙ୍କର ଚଉତ୍ରିଶ ବର୍ଷ-। ଏକାଧିକ କୁମାରୀକନ୍ୟା ଜୀବନ ପଥରେ ଦେଖା ଦେଇଛନ୍ତି । ମାତ୍ର କେହି ତାଙ୍କର ନିକଟତମ ହୋଇ ପାରି ନାହିଁ । ଅବଶେଷରେ ସେହି ପଥରେ ଆସିଲେ ସୋନିଆ । ମସ୍କୋର ଜଣେ ସୌଖୀନ ଚିକତ୍ସକଙ୍କର କନ୍ୟା ସେ । ବୟସ ତାଙ୍କର ଅଠର ମାତ୍ର । ଷୋଳ ବର୍ଷର ବ୍ୟବଧାନକୁ ଏଡ଼ି ଉଭୟେ ବିବାହ ସୁତ୍ରରେ ଆବଦ୍ଧ ହେଲେ । ତରୁଣୀ ସୋନିଆଙ୍କ ସହିତ ୟାସ୍‌ନାୟା ପୋଲିଆନାରେ ବାସ କଲେ । ଛବିଶ ବର୍ଷର ସୁଖମୟ ଦାମ୍ପତ୍ୟ ଜୀବନରେ ସେ ତେରଗୋଟି ପୁତ୍ର କନ୍ୟାଙ୍କର ଜନକ ହେଲେ । ସୋନିଆଙ୍କ ସଙ୍ଗେ ଦୈନନ୍ଦିନ ଭଗବତ୍‌ ପ୍ରାର୍ଥନାରେ ଯୋଗ ଦେଲେ । ନିଜ ଭୂସମ୍ପତ୍ତିର ଉନ୍ନତି ଷୋଳ ହଜାର ପରିମିତ ଚାଷଜମିର ମାଲିକ ହେଲେ । ସେଥିସଙ୍ଗେ ତାଙ୍କ ମାନସିକ ବିକାଶର ମଧ୍ୟ ବୃଦ୍ଧି ଘଟିଲା । କେବଳ କୃଷିକ୍ଷେତ୍ରରେ ନୁହେଁ, ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଏକାଧିପତ୍ୟ ସାମ୍ରାଜ୍ୟ ବିସ୍ତୃତି ହେଲା । ବିଶ୍ୱସାହିତ୍ୟରେ ତାଙ୍କର ପଦକ୍ଷେପ ହେଲା ଦୁଇଟି ସର୍ବଶ୍ରେଷ୍ଠ ଉପନ୍ୟାସ ଲେଖି–‘ଯୁଦ୍ଧ ଓ ଶାନ୍ତି’ ଏବଂ ‘ଆନାକାରେ ନିନା’-

 

ଦିବାରାତ୍ର ଅକ୍ଳାନ୍ତ ପରିଶ୍ରମ କରି ସେ ଗ୍ରନ୍ଥ ପରେ ଗ୍ରନ୍ଥ ଲେଖିବାକୁ ଲାଗିଲେ ଏବଂ ତାଙ୍କର ଗ୍ରନ୍ଥାବଳୀର ସଂଖ୍ୟା ଶତାଧିକ ହୋଇ ପଡ଼ିଲା । ରଚନାର ବେଗ ଏତେଦୂର କ୍ଷିପ୍ର ଥିଲା ଯେ ତାଙ୍କ ହସ୍ତାକ୍ଷର ପଢ଼ିବା ସାଧାରଣ ପକ୍ଷରେ ଯେପରି କଷ୍ଟକର ଥିଲା, ସେହିପରି ଅନେକ ବାକ୍ୟ ଅସମାପ୍ତ ରହି ଯାଉଥିଲା । ସହଧର୍ମିଣୀ ସୋନିୟା ସେ ସବୁକୁ ନକଲ କରିବା କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ଏହି ଭାବରେ ତାଙ୍କର ବିରାଟ ଅମର ଉପନ୍ୟାସ ‘ଯୁଦ୍ଧ ଏବଂ ଶାନ୍ତି’କୁ ସୋନିଆ ସାତଥର ନକଲ କରିଥିବା ଜଣାପଡ଼େ ।

 

ଯଶ ଓ ପ୍ରାଚୁର୍ଯ୍ୟର ଶୀର୍ଷ ଶୃଙ୍ଗକୁ ଆରୋହଣ କରି, ସୁଖ ଓ ସମ୍ପଦର ସକଳ ବିଭୂତି ଲାଭକରି ମଧ୍ୟ ଜୀବନ ତାଙ୍କର ଅଶାନ୍ତ ହୋଇ ଉଠିଥିଲା । ‘କନ୍‌ଫେସନ୍‌’ ବା ‘ସ୍ୱୀକାରୋକ୍ତି’ ଗ୍ରନ୍ଥରେ ସେ ଲେଖିଛନ୍ତି, ‘‘ମୁଁ ଅନୁଭବ କଲି, ଯାହା ଉପରେ ମୁଁ ଠିଆ ହୋଇଛି ସେ ସବୁ ଭୁଷୁଡ଼ି ପଡ଼ିଚି ଏବଂ ପାଦତଳେ ମୋର କିଛିମାତ୍ର ନାହିଁ । ଯାହାକୁ ଘେନି ମୁଁ ବଞ୍ଚିଥିଲି, ତାହା ନିଃଶେଷ ହୋଇଯାଇଛି ଏବଂ ବଞ୍ଚିବାକୁ ମୋ ପାଇଁ ଯେମିତି କିଛି ହେଲେ ନାହିଁ । ଜୀବନ ମୋର ଅଥର୍ବ ଅଚଳ । ମୁଁ ନିଃଶ୍ୱାସ ମାରୁଛି, ପାନାହାର ଓ ନିଦ୍ରା ମଧ୍ୟ ଯଥାରୀତି ଚାଲିଛି । ଏ ସବୁ ନ କରି ମୋର ଚାରା ନାହିଁ । କିନ୍ତୁ ଜୀବନ ଶୂନ୍ୟ ହୋଇ ପଡ଼ିଛି, କାରଣ ଆଉ କୌଣସି ଇଚ୍ଛା ନାହିଁ, ଯାହାର ପୂରଣକୁ ମୁଁ ଯୁକ୍ତିଯୁକ୍ତ ମନେ କରିବି ।

 

‘‘ଏହି ରୂପ ଅବସ୍ଥା ମୋର ଆସିଲା, ଯେତେବେଳେ ଚତୁର୍ଦ୍ଦିଗରେ ମୋର ଯାହାକୁ କହନ୍ତି ପୂର୍ଣ୍ଣସୌଭାଗ୍ୟ ବିରାଜୁ ଥିଲା । ମୋତେ ପଚାଶ ବର୍ଷ ହୋଇ ନ ଥାଏ । ମୁଁ ଜଣେ ଉତ୍ତମ ନାରୀଙ୍କୁ ସ୍ତ୍ରୀରୂପେ ପାଇଥିଲି ଯେ ମୋତେ ଭଲପାଆନ୍ତି ଏବଂ ଯାହାଙ୍କୁ ମୁଁ ଭଲପାଏ । ଉତ୍ତମ ସନ୍ତାନ ଏବଂ ଏକ ବିଶାଳ ସମ୍ପତ୍ତି–ଯାହାକି ମୋର ଅଳ୍ପ ଆୟାସରେ ଉନ୍ନତି ଲାଭକଲା । ଜନମୁଖରେ ମୋର ପ୍ରଶଂସା ଶୁଣି ଆପଣାକୁ ଖୁବ୍‌ ପ୍ରତାରିତ ନ କରି ମୁଁ କହିପାରେ ଯେ ନାମ ମୋର ବିଖ୍ୟାତ ହୋଇ ପଡ଼ିଲା । ମୋର ମନ ଓ ଦେହର ଶକ୍ତି ମୋ ଶ୍ରେଣୀର ଲୋକଙ୍କ ଭିତରେ କ୍ୱଚିତ ମୁଁ ଦେଖିଥାଏ; ଦୈହିକଶକ୍ତିରେ ମୁଁ ଚାଷୀମାନଙ୍କ ସଙ୍ଗେ ସମକକ୍ଷ ହୋଇ ମଇ ଟାଣିପାରେ ଏବଂ ମାନସିକ ଶକ୍ତିରେ ମୁଁ ଏକାଦିକ୍ରମେ ଆଠଦଶ ଘଣ୍ଟା କାମକରି ସୁଦ୍ଧା ପରିଶ୍ରମଜନିତ କଷ୍ଟ ପାଏ ନାହିଁ ।’’

 

‘‘ତଥାପି ମୋର ମାନସିକ ଅବସ୍ଥା ଏହି ଭାବରେ ମୋ ଆଗରେ ପ୍ରତିପନ୍ନ ହୁଏ–ମୋ ଜୀବନ ଏକ ବିଚାରଶୂନ୍ୟ ବିଦ୍ରୂପ ପରିହାସ, ଯାହାକୁ ଘେନି କେହିଜଣେ ମୋତେ କ୍ରୀଡ଼ନକ କରିପକାଇଛି ।’’

 

ଏହି ଚିନ୍ତା କ୍ରମେ ତାଙ୍କର ଦେହ, ମନ, ବାକ୍ୟ, କର୍ମ ଓ ସମୁଦାୟ ଜୀବନକୁ ଗ୍ରାସ କରିବାକୁ ଲାଗିଲା । ସମ୍ଭୋଗ ଓ ଆହରଣ ପରେ ଆସିଲା ତ୍ୟାଗର ପର୍ଯ୍ୟାୟ । ଜୀବନର ସକଳ ସୁଖ ତ୍ୟାଗକରି, ଶ୍ରମକରି ଆପଣାକୁ ଛୋଟକରି ଦୁଃଖବରଣ କରିବା ଓ ଦୟାର୍ଦ୍ର ହେବା ହିଁ ପ୍ରକୃତ ଶାନ୍ତି ବୋଲି ସେ ଅନୁଭବ କଲେ ।

 

ବିରାଟ ପରିବାରର ଦାୟିତ୍ୱ ବହନ କରି ସହଧର୍ମିଣୀ ସୋନିଆଙ୍କ ପକ୍ଷରେ ସ୍ୱାମୀଙ୍କର ଏହି ନୂତନ ଭାବଧାରାକୁ ପସନ୍ଦ କରିବା ସମ୍ଭବପର ହେଲା ନାହିଁ । କିନ୍ତୁ ଟଲଷ୍ଟୟ ଯେତେବେଳେ ନିଜ ଚିନ୍ତାକୁ କର୍ଯ୍ୟରେ ପରିଣତ କରିବାକୁ ଗଲେ, ସ୍ତ୍ରୀଙ୍କ ପକ୍ଷରେ ତାହା ଅସହ୍ୟ ହୋଇ ପଡ଼ିଲା । ଅନ୍ୟର ଉତ୍ପାଦନକୁ ସବୁଠାର ଅଳ୍ପ ଆତ୍ମସାତ କରିବା ଉଦ୍ଦେଶ୍ୟରେ ଟଲଷ୍ଟୟ ନିଜେ ରାନ୍ଧ, ପାଣିକାଢ଼ି ନିଜେ ଲୁଗା କାଚିବାକୁ ଆରମ୍ଭ କଲେ । ଆପଣା ଖୋରକ ଆପେ ଅର୍ଜନ କରିବାକୁ ସେ ଜଣେ ମୋଚି ପାଖରୁ ଯୋତାସିଲାଇ ଶିଖିଲେ ଏବଂ ମୂଲିଆମାନଙ୍କ ସଙ୍ଗେ ହଳଧରି ଶଗଡ଼ ବୋହି କାଠହାଣିଲେ ।

 

ଏ ସବୁ ଦେଖି ସୋନିଆ ତଟସ୍ଥ ହୋଇ ତାଙ୍କୁ ଲେଖିଲେ, ‘‘ତୁମେ ଅବଶ୍ୟ କହିବ ଯେ, ନିଜ ବିଶ୍ୱାସ ଅନୁଯାୟୀ ଏସବୁ କରି ତୁମେ ଆନନ୍ଦ ପାଉଛ । ସେ ଗୋଟାଏ ଦିଗ ଏବଂ ମୁଁ କେବଳ କହିପାରେ, ତୁମେ ଆନନ୍ଦ ପାଉଥାଅ ! ମାତ୍ର ସେଥି ସଙ୍ଗେ ସଙ୍ଗେ ମୋର ବିରକ୍ତିର କାରଣ ଏହି ଯେ ଏପରି ଏକ ମାନସିକ ଶକ୍ତି କେବଳ କାଠହଣା ଓ ଯୋତା ସିଲାଇରେ ନଷ୍ଟ ହୋଇଯିବ ।’’

 

ମାତ୍ର ଟଲଷ୍ଟୟ ନିଜ ବିଶ୍ୱାସରେ ଅଟଳ । ଉପନ୍ୟାସ ଲେଖି ସେ ଯେ ଖାଲି ଆଳସ୍ୟ ପରାୟଣ ପାଠକ ସଂଖ୍ୟା ବଢ଼ାଇଛନ୍ତି, ସେ ଧାରଣାରୁ କେହି ତାଙ୍କୁ ନିବର୍ତ୍ତାଇ ପାରିଲେ ନାହିଁ । ଆଜସ୍ୟ ଯେ ମନୁଷ୍ୟର ପ୍ରଧାନ ପାପ ଓ ଜୀବନର ଶତ୍ରୁ, ଅଥଚ ଏହି ଅଳସୁଆଙ୍କ ସଂଖ୍ୟା ବଢ଼ାଇବାରେ ତାଙ୍କର ଶ୍ରେଷ୍ଠ ଉପନ୍ୟାସ ମାନ ସାହାଯ୍ୟ କରିଛି ! ‘ମନ୍ଦକୁ ପ୍ରତିରୋଧ କରିନାହିଁ’’, ‘‘କୌଣସି ଶପଥ କରିନାହିଁ’’, ‘‘ଶତ୍ରୁକୁ ତୁମର ପ୍ରେମକର’’ ‘‘ତୁମକୁ ଯେ ଅଭିଶାପ ଦିଏ, ତାକୁ ଆଶୀର୍ବାଦ’’–ଯିଶୁଙ୍କର ଏହି ସବୁ ବାଣୀ ତାଙ୍କ ନୂତନ ସାଧନାର ମନ୍ତ୍ର ହେଲା ।

 

ଦରିଦ୍ର ସରଳ ଓ ନିରକ୍ଷରଙ୍କ ମଧ୍ୟରେ ଯେଉଁମାନେ ଈଶ୍ୱର ବିଶ୍ୱାସୀ ତାଙ୍କରି ପ୍ରତି ସେ ଅଧିକ ଆକୃଷ୍ଟ ହେଲେ । ଯେତିକି ନିକଟତର ହୋଇ ସେମାନଙ୍କ ଜୀବନ ସେ ଅଧ୍ୟୟନ କଲେ ଏବଂ କୁସଂସ୍କାର ନିବିଡ଼ ଅନ୍ଧକାର ମଧ୍ୟରେ ରହିଥିଲେ ହେଁ ଯେଉଁ ବିଶ୍ୱାସ ସେମାନଙ୍କ ଜୀବନଧାରଣ ପକ୍ଷରେ ଏକ ବାସ୍ତବ ପ୍ରୟୋଜନ, ତାହାର ନିକଟ ପରିଚୟ ଓ ଆସ୍ୱାଦ ପାଇଲେ । ସେହିଠାରେ ହିଁ ଯେପରି ତାଙ୍କର ପ୍ରକୃତ ଭଗବଦ୍‌ ଦର୍ଶନ ଲାଭ ହେଲା ।

 

କୃଷକ ବେଶରେ ସେ ନିଜେ ଅପରିଚ୍ଛନ୍ନ ହେବାକୁ ମଧ୍ୟ ଘୃଣାକଲେ ନାହିଁ । ଶିକାର ତାଙ୍କର ପ୍ରଧାନ ପ୍ରିୟ ବ୍ୟସନ ହେଲେ ହେଁ ତାହା ସେ ଛାଡ଼ିଦେଲେ; କାରଣ ସମ୍ପୂର୍ଣ୍ଣ ନିରାମିଷ ଶାକାନ୍ନ ତାଙ୍କର ଖାଦ୍ୟ ହେଲା । ବହୁବର୍ଷ ହେଲା ମଦ୍ୟର ମାତ୍ରା ସେ କମାଇ ଦେଇଥିଲେ । ଏବେ ତାହା ଏକାବେଳେ ଛାଡ଼ିଦେଲେ, ଶେଷରେ ବହୁ କଷ୍ଟରେ ଧୂମପାନ ମଧ୍ୟ ତ୍ୟାଗକଲେ ।

 

ବର୍ତ୍ତମାନ ତାଙ୍କ ସମ୍ପତ୍ତିର ଅବସ୍ଥା କିପରିଥିଲା, ତାହା ସହଜରେ ଅନୁମାନ କରାଯାଇପାରେ । ଯେଉଁ ସମ୍ପତ୍ତିର ବାର୍ଷିକ ଆୟ ଥିଲା ପ୍ରାୟ ତିନିଲକ୍ଷ ଡଲାର ବା ପନ୍ଦରଲକ୍ଷ ଟଙ୍କା, ତାହା ୨୫୦୦ ଡଲାରକୁ କମି ଆସିଲା । ପୁଣି ନିଜର ଶତାଧିକ ଗ୍ରନ୍ଥର ପ୍ରକାଶନ ସ୍ୱତ୍ୱ ମଧ୍ୟ ସାଧାରଣଙ୍କୁ ଦାନ କରିବାପାଇଁ ସେ ପ୍ରସ୍ତୁତ ହେଲେ । ଏହିଠାରେ ହିଁ ଉପସ୍ଥିତ ହେଲା ସ୍ତ୍ରୀଙ୍କ ସହିତ ତାଙ୍କର ଘୋର ମତାନ୍ତର । ବହୁ ସନ୍ତାନର ଜନନୀ ହୋଇ ସେମାନଙ୍କ କଥା ଓ ସଂସାର ପରିଚାଳନ କଥା ସେ ଭାବୁଥାନ୍ତି, ଅଥଚ ଟଲଷ୍ଟୟଙ୍କର ପ୍ରଧାନ ଚିନ୍ତାର ବିଷୟ ହୋଇଥାଏ, କେବଳ ମଜୁରି ଖଟି ଦୈନିକ ଖର୍ଚ୍ଚ ‘ତୁଲାଇବା ତାଙ୍କର ଧର୍ମ ଓ କର୍ତ୍ତବ୍ୟ । ବାକୀ ପୂର୍ବାର୍ଜିତ ସମ୍ପତ୍ତି ଉପରେ ତାଙ୍କର କୌଣସି ବ୍ୟକ୍ତିଗତ ଅଧିକାର ନାହିଁ । ସେ ଅଡ଼ି ବସିଲେ ଏକ ମହାନ୍‌ ଆଦର୍ଶକୁ ଧରି, ଅଥଚ ସ୍ତ୍ରୀଙ୍କ ପକ୍ଷରେ କଠୋର ବାସ୍ତବତାର ସମ୍ମୁଖୀନ ନ ହୋଇ ଉପାୟ ନାହିଁ । ଶେଷରେ ଅବସ୍ଥା ଏପରି ଅସମ୍ଭାଳ ହେଲା, ଟଲଷ୍ଟୟ ସମସ୍ତ ସମ୍ପତ୍ତିକୁ ଉଇଲ କରିଦେଇ ଉଇଲ୍‌ଟିକୁ ଲୁଚାଇ ରଖିଲେ ଏବଂ ତାହାକୁ ଯେ କୌଣସି ଉପାୟରେ ହସ୍ତଗତ କରିବା ହେଲା ସୋନିଆଙ୍କର ଏକମାତ୍ର ଲକ୍ଷ୍ୟ ।

 

ଏଣେ ପୁଣି ଟଲଷ୍ଟୟ ନିଜକୁ ସାମାନ୍ୟ କରି ଲୋକଲୋଚନ ଅଗୋଚରରେ ରହିବାକୁ ଯେତେ ଉପାୟ କଲେ, ସେତିକି ତାଙ୍କର ଖ୍ୟାତି ଦେଶ ବିଦେଶରେ ବ୍ୟାପିଗଲା । ଏକ ଅପୂର୍ବ ଯଶୋମୟ ଜୀବନ ପର୍ଯ୍ୟାୟରେ ସମଗ୍ର ଜଗତର ସର୍ବଶ୍ରେଷ୍ଠ ମହାନ୍‌ମନୀଷୀରୂପେ ସେ ପରିଗଣିତ ହେଲେ । ପୃଥିବୀ ପୃଷ୍ଠରେ କୌଣସି ଲେଖକ ବା ଦାର୍ଶନିକ ପ୍ରତି, ବିଶେଷକରି ବିଜ୍ଞାନ ଯୁଗରେ ଯୁକ୍ତିତର୍କର ପ୍ରବାହ ପ୍ରାବଲ୍ୟ ଭିତରେ କୌଣସି ଏକ ବ୍ୟକ୍ତିବିଶେଷ ପ୍ରତି ଏହିଭଳି ସର୍ବୋତ୍ତମ ବିଶେଷଣ ପ୍ରୟୋଗ ଦୋଷାବହ ବିବେଚିତ ହୋଇପାରେ । ମାତ୍ର ଟଲଷ୍ଟୟଙ୍କ ସମ୍ବନ୍ଧରେ ସେ ପ୍ରଶ୍ନ ଦେଶବିଦେଶରେ କୁତ୍ରାପି କେହି କରିନାହିଁ । ବାସ୍ତବିକ୍‌ ଏଭଳି ବିଶେଷଣଯୋଗ୍ୟ, ବିଶ୍ୱଜନପ୍ରିୟ ଓ ବିଶ୍ୱପୂଜାସ୍ପଦ ବ୍ୟକ୍ତି ପୃଥିବୀର ଚଳନ୍ତି ଇତିହାସରେ ବିରଳ ।

 

ଅତୁଳନୀୟ ଭାଷାସୃଷ୍ଟି ମଧ୍ୟରେ ଦୁଇଟି ସର୍ବଶ୍ରେଷ୍ଠ ଉପନ୍ୟାସ ଦାନକରି ବିଶ୍ୱସାହିତ୍ୟରେ କେବଳ ସେ ଅମର ନହାନ୍ତି; ତାଙ୍କର ଅଭୂତପୂର୍ବ ଅଦ୍ଭୂତ ଜୀବନଦର୍ଶନ ଯେପରିକି ଆଲୌକିକ ଦୈବୀଶକ୍ତି ବଳରେ ପୃଥିବୀକୁ ସ୍ତମ୍ଭୀତ ଚକିତ କରିପକାଇଥିଲା । ମୃତ୍ୟୁର କୋଡ଼ିଏ ବର୍ଷ ପୂର୍ବରୁ ଟଲଷ୍ଟୟଙ୍କ ପୈତୃକ ବାସସ୍ଥାନ ୟାସ୍‌ନାୟା ପାଲିୟାନା ଏକ ପବିତ୍ର ତୀର୍ଥକ୍ଷେତ୍ରରେ ପରିଣତ ହୋଇ ପଡ଼ିଲା । ଚୀନ, ଭାରତ, ଆମେରିକା, ଇଉରୋପ ଆଦି ପୃଥିବୀର ସୁଦୂର ଦେଶମାନଙ୍କରୁ ଏକ ନିରବଚ୍ଛିନ୍ନ ଯାତ୍ରୀର ସ୍ରୋତ ସେଠାକୁ ଚାଲିଥିଲା । ଏହି ମହାପୁରୁଷଙ୍କ ଦର୍ଶନପାଇଁ, ତାଙ୍କ ମୁଖରୁ କଥାପଦେ ଶୁଣିବାକୁ କିମ୍ବା ତାଙ୍କ ପରିଧେୟର ଟିକିଏ ଅଂଶ ସ୍ପର୍ଶ କରିବାକୁ ବିଜ୍ଞଯାତ୍ରୀମାନେ ଆପଣାକୁ ଧନ୍ୟ ମଣୁଥିଲେ ।

 

ସକଳ ମହାଦେଶରେ ଟଲଷ୍ଟୟ ଫାର୍ମର ଆଦର୍ଶ ପ୍ରଚାରିତ ହେଲା । ଏସିଆ ଓ ଆଫ୍ରିକାର ସୁଷୁପ୍ତ ନିପୀଡ଼ିତ ଜାତି ସକଳ ହଠାତ୍‌ ଜାଗ୍ରତ ହୋଇ ଉଠିଲେ । ମନୁଷ୍ୟ ତାହାର ନୂତନ ମୂଲବୋଧ ଲାଗି ଅବହିତ ହେଲା । ଦକ୍ଷିଣ ଆଫ୍ରିକାରେ ମହାତ୍ମାଗାନ୍ଧିଙ୍କର ନିଷ୍କ୍ରିୟ ବା ନୈତିକ ପ୍ରତିରୋଧ ପନ୍ଥା (passive resistance) ତାଙ୍କରି ଆଶୀର୍ବାଦ ଲାଭକଲା ଏବଂ ଟଲଷ୍ଟୟ ଫାର୍ମ ବା କୃଷି କ୍ଷେତ୍ରରେ ଭାରତର ସ୍ୱାଧୀନତାବୀଜ ବପନ କରାଗଲା । ଅହିଂସା ଅସହଯୋଗର ମୂଳଜନ୍ମଦାତା ଥିଲେ ଟଲଷ୍ଟୟ ।

 

ରାଷ୍ଟ୍ରକୁ ଏକ ସଂଗଠିତ ହିଂସା ବୋଲି ସେ ବିଶ୍ୱାସ କରୁଥିଲେ ଏବଂ ସେ ହିଂସାକୁ ହିଂସାଦ୍ୱାରା ପ୍ରତିରୋଧ କରିବା ଠିକ୍‌ ଉପାୟ ନୁହେଁ ବୋଲି କହୁଥିଲେ । ବରଂ ହିଂସାତ୍ମକ ରାଷ୍ଟ୍ର ସହିତ କୌଣସି ସଂପର୍କ ନ ରଖିବା ଓ ସହଯୋଗ ନ କରିବା ଥିଲା ତାଙ୍କର ନୀତି । ଏହି ନୀତିର ବିଶ୍ଳେଷଣ କରାଯାଇଛି ତାଙ୍କର ‘ମୁଁ କାହିଁରେ ବିଶ୍ୱାସ କରେ’ (What I Believe In) ପୁସ୍ତକରେ । ଏହି ନୀତିର ବହୁ ଅନୁଗାମୀ ସେତେବେଳେ ସରକାରୀ କର୍ମ, ବିଶେଷକରି ସାମରିକ ବିଭାଗରୁ ପଦତ୍ୟାଗ କରି ଜେଲ ଏବଂ ସାଇବେରିଆରେ ନିର୍ବାସନ ଦଣ୍ଡ ଭୋଗିଥିଲେ ।

 

ଟଲ୍‌ଷ୍ଟୟଙ୍କର ବହୁପୂର୍ବରୁ ଋଷ୍‌ରେ ସନ୍ତ୍ରାସବାଦୀ ବୈପ୍ଳବିକ ସଂଗଠନମାନ ଦେଖା ଦେଇଥିଲା । ଏହିସବୁ ସଂଗଠନରେ ଯେଉଁମାନେ ନେତୃତ୍ୱ ନେଇ କାରା ଓ ନିର୍ବାସନ ବରଣ କରିଥିଲେ, ତାଙ୍କ ମଧ୍ୟରେ ଋଷର ଶ୍ରେଷ୍ଠ ଲେଖକ ମାନଙ୍କ ନାମ ଉଲ୍ଲେଖଯୋଗ୍ୟ । ପୁଷ୍କିନ୍‌ (୧୭୯୯-୧୮୩୬) ଏହି କାରଣରୁ ସିଭିଲ ସର୍ଭିସ୍‌ରୁ ବିତାଡ଼ିତ ହୋଇଥିଲେ ଏବଂ ଟୁର୍ଗେନିଭ୍‌ (୧୮୧୮-୧୮୮୩) ସ୍ୱେଚ୍ଛା ନିର୍ବାସନ ବରଣ କରିଥିଲେ, ଦୋସ୍ତଏଭ୍‌ସ୍କିଙ୍କୁ (୧୮୨୧-୮୧) ଚାରିର୍ବ କାରାଦାଣ୍ଡ ମିଳିଥିଲା ଏବଂ ଟଲଷ୍ଟୟ ମଧ୍ୟ ନିଜର ନାସ୍ତିକତା ଲାଗି ବୈଦେଶିକ ମନ୍ତ୍ରୀ ଦପ୍ତରରୁ ବରଖାସ୍ତ ହୋଇଥିଲେ । ଏହା ମୁଷ୍ଟିମେୟ ଉଦାହରଣ ମାତ୍ର । ଦଳିତ ନିଷ୍ପେଷିତମାନଙ୍କ ପକ୍ଷ ସମର୍ଥନ ଓ ସ୍ୱାଧୀନ ମତପୋଷଣ ଲାଗି ଋଷର ଅଧିକାଂଶ ବରଣୀୟ ଲେଖକକୁଳ ରାଷ୍ଟ୍ରକର୍ତ୍ତୃକ ଯେଉଁ ଦୁଃଖ ନିର୍ଯାତନା ଭୋଗ କରିଥିଲେ, ତାହା ଯେପରି ବର୍ଣ୍ଣନାତୀତ ସେହିପରି ଅଦ୍ୱିତୀୟ । ସବୁ ଲେଖକଙ୍କ ଲକ୍ଷ୍ୟବିନ୍ଦୁ ହୋଇଛି ଋଷୀୟ ଜୀବନ ଓ ଆତ୍ମୋନ୍ନତି । ସବୁ ଲେଖନୀରେ ଫୁଟି ଉଠିଛି ଋଷୀୟ ଦୁଃଖଦୈନ୍ୟଲାଗି ସମବେଦନା । ଶେଷରେ ମାକ୍‌ସିମ୍‌ ଗର୍କି (୧୮୬୮-୧୯୩୬) ବାହାରିଛନ୍ତି ସେହି ନିପୀଡ଼ିତ ସର୍ବହରା ଶ୍ରେଣୀର ଲେଖକରୂପେ । ଋଷ୍‍ର ଅଧିକାଂଶ ଲେଖକଙ୍କ ପରି କିମ୍ବା ସବୁରିଠାରୁ ଉଗ୍ରତର ଭାବରେ ଗର୍କି ଥିଲେ ଈଶ୍ୱର-ଅବିଶ୍ୱାସୀ ନାସ୍ତିକ । କିନ୍ତୁ ସେ ଥିଲେ ଟଲ୍‌ଷ୍ଟୟଙ୍କର ଜଣେ ପରମ ଭକ୍ତ ।

 

ଗର୍କି ତାଙ୍କର ‘ଟଲଷ୍ଟୟଙ୍କ ସ୍ମୃତିକଥା’ ପୁସ୍ତକରେ ଲେଖିଛନ୍ତି, ‘‘ମୁଁ ଈଶ୍ୱର ବିଶ୍ୱାସ କରେ ନାହିଁ, କିନ୍ତୁ ଟଲ୍‌ଷ୍ଟୟଙ୍କୁ ଦେଖି ମୋର ମନେହୁଏ ମୁଁ ସାକ୍ଷାତ୍‌ ଈଶ୍ୱର ଦର୍ଶନ ପାଇଛି !’’ ଗର୍କିଙ୍କ ରଚନାବଳୀ ମଧ୍ୟରେ ‘ଟଲଷ୍ଟୟଙ୍କ ସ୍ମୃତିକଥା’ ଏକ ବିଖ୍ୟାତ ଗ୍ରନ୍ଥ । ଗୋଟିଏ ହିସାବରେ ଜଣାପଡ଼େ, ଟଲଷ୍ଟୟଙ୍କ ଜୀବନୀ ଓ ରଚନା ଉପରେ ପ୍ରାୟ ତେତିଶ ହଜାର ବହି ପୁଣି ଅତି କମ୍‌ରେ ପତ୍ରପତ୍ରିକାମାନଙ୍କରେ ଛପନ ହଜାର ତଥ୍ୟ ସମ୍ବଳିତ ରଚନା ଲେଖା ହୋଇଛି । ଏବେ ସୁଦ୍ଧା ତାହାର ବିରାମ ନାହିଁ । ତେଣୁ ଏଭଳି ଏକ ଜୀବନ ଉପରେ ଆଉ ନୂତନ ଆଲୋକପାତ କରିବାର ପ୍ରୟାସ କେବଳ ଧୃଷ୍ଟତା ହେବ ।

 

ତାଙ୍କର ସମୁଦାୟ ଜୀବନ ଯେ ବିଶ୍ୱମାନବିକତା ଲାଗି ଏକ ବିରାଟ ପ୍ରସ୍ତୁତି, ପୁଣି କେବଳ ଜନକଲ୍ୟାଣ ଉଦ୍ଦେଶ୍ୟରେ ଉତ୍କୃଷ୍ଟ ଏକ ଅନିର୍ବାଣ ଅର୍ଘ୍ୟପ୍ରଦୀପ, ମରଣ ମୁହୂର୍ତ୍ତରେ ତାହାର ସ୍ପଷ୍ଟ ସଙ୍କେତ ସେ ଦେଇ ଯାଇଛନ୍ତି; ଦେଇଛନ୍ତି ମାନବସେବାର ତାଙ୍କ ମହାପ୍ରାଣର ସର୍ବୋକୃଷ୍ଟ ବାଣୀ । ସେ ବାଣୀର ପ୍ରକାଶ ଲାଗି ତାଙ୍କର ପ୍ରିୟତମା ପତ୍ନୀ ସୋନିଆ ମଧ୍ୟ ଶତ୍ରୁ ହୋଇ ଉଠିଲେ-। ସେ ବାଣୀର ମର୍ମ ହେଲା–ପାରିବାରିକ ସୁଖଶାନ୍ତି ସମେତ ସର୍ବସ୍ୱ ତ୍ୟାଗ ।

 

ନିଜର ସମସ୍ତ ସ୍ୱତ୍ୱ ସମ୍ପତ୍ତିର ଯେଉଁ ଉଇଲ୍‌ଟି କରି ସେ ଲୁଚାଇ ରଖିଥିଲେ, ତାହା କାଳେ ସୋନିଆଙ୍କ ହାତରେ ପଡ଼ି ତାଙ୍କର ସବୁ ଉଦ୍ଦେଶ୍ୟ ପଣ୍ଡହେବ, ଏହି ଦୁଶ୍ଚିନ୍ତା ହିଁ ଶେଷ ଜୀବନରେ ତାଙ୍କୁ ଅହରହ ଘାରିଥିଲା ଏବଂ ଏହି ଦୁଶ୍ଚିନ୍ତାକୁ ଘେନି ସେ ଗୃହତ୍ୟାଗ କଲେ ଓ ମୃତ୍ୟୁକୁ ଭେଟି ଜଗତରେ ଅମର ହେଲେ ।

 

ପୃଥିବୀର ଶ୍ରେଷ୍ଠମନୀଷୀ ତଥା ମନୁଷ୍ୟ ହେଲେ ମଧ୍ୟ ଋଷ ସାହିତ୍ୟ ହିଁ ତାଙ୍କର ପ୍ରଧାନ କର୍ମଭୂମି ଥିଲା । ଋଷ୍‌ ସାହିତ୍ୟ ଓ ଋଷୀୟଜୀବନ ଉନ୍ନତି ବିଷୟକ ଅକ୍ଳାନ୍ତ କର୍ମଯୋଜନାରେ ସେ ମନୋନିବେଶ କରିଥିଲେ । ତାଙ୍କର କର୍ମ ଓ ମନନ ଫଳରେ ଋଷଲାଗି ସେ ପୃଥିବୀପୃଷ୍ଠରେ ଯେଉଁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରତିଷ୍ଠା କରିଯାଇଛନ୍ତି, ଯେଉଁ ଆକାଶଚୁମ୍ବୀ ବିଶ୍ୱବ୍ୟାପୀ ଆଦର୍ଶର ମଶାଲ ଜାଳିଛନ୍ତି, ଋଷ୍‍ର ସମୁଦାୟ ପ୍ରବଳପ୍ରତାପୀ ଶାସକ ଜାର୍‌ ସମ୍ରାଟମାନଙ୍କ ପକ୍ଷରେ ସୁଦ୍ଧା ତାହା ସମ୍ଭବପର ହୋଇପାରି ନାହିଁ । ତାହା ହିଁ ସାହିତ୍ୟିକ ଲେଖନୀର ବିସ୍ମୟ । ତାହା ହେଉଛି ଋଷୀୟ ଜୀବନରେ ଆଶା, ଆନନ୍ଦ ଓ ଉତ୍ତେଜନାର ଅସରନ୍ତି ଉତ୍ସ ଜଣାଇବାର ଉଦ୍ୟମ; ତାହାର ମହତ୍ତ୍ୱ, ତାହାର ବାସ୍ତବରୂପର ପରିଚୟ ଦେବାର ପ୍ରୟାସ; ସେ ବିଚାରରୁ ପ୍ରଥମ କିମ୍ବା ଦ୍ୱିତୀୟ ମହାସମରରେ ଋଷକୁ ଅପରାଜୟ ବିଜୟୀ କରିଛି କେବଳ ଲେନିନ୍‌ ଷ୍ଟାଲିନ୍‌ଙ୍କର ରାଷ୍ଟ୍ରସଂଗଠନ ଯୋଜନା ନୁହେଁ; ପୁଷ୍କିନ, ଦୋସ୍ତଏଭସ୍କି, ଟଲଷ୍ଟୟ, ଗୋର୍କି ପ୍ରମୁଖ ଲେଖକମାନଙ୍କର ସାହିତ୍ୟ; ପୁଣି କେବଳ ଋଷର ଅମୋଘ ଅସ୍ତ୍ରଶସ୍ତ୍ର ନୁହେଁ, ହୁଏତ ଟଲଷ୍ଟୟଙ୍କର ଗ୍ରନ୍ଥ ‘ସମର ଓ ଶାନ୍ତି’, ଯାହା କି ସବୁ ମହାବିପଦ ସମକ୍ଷରେ ଋଷ ଜନତାର ନୈତିକମାନକୁ ପରୋକ୍ଷ ବା ପ୍ରତ୍ୟକ୍ଷରେ ଉତ୍ତୋଳନ କରି ରଖିଛି ।

 

ନୂତନ ଋଷର ସଂଗଠନରେ ଶ୍ରମିକଶାସନର ପ୍ରତିଷ୍ଠା ନୁହେଁ, ତାହାର ନଗରପଲ୍ଲୀର ହର୍ମ୍ୟ ଅଟ୍ଟାଳିକା ନୁହେଁ, ତାହାର ବିରାଟ ସେତୁ ବା ଜଳଭଣ୍ଡାର ନିର୍ମାଣ ନୁହେଁ, ତାହାର ଅସମ୍ଭବ ବିଜ୍ଞାନ ପ୍ରତିଭା ନୁହେଁ କିମ୍ବା ଗ୍ରହ ଉପଗ୍ରହର ବିଜୟ ନୁହେଁ, ମାନବିକତାର ବିଜୟ, ସାଧନା ଓ କର୍ମଠତାର ବିଜୟ ଏବଂ ସର୍ବୋପରି ଚରିତ୍ରବତ୍ତାର ବିଜୟ । ସେ ବିଜୟର ଭିତ୍ତିଭୂମିକୁ ସୁଦୃଢ଼ ସମାହିତ କରିଛନ୍ତି ତାହାର ଅତୀତ ଓ ବର୍ତ୍ତମାନର ଅମର ଲେଖକବୃନ୍ଦ ।

 

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଗ୍ରୀକ୍‌ବୈଜ୍ଞାନିକ ଆର୍କମେଡ଼ିସ୍‌ କହିଥିଲେ–ମୋତେ ଯଦି ଠିଆହେବା ପାଇଁ କେଉଁଠି ଟିକିଏ ଜାଗା ମିଳେ, ତାହେଲେ ମୁଁ ପୃଥିବୀକୁ ସୁଦ୍ଧା ଘୁଞ୍ଚାଇଦେବି-। ତାଙ୍କ ହାତରେ ପୃଥିବୀର ଭାର ଉଠେଇବା ଭଳି ଗୋଟାଏ ବଡ଼ ଠେଙ୍ଗାଥିଲେ ଏହା ସେ ସମ୍ଭବ କରିପାରିଥାନ୍ତେ । ଆର୍କମେଡ଼ିସ୍‌ ଭୁଲି ଯାଇଥିଲେ ଯେ କେତକ ଶତାବ୍ଦୀ ପରେ ସେଭଳି ସ୍ଥାନ ମିଳିଥିଲା ଜାରଶାସିତ ଜେଲ ଭିତରେ ଓ ସାଇବେରିଆରେ, ପୁଣି ସେହି ଠେଙ୍ଗାଟି ଥିଲା ତାହର ଲେଖକ ହାତରେ, ଲେଖନୀ ଆକାରରେ । ଋଷର ଲେଖକଗୋଷ୍ଠୀ ତାହାରି ସାହାଯ୍ୟରେ ପୃଥିବୀକୁ ନ ହେଲେ ମଧ୍ୟ ବିଶାଳ ଋଷଦେଶକୁ ଘୁଞ୍ଚାଇ ଦେଇ ନୂଆକରି ଗଢ଼ିଛନ୍ତି, ଆଉ ସେହି ଲେଖକକୁଳର ଅଗ୍ରଣୀ ହେଲେ କାଉଣ୍ଟ ଲିଓ ଟଲଷ୍ଟୟ । ଲେଖକ ପକ୍ଷରେ ଯେ ସାଧାରଣ ମନୁଷ୍ୟ ପରି ଅସାଧ୍ୟ ଅସମ୍ଭବ ବୋଲି କିଛି ନାହିଁ, ନିଜ ରଚନା ମାଧ୍ୟମରେ ସେ କେବଳ ଏହି ଦୃଷ୍ଟିଭଙ୍ଗି ଆଣି ଦେଇ ନାହାନ୍ତି, ସ୍ୱୟଂ ତାହାର ଏକ ସତ୍ୟ ଜ୍ୱଳନ୍ତ ଦୃଷ୍ଟାନ୍ତ ।

Image

 

ସାହିତ୍ୟ-ବିଚାର

ପ୍ରାଚୀନ ଓଡ଼ିଆରେ ବ୍ୟଙ୍ଗ ବିଚାର

 

ଦୁନିଆର ଦୁଃଖଜଞ୍ଜାଳ ଭିତରେ ଜୀବନକୁ ହାଲୁକା କରିବା ପାଇଁ ଟିକିଏ ହସକୌତୁକ ବରାବର ଲୋଡ଼ା । ଗାଁଗଣ୍ଡା ସହର ବଜାରରେ ଜଣେ ଜଣେ ଲୋକ ଦେଖାଯାନ୍ତି, ଯାହାଙ୍କ କଥାପଦକରେ ଆଉମାନେ ନ ହସି ରହି ପାରନ୍ତିନି । ସର୍କସର ଜୋକର ଭଳି ତାଙ୍କ ବେଶ କି ରୂପରେ ଟିକିଏ ହେଲେ ଫରକ୍‌ ନ ଥିଲେ ବି କଥା କହିବାରେ ଥାଏ ଚମତ୍କାର ଚାତୁରୀ-ହସିବାର ଖୋରାକ ସାଥିରେ ଥାଏ ବୁଦ୍ଧିର କାରସାଦି । ପୁଣି କହିବାର ଠାଣି–ଆଉ ତାହାରି ଜରିଆରେ ଶିଖିବା ବିଷୟ ମଧ୍ୟ ଥାଏ ଅନେକ ।

 

ଡାକ୍ତର ଦେହକୁ ଯେମିତି ପରୀକ୍ଷା କରନ୍ତି, ସେମିତି ମନସ୍ତତ୍ତ୍ୱବିତ୍‌ ମନକୁ । କାରଣ ଦେହର ବହୁତ ରୋଗ ପରି ମଣିଷ ମନର ବି ତ ରୋଗ ବିକାର ଅଛି । ଗର୍ବ, ଅହଂକାର, ଲୋଭ, କ୍ରୋଧ, ହିଂସା, ମୋହ ହେଲା ମନର ଗୋଟିଏ ଲେଖାଁ ମାରାତ୍ମକ ବ୍ୟାଧି । ଏହି ରୋଗଗୁଡ଼ିକରୁ ରକ୍ଷା ପାଇବା ପାଇଁ ତ ଆମର କେତେ ପୁରୁଣା ଉପଚାର ଅଛି–ଜପ, ତପ, ଧ୍ୟାନ, ଧାରଣା, ଭଜନ, ପୂଜନ ଇତ୍ୟାଦି । ସାହିତ୍ୟରେ ବି ଗୋଟିଏ ବଢ଼ିଆ ଔଷଧ ଅଛି, ତାହା ହେଉଛି ହାସ୍ୟରସ ବା ବ୍ୟଙ୍ଗ । ବ୍ୟଙ୍ଗକୁ କେହି କେହି ହାସ୍ୟରସରୁ ଅଲଗା ବିଚାରନ୍ତି । ମାତ୍ର ତଳେଇ ଦେଖିଲେ, ଦୁହେଁ ଦୁହିଙ୍କ ଭିତରେ ଜଡ଼ିତ ହୋଇ ରହିଛନ୍ତି ।

 

ସବୁ ଗର୍ବ, ଦମ୍ଭ ଓ ଅହଂକାରକୁ ଏହି ରସ ହିଁ ହସରେ ଉଡ଼ାଇ ଦିଏ; ଲୋଭୀ ଓ ଚୋଠା ମଣିଷ ଯେତେ ଧନୀ ହେଲେ ବି ତାକୁ ଛୋଟକରି ପକାଏ ଶାଣଦିଆ ପରିହାସରେ; ରାଗୀଲୋକର ଆଖି ଯେଡ଼େ ଲାଲ ହେଲେ ବି ପୁଣି ତାର ମୁଣ୍ଡ ଯେଡ଼େ ଗରମ ହେଲେ ବି ପଦେ କଥାରେ ଦଣ୍ଡକରେ ସବୁ ଥଣ୍ଡା କରି ପକାଏ ନିଆଁରେ ପାଣି ଢାଳିଲା ପରି; ଆଉ ଯେଡ଼େ ଉଚ୍ଚ ଆସନରେ ବସିଥିଲେ ବି ଅହଂକାରୀ ଲୋକକୁ ତଳକୁ ଓଟାରି ଆଣି ଦିକଡ଼ାର କରି ପକାଏ । ମୋଟ ଉପରେ କାହାରିକି ସାନ ବଡ଼ ନ ବିଚାର ଦୁନିଆକୁ ସମାନ ଦୃଷ୍ଟିରେ ପୁଣି ସହଜ ସ୍ୱାଭାବିକ କରି ଦେଖାଇଦିଏ ହାସ୍ୟକାର ।

 

ଆଗେ ତ ରାଜାମାନେ ରାଜ୍ୟଶାସନ, ଯୁଦ୍ଧଯାତ୍ରା, ବିଦ୍ରୋହ ଦମନ କାମରେ ସବୁବେଳେ ବ୍ୟସ୍ତବିବ୍ରତ ରହୁଥିଲେ; ତହିଁରେ ତାଙ୍କ ମୁଣ୍ଡ ସବୁବେଳେ ଚିନ୍ତାଗ୍ରସ୍ତ ହୋଇ ପଡ଼ିବା କଥା । ମୁଣ୍ଡ ଉପରେ ସୁନାଜରିର ରାଜମୁକୁଟ ଜକ ଜକ ଦିଶୁଥିଲେ ବି ମୁଣ୍ଡ ଭିତରଟାରେ ଅନ୍ଧାର ଘୋଟି ଅନେକ ସମୟରେ ତାକୁ ଭାରାକ୍ରାନ୍ତ କରି ପକାଏ । ତାଙ୍କ ମଗଜକୁ ହାଲୁକା ରଖିବାପାଇଁ ପାଖରେ ଥାନ୍ତି ବିଦୂଷକ । ସଂସ୍କୃତ ନାଟକରେ ଏହି ବିଦୂଷକମାନଙ୍କୁ ଯେମିତି ଦେଖାଯାଏ, ଗ୍ରୀକ୍‌ ଓ ଇଂରେଜୀ ନାଟକରେ ମଧ୍ୟ ସେମିତି । ତାଙ୍କ ଭିତରୁ ଅନେକ ବଡ଼ ବଡ଼ କବି ଓ ପଣ୍ଡିତ ମଧ୍ୟ ଥାଆନ୍ତି । ମୋଗଲ ରାଜତ୍ୱରେ ସମ୍ରାଟ ଆକବରଙ୍କ ଦରବାରରେ ଏମିତି ଜଣେ ବିଚକ୍ଷଣ ବ୍ୟକ୍ତି ଥିଲେ, ବୀରବଲ୍‌ । ଆମର ହାସ୍ୟ ରସର କବି ଯଦୁମଣିଙ୍କୁ ଏହି ଶ୍ରେଣୀରେ ନିଆଯାଇପାରେ । ସବୁଠାର ବିଚିତ୍ର କଥା ହେଲା, ଏଇ କବି-ବିଦୂଷକଗଣ ଯେଉଁ ରାଜପୁରୁଷମାନଙ୍କ ଅନୁଗ୍ରହ ପାଆନ୍ତି, ଯାହାଙ୍କୁ ରାଜାମାନେ ବନ୍ଧୁ, ବୟସ୍ୟ ବୋଲି ସମ୍ବୋଧନ କରନ୍ତି । ସେହି ରାଜାଙ୍କୁ ହିଁ ବ୍ୟଙ୍ଗ ପରିହାସ ନ କରି ଏମାନେ ଛାଡ଼ନ୍ତି ନାହିଁ । ସେଥିଲାଗି ଶାସକମାନଙ୍କ କୋପଦୃଷ୍ଟିକୁ ତାଙ୍କର ଖାତିର ନ ଥାଏ । ରାଜାନୁଗ୍ରହ ବା ନିଗ୍ରହ ଯେମିତିକି ତାଙ୍କ ପାଖରେ ସମାନ । ରାଜା ଥରେ ପରିହାସ କରି ଯଦୁମଣିଙ୍କୁ କହିଲେ, ‘‘କାଲିରାତିରେ ମୁଁ ଗୋଟାଏ ଦୁଃସ୍ୱପ୍ନ ଦେଖିଲି, ତୁମ ଦେହଯାକ ବିଷ୍ଠା ବୋଳା ହୋଇଛି ।’’ ଯଦୁମଣି ସଙ୍ଗେ ସଙ୍ଗେ ଜଣାଇଲେ, ‘‘ହଁ ମଣିମା ! ମୁଁ ମଧ୍ୟ ଠିକ୍‌ ସେହି ଦୁଃସ୍ୱପ୍ନଟା ଦେଖିଲି । ସେଥି ସଙ୍ଗେ ଆହୁରି ଗୋଟାଏ ଶୁଭସ୍ୱପ୍ନ ମଧ୍ୟ ଦେଖିଲି, ମଣିମାଙ୍କ ଅଙ୍ଗରେ ଅମୃତ ବୋଳା ହୋଇଛି । ଆଉ ମୁଁ ମଣିମାଙ୍କ ଅଙ୍ଗକୁ ଓ ମଣିମା ମୋ ଦେହକୁ ଲେହନ କରଛୁ ।’’ ସଭାଲୋକ ହସି ଉଠିଲେ । ରାଜାଙ୍କୁ ଏହି ପରିହାସରେ କବି କୁକୁରତଳେ ଗଣିବାରୁ ସେ ରାଗିଯାଇ କହିଲେ, ‘‘ଆଜିଠୁଁ ଆଉ ତୁମ ମୁହଁ ଚାହିଁ କରିନି ।’’ ଯଦୁମଣି ତହିଁ ଆରଦିନ ରାଜସଭାକୁ ଗଲେ କିନ୍ତୁ ରାଜାଙ୍କୁ ପଛ କରି କରି !

 

ଏତ ହେଲା ରାଜ୍ୟେଶ୍ୱରମାନଙ୍କ କଥା । ସ୍ୱୟଂ ଜଗଦୀଶ୍ୱର ଭଗବାନ ମଧ୍ୟ କବିଙ୍କ ପରିହାସରେ ଶିକାର ହୋଇ ପଡ଼ନ୍ତି । ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଭଳି ଉପାଦେୟ କାବ୍ୟରଚନାରେ କବି ଯଦୁମଣିଙ୍କ ଗଭୀର ପାଣ୍ଡିତ୍ୟ ଯେମିତି ଜଣାପଡ଼େ. ସେହିପରି ତାଙ୍କ ବିଚକ୍ଷଣ ପରିହାସର ସୂଚନା-‘ନୀଳାଚଳକଳାକର’ ଜଣାଣଟି ଏହାର ଏକ ନମୁନା । ଭଗବାନଙ୍କୁ ଡାକିଲେ ସେ ଯେ ଖାଲି ଦୟାକରି କାହାକୁ କିଛି ଦିଅନ୍ତି ନାହିଁ, ଜଣକଠାରୁ ଯାହା କାଢ଼ି ନିଅନ୍ତି, ଆଉ ଜଣକୁ ତାହା ବାଣ୍ଟିଦିଅନ୍ତି ମାତ୍ର; ସେଥିରେ ତାଙ୍କର କିଛି ହେଲେ ବାହାଦୁରୀ ନାହିଁ । ଏହି କଥାଟିର କେତେକ ପ୍ରମାଣ ସେ ବାଢ଼ିଛନ୍ତି ଉକ୍ତ ପ୍ରାର୍ଥନା ସଂଗୀତରେ ।

 

ସବୁ ଐଶ୍ୱର୍ଯ୍ୟର ଅଧିପତି ଈଶ୍ୱର ବା ଭଗବାନ ଶବ୍ଦଗୁଡ଼ିକୁ ଅପ୍ରମାଣିତ କରି ସେ ନଜିର୍‍ ବାଢ଼ିଛନ୍ତି, ବଳିପରି ଦାତାକୁ ଦଳନ କରି ତାର ଅକଳିତ ସଂପତ୍ତି ତୁମେ ଲୁଟିନେଲ । ଏଣେ ଗରିବ ଭିକାରୀ ସୁଦାମାକୁ ସେଇ ଧନରେ ଧନୀ କଲ । ଯମନା କୂଳରେ ଗୋପୀମାନଙ୍କ ବସ୍ତ୍ରହରଣ କରି ସେହି ବସ୍ତ୍ରକୁ କୁରୁସଭାତଳେ ଦୌପଦୀଙ୍କୁ ଯୋଗାଇ ଲଜ୍ଜା ନିବାରଣ ବାନା ଉଡ଼ାଇଲ । ଯାହାତ ନେଲ ତାହା ଦେଲ । ଏଥିପାଇଁ ତେବେ ଦାତା ବୋଲାଉଛ କାହିଁକି ? ଏହିପରି ହାସ୍ୟରସର ଅବତାରଣା କରି ଶେଷପଦରେ କବି ନିଜର ହୀନତା ଭିତରେ ସୁଦ୍ଧା ବ୍ୟଙ୍ଗପ୍ରକାଶ କରିଛନ୍ତି । ହାସ୍ୟ ଓ କାରୁଣ୍ୟର ମିଶ୍ରଣ ହିଁ ହାସ୍ୟରସର ଯେ ସର୍ବୋତ୍ତମ ପରିଣତ, ତାହାର ଉଦାହରଣ ଏହି ପଦଟିରୁ ମିଳିଥାଏ–ଯେଉଁଠି ସେ ଭଗବାନଙ୍କୁ ଅନୁଯୋଗ କରୁଛନ୍ତି–

 

‘‘ପାତକୀ ମୁକୁଟଶ୍ରେଣୀ ଶିରୋମଣି ଯଦୁମଣି

ମନ ତିଳେ ନେଇ ନ ପାରୁଛ,

ଏହା ଉଦ୍ଧାରଣେ ଯେବେ ଚିତ୍ତ ଦେଇପାର ଲବେ

ତେବେ ସିନା ଦାତା ବୋଲାଉଛ ହେ,

ନୀଳାଚଳ-କଳାକର ! ସତ କି ଏ ମିଛ

ନେଲ ଯାହା ଦେଲ ତାହା ଏଥକୁ କିପାଇଁ ମହା

ଦାତାପଣେ ପତାକା ବାନ୍ଧିଛି ହେ ।’’

 

ଏହା ଯେମିତି ଭକ୍ତର ଭଗବାନଙ୍କ ସଙ୍ଗେ ବାଜିମାରିବା । ତୁମେ ସବୁନେଇ ସବୁ ସିନା ଦେଇପାରିଛ, ହେଲେ ମୋଭଳି ସବୁଠୁଁ ବଡ଼ ନାସ୍ତିକର ମନ ତ କାହିଁ ଟିକିଏ ନେଇ ପାରିଲ ନାହିଁ ! ପୁଣି ମୋଭଳି ବଡ଼ ପାତକୀକୁ ଉଦ୍ଧାର କରିପାରିଲେ ସିନା ଦାତା, ନ ହେଲେ ଆଉ ଦାତା ବୋଲାଇ ଫଳ କଣ ? ଭକ୍ତିରସରେ ଏହାଠୁଁ ବଳି ଭକ୍ତର ପ୍ରମାଣ ବା କେଉଁଠି ଅଛି ?

 

ଯେ ଶ୍ରଦ୍ଧାଳୁ, ଯେ ପ୍ରେମିକ, ତାହାର ସେମିତି ଗ୍ରାହକତା ଧରାପଡ଼େ । ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ । ଧନକ୍ଷମତା ବଳରେ ଯେଉଁମାନେ ଅନ୍ଧ, ସେହିଭଳି ଜଣେ ରାଜାଙ୍କ ପାଖକୁ ଯାଇ ତାଙ୍କୁ କବି ଗୋଟିଏ ସୁନ୍ଦର ବିଷ୍ଣୁ ପ୍ରତିମା ଭେଟିଦେଲେ, କିନ୍ତୁ ତାହାର ଆଦର ନକରି ରାଜା ସେହି ପ୍ରତିମାଟିକୁ ତଳେ ଥୋଇଦେଲେ; ତହୁଁ ନିର୍ଭୀକ କବିକଣ୍ଠରୁ ସ୍ଫୁରିତ ହେଲା-

 

‘‘ଅନ୍ଧ ଦେଶକୁ ଗଲି ଦର୍ପଣ ବିକି,

କନ୍ଧ ହାତରେ ଦେଲି ଗୋଦାନ ଟେକି ।

ଜଡ଼ା ସଙ୍ଗରେ ଖଡ଼ା କଲି ରନ୍ଧନ,

କାମୁଡ଼ାଘୋଡ଼ା ମୁଖେ ଦେଲି ଚୁମ୍ବନ ।

ହେ ରାଜା କି କଲ,

ବିଷ୍ଣୁ ପ୍ରତିମାକୁ ତଳେ ଥୋଇଲ ।’’

 

ଅନ୍ଧ, କନ୍ଧ, ଜଡ଼ା, ଖଡ଼ା କାମୁଡ଼ା ଘୋଡ଼ା–ଏହାଠୁଁ ବଳି ଆଉ କି ବିଶେଷଣରେ ଭଲା କବି ରାଜପୁରୁଷଙ୍କୁ ଡାକନ୍ତେ !

 

ଆଉ ଥରେ ଜଣେ ରାଜା ତାଙ୍କୁ ଆଦର ନ କରିବାରୁ ସେଠାର ଦେବତାଙ୍କୁ ସୁଦ୍ଧା କବି ଉପହାସ କରିଥିଲେ–

 

‘‘କୁଞ୍ଜବନେ ଜଗନ୍ନାଥ ନ ହେବ ଗୋସାଇଁ,

ରଥବୋଲି ଭଣ୍ଡିନେବେ ଶଗଡ଼େ ବସାଇ ।

ଭୋଗବୋଲି ଖଞ୍ଜି ଦେବେ କଡ଼କିଆ ମୁଆଁ

ଧୂପ ବୋଲି ଗୁଞ୍ଜିଦେବେ ନିଆଁଖୁଣ୍ଟା ଧୂଆଁ ।’’

 

ନାନା ରୂପରେ ମୂର୍ତ୍ତିପୂଜାକୁ ସେ ପରିହାସ କରିଥିବାର ମଧ୍ୟ ଦେଖାଯାଏ । ଗୋଟିଏ ପିତ୍ତଳ ଦେବମୂର୍ତ୍ତିକୁ ଲକ୍ଷ୍ୟକରି ସେ କହିଛନ୍ତି–

 

‘‘କେଉଁଠାରେ ଖଡ଼ୁ ଗଡ଼ୁ କେଉଁଠାରେ ମୁଦି,

କେଉଁଠାରେ ବୋଲାଉଛ କରୁଣାବାରିଧି ।’’

 

ଅର୍ଥାତ୍‍, ସେଇ ପିତ୍ତଳ ଧାତୁରୁ ବାହାରି ତୁମେ ଖଡ଼ୁ, ଗଡ଼ୁ ବା ମୁଦିରୂପରେ କେତେ କାମରେ ଲାଗୁଛ, ପୁଣି ଦେବତାରୂପରେ ପୂଜା ପାଉଛ ।

 

ଜଣେ ରାଜା ନଈବନ୍ଧ ଉପରେ ସଦଳବଳ ସବାରିବିଜେ ହୋଇଛନ୍ତି । ଆଉ ଜଣେ ରାଜା ଯାଉଛନ୍ତି ବନ୍ଧତଳେ ଓ ତାଙ୍କ ସଙ୍ଗେ ଯଦୁମଣି । ବନ୍ଧ ଉପରୁ ସେ ରାଜାଙ୍କର ଜଣେ ପାର୍ଶ୍ୱତର ବାହାଦୁରୀ ଦେଖାଇ କହିଲେ ଯେ ତାଙ୍କ ରାଜା ବଡ଼, କାହିଁକି ନା ସେ ଉପରେ ଚାଲିଛନ୍ତି; ତାହାଶୁଣି ବନ୍ଧ ତଳୁ ଯଦୁମଣି ତାଙ୍କ ରାଜାଙ୍କ ଗହଣରୁ ଜବାବ ଦେଲେ–

 

‘‘ନିକିତି ତଉଲ ସାନ ବଡ଼କୁ,

ଭାରି ଯେହୁ ହୁଏ ଯାଏ ତଳକୁ ।’’

 

ଏସବୁ ହେଲା ଅତୀତରେ ଦିନ ଦିନକର ଘଟଣା । କିନ୍ତୁ ସବୁଦିନ ପାଇଁ ସେସବୁ କଥା ରହିଯାଇଛି । ଗାଁଗଣ୍ତାରୁ ଆରମ୍ଭ କରି ସହର ରାଜଧାନୀ ପର୍ଯ୍ୟନ୍ତ ସେସବୁ ଆଜି ପ୍ରବଚନ ଆକାରରେ ଆମ ଜାତୀୟଚରିତ୍ରକୁ ଗଢ଼ି ଚାଲିଛି, ନାନା କ୍ଷେତ୍ରରେ ତାର ଚେତାବନୀ ହୋଇ । ଗୋଟିଏ ଅତି ଜଣାଶୁଣା ଉଦାହରଣ ଦେଇ ସହଜ ଭାଷାରେ ତଳେ କିଏ ଉପରେ କିଏ, କବି ଯେମିତି ଦେଖାଇ ଦେଇଛନ୍ତି, ତାହା ଏକ ଚିରନ୍ତନ ସତ୍ୟ ହୋଇ ରହି ନାହିଁ କି ? ପ୍ରକୃତରେ ସଭାତଳେ ଯେଉଁମାନେ ଅଛନ୍ତି, ତାଙ୍କ ଓଜନ ଯେ ସବୁଠୁଁ ବେଶି ଭାରି, ସେହିମାନଙ୍କ ଶକ୍ତି ଯେ ଅତ୍ୟଧିକ, ଆଜିର ସମାଜବାଦୀ ଗଣତନ୍ତ୍ର ଯୁଗ ମଧ୍ୟ ତାହା ପ୍ରମାଣ କରୁନାହିଁ କି ?

 

ସେ କାଳରେ ମଧ୍ୟ ରାଜାନୁଗ୍ରହରେ ଅଯୋଗ୍ୟ ଲୋକ କିପରି ମର୍ଯ୍ୟାଦାବନ୍ତ ହୋଇ ପାରୁଥିଲା, ଯେଉଁ ହାଡ଼ୁ ପାତ୍ର ପୁଅ ଦିନେ ବାସନ ଅଭାବରୁ ଗାତଖୋଳି ତହିଁରେ ଖାଉଥିଲା, ସେ ବି ଆଜି କିପରି ବଡ଼ ହୋଇ ପାରିଛି ତାହାରି ଏକ ବର୍ଣ୍ଣନା–

 

ହାଡ଼ୁ ପାତ୍ର ପୁଅ ରୀତି ଏସନ

ଗାଡ଼ୁ ପାତ୍ରୁ ନ ମିଳଇ ବାସନ

ପାଡ଼ୁଛି ପାଟରେ

ମାଡ଼ୁଛି ଜରିଯୋତାକୁ ବାଟରେ ।

 

ଅଥଚ କବି ବିଚରା ରାଜାଙ୍କୁ ଖଣ୍ତେ ଜମି ମାଗିବାକୁ ଯାଇ ଯେଉଁ ହିନସ୍ତା ହୋଇଛନ୍ତି, ସେଥିରୁ ତାଙ୍କପ୍ରତି ଦୁଃଖ ଯେତିକି ହୁଏ, ହସବି ସେତିକି ମାଡ଼େ–

 

ଛାମୁ ଯାହା ଦେଲେ ହରଷେ

କରଣ କଲେ ତା ବରଷେ ।

ବାଛି ବାଛି ଶେଷେ ଦେଲେ ପଡ଼ିଆ ।

ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ

ଏମନ୍ତ ଭୂଇଁ,

ଚାକୁଣ୍ତା ବୁଣିଲେ ଉଠଇ ନାହିଁ ।

 

ଏଥିରୁ ଜଣାପଡ଼େ କବି ନିଶ୍ଚୟ ଚାଷଜମି ଖଣ୍ତେ ମାଗିଥିଲେ । ଭୁବନେଶ୍ୱର କ୍ୟାପିଟାଲରେ କଦାପି ଘରଡ଼ିହ ମାଗି ନଥିଲେ । ତା ହେଲେ ତ ଶ୍ରାବଣ ମାସରେ ତହିଁରେ ନଡ଼ିଆ ଭାଙ୍ଗିବାଟା ଜମିର ବରଂ ଭଲଗୁଣ ବୋଲି ଧରାଯାନ୍ତା । ତେବେ ଉପରୁ ହୁକୁମ ମିଳିଲେ ବି ଆଜିକାଲି ସେକ୍ରେଟେରିଏଟରୁ ତାହା ମିଳିବାକୁ କେତେକାଳ ଲାଗେ, ତାହା ବି କିଏ ଜାଣେ !

 

ଏସବୁ ବଚନିକା ପାଇଁ ଯଦୁମଣି ହିଁ ଓଡ଼ିଆ ସାହିତ୍ୟର ଏକାଙ୍ଗଚକ୍ରବର୍ତ୍ତୀ । ତାଙ୍କ ରଚିତ ସଙ୍ଗୀତ ଗୁଡ଼ିକରେ ମଧ୍ୟ ସେହିପରି ବିଶେଷତ୍ୱ ଅଛି । ଭକ୍ତି ଓ ପ୍ରେମ ଆଦି ନାନାରସରେ ରସାଣିତ ଏହି ସବୁ ସଙ୍ଗୀତରେ ମଧ୍ୟ ହାସ୍ୟରସର ମୃଦୁ ସିଞ୍ଚନ ଦେଖାଯାଏ; ଯଥା–

 

ଧଣ୍ତାମାଳ ବୁହା ଦୁର୍ଦ୍ଦଶା-ରାହୁ -

ଚାଣ୍ତାଳ ଗ୍ରାସୁଅଛି ଚାହୁଁ ଚାହୁଁ,

ଭଣ୍ତାରେ ଖଣ୍ତା ନାହିଁକି ମଣିମା -

ଗଣ୍ତାକର ଦିଶୁନାହିଁ ମହିମା ହେ

ହଣ୍ତା ମୋ ଯାଉଛି ଫାଟି ହେ

ଥଣ୍ତାକରି କୃପାଜଳ ବୃଷ୍ଟିକର ମୋ ଚିତ୍ତଚାତକ ପାଟି ହେ ।

 

ଏତ ଗଲା ଭକ୍ତିରସ । ତାଛଡ଼ା ପ୍ରୀତିରସ କିମ୍ୱା ଆଦିରସର ପ୍ରହସନ ସେ କିପରି କରିପାରିଛନ୍ତି, ତାରି ଗୋଟିଏ ନମୁନା–

 

ତୁ ମୋ ପ୍ରୀତିମୋଦକୀ ପସରାରେ

ମୁଁ ତୋ ଲାଗୁଆ ଗ୍ରାହକ ପରା,

ଗୁମାନକୁ ତୋର ଗୁଡ଼ସାର ମଣେ

ସନମାନଟି ତୋ ଛେନା କାକରା ।

ଇଙ୍ଗିତ ଭଙ୍ଗି ତୋ ସୁରସ ଆରିଷା,

ସମାଦର ସରପୁଳୀ ଶାକରା,

ଗାଳି ପଦକ ତୋ ମଧୁ ରସାବଳୀ,

ରୁଷାଣି ଠାଣିଟି ବଲ୍ଲଭକୋରା ।

 

ହାସ୍ୟକାର ଦୃଷ୍ଟିରେ ଦୁନିଆ ଏହିପରି ହାସ୍ୟମୟ ହୋଇଉଠେ । ତାର ସବୁ ବୈଷୟିକ ଅଭାବକୁ ପୂରଣ କରେ ମନ ଭିତରର ଅସରନ୍ତି ରସୋମୟ ଅନୁଭୂତି । ହିଂସା, ଦ୍ୱେଷ, ଲୋଭ ଓ କ୍ରୋଧ ସଙ୍ଗେ ପ୍ରେମ, ଭକ୍ତି, ସ୍ନେହ, ଶ୍ରଦ୍ଧା ପ୍ରଭୃତି ସବୁ ବିପରୀତ ଭିତରେ ସେଇ ହାସ୍ୟରସ ହିଁ ଆଣେ ଏକ ଅପୂର୍ବ ସାମଞ୍ଜସ୍ୟ । ଉଚ୍ଚ ନୀଚ, ସାନବଡ଼ ଓ ହୀନମହତ୍‌ ମଝିରେ ବାନ୍ଧିଦିଏ ଏକ ଅବିଚ୍ଛିନ୍ନ ସମନ୍ୱୟର ସେତୁ–ସବୁ ଜଟିଳତାକୁ କରେ ସହଜ, ସ୍ୱଚ୍ଛନ୍ଦ ଓ ସୁଗମ; ସବୁ ନିରାଶା ଓ ଜଡ଼ତାକୁ ଜୀବନ୍ତ ପୁଣି ସରସ ।

 

ଓଡ଼ିଆ ସାହିତ୍ୟ ଆରମ୍ଭଟା ହିଁ ଯେପରି ମନେହୁଏ ବ୍ୟଙ୍ଗ ଓ ହାସ୍ୟରସର । ବତ୍ସା ଦାସଙ୍କ ଶିବପାର୍ବତୀ . ବିବାହ ବର୍ଣ୍ଣନା ତାହାର ଗୋଟିଏ ବଡ଼ ନଜିର । ଶ୍ମଶାନବାସୀ ଶିବ ଯେପରି ବୁଢ଼ାବର ବେଶରେ ବେଦୀର ବସି ଖୁଁ ଖୁଁ କାଶୁଛନ୍ତି, ସେ ଗୀତ ଆମର ଘରେ ଘରେ ପରିଚିତ । ସାରଳା ଦାସଙ୍କ ଭୀମହିଡ଼ିମ୍ବା ଚରିତ୍ର ବର୍ଣ୍ଣନ ପୁଣି କୃଷ୍ଣସିଂହ ମହାଭାରତରେ ବ୍ୟଙ୍ଗ ପରିବେଷଣ ଅନେକ ସ୍ଥଳରେ ଶ୍ଲୀଳତାର ସୀମାକୁ ଅତିକ୍ରମ କରି ଯାଇଛି । କାରଣ ବ୍ୟଙ୍ଗ ଓ ଅଶ୍ଳୀଳତା ମଧ୍ୟରେ ସେତେବେଳେ ଖୁବ୍‌ଅଳ୍ପ ଫାଙ୍କ୍‌ଥିଲା । କିନ୍ତୁ ଦୀନକୃଷ୍ଣଙ୍କ ‘ବୁଢ଼ା ନାଉରୀ’, ପୁଣି କବିସୂର୍ଯ୍ୟ ବଳଦେବଙ୍କ ‘‘ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି । ତୁମ୍ଭଙ୍କୁ ଜଗନ୍ନାଥ ଆଜି ମୋ ମନୋରଥ ପୂର୍ଣ୍ଣ କରିବି ଦେଇ ଗାଳି’’। ପ୍ରଭୃତି ରଚନାରେ ଅକାଟ୍ୟ ବ୍ୟଙ୍ଗ ନିହିତ ଥିଲେ ହେଁ ତାହା କେବଳ ଅଶ୍ଳୀଳତାବର୍ଜିତ ନୁହେଁ, ଗଭୀର ଭକ୍ତିରସରେ ପରିପ୍ଳୁତ । ଭକ୍ତିପ୍ରେମର ପରାକାଷ୍ଠା ଦେଖାଇ ପ୍ରାଚୀନ ଓଡ଼ିଆ କବିମାନେ ଯେଭଳି ନିର୍ମଳ ଓ ନିର୍ଦ୍ଦୋଷ ବ୍ୟଙ୍ଗ ପରିବେଷଣ କରିଛନ୍ତି, ବିଶ୍ୱସାହିତ୍ୟର ଭକ୍ତିରସାତ୍ମକ ରଚନାବଳୀରେ ତାହା ଅପୂର୍ବ ଓ ଅନନ୍ୟ ବୋଲି ମନେ ହୁଏ । ଆଧୁନିକ ଭାରତୀୟ ସାହିତ୍ୟର ଶ୍ରେଷ୍ଠ ପୁରୋଧା ରବୀନ୍ଦ୍ରନାଥଙ୍କ ଭକ୍ତି-ରସାତ୍ମକ ବହୁ ସଙ୍ଗୀତ ଓ ଅନ୍ୟାନ୍ୟ କବିତାରେ କିମ୍ୱା ଇଂରାଜିରେ ନିଉମ୍ୟାନ୍‌ ଆଦି ସୁପ୍ରସିଦ୍ଧ ପ୍ରାର୍ଥନା ସଙ୍ଗୀତ ରଚୟିତ ତାଙ୍କଠାରେ ସୁଦ୍ଧା ଏରୂପ ବ୍ୟଙ୍ଗ ଦୁର୍ଲ୍ଲଭ ।

Image

 

ସତ୍ୟ-ଶିବ-ସୁନ୍ଦର

 

ସଭ୍ୟତାର ଆଦିକାଳରୁ ଗୋଟିଏ ବସ୍ତୁ ଜଗତରେ ବିଜୟୀ ହୋଇ ଆସିଅଛି-ଚିନ୍ତା । କେତେ ରାଜ୍ୟର ସ୍ୱାଧୀନତା ଲୁପ୍ତ ହୋଇଅଛି, କେତେ ରାଜ୍ୟ ପୁଣି ସ୍ୱାଧୀନ ହୋଇ ମସ୍ତକ ଉତ୍ତୋଳନ କରିଛନ୍ତି, କେତେ ରାଜମୁକୁଟ ରାଜାର ମସ୍ତକ ସହ ଭୁଲୁଣ୍ଠିତ ହୋଇଅଛି, କେତେ ସିଂହାସନ ଦରିଦ୍ରର କୁଟୀର ଚଟାଣରେ ପରିଣତ ହୋଇଅଛି । କେଉଁ ରାଜପୁତ୍ର ଅଭିଷେକର ପୂର୍ବମୁହୂର୍ତ୍ତରେ ବଳ୍‌କଳ ପିନ୍ଧି ବନବାସୀ ହୋଇଅଛି । କିଏ ସୁନ୍ଦରୀ ପ୍ରେୟସୀର ବାହୁବେଷ୍ଟନରୁ ମୁକ୍ତହୋଇ ଯେଉଁ ବସ୍ତୁର ପରିବର୍ତ୍ତନ ନାହିଁ, ଧ୍ଵଂସ ନାହିଁ, ତାହାରି ଅନ୍ୱେଷଣରେ ଭିକ୍ଷୁବ୍ରତ ଗ୍ରହଣ କରିଅଛି । କିଏ ଗୋଟିଏ ନୀତି, ଗୋଟିଏ ଭାବକୁ ଏକାନ୍ତ ସତ୍ୟରୂପେ ଉପଲବ୍‌ଧିକରି ସେଥିପାଇଁ ଜୀବନପଣ କରିଅଛି, ନିଜର ସମସ୍ତ ସୁଖସ୍ୱାଚ୍ଛନ୍ଦ୍ୟ ବିଳାସିତ ତାହାରି ପାଇଁ ଉତ୍ସର୍ଗ କରିଅଛି, ଆଉ କିଏ ଏହି ନୀତିକୁ ଭ୍ରାନ୍ତ ଜ୍ଞାନକରି ଉପହାସ କରୁଅଛି । ଜଣେ ମାନବଜାତିର କଲ୍ୟାଣ କାମନାରେ କଠିନ ତପସ୍ୟାକରି ଏକ ସତ୍ୟ ପ୍ରଚାର କଲେ–‘‘ଅହିସାଂ ପରମୋ ଧର୍ମଃ ।’’ ଆଉ ଜଣେ ନିଜକୁ ସ୍ୱୟଂ ଭଗବାନ ବୋଲି ପରିଚୟ ଦେଇ ଉପଦେଶ ଦେଲେ–‘‘ଯୁଦ୍ଧାୟ କୃତନିଶ୍ଚୟଃ ।’’

 

ଅଦ୍ଭୁତ ମାନବର ଗତି ! ବିଚିତ୍ର ତାହାର କାର୍ଯ୍ୟକଳାପ ! ସବୁ ବୈପରୀତ୍ୟ ବିଦ୍ରୋହ ମଧ୍ୟରେ, ହିଂସା ଅହିଂସା ମଧ୍ୟରେ ଜୟଲାଭ କରିଅଛି ସେହି ଏକମାତ୍ର ବସ୍ତୁ-ଚିନ୍ତା ।

 

ଅସଂଖ୍ୟ ମତ-ଅସଂଖ୍ୟ ଚିନ୍ତାର ଧାରା । ଏହା ମଧ୍ୟରେ ସତ୍ୟ କିଏ ? ଶିବ କିଏ ? ସୁନ୍ଦର କିଏ ? ସତ୍ୟର ଯାଥାର୍ଥ୍ୟ ହିନ୍ଦୁ ପକ୍ଷରେ ଯାହା ମୁସଲମାନ ପକ୍ଷରେ ତାହା; ଖ୍ରୀଷ୍ଟିୟାନ ପକ୍ଷରେ ମଧ୍ୟ ତାହା; ବୌଦ୍ଧ, ଜୈନ, ଜୋରୋଷ୍ଟ୍ରିୟାନ, ରାଜା, ଜମିଦାର, କୃଷକ, ସୈନିକ, ଧନୀ, ନିର୍ଦ୍ଧନ, ରୁଗ୍‌ଣ, ସୁସ୍ଥ-ସମସ୍ତଙ୍କ ପକ୍ଷରେ ସମାନ । ସମଗ୍ର ମାନବଜାତି, ସମଗ୍ର ବିଶ୍ୱପାଇଁ ତାହା ସତ୍ୟ-ସେହିପରି ଶିବ, ସେହିପରି ସୁନ୍ଦର । କିନ୍ତୁ ରୀତିଭେଦରେ, ରୁଚିଭେଦରେ ଖ୍ରୀଷ୍ଟିୟାନ ପକ୍ଷରେ ଯାହା ସତ୍ୟ, ହିନ୍ଦୁ ପକ୍ଷରେ ତାହା ମିଥ୍ୟା । ଯେପରି ଜନ୍ମାନ୍ତର ବାଦରେ ଖ୍ରୀଷ୍ଟିୟାନ ଅବିଶ୍ୱାସ କରେ, ହିନ୍ଦୁ ବିଶ୍ୱାସ କରେ ।

 

ଗୋହତ୍ୟାକୁ ହିନ୍ଦୁ କହିବେ ଅସତ୍ୟ, ଅଶିବ, ଅସୁନ୍ଦର; ଗୋବ୍ରାହ୍ମଣ ହିତାୟ ଚ । ମୁସଲମାନ କହିବେ, ଗୋରୁପ୍ରତି ଆମର ଶ୍ରଦ୍ଧା ଯଥେଷ୍ଟ-କାରଣ ତାହାର ମାଂସ ସୁସ୍ୱାଦୁ ଓ ତାକୁ ହଲାର କରିବାରେ ଆନନ୍ଦ ।

 

ଅନ୍ଧ କହିବ ସୂର୍ଯ୍ୟ ଚନ୍ଦ୍ର ତା ପକ୍ଷରେ ଅଖଣ୍ଡ ଅନ୍ଧକାର, ବଧିର କହିବ ଜଗତ ତା ପକ୍ଷରେ ଶଦ୍ଦହୀନ, ନୀରବ ଓ ମୂକ ।

 

ଅନ୍ଧପାଇଁ ଗୋଟାଏ ସତ୍ୟ, ବଧିର ପାଇଁ ଗୋଟାଏ ସତ୍ୟ, ହିନ୍ଦୁ ଖ୍ରୀଷ୍ଟାନମୁସଲମାନଙ୍କ ପାଇଁ ଗୋଟାଏ ଗୋଟାଏ ସତ୍ୟ । କିନ୍ତୁ ଯାହା ଯଥାର୍ଥ ସତ୍ୟ, ତାକୁ ହିନ୍ଦୁ, ଖ୍ରୀଷ୍ଟାନ, ମୁସଲମାନ, ବୌଦ୍ଧ, ଅନ୍ଧ, ବଧିର ସମସ୍ତେ ସ୍ୱୀକାର କରିବେ ।

 

ସୂର୍ଯ୍ୟଚନ୍ଦ୍ରର ସତ୍ୟତା-ଆଲୋକ । ପୃଥିବୀର ଏକ ଲକ୍ଷ ଅନ୍ଧ ମିଶି ତାକୁ ଏପର୍ଯ୍ୟନ୍ତ ଅନ୍ଧକାର ବୋଲି ପ୍ରମାଣିତ କରିପାରି ନାହାନ୍ତି । ହିନ୍ଦୁ, ଖ୍ରୀଷ୍ଟାନ, ବୌଦ୍ଧ, ମୁସଲମାନ-ସବୁ ଜାତି, ସବୁ ଶ୍ରେଣୀର ଲୋକଙ୍କର ଜନ୍ମ ଅଛି, ମୃତ୍ୟୁ ଅଛି, ସୁଖ ଅଛି, ଦୁଃଖ ଅଛି, ଆଲୋକ ଅଛି, ଅନ୍ଧକାର ଅଛି, ନିଦ୍ରା ଅଛି, ଜାଗରଣ ଅଛି ଏହାକୁ ମିଥ୍ୟାବୋଲି କେହି ଅସ୍ୱୀକାର କରିବେ ନାହିଁ ।

 

ସତ୍ୟ-ଶିବ-ସୁନ୍ଦର-ଏହା ବ୍ୟକ୍ତି, ସମଷ୍ଟି ବା ଜାତିର ଏକଚାଟିଆ ବସ୍ତୁ ନୁହେଁ । ସମଗ୍ର ଜଗତ ପାଇଁ ଯାହା ସତ୍ୟ, ତାହାହିଁ ସତ୍ୟ; ଯାହା ଶିବ, ତାହା ଶିବ; ଯାହା ସୁନ୍ଦର, ତାହା ସୁନ୍ଦର ।

 

ବ୍ୟକ୍ତିର ସ୍ୱାର୍ଥ ସମଷ୍ଟିର ସ୍ୱାର୍ଥରେ ସଂଯୁକ୍ତ ନ ହେଲେ ଏ ଉପଲବ୍‌ଧି ହୁଏ ନାହିଁ । ମାନବ ନିଜର ସ୍ୱାର୍ଥକୁ ସମଗ୍ର ଜାତିର ସ୍ୱାର୍ଥରେ ଯୋଗ କରି ନ ପାରିଲେ, ନିଜକୁ ବିରାଟ ମାନବଜାତିର ସୁଖ, ଦୁଃଖ, ତାହାର ଐଶ୍ୱର୍ଯ୍ୟ, ତାହାର ମାତ୍ସର୍ଯ୍ୟ, ତାହାର ଦୀନତା ଓ ଅକିଞ୍ଚନତା ବୁଝିବାର ସାମର୍ଥ୍ୟ ନ ଥିଲେ ଏ ସତ୍ୟ ହୃଦୟଙ୍ଗମ ହୁଏ ନାହିଁ-ଯୋ ବୈ ଭୂମା ତତ୍‌ ସୁଖମ୍‌, ନାଳ୍ପେ ସୁଖମସ୍ତି ।

 

ଯୁଗେଯୁଗେ ଜଣେଜଣେ ପୁରୁଷାବତାର ଏହି ସତ୍ୟ ଅନୁସନ୍ଧାନରେ ରାଜ୍ୟଛାଡ଼ି, ବିଳାସଛାଡ଼ି, ଦାରିଦ୍ର୍ୟ ଦୁଃଖକୁ ହାସ୍ୟମୁଖରେ ବହନକରି ଜଗତର ପଥ-ପ୍ରଦର୍ଶକ ହୋଇଅଛନ୍ତି । ମାନବଜାତି ନୀରବରେ ସେମାନଙ୍କର ପଶ୍ଚାତ୍‌ ଅନୁସରଣ କରିଅଛି ।

 

ସତ୍ୟଂ-ଶିବଂ-ସୁନ୍ଦରମ୍‌ । ସମଗ୍ର ଜଗତରେ ଏହି ତିନିଗୋଟି ଲକ୍ଷ୍ୟବସ୍ତୁ-ତିନିଗୋଟି ପ୍ରିୟ ଓ ଶ୍ରେୟ । ଏହା ମଧ୍ୟରେ ସୁଖ ସ୍ୱାଚ୍ଛନ୍ଦ୍ୟର ସ୍ଥାନ ନାହିଁ, ଦୁଃଖବେଦନାର କଳ୍ପନା ନାହିଁ, କେବଳ ସତ୍ୟଂ ଶିବଂ ସୁନ୍ଦରମ୍‌ ।

 

ମାନବର ସୁଖସ୍ୱାଚ୍ଛନ୍ଦ୍ୟ ବଢ଼ାଇବା ପାଇଁ ବିଜ୍ଞାନର ଏହି ଯେ ବିରାଟ ଆୟୋଜନ, ଏହାର ଚରମ ପରିଣତି କେଉଁଠାରେ ? କେଉଁଠାରେ ମାନବ କଣ୍ଠରୁ ସ୍ୱସ୍ତି ବାଚନ ଶୁଣାଯିବ-ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ନବ ନବ ଅଭାବର ଆବିଷ୍କରଣ ହିଁ ବର୍ତ୍ତମାନ ସଭ୍ୟତାର ଚିହ୍ନ ଏବଂ ତାହାର ପୂରଣରେ ବିଜ୍ଞାନର ଆନନ୍ଦ ।

 

କିନ୍ତୁ ଜଗତରେ ଏହି ସତ୍ୟ-ଶିବ-ସୁନ୍ଦରର ଯେଉଁଠାରେ ପ୍ରତିଷ୍ଠା, ସେଠାରେ ବିଜ୍ଞାନର ଦାନ ଅତ୍ୟନ୍ତ ମୂଲ୍ୟହୀନ, ବ୍ୟକ୍ତିର ସୁଖଦୁଃଖ ଆକାଙ୍‍କ୍ଷା ଅତ୍ୟନ୍ତ ତୁଚ୍ଛ । ସେଠାରେ ନିଜର ଅସ୍ଥି ଦାନ କରିବା ପାଇଁ ଦଧୀଚିର ଆତଙ୍କ ଜନ୍ମେ ନାହିଁ, ସମଗ୍ର ରାଜ୍ୟ ଦାନକରି ଆତ୍ମବିକ୍ରୟ କରିବାକୁ ମଧ୍ୟ ହରିଶ୍ଚନ୍ଦ୍ର କାର୍ପଣ୍ୟ ଜ୍ଞାନ କରେ ନାହିଁ, କାରଣ ସେଠାରେ ସମଷ୍ଟିର ଆନନ୍ଦରେ ବ୍ୟକ୍ତିର ଆନନ୍ଦ, ସମଷ୍ଟିର କଲ୍ୟାଣରେ ବ୍ୟକ୍ତିର କଲ୍ୟାଣ–ତାହା ହିଁ ସତ୍ୟଂ-ଶିବଂ-ସୁନ୍ଦରମ୍‌ ।

 

ବିଶ୍ୱପକ୍ଷରେ ଯାହା ସତ୍ୟ, ମଙ୍ଗଳମୟ ଏବଂ ସୁନ୍ଦର, ବ୍ୟକ୍ତିପକ୍ଷରେ ମଧ୍ୟ ତାହା ହିଁ ସକଳ କଲ୍ୟାଣ ଓ ଆନନ୍ଦର ସମଷ୍ଟି । ସୂର୍ଯ୍ୟ ଯେପରି ଅନ୍ଧ ଓ ଚକ୍ଷୁଷ୍ମାନ୍‌ଙ୍କ ପାଇଁ ଆଲୋକ ଓ ଅନ୍ଧକାର ଉଭୟବିଧ ରୂପେ ପ୍ରମାଣିତ ହୋଇ ନ ପାରେ, ସତ୍ୟ ସେହିପରି ବ୍ୟକ୍ତିଭେଦରେ, ସ୍ଥାନଭେଦରେ ମିଥ୍ୟାବୋଲି ପ୍ରମାଣିତ ହୋଇପାରେ ନାହିଁ ।

 

ସତ୍ୟ ସାଧନାର ବସ୍ତୁ, ଶିବ ଆରାଧନାର ବସ୍ତୁ, ସୁନ୍ଦର ଦର୍ଶନ ବା ଜ୍ଞାନର ବସ୍ତୁ । ଏମାନେ ସମସ୍ତେ ପରସ୍ପର ସାପେକ୍ଷ । ଗୋଟିଏ ଅନ୍ୟ ଦୁଇଟିର ସାପେକ୍ଷ ।

 

ସକଳ ଧର୍ମ, ସକଳ ମତରେ ଏହା ସମାନ-ଏହାର କ୍ଷୟ-ବୃଦ୍ଧି ନାହିଁ, ପରିବର୍ତ୍ତନ ନାହିଁ । ଯିସସ୍‍ କହିଲେ–‘‘Other sheep I have which are not of this fold.’’ କେବଳ ଖ୍ରୀଷ୍ଟାନ୍‌ ତାଙ୍କର ନୁହନ୍ତି, ଇହୁଦିମାନେ ମଧ୍ୟ ତାଙ୍କରି, ହିଦେନ ସମସ୍ତେ ତାଙ୍କରି । ସ୍ପିନୋଜା କହିଅଛନ୍ତି, ‘‘Religion is universal to the human race; wherever justice and charity have the force of law and ordinance, there is God’s kindness.’’ ଧର୍ମ ସମଗ୍ର ମାନବଜାତି ପାଇଁ ସମଭାବରେ ପରିବ୍ୟାପ୍ତ । ଯେଉଁଠାରେ ନ୍ୟାୟ ଓ କରୁଣା ଆଇନ କାନୁନ ପରି ଶକ୍ତିଶାଳୀ, ସେଠାରେ ହିଁ ଭଗବାନଙ୍କର ରାଜ୍ୟ ବିଦ୍ୟମାନ ।

 

ନିଜର ସଂକୀର୍ଣ୍ଣ ସ୍ୱାର୍ଥରୁ ମୁକ୍ତ ନ ହେଲେ ସତ୍ୟଦର୍ଶନ ସମ୍ଭବପର ହୁଏନାହିଁ । ମହାଭାରତ ଯୁଦ୍ଧର ଆରମ୍ଭରେ ଅର୍ଜ୍ଜୁନଙ୍କର ବିଷାଦଯୋଗ ଜାତ ହେଲା କାହିଁକି ? ଅର୍ଜ୍ଜୁନ ଜ୍ଞାନୀ । ନିଜର କ୍ଷୁଦ୍ର ସ୍ୱାର୍ଥପାଇଁ, ନିଜର ରାଜ୍ୟ ଭୋଗପାଇଁ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରଭୃତି ଆପଣାର ଗୁରୁ ଓ ଆପଣାର ପ୍ରିୟଜନଙ୍କୁ ତାଙ୍କୁ ହତ୍ୟା କରିବାକୁ ହେବ ।

 

ଅର୍ଜ୍ଜୁନଙ୍କର ବୈରାଗ୍ୟ ଜନ୍ମିଲା । ସମସ୍ତ ଅଙ୍ଗରେ ଅବସାଦ ଜାତ ହେଲା । ଗାଣ୍ଡୀବ ହସ୍ତରୁ ସ୍ଖଳିତ ହେଲା-

 

‘‘ନ କାଙ୍‌କ୍ଷେ ବିଜୟଂ କୃଷ୍ଣ ହତ୍ୱା ସ୍ୱଜନମାହବେ ।’’

 

ହେ କୃଷ୍ଣ, ଯୁଦ୍ଧରେ ସ୍ୱଜନନିଧନ କରି ମୁଁ ବିଜୟର ଅଭିଳାଷୀ ନୁହେଁ । ଶେଷ ! ମହାଭାରତ ଯୁଦ୍ଧ ଏହିଠାରେ ସ୍ଥଗିତ ହେବ । ଏତେବଡ଼ ବିପୁଳ ଆୟୋଜନ ଏହିଠାରେ ପଣ୍ଡ !

 

ସାରଥି ଯଦି ଏହିଠାରୁ ରଥ ଲେଉଟାଇ ନେଇଥାନ୍ତେ, ତେବେ ମଧ୍ୟ ମହାବୀର ଧନଞ୍ଜୟଙ୍କର ଏ ଆଦର୍ଶ ପୃଥିବୀର ଇତିହାସରେ ଅତ୍ୟୁଚ୍ଚ ଗୌରବମୟ ଚିହ୍ନ ସ୍ୱରୂପ ବିରାଜିଥାନ୍ତା । ‘ଅହିଂସା ପରମୋଧର୍ମଃ’ ପ୍ରଚାର କରିବାକୁ ଶାକ୍ୟସିଂହଙ୍କର ଆବିର୍ଭାବର ପ୍ରୟୋଜନ ନ ଥାନ୍ତା; କିନ୍ତୁ ସେଥିରେ ମଧ୍ୟ କ୍ଷତି ଘଟିଥାନ୍ତା–ଗୀତାପରି ଗ୍ରନ୍ଥଲାଭରୁ ଜଗତ୍‌ ବଞ୍ଚିତ ହୋଇଥାନ୍ତା ।

 

ଅର୍ଜ୍ଜୁନଙ୍କ ଉପରେ ପ୍ରଥମ ଯୁକ୍ତି ବର୍ଷିତ ହେଲା କ୍ଷତ୍ରିୟ ହୋଇ ଯୁଦ୍ଧଭୂମିରେ ତାଙ୍କର ଏପରି ଅବସାଦ ଅନାର୍ଯ୍ୟୋଚିତ ଓ କ୍ଳୀବତ୍ୱର ପରିଚାୟକ । ଅର୍ଜ୍ଜୁନଙ୍କ ସ୍ୱାର୍ଥ ସଂକୀର୍ଣ୍ଣତମ । ସେ ନିଜର ଏବଂ ଅନ୍ୟ ପାଞ୍ଚଭାଇ ପ୍ରଭୃତି ଏକାନ୍ତ ଆତ୍ମୀୟମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରିଅଛନ୍ତି ସତ୍ୟ; କିନ୍ତୁ ଗୁରୁଜନ ଓ ସ୍ୱଜନମାନଙ୍କ ପ୍ରତି ଯେ ସ୍ୱାଭାବିକ ମମତା, ସେଥିରୁ ଉତ୍ତୀର୍ଣ୍ଣ ହୋଇ ପାରିନାହାନ୍ତି-। ‘‘ଅହିଂସା ପରମୋ ଧର୍ମଃ’’–ଏ ଦୀକ୍ଷାରେ ସେ ଦୀକ୍ଷିତ ନୁହନ୍ତି ।

 

ପିତାମହ ଭୀଷ୍ମ, ଅସ୍ତ୍ରଗୁରୁ ଦ୍ରୋଣ ଏବଂ ଜ୍ୟେଷ୍ଠଭ୍ରାତା କର୍ଣ୍ଣ, ଦୁର୍ଯ୍ୟୋଧନ ପ୍ରଭୃତିଙ୍କ ବିରୁଦ୍ଧରେ ସେ ଯୁଦ୍ଧଭୂମିରେ ଦଣ୍ଡାୟମାନ, ଏହାହିଁ ତାଙ୍କର ଆକ୍ଷେପର କାରଣ ।

 

କିନ୍ତୁ ଏହା କ୍ଷତ୍ରିୟୋଚିତ ନୁହେଁ, ପୁରୁଷୋଚିତ ନୁହେଁ, ପୁରୁଷୋଚିତ ନୁହେଁ; ଏହା ଅନାର୍ଯ୍ୟୋଚିତ-କ୍ଳୀବତ୍ୱ ।

 

ଜଳଦଗମ୍ଭୀର ସ୍ୱରରେ ଗୀତାର ନିଃସାରଣ ହେଲା । ‘‘ହେ ଧନଞ୍ଜୟ ! ଉତ୍ତିଷ୍ଠ, ଯୁଦ୍ଧାୟ କୃତନିଶ୍ଚୟଃ’’-ହେ ଅନ୍ଧ ! ଚକ୍ଷୁ ଉନ୍ମୋଚନ କର ! ଏ କେଉଁ ରୂପ ଦର୍ଶନ କରୁଅଛ ? ଏଠାରେ କାହା ସହିତ କି ସମ୍ପର୍କ ? ଭୀଷ୍ମ, ଦ୍ରୋଣ, କର୍ଣ୍ଣ-କିଏ କାହାର ? ଜନ୍ମ କରୁଅଛି କିଏ, ମାରୁଅଛି କିଏ-? ହେ ସବ୍ୟଶାଚିନ୍‌, ତୁମେ ନିମିତ୍ତ ମାତ୍ର-ଯଥାର୍ଥକର୍ତ୍ତା ତୁମେ ନୁହ । ଏ ଅଭିମାନ ତୁମେ ତ୍ୟାଗକର-। ତୁମେ ହିଂସ୍ର ନୁହ, ଅହିଂସ ନୁହ, କର୍ତ୍ତା ନୁହ, କର୍ମ ନୁହ–ନିମିତ୍ତମାତ୍ର ତୁମେ ।

 

ଅର୍ଜ୍ଜୁନଙ୍କ ଦୃଷ୍ଟି ଖୋଲିଗଲା । ଚକ୍ଷୁ ସମକ୍ଷରେ ଯେ ସ୍ୱାର୍ଥ ମମତାର ଆବରଣ ଥିଲା, ତାହା ମୁହୂର୍ତ୍ତକେ ଅପସାରିତ ହେଲା । ସମଗ୍ର ବିଶ୍ୱ ଚିତ୍ରପଟ ପରି ଉଦ୍ଭାସିତ । ଅର୍ଜ୍ଜୁନଙ୍କର ଅହଂକାର କଣ ? ସେ କାହାକୁ ହତ୍ୟା କରିବାକୁ ଯାଉଅଛନ୍ତି ?

 

‘‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହ୍ନାତି ନରୋଽପରାଣି ।’’

 

ଆତ୍ମା ଅମର । ତାହାର ହତ୍ୟା ଅର୍ଜ୍ଜୁନଙ୍କ ହାତରେ ନାହିଁ; ସେ ବିଭିନ୍ନରୂପରେ ଜଗତରେ ଲୀଳାୟମାନ-ଏକରୂପ ପରିତ୍ୟାଗ କରି ସ୍ୱଚ୍ଛନ୍ଦରେ ଅନ୍ୟରୂପରେ କ୍ରୀଡ଼ାକରେ । ମୃତ୍ୟୁ ଗୋଟାଏ ସାମାନ୍ୟ ପରିବର୍ତ୍ତନ ମାତ୍ର । ପୁରାତନ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ଗ୍ରହଣ କରିବା ପରି ଆତ୍ମା ଏକ ଶରୀର ତ୍ୟାଗକରି, ଅନ୍ୟ ଶରୀର ସୃଷ୍ଟିକରେ । ଟେମ୍ପେଷ୍ଟର ଜଳମଗ୍ନ ମୃତମାନଙ୍କୁ ଉଦ୍ଦେଶ୍ୟ କରି କବି ସେକ୍‌ସପିଅର କହିବା ପରି–But hath suffer a sea-change.

 

ଅର୍ଜ୍ଜୁନଙ୍କର ଯୁଦ୍ଧରେ ଉଦ୍ଦେଶ୍ୟ କଣ ? ସିଂହାସନ ଲାଭ, ରାଜ୍ୟଭୋଗ ? ଏହି ସ୍ୱାର୍ଥ ଆଶାରେ ସେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ?

 

ନାହିଁ ! ଲାଭ, ଅଲାଭ, ଜୟ, ପରାଜୟ-ସକଳ କ୍ଷେତ୍ରରେ ତାଙ୍କୁ ସମଭାବ ଗ୍ରହଣ କରିବାକୁ ହେବ–‘‘କର୍ମଣ୍ୟେବାଧି-କାରସ୍ତେ ମା ଫଳେଷୁ କଦାଚନ ।’’ ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ-। ବାସ୍‌ ସେହି ପର୍ଯ୍ୟନ୍ତ । ଆଉ କାହିଁରେ ତମର ଅଧିକାର ନାହିଁ । ଯୁଦ୍ଧରେ ଜୟଲାଭ କର ଅଥବା ପରାଜିତ ହୁଅ, ଜାଜ୍ୟଲାଭ କର ବା ହରାଅ, ସେ ବିଷୟରେ ବିଚାର ତମ ହାତରେ ନାହିଁ ।

 

‘‘ହତୋ ବା ପ୍ରାପ୍‌ସ୍ୟସେ ସର୍ଗଂ ଜିତ୍ୱା ବା ଭୋକ୍ଷସେ ମହୀମ୍‌ ।’’

 

ସୁତରାଂ ତୁମ ପକ୍ଷରେ ଜୟ ଯାହା, ପରାଜୟ ତଦପେକ୍ଷା ମହତ୍ତର; ମଲେ ସ୍ୱର୍ଗବାସ, ଜିତିଲେ ପୃଥିବୀର ଅଧିପତି । ଏ ସମରରେ ତୁମର କାହାପ୍ରତି ହିସାଂ ନାହିଁ, ଈର୍ଷା ନାହିଁ, ଦ୍ୱେଷ ନାହିଁ । ତୁମେ ରକ୍ତପାତ କରିବ, ଅନ୍ୟର ହତ୍ୟାବିଧାନ କରିବ, ତଥାପି ତୁମେ ସଂପୂର୍ଣ୍ଣ ଅହିଂସ । ଋଣକ୍ଷେତ୍ରରେ ପୃଷ୍ଠଭଙ୍ଗ ଦେବା ଅହିଂସ ଭାବର ପରିଚାୟକ ନୁହେଁ-ତାହା କ୍ଳୀବତ୍ୱ ।

 

କିନ୍ତୁ ତୁମେ ରକ୍ତପାତ କରିବ, ଅନ୍ୟର ହତ୍ୟାବିଧାନ କରିବ, ତଥାପି କହିବ-‘‘ ଅହିଂସା ପରୋମ ଧର୍ମଃ ।’’

 

ହଁ, ତଥାପି କହିବ, ଅହିଂସା ପରମୋ ଧର୍ମଃ । କାରଣ, ଏଠାରେ ‘ତୁମେ’ ହୋଇ କେହି ନାହିଁ, ‘ଅନ୍ୟ’ ହୋଇ କେହି ନାହିଁ । ତୁମେ ମୁକ୍ତ–ତୁମର ଆତ୍ମପର ନାହିଁ, ଭେଦବୁଦ୍ଧି ନାହିଁ । ତୁମେ ନିର୍ଲିପ୍ତ–ତୁମର କାହାରି ପ୍ରତି ହିସାଂ ନାହିଁ ।

 

ଏ ଯୁଦ୍ଧରେ ତୁମର ନିଜର କୌଣସି ସ୍ୱାର୍ଥ ନାହିଁ–ଜୟ-ପରାଜୟ, ଜୀବନମୃତ୍ୟୁ ତୁମ ପକ୍ଷରେ ସମାନ । ତେବେ ଯୁଦ୍ଧର ପ୍ରୟୋଜନ କଣ ?

 

ଯୁଦ୍ଧର ପ୍ରୟୋଜନ ! ଯୁଦ୍ଧର ପ୍ରୟୋଜନ ତୁମ ସ୍ୱାର୍ଥ ପାଇଁ ନୁହେଁ, ବିଶ୍ୱର ସ୍ୱାର୍ଥ ପାଇଁ, ବିଶ୍ୱର କଲ୍ୟାଣ ପାଇଁ । ହେ ଧନଞ୍ଜୟ, ଗାଣ୍ଡୀବ ଉତ୍ତୋଳନ କର–ଦୁର୍ଯ୍ୟୋଧନ, ଦ୍ରୋଣ, କର୍ଣ୍ଣ ବିରୁଦ୍ଧରେ ନୁହେଁ–ଅନ୍ୟାୟ, ଅତ୍ୟାଚାର ଓ କୁଶାସନ ବିରୁଦ୍ଧରେ । କୁରୁକ୍ଷେତ୍ର ଧର୍ମକ୍ଷେତ୍ର, ଭାରତଯୁଦ୍ଧ, ଧର୍ମଯୁଦ୍ଧ; ସେଥିରେ ତୁମର ମୃତ୍ୟୁ ଶ୍ରେୟ, ଜୀବନ ଶ୍ରେୟ, ଜୟ ଶ୍ରେୟ, ପରାଜୟ ଶ୍ରେୟ ।

 

ଯେଉଁଠାରେ ଧର୍ମର ଗ୍ଳାନି, ଅସତ୍ୟର ରାଜତ୍ୱ-ସେଠାରେ ମୁଁ ଆପଣାକୁ ସୃଷ୍ଟି କରେ । ହେ ପାର୍ଥ, ଏଥିପାଇଁ ଆଜି ଯୁଦ୍ଧର ପ୍ରୟୋଜନ । ଅସତ୍ୟ ଅନ୍ୟାୟର ଧ୍ୱଂସ-ସତ୍ୟ-ଶିବ-ସୁନ୍ଦରର ପ୍ରତିଷ୍ଠା ପାଇଁ ଯୁଦ୍ଧର ପ୍ରୟୋଜନ । ଏଠାରେ ଯୁଧିଷ୍ଠିର, ଭୀମ, ଅର୍ଜ୍ଜୁନ, ନକୁଳ, ସହଦେବ ଏକପକ୍ଷ, କିମ୍ବା ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ, ଦୁର୍ଯ୍ୟୋଧନ, ଦୁଃଶାସନ ଅନ୍ୟପକ୍ଷରେ ନାହାନ୍ତି । ଏଠାରେ ଏକ ପକ୍ଷରେ ସତ୍ୟ, ଅନ୍ୟ ପକ୍ଷରେ ଅସତ୍ୟ; ଏକ ପକ୍ଷରେ ଶିବ, ଅନ୍ୟ ପକ୍ଷରେ ଅଶିବ; ଏକ ପକ୍ଷରେ ସୁନ୍ଦର, ଅନ୍ୟ ପକ୍ଷରେ ଅସୁନ୍ଦର ।

 

ଯେତେବେଳେ ଧର୍ମର ଗ୍ଳାନି, ଅଧର୍ମର ଅଭ୍ୟୁତ୍‌ଥାନ ହୁଏ, ସେହି ସନ୍ଧିକ୍ଷଣରେ ମୁଁ ଆତ୍ମପ୍ରକାଶ କରେ । କୁରୁସଭାତଳେ ଭାରତର ସାଧ୍ୱୀ ମହିମମୟୀ ନାରୀର ମର୍ଯ୍ୟାଦା ଉପରେ ଯେତେ ବେଳେ ଆଘାତ ଆସେ, ସେତେବେଳେ ମୁହିଁ ତାର ସମ୍ମାନ ରକ୍ଷା କରେ । ଦୁଷ୍ଟର ବିନାଶ, ସାଧୁର ପରିତ୍ରାଣ, ସତ୍ୟ ଓ ଧର୍ମର ପ୍ରତିଷ୍ଠା-ଏଥିପାଇଁ ଯୁଗେଯୁଗେ ମୋତେ ଧରାବକ୍ଷରେ ଅବତୀର୍ଣ୍ଣ ହେବାକୁ ହୁଏ । ହେ ସବ୍ୟଶାଚିନ୍‌, ତୁମେ ନିମିତ୍ତମାତ୍ର-ଧନୁଶର ଉତ୍ତୋଳନ କର !

 

ଅର୍ଜ୍ଜୁନଙ୍କ ଦୃଷ୍ଟି ଫେରିଗଲା । ସେ ଯେଉଁ ରୂପ ସନ୍ଦର୍ଶନ କଲେ, ତାହା ନିକଟରେ ସିଂହାସନ, ରାଜ୍ୟ, ଭୋଗବିଳାସ, ଜୟ, ପରାଜୟ ସମସ୍ତ ତୁଚ୍ଛ । ଆଶ୍ଚର୍ଯ୍ୟ !

 

ଯେଉଁ ସତ୍ୟ, ଯେଉଁ ଶିବ ଓ ସୁନ୍ଦରର ପ୍ରତିଷ୍ଠା ପାଇଁ ଅର୍ଜ୍ଜୁନଙ୍କ ଅବସାଦ ଦୂର ହେଲା, ସେ ବୀରବିକ୍ରମରେ ଧନୁଶର ଉତ୍ତୋଳନ କରି ସମରପ୍ରାଙ୍ଗଣରେ ଅବତୀର୍ଣ୍ଣ ହେଲେ, ସେହି ସତ୍ୟର ପ୍ରତିଷ୍ଠା ପାଇଁ ଯୁଧିଷ୍ଠିରଙ୍କୁ ମିଥ୍ୟା କହିବାକୁ ହେଲା ।

 

ସତ୍ୟର ଅତି ନିକଟତମ ମିଥ୍ୟା । ହଁ, ଅଶ୍ୱତ୍‌ଥାମା ମରିଛି ସେ କିନ୍ତୁ ମନୁଷ୍ୟ ହୋଇପାରେ । ସନ୍ଦେହାତ୍ମକ-ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ । ବୃହତ୍ତର ସତ୍ୟ ପାଇଁ କ୍ଷୁଦ୍ରତର ସତ୍ୟକୁ ଧର୍ମରାଜ ଯୁଧିଷ୍ଠିର ଉତ୍ସର୍ଗ କଲେ । ନିଜେ ଆଜୀବନ ମିଥ୍ୟା କହି ନାହାନ୍ତି । କିନ୍ତୁ ଏହି ଯେ ବିଶ୍ୱର କଲ୍ୟାଣ ପାଇଁ ତାଙ୍କୁ ମଧ୍ୟ ମିଥ୍ୟା କହିବାକୁ ହେଲା; ଏହା ତାଙ୍କ ପକ୍ଷରେ ଅଳ୍ପ ତ୍ୟାଗ ନୁହେଁ । ଯୁଧିଷ୍ଠିରଙ୍କ ମିଥ୍ୟାବାକ୍ୟରେ ଜଗତର ମଙ୍ଗଳର ପ୍ରତିଷ୍ଠା, ସତ୍ୟର ପ୍ରତିଷ୍ଠା ହେଲା । ବ୍ୟକ୍ତିଗତ ଭାବରେ ଏହି ମିଥ୍ୟାଭାଷଣ ପାଇଁ ତାଙ୍କୁ ପୁରସ୍କାର ମିଳିଲା ନରକଦର୍ଶନ । ଏକ ଦିଗରେ ଯୁଧିଷ୍ଠିରଙ୍କର ନରକଦର୍ଶନ; ଅପର ଦିଗରେ ଦେଶରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା–ଦୁଇଦିଗ ତୁଳନା କଲେ ମନେହୁଏ, ସମୂହର କଲ୍ୟାଣ ଉଦ୍ଦେଶ୍ୟରେ ଅଧିକ ମିଥ୍ୟା କହି ତାଙ୍କୁ ଯଦି ନରକପତନ ଦଶା ଘଟିଥାନ୍ତା, ତେବେ ମଧ୍ୟ ସେ ତାହା ବରଣ କରିବାକୁ ପଶ୍ଚାଦ୍‌ପଦ ହୋଇ ନଥାନ୍ତେ ।

Image

 

ତ୍ୟାଗ ଓ ପ୍ରେମ

 

ତ୍ୟାଗ ଓ ପ୍ରେମ ଦୁଇଟା ଅଭେଦବସ୍ତୁ । ଯେଉଁଠାରେ ପ୍ରେମ ନାହିଁ ସେଠାରେ ତ୍ୟାଗ ନାହିଁ । ବିପରୀତ ଦିଗରୁ ଦେଖିଲେ ମଧ୍ୟ ଠିକ୍‌ ସେହିପରି ।

 

ମନୁଷ୍ୟ ଯେତେଦିନ ନିଜକୁ ସ୍ୱତନ୍ତ୍ରରୂପରେ ପ୍ରେମ କରେ, ସେତେଦିନ ସେ ତ୍ୟାଗ କରିପାରେ ନିଜପାଇଁ–ବର୍ତ୍ତମାନକୁ ତ୍ୟାଗ କରିପାରେ ଭବିଷ୍ୟତ ପାଇଁ-ବର୍ତ୍ତମାନର ନିଜକୁ ତ୍ୟାଗ କରିପାରେ ଭବିଷ୍ୟତର ନିଜପାଇଁ–ବର୍ତ୍ତମାନର ସୁଖସମ୍ଭୋଗ ତ୍ୟାଗ କରିପାରେ ଭବିଷ୍ୟତର ସଞ୍ଚୟ ପାଇଁ । ସେଠାରେ ସ୍ୱାର୍ଥଲାଭ ଆଶାରେ ସ୍ୱାର୍ଥତ୍ୟାଗ । ଆଉ ଟିକିଏ ନିରେଖି ଦାଖିଲେ ସେ ତ୍ୟାଗ ସ୍ୱାର୍ଥର ନାମାନ୍ତର ମାତ୍ର, ରୁପାନ୍ତର ମାତ୍ର ।

 

ନାରୀପୁରୁଷର ପ୍ରେମ ଯେତେଦିନ ଏହିପରି ଲାଭ ଆଶାରେ ତ୍ୟାଗ ସ୍ୱୀକାର କରେ, ସେ ତ୍ୟାଗ ନୁହେଁ-ସ୍ୱାର୍ଥର ରୁପାନ୍ତର ମାତ୍ର, ନାମାନ୍ତର ମାତ୍ର । ମନୁଷ୍ୟ ସେତେବେଳେ ନିଜର କ୍ଷୁଦ୍ର ସୀମା ଭିତରେ ଆବଦ୍ଧ । ନିଜପ୍ରତି ପ୍ରେମବଶତଃ ତ୍ୟାଗକରେ ନିଜପାଇଁ । ସେତେବେଳେ ସେ ନିଜକୁ ଏକାକୀ ପଥର ପଥିକ କରି ଦେଖେ ସେ ତାହାର ଦୈନ୍ୟ, ସୁତରାଂ ଦୁଃଖ ।

 

କିନ୍ତୁ ଯେତେବେଳେ ସେ ନିଜକୁ ବହୁ ମଧ୍ୟରେ ଅନୁଭବ କରେ, ସେତେବେଳେ ତାହାର ପ୍ରେମ ବହୁ ମଧ୍ୟରୁ ନିଜକୁ ଫେରିପାଏ । ଅଥଚ ସ୍ୱତନ୍ତ୍ରରୂପରେ ନିଜକୁ ଦେଖିବାରେ ସେ ନିଜକୁ ଦେଖିବାରେ ସେ ନିଜକୁ ଲାଭକରେ ନାହିଁ, ହଜାଇ ବସେ ।

 

ନିଜର ସଂକୀର୍ଣ୍ଣ ଗଣ୍ଡି ଭେଦକରି ଯେତେବେଳେ ସେ ଜଗତକୁ ପ୍ରେମକରେ, ସେତେବେଳେ ଦେଖେ ସେ ନିଜକୁ ଜଗତ୍‌ ଆକାରରେ ପ୍ରେମ କରୁଛି । ଏହି ସମଦର୍ଶନ ଯେଉଁ ପ୍ରେମରେ ଅନୁସୃତ, ତାହା ବିଶ୍ୱବିସ୍ତୃତ-ବିରାଟ ।

 

ବୋୟେରଙ୍କର (Johan Bojer) ପିୟରର (Peer) ଯେ ଅନନ୍ତ କ୍ଷୁଧା (Great Hunger) ତାହାର ପରିଣତି ହୋଇଛି ଏହି ତ୍ୟାଗ ଅଥବା ପ୍ରେମରେ ।

 

ପିତୃମାତୃହୀନ ଦରିଦ୍ର କୃଷକବାଳକ ବୃଦ୍ଧି ଓ ବାହୁବଳରେ ସମାଜର ଉଚ୍ଚତମ ସୋପାନ ଉଠିଗଲା । ଦେଶବିଖ୍ୟାତ ଧନିକର କନ୍ୟାକୁ ପତ୍ନୀ ରୂପରେ ଲାଭକଲା । ପୁଣି ଦିନେ ଆକସ୍ମିକ ଭାବରେ ତାହାର ପତନ । ଜଗଦ୍‌ ବିଖ୍ୟାତ୍‌ ଇଞ୍ଜିନିୟରର ବହୁମୂଲ୍ୟ ହର୍ମ୍ୟର ପତନ ଘଟିଲା ଏକାବେଳକେ କୃଷକର କୁଟୀର ମଧ୍ୟରେ ।

 

ମୁହୁର୍ମୁହୁ ଭୀଷଣ ପରିଣତି । ବିପୁଳ ବିଳାସମୟ ଜୀବନରୁ ଓହ୍ଲାଇ ଆସିଛି ଦାରିଦ୍ର୍ୟର ନିମ୍ନତମ ସୋପାନକୁ ! ଅତିରିକ୍ତ ଉପଭୋଗରୁ ଏକାବେଳକେ ରିକ୍ତତା । ଏତେବଡ଼ ପରିବର୍ତ୍ତନ ପାଇଁ ଆଗରୁ କେହି ପ୍ରସ୍ତୁତ ରହିପାରେ ନାହିଁ । ସହସ୍ର ମେସିନ୍‌ ଚକ୍ର ତାହା ମସ୍ତକରେ ଅହରହ ଘର୍‌ଘର୍‌ ଶଦ୍ଦକରି ଘୂରିବାକୁ ଲାଗିଲା । ସେ ଭୂପୃଷ୍ଠରେ ବସି ଶୂନ୍ୟଦୃଷ୍ଟିରେ ସେହି ଶଦ୍ଦ ଶୁଣୁଛି । ସମ୍ମୁଖରେ ପତ୍ନୀ ଚିତ୍କାର କରୁଛି-ପିୟର ! ପ୍ରାଣର ପ୍ରିୟର ! ସେ କିନ୍ତୁ କିଛି ଦେଖୁପାରିନାହିଁ-କିଛି ଶୁଣିପାରୁ ନାହିଁ ।

 

ପିୟରର ଯେପରି ପରିବର୍ତ୍ତନ, ସେଥିରେ ମନୁଷ୍ୟ ବାତୁଳ ନ ହୋଇ ସ୍ଥିର ରହିବା ସହଜ ନୁହେଁ । ସେଥିପାଇଁ ସେ ନଗର ତ୍ୟାଗକରି ପଲ୍ଲୀରେ ବାସ କରିଛି–ଗୋଟିଏ ସାମାନ୍ୟ କୃଷକ ରୂପରେ । ଏହି ଅବସ୍ଥାରେ ତାହାର ଦିଓଟି କନ୍ୟା ଓ ଗୋଟିଏ ପୁତ୍ର ଚିତ୍ତନୋଦନର ସାମଗ୍ରୀ–କିନ୍ତୁ ତାହା ମଧ୍ୟ ବେଶି ଦିନ ପାଇଁ ନୁହେଁ ।

 

ତାହାର ଶ୍ୱଶୁରର ଭଗିନୀ ନିଃସନ୍ତାନ, ପ୍ରଭୃତି ସମ୍ପତ୍ତି । ପ୍ରସ୍ତାବ ଆସିଲା-ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟାର ଶିକ୍ଷା ଓ ପାଳନ ଭାର ଏହି ଆତ୍ମୀୟ ହାତରେ ଦେବାକୁ ହବ । ପିତାର ସ୍ନେହ ଏ ଦୀନତା କିପରି ସ୍ୱୀକାର କରିବ ! କିନ୍ତୁ ନା, ଏଥିପାଇଁ ଲଜ୍ଜା ନାହିଁ-ସନ୍ତାନର ଯେ ଭବିଷ୍ୟତ ଅଛି-। ସେ ବଡ଼ହେଲେ ତାର ପିତାକୁ କଣ ଭାବିବ !

 

ବର୍ତ୍ତମାନ ତାହାର ଏକମାତ୍ର ନୟନମଣି ପାଞ୍ଚବର୍ଷର ଆସ୍ତା । ପତ୍ନୀ ମାର୍ଲ କହେ, ଆସ୍ତାର ଗୋଟିଏ ଖେଳନା ଦରକାର । ପିୟର ଶୂନ୍ୟଦୃଷ୍ଟିରେ ସ୍ତ୍ରୀ ମୁଖକୁ ଚାହିଁ ଭାବେ, ସତକଥା ତ, ଗୋଟିଏ ଖେଳନା ଦରକାର ।

 

ପିୟର ତାହାର ମସ୍ତିଷ୍କର ବିକାର ରୋଧକରିବା ପାଇଁ ନିଜକୁ କାମରେ ଲଗାଏ । ମାର୍ଲ କୃଷକ ରମଣୀର ପରିଚ୍ଛଦରେ ଗୃହର ସମସ୍ତ କାର୍ଯ୍ୟ କରିଯାଏ ।

 

ପିୟର ମୁଣ୍ଡିଆରୁ ପଥର ତାଡ଼ିଥିବା ବେଳେ ଆସ୍ତା ଆସି କହେ, ‘‘ବାପା ଖାଇବାକୁ ଯିବନାହିଁ କି ? ବାପା, କେତେବେଳେ ହେଲାଣି, ଆଜି ଗାଧୋଇବ ନାହିଁ କି ?’’ ଏ ତ ପ୍ରଶ୍ନ ନୁହେଁ, ହୁକୁମ । ଏ ହୁକୁମ୍‌ କିନ୍ତୁ ପିୟର ଜୀବନରେ ସର୍ବଶ୍ରେଷ୍ଠ ଲାଭ ।

 

ସେହି ଆସ୍ତା କେବଳ ଆଳୁ ଓ ଦଧିମିଶ୍ରିତ ଅତି ଦୀନ ଖାଦ୍ୟକୁ ପିତା ନିକଟରେ ବସି ବହୁମୂଲ୍ୟ ସାମଗ୍ରୀ ପରି ଉପଭୋଗ କରେ ।

 

କିନ୍ତୁ ତାହା ମଧ୍ୟ ଚିରଦିନ ନୁହେଁ । ବେଜିୟାରର ବୁଲ୍‌ଡ଼ଗ ଦ୍ୱାରା ଆସ୍ତା ଆଜି ନିହତ । ବେଜିୟାର ଜଣେ ପଡୋଶୀ କୃଷକ । ଆସ୍ତାର ଅପରାଧ, ସେ ତାହାର ବଗିଚା ଭିତରୁ ତଳେ ପଡ଼ିଥିବା କୋଳି ଦୁଇଟି ଗୋଟାଉ ଥିଲା । ଏହି ଅସହାୟ ଶିଶୁ ଉପରେ ବେଜିୟାର ତାହାର ନୃଶଂସ ବୁଲ୍‌ଡ଼ଗକୁ ଲଗାଇ ଦେଲା । ତାହାର ନିର୍ମମ ସ୍ୱାର୍ଥ ଭିତରେ କୋମଳତାର ଟିକିଏ ଫାଁକ୍‌ ନାହିଁ । ଆସ୍ତା ନୀରବରେ ପଡ଼ିରହିଲା । ମାର୍ଲ ଦୂରରୁ ଧାଇଁ ଆସିଲା । ଜନନୀର ବିକଳ ଚିତ୍କାର ଶୁଣି ପିୟର ଅସ୍ତବ୍ୟସ୍ତ ହୋଇ ଆସି ଦେଖେ, ଗୋଟିଏ ଛୋଟଲୁଗା ମେଞ୍ଚା ଉପରେ ଏକ ଭୀଷଣ ଜାନୁଆର, ଏବଂ ତାପରେ ? –ତା ପରେ ମାର୍ଲ କହେ, ସେହି ଜାନୁଆର ମୁଖରୁ ସେ ତାହାର ଆସ୍ତାକୁ ଛଡ଼ାଇ ଆଣିଥିଲା ।

 

ଆାସ୍ତାପାଇଁ ଡାକ୍ତର ଅଣାଗଲା । ଡାକ୍ତର ମାତୃ ହୃଦୟର ଲୋତକ କରିପାରିଲେ ନାହିଁ-

 

ତତ୍ପରେ ଜନନୀ ଅନ୍ତରର ବ୍ୟଥାର ଅଭିନୟ । କି କରୁଣ ସେ-କି ମର୍ମନ୍ତୁଦ ! ସେହି ଅତି ନିଦାରୁଣ ସତ୍ୟ-ମୃତ୍ୟୁକୁ ସ୍ୱଚକ୍ଷୁରେ ଦେଖି ମଧ୍ୟ ଜନନୀପ୍ରାଣ ବିଶ୍ୱାସ କରିପାରୁ ନାହିଁ । ସେଥିପାଇଁ ଏକ ସମୟରେ ଏହି ଦେଶବିଖ୍ୟାତ ଧନୀର କନ୍ୟା ଓ ମହାବିଭବଶାଳୀ ସ୍ୱାମୀର ସହଧର୍ମିଣୀ ଦରିଦ୍ର କର୍ମକାରର ପତ୍ନୀବେଶରେ ବାରମ୍ବାର ଡାକ୍ତରର ଦ୍ୱାରସ୍ଥ ହୋଇ କାକୁତି କରୁଛି-ଆଉ ଥରେ ପରୀକ୍ଷା କର ! ନା, ନା, ଆସ୍ତା ମରିନାହିଁ । ଧନସମ୍ପଦ ମିଥ୍ୟା ହୋଇପାରେ; କିନ୍ତୁ ଆସ୍ତା କିପରି ମିଥ୍ୟା ହେବ !

 

ଆଉ ପିୟର–ସେ ଶୂନ୍ୟଦୃଷ୍ଟିରେ ଝରକା ବାଟେ ପଦାକୁ ଚାହିଁ ରହିଛି ଏବଂ ପର ପର ହୋଇ ବାୟସ୍କୋପର ଛବିପରି କେତେ ଚିତ୍ରପଟ ତାହାର ଦୃଷ୍ଟି ଅତିକ୍ରମ କରି ଯାଉଛି–ତାହାର ବାଲ୍ୟ, ତାହାର ଯୌବନ, ତାହାର ଆଶା ଆନନ୍ଦ, ତାହାର ଦୁଃଖ ଓ ଦାରିଦ୍ର୍ୟ ।

 

ବେଜିୟାର ନରପିଶାଚ । ସବୁବେଳେ ସେ ଶଙ୍କାନ୍ୱିତ । ତାହାର ଗ୍ରାସ ଅପର କେହି ଅପହରଣ କରୁଛି । ନିରୀହ ପିୟର ଉପରେ ସେ ଅକାରଣ ଶତ୍ରୁତା କରିଛି । ବିନାକାରଣରେ ସେ ଦିନେ ପିୟର ଉପରକୁ ମଧ୍ୟ ତାହାର ବୁଲ୍‌ଡ଼ଗ ଲଗାଇ ଦେଇଛି ଓ ତାହାର ସ୍ନେହର ଦୁଲାଳୀ ଆସ୍ତାର ମୃତ୍ୟୁର କାରଣ ହୋଇଛି ।

 

ତଥାପି ସେ କ୍ଷମାର ପାତ୍ର, ଦୟାର ପାତ୍ର । ପିୟରର ଆତ୍ମପ୍ରେମ ବିଶ୍ୱପ୍ରେମରେ ପରିଣତ ହୋଇଅଛି । ତାହାର ଆତ୍ମୋନ୍ନତି, ତାହାର ଖ୍ୟାତି ଧନସମ୍ପଦ ଭୂମିସାତ୍‌ ହୋଇ ଜଗତ୍‌ମୟ ବ୍ୟାପ୍ତ ହୋଇ ପଡ଼ିଛି । ସେ ନିଜକୁ ବିଶ୍ୱପାଇଁ ତ୍ୟାଗ କରି ଶିଖିଛି, ଯେହେତୁ ସେ ନିଜକୁ ବିଶ୍ୱରୂପରେ ଦର୍ଶନ କରି ପାରିଛି ।

 

ମନୁଷ୍ୟ ମନୁଷ୍ୟ ମଧ୍ୟରେ ପ୍ରତିଯୋଗିତା, ରକ୍ତାରକ୍ତି, ଈର୍ଷା ଓ ପ୍ରବଞ୍ଚନା ଅବଲୋଚନ କରି ଅନୁକମ୍ପାରେ ପିୟରର ପ୍ରାଣ ଆପ୍ଳୁତ । ତାହାର ହୃଦୟଦେବତା ଜାଗ୍ରତ ହୋଇ ଉଠିଛନ୍ତି; ସେ ଭଗବାନ ବିଶ୍ୱାସ କରେନାହିଁ, କିନ୍ତୁ ମନୁଷ୍ୟକୁ ବିଶ୍ୱାସ କରେ-ତାହାର ଶକ୍ତି, ତାହାର ସାହସ, ତାହାର ଦୟା, ତାହାର ଦାକ୍ଷିଣ୍ୟ, ତାହାର ପ୍ରେମ, ତାହାର ଦେବତ୍ୱ... ।

 

କିନ୍ତୁ ହାୟ ! ଏହି ଅସୀମ କ୍ଷମତାପୂର୍ଣ୍ଣ ଜୀବ ଆପଣାର ଚତୁଃପାର୍ଶ୍ୱରେ ହାହାକାରମୟ ରକ୍ତଲାଳସାର ସୃଷ୍ଟିକରି ସେଥିରେ ହିଁ ନିଜକୁ ଆବଦ୍ଧ ରଖିଛି ।

 

ଆଜୀବନ ଏହି ଶକ୍ତିର ଉପାସନା କରି ପିୟର କେତେ ଜଡ଼ ପ୍ରାସାଦହର୍ମ୍ୟର ସୃଷ୍ଟି କରିଛି-ମାନବର ଐନ୍ଦ୍ରଜାଲିକ ଶକ୍ତି ପ୍ରଦର୍ଶନ କରି ଶେଷରେ ସେ ପରାସ୍ତ ହୋଇଛି । ତାହାର ସମସ୍ତ କୌଶଳ ସମସ୍ତ ବୁଦ୍ଧି ପରାଜିତ ।

 

ତେବେ ସେ ଜୀବନ-ଯୁଦ୍ଧରେ ଜୟୀ, ନା ପରାସ୍ତ ? ନା, ନା; ସେ ପରାସ୍ତ ହେବାକୁ ଆସିନାହିଁ–ଜୟୀ, ଜୟୀ-ଚିରକାଳ ଜୟୀ !

 

ଏତେଦିନ ସେ ଲୌହ ପାଷାଣ ରାଜ୍ୟର ନିର୍ଜୀବ ଅଟ୍ଟାଳିକା, ସୁଡ଼ଙ୍ଗ ସୃଷ୍ଟିକରି ଆସିଛି । ଆଜି ସେ ସଜୀବ ମନୁଷ୍ୟ ରାଜ୍ୟରେ ଦେବତାର ସୃଷ୍ଟି କରିବ । ଏହି ତାହାର ଅନନ୍ତ ବୁଭୁକ୍ଷା (Greater Hunger) ।

 

ପିୟରର ପ୍ରାଣ ଅନନ୍ତକ୍ଷୁଧାରେ କ୍ଷୁବ୍‌ଧ ହୋଇ ଉଠିଲା, ଏହି କୋଟିକୋଟି ଈର୍ଷା; ଦ୍ୱେଷ, ଦୁଃଖ, ଦୈନ୍ୟପୂର୍ଣ୍ଣ ପିଶାଚଗଣ ମଧ୍ୟରେ ଭଗବାନଙ୍କର ସୃଷ୍ଟି କରିବାପାଇଁ -ଏହି ଦୁଃଖ ଓ ଗ୍ଳାନିର ରାଜ୍ୟକୁ ଟିକିଏ ଆନନ୍ଦର କଣା ଆଣିବାଲାଗି; ଏହି ଈର୍ଷାଦ୍ୱେଷ ଉପରେ ପ୍ରେମର ଟିକିଏ ପ୍ରାଣର ସ୍ପର୍ଶ ଲଗାଇବାକୁ ।

 

ପ୍ରିୟର ଚକ୍ଷୁର ଆବରଣ ଖୋଲି ଯାଇଛି । ନିଜ ପ୍ରେମକୁ ବିଶ୍ୱପ୍ରେମରେ ସେ ଉପଲବ୍‌ଧି କରିଛି ।

 

ଏହି ପ୍ରେମ ତାହାର ସକଳ ରିକ୍ତତାକୁ ଐଶ୍ୱର୍ଯ୍ୟ ମଣ୍ଡିତ କରିଛି । ସେ ତାହାର ସକଳ ବ୍ୟର୍ଥତାକୁ ତ୍ୟାଗର ମାହାତ୍ମ୍ୟରେ ଭୂଷିତ କରିଛି । ସେ ତାହାର ସକଳ ବିଭବ, ସକଳ ସ୍ୱାଚ୍ଛନ୍ଦ୍ୟରୁ ବିଚ୍ୟୁତି ହୋଇଛି । ସେଥିପାଇଁ ଦୁଃଖ ନାହିଁ । ତାହାର ପୁତ୍ରକନ୍ୟା ବାରମ୍ବାର ସେହି ଦୀନକୁଟୀରକୁ ଫେରି ଆସିବାକୁ ମିନତି କରିଛନ୍ତି । ସେମାନଙ୍କ ଭବିଷ୍ୟତ୍‌ ପାଇଁ ସେ ସେମାନଙ୍କୁ ତ୍ୟାଗ କରିଛି–ସେଥିପାଇଁ ଅନୁଶୋଚନା ନାହିଁ । ସ୍ନେହର ଦୁଲାଳୀ ଆସ୍ତା ନୃଶଂସ ଭାବରେ ନିହତ ହୋଇଛି–ସେଥିପାଇଁ ତାହାର ଦ୍ୱେଷ ନାହିଁ ।

 

ଆଉ କଣ ? ଆଉ ମାର୍ଲ, ତାହାର ସୁଖଃଦୁଖର ସଙ୍ଗିନୀ ମାର୍ଲ–ଦୈନ୍ୟନିପୀଡ଼ିତ ହୋଇ ଦିନକୁଦିନ ସେ ଦ୍ରୁତଗତିରେ ବାର୍ଦ୍ଧକ୍ୟ ଆଡ଼କୁ ଅଗ୍ରସର ହେଉଛି; ତାର ସୌନ୍ଦର୍ଯ୍ୟ ତିଳେତିଳେ ବିନାଶ ପଥରେ–ଭାଲଦେଶରେ ଦୁଶ୍ଚିନ୍ତାରେ ରେଖାପାତ, ଅଧର ମଳିନ, ଚକ୍ଷୁ ତେଜୋହୀନ, ସର୍ବାଙ୍ଗ କ୍ଷୀଣ; କିନ୍ତୁ ପିୟରଚକ୍ଷୁରେ ତାହାର ସୌନ୍ଦର୍ଯ୍ୟ ଆଜି ଜଗତରେ ଅତୁଳନୀୟ-। ସେ ସୌନ୍ଦର୍ଯ୍ୟ ମାର୍ଲର ଯୌବନରେ ମଧ୍ୟ ସେ ଦେଖି ନ ଥିଲା ।

 

ବାକୀ ଅଛି ବେଜିୟାର–ତାହାର ସନ୍ତାନହନ୍ତା । ବିନାକାରଣରେ ସେ ପିୟରପ୍ରତି ଶତ୍ରୁତାଚରଣ କରିଛି–ପ୍ରତିହିଂସା ! ବେଜିୟାର ତାହାର କଟା ଘାରେ ଚୂନ ଲେପି ଦେଇଛି । ତାହାରି ଉପରେ ପ୍ରତିହିଂସା ନେବାର ସମୟ ଆଜି ଉପଗତ । ପଶ୍ଚିମ ବତାସ ତାହାର ବାର୍ଲିକ୍ଷେତ୍ରଟିକୁ ନଷ୍ଟ କରିଛି । ବେଜିୟାରର ନୂଆ ମଞ୍ଜି ଦରକାର; କିନ୍ତୁ ପଡ଼ୋଶୀମାନେ କେହି ସେ ନୃଶଂସକୁ ସାହାଯ୍ୟ କଲେ ନାହିଁ–ଆସ୍ତାର ମୃତ୍ୟୁବିବରଣ ସ୍ମରଣ କରି । ଦ୍ୱାରେ ଦ୍ୱାରେ ବୁଲି ସେ ହତାଶ ହୋଇ ଫେରିଲା ।

 

ଅର୍ଦ୍ଧରାତ୍ରି । ପିୟରର ଚକ୍ଷୁକୁ ନିଦ୍ରା ନାହିଁ । ରାତି ଦୁଇଟା ବାଜେ । ସେ ଶଯ୍ୟାତ୍ୟାଗ କରି ପୋଷାକ ପିନ୍ଧିବାକୁ ଆରମ୍ଭ କଲା । ସ୍ତ୍ରୀ ପଚାରିଲା, ‘ଏତେ ରାତିରେ କୁଆଡ଼େ-?’’

 

‘‘ମାର୍ଲ, ଆମ ଘରେ ବାର୍ଲି ଅଛି ?’’

‘‘ବାର୍ଲି ? ଏତେ ରାତିରେ ବାର୍ଲି–’’

‘‘ହଁ, ବାର୍ଲି ଦରକାର, ଅଛି ତ କାଢ଼ି ଦିଅ ।’’

‘‘ଅଛି ! ସମସ୍ତ ଗୃହର ଏକମାତ୍ର ସଞ୍ଚିତ ଧନ ଅଧସେର ବାର୍ଲି-’’

‘‘ଦିଅ ମାର୍ଲ, ଡେରି କର ନାହିଁ–ବେଜିୟାରର କ୍ଷେତପାଇଁ–’’

ସନ୍ତାନହୀନା ଜନନୀର ହୃଦୟ କମ୍ପିତ ହୋଇ ଉଠିଲା । ‘‘ବେଜିୟାରର !’’

 

‘‘ହଁ ! ବେଜିୟାରର କ୍ଷେତପାଇଁ ମଞ୍ଜି ଦରକାର । ସେ ବାର୍ଲି ଖୋଜିଲା; କିନ୍ତୁ କେହି ତାକୁ ଦେଲେ ନାହିଁ । ଆମର ତ ଅଛି, ନ ଦେଲେ ତା କ୍ଷେତଖଣ୍ଡି ଉଠିଆ ହେବ କିପରି ?’’

 

ଯଥାର୍ଥ କଥା ! ପିୟର ବାର୍ଲି ନ ଦେଲେ ବେଜିୟାରର କ୍ଷେତ ଉଠିଆ ହେବ କିପରି ?

 

ମାର୍ଲ ତଥାପି ଇତସ୍ତତଃ କଲା -,‘‘କିନ୍ତୁ କାଲି ଦିନଟା ପାଇଁ ଆମର ଯେ ଏତିକିମାତ୍ର ସମ୍ବଳ !’’

 

‘‘ଚିନ୍ତା ନାହିଁ । କାଲି କଥା ଦେଖାଯିବ । କିନ୍ତୁ ଆଜି ଯେ କାଲି ଅପେକ୍ଷା ବହୁତ ବେଶି ବହୁତ ବେଶି ଆବଶ୍ୟକ । ହଁ, ଏହି ରାତିରେ ଯାଇ ବେଜିୟାରର କ୍ଷେତରେ ମଞ୍ଜି ବୁଣି ଆସିବାକୁ ହେବ । ଦରିଦ୍ର ମୁଁ–ପଡ଼ୋଶୀମାନେ ଯେପରି ନ ଜାଣନ୍ତି–ଏପରି ଦାନ କରିବାକୁ, କ୍ଷମା କରିବାକୁ ମୋର ମଧ୍ୟ ଅସ୍ପର୍ଦ୍ଧା ଅଛି !’’

 

ସେହି ନୀରବ ଅର୍ଦ୍ଧଯାମରେ ପିୟର ବାର୍ଲି ମୁଠାଟି ଧରି ଏହି ନିରୀଶ୍ୱର ଭୂପୃଷ୍ଠରେ ଭଗବାନଙ୍କର ସୃଷ୍ଟି କରିବା ପାଇଁ (In the creating of God) ବାହାରିଲା । ଦୁଃଖ ସୁଖ ସବୁ ଅବସ୍ଥାରେ ସ୍ୱାମୀର ସଙ୍ଗିନୀ ସହଧର୍ମିଣୀ ମାର୍ଲ ମଧ୍ୟ ସେହି ନିଶୀଥରେ ଏକାକୀ ସ୍ୱାମୀର ସହଗାମିନୀ ହେଲା ବେଜିୟାରର ବାର୍ଲିକ୍ଷେତକୁ ! ପିୟର ମଞ୍ଜି ବୁଣିବାକୁ ଲାଗିଲା । ଆଉ ମାର୍ଲ କ୍ଷେତ୍ରର ଏକ ପାର୍ଶ୍ୱରେ ଦଣ୍ଡାୟମାନ ହୋଇ କୃଷକରମଣୀ ପରି ମସ୍ତକରେ ରୁମାର୍ଲ ବାନ୍ଧି ନିର୍ନିମେଷ ଦୃଷ୍ଟିରେ ସ୍ୱାମୀର କାର୍ଯ୍ୟ ପର୍ଯ୍ୟବେକ୍ଷଣ କଲା ।

 

ଭୟ ନାହିଁ–ଆସ୍ତାର ମୃତ୍ୟୁ ଘଟଣା ପରେ ବେଜିୟାରର ବୁଲ୍‌ଡ଼ଗ୍‌ ଆଜି ନିହତ । ଗ୍ରାମବାସୀମାନେ ତାକୁ ମାରି ପକାଇଛନ୍ତି ।

 

ଅଭେଦ୍ୟ ଅନ୍ଧକାର । ପ୍ରାସାଦ-କୁଟୀର ଏକାକାର ହୋଇ ପଡ଼ିଛି । ପ୍ରକାଣ୍ଡ ହର୍ମ୍ୟସୁଡ଼ଙ୍ଗର ନିର୍ମାତା ଆଜି ନିଃସ୍ୱ ହୋଇ ଏହି ଅନ୍ଧକାର ଭିତରେ ଭଗବାନଙ୍କର ସୃଷ୍ଟି କରିବାରେ ବାହାରିଛି । ଆଉ ମହାବିଳାସ ବ୍ୟସନରେ ପ୍ରତିଫଳିତା ଧନିକ କନ୍ୟା ତାହାର ସ୍ତ୍ରୀ ମାର୍ଲ–ସେ ସ୍ଥିର ଦୃଷ୍ଟିରେ ସ୍ୱାମୀ ନିକଟରେ ଦଣ୍ଡାୟମାନ । ଏହି ନିବିଡ଼ ଅନ୍ଧକାର ଉଭୟଙ୍କୁ ଅତି ନିକଟତମ କରିଦେଲା–ତାହାର ସମସ୍ତ ଉତ୍ସବମୟ ଅତୀତ ଜୀବନରେ ପିୟର ଯାହା ଅନୁଭବ କରିନାହିଁ ।

 

ପୂର୍ବଦିଗ ପରିଷ୍କାର ହୋଇ ଆସିଛି । ମାର୍ଲ ଚକ୍ଷୁରେ ଦିବସର ପ୍ରଥମ ଆଲୋକ ପଡ଼ିଛି-। ପିୟରର ବାର୍ଲିବୁଣା ଶେଷ ହୋଇଛି । ଅସ୍ପଷ୍ଟ ଛାୟା ଓ ଆଲୋକର ମିଶ୍ରଣରେ ମାର୍ଲର ମୁଖ ସେ ଭଲରୂପେ ଦେଖି ପାରୁନାହିଁ । ନିକଟକୁ ଯାଇ ଦେଖେ, ମାର୍ଲ ତାହାରି ଆଡ଼କୁ ଚାହିଁ ମୃଦୁମୃଦୁ ହସୁଛି-। ଏହି ନିରୀଶ୍ୱର ଧରଣୀ ବକ୍ଷରେ ମାର୍ଲ ମଧ୍ୟ ଆଜି ଭଗବାନଙ୍କୁ ସୃଷ୍ଟି କରିବାରେ ଯୋଗ ଦେଇଛି-

 

ଏହି ତ୍ୟାଗ ଓ ପ୍ରେମର ପରାକାଷ୍ଠା ଫୁଟି ଉଠିଛି ଭାରତୀୟ ପୁରାଣରେ ଗୋଟିଏ ନାରୀ ଚରିତ୍ରରେ ।

 

ସେ କୁଷ୍ଠରୋଗୀ ସ୍ୱାମୀର ଆକାଙ୍‌କ୍ଷା ପୂରଣ ଲାଗି ତାକୁ ସ୍କନ୍ଧରେ ବସାଇ ବେଶ୍ୟାଭବନକୁ ଘେନିଗଲା । ସେଥିରେ ସେ ଯାହା ତ୍ୟାଗକଲା, ତାହାକୁ ସହସ୍ର ଗୁଣରେ ଫେରି ପାଇଲା । ତାର ସ୍ୱାମୀଭକ୍ତି ଅନ୍ଧଭକ୍ତି ନୁହେଁ; ତାହା ପ୍ରୟୋଜନହୀନ–ତହିଁରେ ପ୍ରତ୍ୟୁପକାରର ଆଶା ନାହିଁ । ସେ ସ୍ୱାମୀକୁ ଭକ୍ତିକରେ କେବଳ ସ୍ୱାମୀରୂପରେ ନୁହେଁ, ଅନ୍ଧଭାବରେ ଚକ୍ଷୁ ବନ୍ଦକରି ସ୍ୱମୀର ରୂପଗନ୍ଧ ନ ବୁଝି କେବଳ ନାମମାତ୍ରରେ ନୁହେଁ ।

 

ତାହାର ସମସ୍ତ ରୂପ ବୁଝି, ସମସ୍ତ ଅନ୍ତର ଭେଦ କରି ସେ ତାକୁ ପ୍ରେମ ଦେଇଛି । କିନ୍ତୁ ତାହାର ବୋଧ ଏତେ ଗଭୀର, ତାହାର ଭେଦ ଏତେ ନିବିଡ଼, ସେ ପ୍ରତ୍ୟାଶାକୁ ପଛକୁ ଫିଙ୍ଗି ଦେଇଛି । ସେଥିଲାଗି ନାରୀହୋଇ ମୃଦ୍ୟୁହାସ୍ୟରେ ସେ ସ୍ୱାମୀକୁ ସ୍କନ୍ଧରେ ଧରି ବେଶ୍ୟାଗୃହର ଅଭିମୁଖରେ ।

 

ସେ ସ୍ୱାମୀ ଭଲକରି ବୁଝିଛି । ତାହାର ସମସ୍ତ ବିନିମୟରେ ସ୍ୱାମୀ ସୁଖୀ ହେବ, ସ୍ୱାମୀର ବାସନା ପୂର୍ଣ୍ଣ ହେବ–ସେ ତାହାର କାମନା, ସେ ତାହାର ସାଧନା ।

 

ତୁମେ ମୋତେ ତୁଚ୍ଛକରି ବେଶ୍ୟାଳୟକୁ ଯାଅ–ମୋର ସ୍ଥିତି, ମୋର ଧର୍ମ, ମୋର ସେବା ତୁମକୁ ସେ ପ୍ରବୃତ୍ତିରୁ ନିବୃତ୍ତ କରିପାରି ନାହିଁ–ସେ ମୋର ପାପ, ମୋର ଦୁର୍ବଳତା । ତୁମେ ମଦ୍ୟପ, ସେ ମୋରି ଦୋଷ, ତୁମେ ରୁଗ୍‌ଣ, ‘ସେ ମୋରି କର୍ମଫଳ’ ମୋରି ପାପ । ସେଥିପାଇଁ ତୁମକୁ ଦୁଃଖଦେଇ ଏଥିରୁ ମୁଁ ନିବୃତ୍ତ କରିବି, ସେ ମୋର କର୍ମ ନୁହେଁ । ମୁଁ ଏହା ବହନ କରିବି, ସୁଖରେ ! କାରଣ ତୁମ ସୁଖରେ ମୋର ସୁଖ, ତୁମ ଦୁଃଖରେ ମୁଁ ଦୁଃଖିନୀ । ତୁମର ଅବୟବ ଚଳତ୍‌ଶକ୍ତିଶୂନ୍ୟ, ତୁମର ଅଭିଳାଷ ମୋର ପୂରଣହିଁ ଧର୍ମ । ଦାନର ଐଶ୍ୱର୍ଯ୍ୟରେ ମୋ ପ୍ରେମ ଉଦ୍ଭାସିତ, ପ୍ରତ୍ୟାଶାର ଦୀନତାରେ ତାହା ମଳିନ ନୁହେଁ । କାରଣ ତୁମେ ମୋର ସ୍ୱାମୀ । ତୁମେ ବେଶ୍ୟାସକ୍ତ ହୁଅ, ହୀନ ହୁଅ, ମଦ୍ୟପ ହୁଅ, ନୀଚ ହୁଅ, ନିର୍ମମ ହୁଅ–ତୁମେ ସ୍ୱମୀ, ତୁମେ ଦେବତା, ତୁମେ ଧର୍ମ, ତୁମେ ସ୍ୱର୍ଗ, ତୁମେ ଧ୍ୟାନ, ତୁମେ-ତୁମେ.....

 

ନାରୀ ଏଠାରେ ପୁରୁଷକୁ ଅସୀମ କରି ଦେଖିଛି, ବିଶ୍ୱମୟକରି ପାଇଛି । ସେଥିପାଇଁ ନାରୀର ଅର୍ଘ ଏହି ତ୍ୟାଗ ଓ ପ୍ରେମରୂପରେ ସୁବାସିତ ହୋଇ ଉଠିଛି ।

Image

 

ପ୍ରାଚୀନ ଭାରତର ବିଦୁଷୀ

 

କୌଣସି ଦେଶକୁ ବୁଝିବାକୁ ହେଲେ ତାହାର ବର୍ତ୍ତମାନ ଅବସ୍ଥା ଆଲୋଚନା କରିବା ଯେପରି ଦରକାର, ସେହିପରି ତାହାର ଅତୀତ ସଙ୍ଗେ ପରିଚିତ ହେବା ମଧ୍ୟ ଆବଶ୍ୟକ । ପ୍ରତି ମନୁଷ୍ୟର ଜୀବନ ତାହାର ବାଲ୍ୟ ଏବଂ ଯୌବନର ଅବସ୍ଥା ଓ କାର୍ଯ୍ୟ ସଙ୍ଗେ ଜଡ଼ିତ; ପ୍ରତି ସମାଜ ମଧ୍ୟ ସେହିପରି ଅତୀତ ଉପରେ ଗଢ଼ା ହୋଇଥାଏ । ଭାରତବର୍ଷର ପୁରାଣ-ଇତିହାସରୁ ଏହି ଅତୀତ ସମାଜର ଚିତ୍ର ଆମ୍ଭେମାନେ ପାଇଥାଉଁ । ପୁରାଣ–ଭାରତରେ ପୁରୁଷ ପରି ନାରୀର ପ୍ରତିଭା ମଧ୍ୟ ନାନାବିଭାଗରେ ବିକଶିତ ହୋଇଥିବାର ପ୍ରମାଣ ମିଳେ । ଭାରତୀୟ ନାରୀ ଯେ କେବଳ ରନ୍ଧନଶାଳା ପାଇଁ ଉପଯୁକ୍ତ ନୁହେଁ, ଏ ଦେଶର ବହୁ କାବ୍ୟ, ପୁରାଣ ଓ ଇତିହାସ ସେ କଥାରେ ସାକ୍ଷ୍ୟ ଦେଇଥାଏ ।

 

ଭାରତର ଇତିହାସ ଯେପରି ରାଜପୁତ ଲଳନା ପଦ୍ମିନୀଙ୍କର ସାହସ ଓ ବିଚକ୍ଷଣତା ପାଇଁ ଗର୍ବିତ, ସେହିପରି ତାହା ଲୀଳାବତୀଙ୍କର ଅଙ୍କଶାସ୍ତ୍ରରେ ପାଣ୍ଡିତ୍ୟ କିମ୍ବା ମୋଗଲସମ୍ରାଟ୍‌ ବାବରକନ୍ୟା ଗୁଲ୍‍ବଦନ ବା ଔରଙ୍ଗଜେବ ଦୁହିତା ଜେବ୍‌ଉନ୍ନସାଙ୍କର ଗଭୀର ସାହିତ୍ୟନୁରାଗ ଯୋଗୁଁ ଉଜ୍ଜ୍ୱଳ ହୋଇ ଉଠିଅଛି । ଭାରତୀୟ କାବ୍ୟପୁରାଣ ମଧ୍ୟ ସୀତାଙ୍କର ସତୀତ୍ୱ, ସାବିତ୍ରୀଙ୍କର ପାତିବ୍ରତ୍ୟ, ଉମାଙ୍କର ତପସ୍ୟା, ସୁଜାତାଙ୍କର ଧର୍ମନିଷ୍ଠା କିମ୍ବା ଶକୁନ୍ତଳାଙ୍କ ରୂପଗୁଣ ଆଦି ବହୁ ଉପଖ୍ୟାନରେ ପୂର୍ଣ୍ଣ । ପାଣ୍ଡିତ୍ୟ ବା ଶାସ୍ତ୍ରଜ୍ଞାନରେ ନାରୀର ଆସନ ଯେ ଅତି ଉଚ୍ଚରେ ପ୍ରତିଷ୍ଠିତ ଥିଲା, ପୌରାଣିକ ଭାରତରେ ସେଭଳି ଉଦାହରଣର ଅଭାବ ନାହିଁ । ମୈତ୍ରେୟୀ, ଗାର୍ଗୀ ବା ମଦାଳସାଙ୍କର ଉପଖ୍ୟାନ ଏହି ପାଣ୍ଡିତ୍ୟର ପରିଚୟ ଦେଇଥାଏ ।

 

ବିକ୍ରମାଦିତ୍ୟଙ୍କ ସଭାକୁ କାଳିଦାସ ପ୍ରଭୃତି ନବରତ୍ନ ଯେପରି ମଣ୍ଡିତ କରିଥିଲେ, ପୌରାଣିକ ଯୁଗରେ ସୁପଣ୍ଡିତ ଅଧ୍ୟାପକମାନଙ୍କୁ ଉତ୍ସାହ ଦେବାପାଇଁ ରାଜଦରବାର ସେହିପରି ଉନ୍ମୁକ୍ତ ଥିଲା । ମହାନୁଭବ ପ୍ରାଚୀନ ରାଜାମାନଙ୍କ ସଭାରେ ପଣ୍ଡିତ ପଣ୍ଡିତ ମଧ୍ୟରେ ଶାସ୍ତ୍ର ବିଷୟରେ ବିଚାର ହୁଏ ଏବଂ ସେଥିରେ ଯେ ଜୟଲାଭ କରନ୍ତି, ରାଜାଙ୍କଦ୍ୱାରା ସେ ବିଶେଷ ପୁରସ୍କୃତ ହୁଅନ୍ତି । ରାଜର୍ଷି ଜନକଙ୍କ ସଭାରେ ଏହିପରି ଥରେ ବିଚାର ହୋଇଥିଲା ଏବଂ ମହାପଣ୍ଡିତ ଯାଜ୍ଞବଳ୍‌କ୍ୟ ପ୍ରଶ୍ନର ଉତ୍ତର ଦେଇ ପୁରସ୍କାରସ୍ୱରୂପ ଦଶହଜାର ଗାଈ ଜନକଙ୍କଠାରୁ ପାଇଥିଲେ । ଏହି ଗାଈଗୁଡ଼ିକର ପ୍ରତିଶିଙ୍ଗରେ ଦଶଟି ଲେଖାଏଁ ସୁନାମୋହର ବନ୍ଧା ହୋଇଥିଲା । ହୋତ୍ରୀଅଶ୍ୱଳ, ଆର୍ତ୍ତଭାଗ, ଭୁଜ୍ୟଲାହାୟଣ, ଚାତ୍ରାୟଣ, କହ୍ୱୋଳ, କୌଶିତକେୟ, ଉଦ୍ଦାଳକ ଏବଂ ଅରୁଣି ପ୍ରଭୃତି ଭାରତର ଶ୍ରେଷ୍ଠ ମନୀଷୀଗଣ ଯାଜ୍ଞବଳ୍‌କ୍ୟଙ୍କଦ୍ୱାରା ପରାସ୍ତ ହୋଇଥିଲେ ।

 

ଏହି ସମୟରେ ଜଣେ ବିଦୁଷୀ ମହିଳା ସଭାମଧ୍ୟରେ ଦଣ୍ଡାୟମାନ ହେଲେ । ସେ ଯୁଗରେ ଭାରତୀୟ ନାରୀର ଯେ ଅବରୋଧ ପ୍ରଥା ନଥିଲା, ଏହି ଘଟଣାହିଁ ତାହାର ସୁସ୍ପଷ୍ଟ ପ୍ରମାଣ-। କାରଣ ସଭା ମଧ୍ୟରେ ଏହି ରମଣୀଙ୍କୁ ଦେଖି କେହି ସଭାସଦ ବିଚଳିତ ବା ବିସ୍ମିତ ହେବା କଥା ପୁରାଣରେ ଉଲ୍ଲେଖ ନାହିଁ । ଏହି ମହୀୟସୀ ମହିଳାଙ୍କର ନାମ ଗାର୍ଗୀ । ସମଗ୍ର ବେଦଶାସ୍ତ୍ରରେ ସେ ସୁପଣ୍ଡିତା ଥିଲେ । ଯାଜ୍ଞବଳ୍‌କ୍ୟଙ୍କୁ ସେ କହିଲେ, ‘‘ମୁଁ ଆପଣଙ୍କ ସଙ୍ଗେ ଶାସ୍ତ୍ରଯୁଦ୍ଧ କରିବାକୁ ଆସିଅଛି । ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ।’’ ତତ୍‌ପରେ ସେ ଦୁଇଟି ଦୁରୂହ ପ୍ରଶ୍ନକଲେ ଏବଂ ଯାଜ୍ଞବଳ୍‌କ୍ୟ ମଧ୍ୟ ଅବଲୀଳାକ୍ରମେ ସେ ପ୍ରଶ୍ନର ମୀମାଂସା କରିଦେଲେ । ଯାଜ୍ଞବଳ୍‌କ୍ୟଙ୍କ ନିକଟରେ ପରାସ୍ତ ହେଲେ ମଧ୍ୟ ଗାର୍ଗୀ ଜନକସଭାରେ ସମ୍ମାନିତ ହୋଇଥିଲେ ଏବଂ ସ୍ୱୀୟଜ୍ଞାନ ଓ ପାଣ୍ଡିତ୍ୟ ବଳରେ ପ୍ରାଚୀନ ଭାରତର ଶ୍ରେଷ୍ଠ ମନୀଷୀମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ସୁପ୍ରତିଷ୍ଠିତ ହୋଇଥିଲା ।

 

ମହାଯଶା ଯାଜ୍ଞବଳ୍‌କ୍ୟଙ୍କର ପତ୍ନୀ ମୈତ୍ରେୟୀ ମଧ୍ୟ ପରମବିଦୁଷୀ ଥିଲେ । ସେକାଳରେ ପଣ୍ଡିତମାନେ ଗୃହସ୍ଥାଶ୍ରମ ପରେ ସଂସାର ତ୍ୟାଗକରି ସନ୍ୟାସ ଗ୍ରହଣ କରୁଥିଲେ । ଯାଜ୍ଞବଳ୍‌କ୍ୟ ଗୃହତ୍ୟାଗ କରି ଯିବା ସମୟରେ ମୈତ୍ରେୟୀଙ୍କୁ କହିଲେ, ‘‘ଆର୍ଯ୍ୟେ ! ମୁଁ ବର୍ତ୍ତମାନ ସନ୍ନ୍ୟାସ କରିବାକୁ ବାହାରିଲି । ମୋହର ଉପାର୍ଜିତ ସବୁ ଧନରତ୍ନ ତୁମକୁ ଦେଇଯାଉଛି । ତୁମେ ଏହି ସମସ୍ତ ନେଇ ସୁଖରେ ରହ ।’’ ପରମବିଦୁଷୀ ମୈତ୍ରେୟୀ ସେତେବେଳେ ସ୍ୱାମୀଙ୍କୁ ପ୍ରଶ୍ନ କଲେ, ‘‘ଏହିସବୁ ଧନରତ୍ନ ନେଇ ମୁଁ କଣ ଅମୃତର ସନ୍ଧାନ ପାଇବି ?’’ ଯାଜ୍ଞବଳ୍‌କ୍ୟ ଉତ୍ତର ଦେଲେ, ‘‘ନା, ସେ ସନ୍ଧାନ ତୁମେ ପାଇବ ନାହିଁ ସତ, କିନ୍ତୁ ସାଧାରଣ ସାଧାରଣ ଧନଶାଳୀ ଲୋକେ ଯେପରି ସୁଖସ୍ୱାଚ୍ଛନ୍ଦ୍ୟରେ ରହନ୍ତି, ତୁମେ ମଧ୍ୟ ସେହିପରି ରହିପାରିବ ।’’ ମୈତ୍ରେୟୀ କହିଲେ, ‘‘ଯହିଁରେ ମୁଁ ଅମୃତର ସନ୍ଧାନ ପାଇବି ନାହିଁ, ସେସବୁ ଘେନି ମୁଁ କରିବି କଣ ? ନା, ନା, ଏ ସମସ୍ତ ମୋର ଲୋଡ଼ା ନାହିଁ । ଯହିଁରେ ସର୍ବଶ୍ରେଷ୍ଠ ଆନନ୍ଦର ଉପଲବ୍‌ଧି ହୁଏ, ତାହାହିଁ ମୋତେ ଦାନକର ।’’ ସେତେବେଳେ ମୈତ୍ରେୟୀ ବ୍ରହ୍ମଉପଦେଶ ପାଇବାକୁ ଯୋଗ୍ୟତା ଅର୍ଜ୍ଜନ କରିଥିବାର ବୁଝିପାରି ଯାଜ୍ଞବଳ୍‌କ୍ୟ ପତ୍ନୀଙ୍କ ନିକଟରେ ତାହା ବ୍ୟାଖ୍ୟାନ କଲେ । ଯାଜ୍ଞବଳ୍‌କ୍ୟଙ୍କର ଏହିସବୁ ଉପଦେଶ ବୃହଦାରଣ୍ୟକ ଉପନିଷଦରେ ଲିପିବଦ୍ଧ ହୋଇଅଛି । ଏହି ଉପଦେଶଗୁଡ଼ିକୁ ଆୟତ୍ତକରି ମୈତ୍ରେୟୀ ସ୍ୱୀୟଜ୍ଞାନ ଏବଂ ପାଣ୍ଡିତ୍ୟର ପରାକାଷ୍ଠା ଦେଖାଇଅଛନ୍ତି ।

 

ମାର୍କଣ୍ଡେୟ ପୁରାଣର ମଦାଳସା ମଧ୍ୟ ଜଣେ ମହୀୟସୀ ଲଳନା ଥିଲେ । ତାଙ୍କ ପରି ବିଦୁଷୀ ମନସ୍ୱିନୀ ନାରୀର ତୁଳନା ଅଳ୍ପ ଦେଖାଯାଏ । ଗନ୍ଧର୍ବରାଜ ବିଶ୍ୱକେତୁଙ୍କର କନ୍ୟା ମଦାଳସା ବାଲ୍ୟବୟସରୁ ହିଁ ଉପଯୁକ୍ତ ଶିକ୍ଷାଲାଭ କରି ସକଳ ଶାସ୍ତ୍ରରେ ପଣ୍ଡିତା ଥିଲେ । ତାଙ୍କ ସହିତ ଶତ୍ରୁଜିତ୍‌ ରାଜାଙ୍କର ପୁତ୍ର ଋତୁଧ୍ୱଜଙ୍କର ବିବାହ ହୋଇଥିଲା । ମଦାଳସାଙ୍କର ପ୍ରଥମ ସନ୍ତାନଟି ପୁତ୍ର ହେବାର ଦେଖି ରାଜା ଋତୁଧ୍ୱଜଙ୍କର ଆନନ୍ଦର ସୀମା ରହିଲା ନାହିଁ । ରାଜବଂଶର ଭାବୀ ଉତ୍ତରାଧିକାରୀଙ୍କର ଅଭ୍ୟର୍ଥନା ପାଇଁ ରାଜନବରରେ ଏବଂ ରାଜ୍ୟମୟ ମହାସମାରୋହରେ ଉତ୍ସବ ପାଳିତ ହେଲା । ବୀରତ୍ୱହିଁ କ୍ଷତ୍ରିୟ ରାଜାମାନଙ୍କର ଏକାନ୍ତ ଆଦର୍ଶ । ତେଣୁ ରାଜା ପୁତ୍ରର ନାମ ଦେଲେ ବିକ୍ରାନ୍ତ । କିନ୍ତୁ ସ୍ୱାମୀଙ୍କ ମୁଖରୁ ପୁତ୍ରର ଏହି ନାମ ଶୁଣି ମଦାଳସା ହସି ଉଠିଲେ । ସେ କାଳରେ ଜନନୀଠାରେ ହିଁ ଶିଶୁର ପ୍ରଥମ ଶିକ୍ଷାଭାର ନ୍ୟସ୍ତ ଥିଲା । ପୁତ୍ରର ଜ୍ଞାନୋଦୟ ପୂର୍ବରୁ ହିଁ ମଦାଳସା ତାକୁ ଶିକ୍ଷା ଦେବାକୁ ଲାଗିଲେ, ‘‘ତୋହର ନାମ ବିକ୍ରାନ୍ତ ରଖାଯାଇଛି: କିନ୍ତୁ ଅନ୍ୟଦ୍ୱାରା ପ୍ରଦତ୍ତ ନାମର କୌଣସି ସାର୍ଥକତା ନାହିଁ । ଆତ୍ମାହିଁ ଯଥାର୍ଥ ସତ୍ୟ ବସ୍ତୁ; ଦେହ ଏବଂ ନାମ କଳ୍ପିତ ଓ ମିଥ୍ୟା-। ମନୁଷ୍ୟ ଶୁଭ ଓ ଅଶୁଭ ନାନାକର୍ମ କରେ ବୋଲି ତାହାକୁ ଜନ୍ମଗ୍ରହଣ କରିବାକୁ ହୁଏ । ପିତା, ଆତ୍ମୀୟ, ଅନାତ୍ମୀୟ କାହାରି ପ୍ରତି ଆସକ୍ତ ହୁଅ ନାହିଁ । ସୁଖଦୁଃଖ ଆଦି କୌଣସି ଅବସ୍ଥାରେ ଅଭିଭୂତ ହେବା ଉଚିତ୍‌ ନୁହେଁ ।’’

 

ବିଦୁଷୀ ମାଆଙ୍କଠାରୁ ସବୁବେଳେ ଏହିପରି ଉପଦେଶ ପାଇ ପୁତ୍ରର ମନ ସଂସାରରେ ଲାଗିଲା ନାହିଁ । ରାଜସିଂହାସନଠାରୁ ବୈରାଗ୍ୟକୁ ହିଁ ବିକ୍ରାନ୍ତ ବଡ଼ ମନେକଲେ । ତାହାପରେ ମଦାଳସାଙ୍କର ଦ୍ୱିତୀୟ ପୁତ୍ର ଜାତ ହେଲାରୁ ଋତୁଥ୍ୱଜ ତାହାର ନାମ ସୁବାହୁ ଏବଂ ତୃତୀୟ ପୁତ୍ରର ନାମ ଶତ୍ରୁମର୍ଦ୍ଦନ ରଖିଲେ । ସେମାନଙ୍କର ନାମକରଣ ଶୁଣି ମଧ୍ୟ ମଦାଳସା ଉପହାସ କଲେ । ବାଲ୍ୟବୟସରୁ ସେମାନେ ଜନନୀଙ୍କଠାରୁ ଆତ୍ମଜ୍ଞାନ ପାଇ ସଂସାରକୁ ମାୟାମୟ ଓ ମିଥ୍ୟା ଜ୍ଞାନକଲେ ଏବଂ ରାଜଭବନ ଛାଡ଼ି ତପସ୍ୟା କରିବା ପାଇଁ ବନକୁ ପ୍ରସ୍ଥାନ କଲେ ।

 

 

ଏହା ଦେଖି ରାଜଙ୍କ ମନରେ ବଡ଼ ବିଷାଦ ଜାତ ହେଲା । ତାଙ୍କର ସବୁ ସନ୍ତାନ ଯଦି ଏହିପରି ବନବାସୀ ହୁଅନ୍ତି, ତାହାହେଲେ ରାଜଗାଦିରେ ବସିବ କିଏ ଏବଂ ରାଜ୍ୟରକ୍ଷା ହେବ କିପରି ? ନାରୀର ଜ୍ଞାନ ଓ ପାଣ୍ଡିତ୍ୟ ନିକଟରେ ପୁରୁଷର ଶୌର୍ଯ୍ୟ, ବୀର୍ଯ୍ୟ, ଦମ୍ଭ, ଅଭିମାନ ପରାଜିତ ହେଲା । ତେଣୁ ଚତୁର୍ଥ ପୁତ୍ରର ଜନ୍ମ ହେବା ପରେ ରାଜା ମଦାଳସାଙ୍କୁ ମିନତି କଲେ, ‘‘ମୁଁ ସବୁ ପୁଅଙ୍କର ବାଛି ବାଛି ଯେତେ ନାମ ଦେଲି, ସବୁ ନାମକୁ ତୁମେ ଉପହାସ କଲ । ଏଥର ମୁଁ ଆଉ ନାମ ଦେବିନାହିଁ, ତୁମେ ନିଜେ ଦିଅ ।’’

 

ମଦାଳସା ପୁଅର ନାମ ରଖିଲେ ‘ଅଳର୍କ’, ଅର୍ଥାତ୍‌ ବାୟା କୁକୁର ! ରାଜା ନିଜ ସନ୍ତାନର ଏପରି ନୀଚ ନାମ ଦେଖି ବଡ଼ ବିଚଳିତ ହୋଇପଡ଼ିଲେ ଏବଂ ମହାଦୁଃଖରେ ମଦାଳସାଙ୍କୁ କହିଲେ, ‘‘ରାଣି, ଏହାକୁ ହିଁ ତୁମେ ମୋର ବଂଶଧରର ଉପଯୁକ୍ତ ନାମ ବୋଲି ବିଚାରିଲ ?’’

 

ହସି ହସି ମଦାଳସା ଉତ୍ତର ଦେଲେ,‘‘ମହାରାଜ ! ତୁମର ବଂଶମର୍ଯ୍ୟାଦା ଓ ଉପାଧି ପାଇଁ ତୁମେ ବାୟା କୁକୁରଠାରୁ ମଧ୍ୟ ବେଶି ବାୟା ହୋଇ ପଡ଼ିଛ । ସଂସାରର ଅଧିକାଂଶ ବ୍ୟକ୍ତି ଏହି ନାମ ଏବଂ ଉପାଧି ଲାଳସାରେ ପାଗଳା କୁକୁରଠାରୁ ଅଧିକ ହୀନ ହୋଇ ପଡୁଛନ୍ତି । ମୋ ସନ୍ତାନର ନାମକରଣ ଜଗତର ଉପାଧିପ୍ରାୟ, ଅସତ୍ୟ, କୁଟିଳ ପ୍ରକୃତି ଲୋକଙ୍କ ବିରୁଦ୍ଧରେ ଗୋଟାଏ ଜବାବ । ନାମ ବା ଉପାଧି ମନୁଷ୍ୟର ସତ୍ୟ ପ୍ରକୃତିକୁ ଗୋପନ କରେ । ଚଣ୍ଡାଳ ନରପିଶାଚକୁ ମଧ୍ୟ ଉପାଧିରେ ଭୂଷିତ ହେବାର ଦେଖାଯାଏ । ସୁତରାଂ ନାମ ଯାହାହେଉ ପଛକେ, ସେଥିରେ ଯାଏ ଆସେ କେତେ ? ବରଂ ଖରାପ ନାମଟିଏ ଦେଲେ ପୁତ୍ରର ସେହି ନାମ ପ୍ରତି କୌଣସି ମମତା ରହିବ ନାହିଁ । ସେ ଅଳ୍ପ ଅହଙ୍କାରୀ ହେବ ଏବଂ ପ୍ରକୃତ ଜ୍ଞାନଲାଭ କରିବା ତାହା ପକ୍ଷରେ ସହଜ ହୋଇ ପାରିବ ।’’

 

ରାଣୀଙ୍କର କଥାଗୁଡ଼ିକ ହୃଦୟଙ୍ଗମ କରି ଋତୁଧ୍ୱଜ କହିଲେ, ‘‘ତୁମେ ଯାହା କହୁଛ, ତାହା ଯର୍ଥାଥ ସତ୍ୟ; କିନ୍ତୁ ରାଜା ଯଦି ସମ୍ପୂର୍ଣ୍ଣ ନିରହଙ୍କାର ହୁଏ, ତାହାହେଲେ ରାଜ୍ୟରକ୍ଷା ଅସମ୍ଭବ-। ମୋର ଜଣେ ମାତ୍ର ପୁତ୍ର ରାଜ୍ୟପାଳନ କରିବାକୁ ଉପଯୁକ୍ତ ହେବା ତ ଦରକାର । ସେଥିପାଇଁ ମୋହର ଅନୁରୋଧ, ରାଣୀ ! ତୁମେ ଆଉ ଏ ସନ୍ତାନଟିକୁ ସନ୍ନ୍ୟାସୀ କରିଦିଅ ନାହିଁ । ବରଂ ଏହାକୁ ଏପରି ଭାବରେ ଲେଖାପଢ଼ା ଶିଖାଅ, ଯହିଁରେ ସେ ପରାକ୍ରମଶାଳୀ ଆଦର୍ଶ ରାଜା ହୋଇପାରେ ।’’

 

ମଦାଳସା ସ୍ୱାମୀଙ୍କ ଅନୁରୋଧର ଔଚିତ୍ୟ ସ୍ୱକାର କଲେ । ସକଳ ବିଦ୍ୟାରେ ସେ ସୁପଣ୍ଡିତା ଥିଲେ, ତେଣୁ ପୁତ୍ର ଅଳର୍କକୁ ତତ୍ତ୍ୱଜ୍ଞାନ ନଦେଇ ହିନ୍ଦୁଶାସ୍ତ୍ରୋକ୍ତ ଚାରିଗୋଟି ଆଶ୍ରମ ମଧ୍ୟରୁ ପ୍ରଥମେ ବ୍ରହ୍ମଚର୍ଯ୍ୟ ଓ ପରେ ଗାର୍ହସ୍ଥ୍ୟଧର୍ମ ଶିକ୍ଷା ଦେଲେ । ରାଜପୁତ୍ର ଅଳର୍କଙ୍କୁ ବ୍ରହ୍ମଚାରୀର କଠୋର ଅନୁଶାସନଗୁଡ଼ିକ ପାଳିବାକୁ ହେଲା । ରାଜପ୍ରାସାଦର ବିଳାସ ଏବଂ ଐଶ୍ୱର୍ଯ୍ୟ ମଧ୍ୟରେ ରହି ମଧ୍ୟ ତହିଁରେ ଅନାସକ୍ତ ହୋଇ ତାଙ୍କର ଜୀବନ ଗଠିତ ହେଲା । ଆଦର୍ଶ ଗୃହସ୍ଥ ହେବା ପାଇଁ ପରିବାର, ଭୃତ୍ୟ ଓ ପ୍ରଜାମାନଙ୍କୁ କିପରି ଭାବରେ ଦେଖିବାକୁ ହେବ, କିପରି ରାଜ୍ୟର ଶାସନ ଓ ପ୍ରଜାପାଳନ କରିବାକୁ ହେବ, ସେ ସମସ୍ତ ଅଳର୍କ ମାଆଙ୍କଠାରୁ ହିଁ ଶିଖି ପାରିଥିଲେ ।

 

ପୁତ୍ର ବଡ଼ ହେବାରୁ ମଦାଳସା ତାଙ୍କୁ ରାଜଧର୍ମ ଓ ରାଜନୀତି ଶିକ୍ଷାଦେଲେ । ଭାରତର ମହିଳାଙ୍କଠାରୁ ଜଣେ ରାଜପୁତ୍ର ଦିନେ ରାଜନୀତି ଶିକ୍ଷାକରି ଆଦର୍ଶ ରାଜା ହୋଇଥିଲେ, ଏ କଥାରେ ବିଶ୍ୱାସ କରିବା ମଧ୍ୟ ଆଜି କଠିନ ହୋଇ ପଡ଼ିଅଛି । ପୁରାଣର କଥା ସତ କି ମିଛ, ଏଠାରେ ତାହା ଆଲୋଚନା କରାଯାଉ ନାହିଁ; କିନ୍ତୁ ପୌରାଣିକ ଯୁଗରେ ନାରୀର ଆଦର୍ଶ ଏତେଦୂର ଉଚ୍ଚ ଓ ଉଜ୍ୱଳ ଥିଲା, ସେଥିରେ ସନ୍ଦେହ ପାଇଁ ଅବକାଶ ନାହିଁ !

Image

 

ସାହିତ୍ୟରେ ବ୍ୟବସାୟ

 

ବର୍ତ୍ତମାନ ଯୁଗର କଳକାରାଖାନା ହିଁ ଅଳ୍ପ ଲୋକଙ୍କର ବିଳାସ ଓ ସ୍ୱାଚ୍ଛନ୍ଦ୍ୟ ସାମଗ୍ରୀକୁ ବହୁ ମଧ୍ୟରେ ପ୍ରଚାର କରି ପାରିଅଛି । ବହୁ ଜନାକୀର୍ଣ୍ଣ ନଗର, ବହୁସଂଖ୍ୟାରେ ଦ୍ରବ୍ୟ ଉତ୍ପାଦନ, ବହୁ ଲୋକ ଏକ ସଙ୍ଗରେ ଯିବାଆସିବା ପାଇଁ କିମ୍ୱା ବହୁ ଦ୍ରବ୍ୟ ଏକକାଳୀନ ନେବା ଆଣିବା ପାଇଁ ରେଳ, ଜାହାଜ ଆଦି; ବହୁ ଛାତ୍ର ଏକ ସଙ୍ଗରେ ଅଧ୍ୟୟନ କରିବା ପାଇଁ ବିଶ୍ୱବିଦ୍ୟାଳୟ; ବହୁ ଲୋକଙ୍କର ଉପଭୋଗ ପାଇଁ ବାଏସ୍କୋପ କିମ୍ୱା ରେଡିଓ; ବିରାଟ କଳକାରଖାନାମାନଙ୍କରେ ବହୁ ଲୋକଙ୍କର ନିଯୁକ୍ତି ଏବଂ ସମାନ ଦାବୀ, ସମାନ ଅଧିକାର ଓ ସମାନ ଅଭାବ ନେଇ ଯେଉଁସବୁ ଗଣ ଆନ୍ଦୋଳନ ଆଜି ଦେଖାଯାଏ, ସେଗୁଡ଼ିକ ଏହି ଯନ୍ତ୍ର ସଭ୍ୟତାର ହିଁ ବିଭିନ୍ନ ଦିଗର ପ୍ରକାଶ ବୋଲିବାକୁ ହେବ ।

 

ଚାଷ କିମ୍ୱା କାରିଗରି, ବିକାକିଣା କିମ୍ୱା ଯିବାଆସିବା ଆଦି ସବୁ କାର୍ଯ୍ୟ ଲାଗି କଳକାରଖାନା ବସିବା ଦ୍ୱାରା ଖାଇବା ଓ ପିନ୍ଧିବା ଠାରୁ ଆରମ୍ଭକରି ଦୈନିକ ବ୍ୟବହାର କରିବାର ଚିଜଗୁଡ଼ିକ ଯେପରି ବହୁ ଲୋକଙ୍କ ପାଇଁ ଶସ୍ତା ଓ ସହଜଲଭ୍ୟ ହୋଇଅଛି, ଛାପଖାନା ବସିବା ଦ୍ୱାରା ସେପରି ବହୁ ଲୋକଙ୍କର ଜ୍ଞାନଚର୍ଚ୍ଚାର ପଥ ସୁଗମ ହୋଇ ପାରିଅଛି । ଆଗେ ତାଳପତ୍ର କିମ୍ୱା ଭୁର୍ଜପତ୍ରରେ କବି ବା ଗ୍ରନ୍ଥକାର ନିଜର ଯେଉଁ ରଚନା ଲେଖୁଥିଲେ, ପାଠକ ତାହାର ନକଲ କରି ନେଉଥିଲେ କିମ୍ୱା ବ୍ୟବସାୟୀ ଲୋକେ ତାହାର ନକଲ କରି ପାଠକମାନଙ୍କୁ ବିକ୍ରୀ କରୁଥିଲେ-। ଖଣ୍ଡେ ଖଣ୍ଡେ ବଡ଼ ପୋଥି ନକଲ କରିବା ପାଇଁ ଜଣେ ଜଣେ ଲୋକର ମାସ ମାସ ବିତି ଯାଉଥିଲା । ଫଳତଃ ଜ୍ଞାନଚର୍ଚ୍ଚା ମଧ୍ୟ କାଶ୍ମୀରୀ ଶାଲ ପରି କେବଳ ରାଜଉଆସର ସାମଗ୍ରୀ ଥିଲା କିମ୍ବା ବ୍ରହ୍ମପୁରୀ ପାଟ ପରି ସୌଭାଗ୍ୟଶାଳୀ ଅତି ଅଳ୍ପଲୋକଙ୍କ ଭିତରେ ଆବଦ୍ଧ ରହୁଥିଲା । କାଳିଦାସ ବା ଧନ୍ୱନ୍ତରୀ ଆଦି କବିପଣ୍ଡିତମାନେ ରାଜନବରରେ ହିଁ ବଢ଼ିଥିଲେ । ବର୍ତ୍ତମାନ କିନ୍ତୁ ଏ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଅଛି । ରାଜା କିମ୍ବା ଧନିକର ବିନା ଆଶ୍ରୟରେ ସାହିତ୍ୟର ସମୃଦ୍ଧି ସମ୍ଭବପର ହୋଇଅଛି । ବ୍ରହ୍ମପୁରୀ ପାଟ ବା କାଶ୍ମୀରୀ ଶାଲ ପରି ରାଜଦରବାରରୁ ଆସି ସର୍ବସାଧାରଣରେ ତାହା ପ୍ରସାର ଲାଭ କରିଅଛି । ରାଜକୋଷ ହିଁ ଦିନେ ଯାହାର ପ୍ରଧାନ ଅବଲମ୍ବନ ଥିଲା, ଆଜି ଏହି ଗଣତନ୍ତ୍ର ଯୁଗରେ ସର୍ବସାଧାରଣର ଧନ ସହାନୁଭୂତି ଦ୍ୱାରା ତାହା ଲାଳିତ ।

 

ବହୁ ଲୋକଙ୍କର ଖାଇବା, ପିନ୍ଧିବା କିମ୍ବା ଶୋଇବା ବୁଲିବା ଆଦି ପ୍ରତିଦିନର ବ୍ୟବହାର ପାଇଁ ଯେପରି ପ୍ରଚୁର ଜିନିଷର ଉତ୍ପାଦନ ଓ ଆହରଣ ହେଉଅଛି, ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେହିପରି ବହୁ ଲେଖକ ଓ ବହୁ ପାଠକର ଆବିର୍ଭାବ ଦ୍ୱାରା ଅବିକଳ ବଜାର କାରବାରର ସୃଷ୍ଟି ହୋଇଅଛି । ଲ୍ୟାବରେଟରି ବା ବିଜ୍ଞାନାଗାରରେ ବୈଜ୍ଞାନିକ ଯେଉଁ ନୂଆ ଉଦ୍ଭାବନ କରୁଅଛି କିମ୍ବା କଳ କାରଖାନାର ମାଲିକ ଯେଉଁ ଧରଣର ଯୋତା ବା ନୂଆ କିସମର ଧଡ଼ି ଦେଇ ଲୁଗା ବାହାର କରୁଅଛି, ସେଗୁଡ଼ିକର ବହୁଳ ପ୍ରଚାର ପାଇଁ ନେବାଆଣିବାର ଯେପରି ସୁବିଧା ରହିଅଛି, କବି ବା ଗ୍ରନ୍ଥକାରର ରଚନା ସେହିପରି ଆଜି ନାନା ଭାଷାରେ ତର୍ଜମା କରାଯାଇ ଓ ବହୁସଂଖ୍ୟାରେ ମୁଦ୍ରିତହୋଇ ସବୁ ଦେଶରେ ପ୍ରଚାରିତ ହୋଇପାରୁଅଛି ।

 

ବହୁ ମଧ୍ୟରେ ନିଜକୁ ପ୍ରକାଶ ଓ ପ୍ରଚାର କରିବା ହିଁ ପ୍ରତି କବି, ବୈଜ୍ଞାନିକ, ଶିଳ୍ପୀ ବା ବ୍ୟବସାୟୀର ଲକ୍ଷ୍ୟ ଏବଂ ସାଧନା । ଏହି ସତ୍ୟ ହିଁ ପ୍ରାଚୀନ ଆର୍ଯ୍ୟଋଷିଙ୍କ ମୁଖରୁ ଦିନେ ମନ୍ତ୍ରରୂପେ ନିଃସୃତ ହୋଇଥିଲା–‘ଯୋ ବୈ ଭୂମା ତତ୍‌ସୁଖମ୍‌, ନାଳ୍ପେ ସୁଖ-ମସ୍ତି ।’ ବହୁ ବା ବିରାଟର ଅନୁଭୂତି ହିଁ ଆନନ୍ଦ ଦେଇଥାଏ; କ୍ଷୁଦ୍ର କିମ୍ବା ଅଳ୍ପରେ ସୁଖ ନାହିଁ । ଆଧ୍ୟାତ୍ମିକ ଅନୁଭୂତି ବା ଚିନ୍ତାକ୍ଷେତ୍ରରେ ଯେଉଁ କଥା, ବୈଷୟିକ ଜୀବନରେ ମଧ୍ୟ ତାହା ଆଜି ପ୍ରତ୍ୟକ୍ଷ ଉପଲବ୍‌ଧି କରାଯାଉଅଛି । ଯନ୍ତ୍ର ବା କଳକାରଖାନା ବଢ଼ିବା ଯୋଗୁଁ କେବଳ ଯେ ଶିଳ୍ପବାଣିଜ୍ୟର ଉନ୍ନତି ଘଟିଅଛି ତାହା ନୁହେଁ; ସାହିତ୍ୟ, କଳା, ଦର୍ଶନ ଓ ବିଜ୍ଞାନ ଆଦି ଭାବୁକତାର କ୍ଷେତ୍ର ପୃଥିବୀ ସାରା ବ୍ୟାପ୍ତ ହୋଇ ପଡ଼ିଅଛି । ରେଲ, ମଟର ବା ବ୍ୟୋମଯାନରେ ବୁଲିବାକୁ ମଣିଷର ଆଗ୍ରହ ଯେମିତି ଅତିଶୟ ହୋଇଅଛି, ସଭାସମିତିରେ ବକ୍ତୃତା ଦେଇ ଶ୍ରୋତାମାନଙ୍କଠାରୁ କରତାଳି ଆଦାୟ କରିବା ଯେମିତି ଅନେକଙ୍କର ଏକ ଉଚ୍ଚ ଆକାଙ୍‌କ୍ଷାର ବିଷୟ, ଛପା ଅକ୍ଷରରେ ନିଜ ନାମକୁ ଦେଖିବା ପାଇଁ, ଛପା ଅକ୍ଷର ପଢ଼ି ଜାଣିବା ପାଇଁ ପ୍ରତିଲୋକର ସେହିପରି ଏକ ଆନ୍ତରିକ ଅଭିଳାଷ ହୋଇ ଉଠିଅଛି ।

 

ଏହି ଅଭିଳାଷ ନାନା ଭାବରେ ଆଜି ପ୍ରକଟିତ । କେତେ ବାଟରେ କେତେ ଲୋକଙ୍କ ନାମ ଯେ ଛପା ଅକ୍ଷରରେ ପ୍ରକାଶିତ ହେଉଅଛି, ତାହାର ସଂଖ୍ୟା ସୁମାରି କରିବା ତାରା ଗଣିବା ପରି ଏକରକମ ଅସମ୍ଭବ ବୋଧହୁଏ । ଜ୍ଞାନର କ୍ଷେତ୍ର ବଢ଼ିବା ସଙ୍ଗେ ସଙ୍ଗେ ଏହା ବହୁ ବିଭାଗ ଓ ଉପବିଭାଗରେ ବିଭକ୍ତ ହୋଇଅଛି ଏବଂ ଗୋଟିଏ ଗୋଟିଏ ଉପବିଭାଗରେ ପାରଦର୍ଶିତା ଲାଭ କରିବା ପାଇଁ ମଧ୍ୟ ଜଣେ ଜଣେ ଲୋକର ଆୟୁଷ ଯଥେଷ୍ଟ ନୁହେଁ । ଅଥଚ ଏକ ଶତାବ୍ଦୀ ପୂର୍ବେ ଜଣେ ଜଣେ ପ୍ରତିଭାଶାଳୀ ଲୋକ ବହୁ ବିଦ୍ୟାରେ ପାରଦର୍ଶୀ ହୋଇଥିବାର ପ୍ରମାଣ ବିରଳ ନୁହେଁ-। ଉଦାହରଣସ୍ୱରୂପ, କବି ଓ ସାହିତ୍ୟିକ କହିଲେ କବିତା, ନାଟକ, ଗଳ୍ପ ଓ ପ୍ରବନ୍ଧ ଆଦି ରଚନାରେ ପାରଗ ବ୍ୟକ୍ତିଙ୍କୁ ଆଗେ ବୁଝାଉଥିଲା । ବର୍ତ୍ତମାନ କିନ୍ତୁ ପ୍ରତି ବିଭାଗର ପରିସର ଏପରି ପ୍ରଶସ୍ତ ଯେ ଗୋଟିଏ ନିର୍ଦ୍ଦିଷ୍ଟ ବିଭାଗର ଚର୍ଚ୍ଚା ନକଲେ ସାହିତ୍ୟିକର ପ୍ରତିଷ୍ଠା ଦୁରୂହ । ଚିକିତ୍ସାବିଜ୍ଞାନରେ ସେହିପରି ଗୋଟିଏ ଗୋଟିଏ ବିଶେଷ ବ୍ୟାଧି-ଯକ୍ଷ୍ମା, କୁଷ୍ଠ କିମ୍ବା ଅର୍ଶ–ଅଥବା ଦେହର ଗୋଟିଏ ଗୋଟିଏ ବିଶେଷ ଅଙ୍ଗ-ନାକ, କାନ କିମ୍ବା ଆଖି ପ୍ରଭୃତି ପାଇଁ ପୃଥକ୍‌ ବିଶେଷଜ୍ଞର ଆବଶ୍ୟକ ହୋଇ ପଡ଼ିଅଛି । ପଦାର୍ଥ ବା ରସାୟନ ବିଜ୍ଞାନରେ, ଜୀବ ବା ମନୋବିଜ୍ଞାନରେ, ଭୂତତ୍ତ୍ୱ ବା ପ୍ରତ୍ନତତ୍ତ୍ୱରେ ସେହିପରି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟର ଆଲୋଚନା ବା ଅନୁଶୀଳନ ଦ୍ୱାରା ଜଣେ ଜଣେ ଲୋକ ନୂଆ ନୂଆ ତଥ୍ୟ ଆବିଷ୍କାର କରିବାର ଦେଖାଯାଏ । ପ୍ରତି ବିଭାଗକୁ ଏହିପରି ଶହ ଶହ ଲୋକଙ୍କର ଚିନ୍ତା ଓ ଚେଷ୍ଟା ପୁଷ୍ଟ କରିଅଛି ଏବଂ ସବୁ ବିଭାଗରେ ପର୍ବତପ୍ରମାଣ ଗ୍ରନ୍ଥ ଲେଖା ହୋଇ ସେମାନଙ୍କର କୀର୍ତ୍ତି ଘୋଷଣା କରୁଅଛି ।

 

ସବୁ ବିଭାଗର ଗ୍ରନ୍ଥ ଆଲୋଚନା କରି ସେଗୁଡ଼ିକୁ ପୂର୍ଣ୍ଣରୂପେ ଆୟତ୍ତ କରିପାରିବା ଜଣେ କାହାରି ପକ୍ଷରେ ସମ୍ଭବ ନୁହେଁ; କିନ୍ତୁ ସବୁ ବିଷୟରେ କିଛି କିଛି ଜାଣି ରଖିବା ପ୍ରତିଲୋକର କର୍ତ୍ତବ୍ୟ ଏବଂ ସେ ନିଜେ ଯେଉଁ ବିଭାଗ ପାଇଁ ଉପଯୁକ୍ତ, ସେ ସମ୍ବନ୍ଧେ ଭଲରୂପେ ଜାଣିବା ଆବଶ୍ୟକ । ଏଥିପାଇଁ ସହଜ ପନ୍ଥା ଫିଟାଇଅଛି ଏ ଯୁଗର ସମ୍ବାଦପତ୍ର । କବିତା, ନାଟକ, ଗଳ୍ପ, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗ ଏବଂ ଚିତ୍ର, ସ୍ଥାପତ୍ୟ, ଚିକିତ୍ସା, ରସାୟନ, ଭୂତତ୍ତ୍ୱ, ପ୍ରତ୍ନତତ୍ତ୍ୱ, ପ୍ରାଣୀତତ୍ତ୍ୱ, ପଦାର୍ଥତତ୍ତ୍ୱ, ଜ୍ୟୋତିଷ, ଇତିହାସ, ଧର୍ମ, ରାଜନୀତି ଆଦି ପୁରାତନ ଓ ନୂତନ ସକଳ ବିଷୟ ସ୍ଥାନ ପାଇଅଛି ଏହି ସମ୍ବାଦପତ୍ରରେ । କେବଳ ସେତିକି ନୁହେଁ, ମନୁଷ୍ୟର ଖାଇବା, ପିନ୍ଧିବାଠାରୁ ଆରମ୍ଭକରି ଜୀବିକାନିର୍ବାହର ପ୍ରତ୍ୟେକ ପେଶା, ପ୍ରତ୍ୟେକ ବ୍ୟବସାୟ ସମ୍ବନ୍ଧରେ ମଧ୍ୟ ନିଆରା ନିଆରା ପତ୍ରପତ୍ରିକା ପ୍ରକାଶିତ ହୁଏ । ମୋଟର, ଇଞ୍ଜିନିୟରିଂ, କୃଷି, ଗୋପାଳନ, ବେତାର, ବାୟସ୍କୋପ, ବାଣିଜ୍ୟ, କସରତ, ଶୀକାର, ମାଛଧରା, ଘର ସଜାଇବା, କୁକୁଡ଼ା ପୋଷିବା, ପୋଷାକଫେସନ, ଫଟୋଗ୍ରାଫ, ଷ୍ଟ୍ୟାମ୍ପ, ବଗିଚା ଓ ରାନ୍ଧଣା ଆଦି ନାନା ବିଚିତ୍ର ବିଷୟରେ ବହୁ ପତ୍ରପତ୍ରିକା ଦେଖାଯାଏ । ଦୈନିକ ଖବରକାଗଜରେ ମଧ୍ୟ ବଜାର ଭାଉ ଓ ଖେଳକୌତୁକ ପାଇଁ ଗୋଟିଏ ଲେଖାଏଁ ପୃଷ୍ଠାପୂର୍ଣ୍ଣ ହୋଇ ଉଠୁଛି ପ୍ରତି ସରକାରୀ ଓ ବଡ଼ ବଡ଼ ବେସରକାରୀ ଅନୁଷ୍ଠାନରେ ପ୍ରକାଶ ବିଭାଗ ରଖାଯାଇ ମଧ୍ୟ କେତେ ପତ୍ରିକା ପ୍ରକାଶିତ ହେଉଅଛି-। ବେଙ୍ଗଲ-ନାଗପୁର ରେଲଓ୍ୱେ, ଟାଟାକମ୍ପାନି ବା ମାକ୍‌ମିଲାନ୍‌ କମ୍ପାନିର ପ୍ରଚାର ବିଭାଗରୁ ଯେଉଁସବୁ ପତ୍ରିକା ପ୍ରକାଶିତ ହୁଏ, ତହିଁରେ ବ୍ୟବସାୟ ସମ୍ବନ୍ଧେ ଆଲୋଚନା ହେବା ସଙ୍ଗେ ସାଧାରଣ ଜାଣିବା ପାଇଁ ମଧ୍ୟ ନାନା ବିଷୟରେ ଲେଖା ପ୍ରକାଶିତ ହୋଇଥାଏ । ଶିଶୁମାନଙ୍କ ପାଇଁ, ସ୍କୁଲ କଲେଜରେ ଛାତ୍ରଙ୍କ ପାଇଁ କିମ୍ବା ରମଣୀର ବେଶଭୂଷା ଓ ପ୍ରସାଧନ ସମ୍ବନ୍ଧରେ ବହୁ ସଚିତ୍ର ପତ୍ରପତ୍ରିକା ଆଜି ପ୍ରଚଳିତ ।

 

ଏହିରୂପେ ଦୈନିକ, ସାପ୍ତାହିକ, ପାକ୍ଷିକ କିମ୍ବା ମାସିକ ଯେତେଗୁଡ଼ିଏ ପତ୍ରିକା ପୃଥିବୀପୃଷ୍ଠରେ ଦେଖାଯାଏ, ତାହାର ମୋଟାମୋଟି ସଂଖ୍ୟା ଷାଠିଏ ହଜାର ବୋଲି ହିସାବ କରାଯାଇଅଛି । ଗୋଟିଏ ଗୋଟିଏ ବଡ଼ ଦୈନିକ ଓ ସାପ୍ତାହିକର ଗ୍ରାହକସଂଖ୍ୟା ଦଶଲକ୍ଷକୁ ବଳି ପଡ଼ିଅଛି । ଗୋଟିଏ ଗୋଟିଏ ଇଂରାଜି ଦୈନିକର ଯେଉଁ ରବିବାର ସଂସ୍କରଣ ପ୍ରକାଶିତ ହୁଏ, ତାହାର ଆକାର ଅଶୀ ପୃଷ୍ଠା ପର୍ଯ୍ୟନ୍ତ ବୃଦ୍ଧି ପାଇଅଛି ଏବଂ ଗୋଟିଏ ଗୋଟିଏ ଦୈନିକ ପାଇଁ ହଜାର ହଜାର ଲୋକ କାମ କରୁଥିବା ବଡ଼ ବଡ଼ କାଗଜକଳମାନ ପ୍ରତିଷ୍ଠିତ ହୋଇଅଛି । ଏହି କାଗଜ କାଠ ବାଉଁଶରୁ ତିଆରି ହୋଇଥାଏ ଏବଂ ହିସାବ କରି ଦେଖା ଯାଇଅଛି, ଏହିପରି ଏକ ବଡ଼ ମୁଦ୍ରଣ ପୃଥିବୀ ଉପରୁ ଖଣ୍ଡେ ଛୋଟ ଜଙ୍ଗଲକୁ ପଦା କରିଦିଏ ।

 

ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟାରେ ପତ୍ରିକା ଛାପିବା ପାଇଁ ମଧ୍ୟ ସହଜ ଉପାୟମାନ ଅବଲମ୍ବନ କରାଯାଇଅଛି । ପୂର୍ବ ରୀତି ଅନୁସାରେ ଗୋଟିଏ ଗୋଟିଏ ଅକ୍ଷର ହାତରେ ଖଞ୍ଜି ଦୈନିକ ଲକ୍ଷ ଲକ୍ଷ ପତ୍ରିକା ଛାପିବା ସହଜ ନୁହେଁ । ତେଣୁ ଲିନୋଟାଇପ୍‌ କଳ ସାହାଯ୍ୟରେ ଠିକ୍‌ ଟାଇପ୍‌ କରିବା ପ୍ରଣାଳୀରେ ଜଣେ ଲୋକ ବସି ଗୋଟିଏ ଲେଖାଏଁ ଲାଇନ ବା ଧାଡ଼ି ମୁହୂର୍ତ୍ତ ମଧ୍ୟରେ ତିଆରି କରି ପାରୁଛି ଏବଂ ପ୍ରତିଦିନ ନୂଆ ଅକ୍ଷରରେ ହିଁ ଏହିସବୁ ପତ୍ରିକା ଛାପା ହେଉଅଛି-। ଏହା ବ୍ୟତୀତ ଯେଉଁ ଆଧୁନିକ ଛାପାକଳ ନିର୍ମିତ ହୋଇଅଛି, ତାହାଦ୍ୱାରା ଛାପିବା, ଅଠା ଲଗାଇବା, ସିଲାଇ କରିବା, କାଟିବା, ଭାଙ୍ଗିବା ଆଦି ସବୁ କାମ ହୋଇ ଆଠପୃଷ୍ଠା ବ୍ୟାପୀ ଗୋଟିଏ ଖବରକାଗଜ ଘଣ୍ଟାକେ ତିନିଲକ୍ଷ ପର୍ଯ୍ୟନ୍ତ ବାହାର ହୋଇଥାଏ । ଏହି ସବୁ ଛାପାକଳରେ ଯେଉଁ କାଗଜ ବ୍ୟବହୃତ ହୁଏ, ତାହା ଖଣ୍ଡ ଖଣ୍ଡ ନ ହୋଇ ଚାରି ହାତ ପର୍ଯ୍ୟନ୍ତ ଚୌଡ଼ା ଓ ମାଇଲ ମାଇଲ ଲମ୍ବା ଆକାରରେ ଗୁଡ଼ାହୋଇ ମସ୍ତ ମସ୍ତ କାଠଗଣ୍ଡିପରି କାଗଜ କାରଖାନାରୁ ଅଣା ଯାଇଥାଏ । ଆଧୁନିକ ଛାପାକଳ ଦ୍ୱାରା ଏହି କାଗଜମୋଡ଼ାରୁ ଘଣ୍ଟାକେ ୧୦୫ ମାଇଲ ଲମ୍ବର କାଗଜ ଛାପାଯାଏ । କଲିକତା, ବମ୍ବେ, ଦିଲ୍ଲୀ ବା ମାନ୍ଦ୍ରାଜ୍‌ ପ୍ରଭୃତି ବଡ଼ ବଡ଼ ସହରରୁ ଷ୍ଟେଟସ୍‌ମ୍ୟାନ, ଅମୃତବଜାର ପତ୍ରିକା, ଟାଇମସ୍‌ ଅଫ୍‌ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ୍‌ ଓ ହିନ୍ଦୁ ଆଦି ବଡ଼ ବଡ଼ ପତ୍ରିକା ଏହି ଉପାୟରେ ଛାପାହୋଇ ଶସ୍ତାରେ ସାଧାରଣଙ୍କ ହାତକୁ ଆସୁଅଛି ।

 

ଭାରତବର୍ଷର ଏହି ପତ୍ରିକାଗୁଡ଼ିକ ଇଂଲଣ୍ଡ, ଆମେରିକା ପ୍ରଭୃତି ସ୍ୱାଧୀନ ଓ ସମୃଦ୍ଧିଶାଳୀ ଦେଶର ଲଣ୍ଡନ୍‌ ଟାଇମସ୍‌, ଡେଲିମେଲ ବା ନିଉୟର୍କ ଟାଇମ୍‌ସ ତୁଳନାରେ ବହୁ ଅଂଶରେ ଛୋଟ । ଏଗୁଡ଼ିକର ପରିଚାଳନାର ଯେଉଁ ସୂଚନା ଉପରେ ଦିଆଗଲା, ସେଥିପାଇଁ ଯେତେ ପରିମାଣ ଅର୍ଥ ଓ ଯେତେ ସଂଖ୍ୟାରେ କର୍ମୀ ଆବଶ୍ୟକ, ସମ୍ପାଦକୀୟ ବିଭାଗ ମଧ୍ୟ ସେହି ଅନୁପାତରେ ପ୍ରଶସ୍ତ । ଗୋଟିଏ ବଡ଼ କାଗଜର ପ୍ରଧାନ ସମ୍ପାଦକ ନିଜେ ହୁଏ ତ ଉକ୍ତ କାଗଜର ମାଲିକ କିମ୍ବା ମାଲିକମାନଙ୍କ ପାଖରେ ସବୁ ବିଷୟରେ ଦାୟୀ ରହନ୍ତି । ତାଙ୍କ ଅଧୀନରେ କାଗଜର ପରିଚାଳନା ଦିଗ ଦେଖିବାପାଇଁ ଜଣେ ସମ୍ପାଦକ, ସାଧାରଣ ସମ୍ବାଦ ପାଇଁ ଜଣେ ସମ୍ପାଦକ, ଟେଲିଗ୍ରାଫ-ସମ୍ପାଦକ, ନଗର-ସମ୍ପାଦକ, ସାହିତ୍ୟ-ସମ୍ପାଦକ, ଅର୍ଥ-ସମ୍ପାଦକ, କ୍ରୀଡ଼ାବିଭାଗର ସମ୍ପାଦକ, ବିଜ୍ଞାପନ ବା ଆଇନ ଅଦାଲତ ବିଭାଗର ସମ୍ପାଦକ ପ୍ରଭୃତି ଏବଂ ପ୍ରତି ବିଭାଗରେ ବହୁ ସହକାରୀ ସମ୍ପାଦକ ପୁଣି ସମ୍ପାଦକୀୟ ସ୍ତମ୍ଭ ଲେଖିବା ପାଇଁ ସ୍ୱତନ୍ତ୍ର ସମ୍ପାଦକ ମଧ୍ୟ ନିଯୁକ୍ତ ଥାନ୍ତି । ଏହା ବ୍ୟତୀତ ଦେଶ ବିଦେଶରୁ ସମ୍ବାଦ ଯୋଗାଇବା ପାଇଁ ବିଦେଶର ବଡ଼ ବଡ଼ ସହରମାନଙ୍କର କିମ୍ବା ପ୍ରଦେଶର ପ୍ରତି ଛୋଟ ଛୋଟ ସହର, ଜିଲ୍ଲା ବା ମହକୁମାରେ ସମ୍ବାଦଦାତାମାନେ ନିଯୁକ୍ତ । ବ୍ୟବସ୍ଥାସଭାରେ, ବଡ଼ ବଡ଼ ସଭା ସମିତିରେ, ଯୁଦ୍ଧକ୍ଷେତ୍ରରେ, ନଦୀବୃଦ୍ଧି ବା ଭୂମିକମ୍ପ ଆଦି ପ୍ରାକୃତିକ ଦୁର୍ଘଟଣା ସ୍ଥଳରେ, ବଡ଼ ବଡ଼ ରୋଷଣୀ ବା ଉତ୍ସବ କ୍ଷେତ୍ରରେ ମଧ୍ୟ ବିଶେଷ ସମ୍ବାଦଦାତା ରେଲ, ଜାହାଜ ବା ବ୍ୟୋମଯାନରେ ସମଗ୍ର ପୃଥିବୀ ଭ୍ରମଣ କରି ବିଭିନ୍ନ ଦେଶର ବିଶେଷ ବିଶେଷ ଘଟଣା, ଲୋକମାନଙ୍କର ରୀତିନୀତି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କର ସଙ୍ଗେ ସାକ୍ଷାତ କରି ବିବରଣୀମାନ ଲେଖିଥାନ୍ତି ଏବଂ ଏହି ଉପାୟରେ ପ୍ରଚୁର ଅର୍ଥ ମଧ୍ୟ ଉପାର୍ଜନ କରିଥାନ୍ତି ।

 

ଗଳ୍ପ, କବିତା ବା ପ୍ରବନ୍ଧ, ଦର୍ଶନ, ବିଜ୍ଞାନ ବା ଇତିହାସ ଏବଂ କ୍ରୀଡ଼ା, କୌତୁକ ଓ ବ୍ୟବସାୟ ଆଦି ଯେ କୌଣସି ବିଷୟରେ ଲେଖକ ପାଇଁ ଅର୍ଥାଗମର ବାଟ ଫିଟିଅଛି ଏବଂ ପତ୍ର-ପତ୍ରିକାରେ ଲେଖି ହଜାର ହଜାର ଲେଖକ ପ୍ରତିପୋଷିତ ହେଉଅଛନ୍ତି । ସମୟର ଉପଯୋଗୀ ଗ୍ରନ୍ଥ ଲେଖି ମଧ୍ୟ ଲେଖକକୁଳର ଆର୍ଥିକ ଅଭାବ ବହୁପରିମାଣର ଦୂର ହୋଇଅଛି, ପୁଣି ଏ ଦିଗରେ ସ୍ପନ୍ଦନପୂର୍ଣ୍ଣ ଘଟନାବଳୀର ଉପନ୍ୟାସହିଁ ସବୁଠାରୁ ଅଧିକ ଉପାର୍ଜନକ୍ଷମ ହୋଇଥିବାର ଜଣାଯାଏ । ଖଣ୍ଡିଏ ଖଣ୍ଡିଏ ଉପନ୍ୟାସର ବିକ୍ରିର ପରିମାଣ ବର୍ଷ ଭିତରେ ଦଶ ଲକ୍ଷ ପର୍ଯ୍ୟନ୍ତ ହୋଇଥିବାର ହିସାବ ମିଳେ ଏବଂ ଜଣେ ଜଣେ ଔପନ୍ୟାସିକର ଆୟ ସପ୍ତାହକେ ଛଅ ସାତ ହଜାର ଟଙ୍କା । ପୁଣି ଟକିବାଏସ୍କୋପ ବା ସବାକ୍‌ ଚଳଚ୍ଚିତ୍ର ପାଇଁ ହଜାର ହଜାର ଲେଖକ ଦୃଶ୍ୟାବଳୀ ରଚନା କରି ଜୀବିକା ନିର୍ବାହ କରିଥାନ୍ତି । ଡାକ୍ତର, ଓକିଲ ବା ହିସାବପରୀକ୍ଷକ ଯେପରି ସ୍ୱାଧୀନ ଭାବରେ ବ୍ୟବସାୟ କରେ କିମ୍ବା ସରକାରୀ ବା ବେସରକାରୀ ଅନୁଷ୍ଠାନରେ କର୍ମଚାରୀ ରୂପେ ଉପାର୍ଜ୍ଜନ କରେ, ଲେଖକ ମଧ୍ୟ ସେହିପରି ପତ୍ରପତ୍ରିକାରେ କିମ୍ବା ସିନେମା କମ୍ପାନିରେ ଚାକିରି କରି ଅଥବା ସ୍ୱାଧୀନ ଭାବରେ ଜୀବିକା ଚଳାଏ ।

 

ଏଥିରୁ ବୁଝାଯାଏ ଯେ ବ୍ୟବସାୟ ହିଁ ବର୍ତ୍ତମାନ ସାହିତ୍ୟକୁ ଅର୍ଥକରୀ କରି ପାରିଅଛି ଏବଂ ସାହିତ୍ୟର ସର୍ବବିଧ ଉନ୍ନତି ମୂଳରେ ଏହି ବ୍ୟବସାୟ ହିଁ ପ୍ରତିଷ୍ଠିତ । ଗୋଟିଏ ବଡ଼ କାରଖାନା ପାଖରେ ଯେପରି ଆଉ ପାଞ୍ଚଟି ଛୋଟ କାରଖାନାର ଆବଶ୍ୟକ ହୋଇପଡ଼େ, ଟାଟା କମ୍ପାନିର ଲୁହା କାରଖାନା ପାଖରେ ଯେପରି ଟିଣ କମ୍ପାନି, ତାର କମ୍ପାନି ଆଦି ପ୍ରତିଷ୍ଠିତ କିମ୍ବା ସମ୍ବାଦପତ୍ର ପାଇଁ ଯେପରି କାଗଜ କାରଖାନାର ଆବଶ୍ୟକ, ସେହିପରି ବିଭିନ୍ନ ଦେଶର ବହୁ ବ୍ୟବସାୟ ମଧ୍ୟରେ ସାହିତ୍ୟ ମଧ୍ୟ ଏକ ବ୍ୟବସାୟରେ ପରିଣତ ହୋଇଅଛି । ବଡ଼ ସମ୍ବାଦପତ୍ରଟିଏ ବାହାରିବା ପାଇଁ ସେଥିରେ ଯେପରି ବହୁ ବ୍ୟବସାୟୀଙ୍କର ବିଜ୍ଞାପନ ପ୍ରକାଶିତ ହୋଇ ଅର୍ଥାଗମର କାରଣ ହୁଏ, ଗ୍ରନ୍ଥରଚୟତା ପାଇଁ ସେହିପରି ବହୁ ପାଠକର ଲୋଡ଼ା ହୋଇଥାଏ । ସୁତରାଂ, ବହୁସଂଖ୍ୟକ ଲୋକ ଯେ ରୂପେ ସାହିତ୍ୟକୁ ଆଦର କରିବେ, ସେହିରୂପ ସହଜ ସାହିତ୍ୟର ଆମଦାନୀ ଆଜି ଅଧିକ ହୋଇଅଛି । ଲୋକ-ସାହିତ୍ୟର ବହୁଳ ପ୍ରଚାର ଅନୁପାତରେ ଉଚ୍ଚାଙ୍ଗ ସାହିତ୍ୟର କ୍ଷେତ୍ର ମଧ୍ୟ ପ୍ରଶସ୍ତତର ହୋଇଅଛି ।

 

ଭାରତବର୍ଷରେ ଅବଶ୍ୟ ଲକ୍ଷ୍ମୀ ଏବଂ ସରସ୍ୱତୀ ଆଜି ପର୍ଯ୍ୟନ୍ତ ସପତ୍ନୀ ହୋଇ ରହିଅଛନ୍ତି । ଏବେ ମଧ୍ୟ ଏ ଦେଶରେ ସାହିତ୍ୟିକ ଖ୍ୟାତିର ବିଶେଷ ଅର୍ଥ-ମୂଲ୍ୟ ନାହିଁ କହିଲେ ଚଳେ ଏବଂ ରାଜଦରବାରରୁ ମଧ୍ୟ ଏହା ବିତାଡ଼ିତ । କାରଣ ରାଜଦରବାର ବୋଲି ଏଣିକି ଏ ଦେଶରେ ଆଉ କିଛି ନାହିଁ । ତେଣୁ ଆଉସବୁ ବିଷୟ ପରି ଭାରତୀୟ ସାହିତ୍ୟ ମଧ୍ୟ ପୃଥିବୀରେ ଅନେକ ପଛରେ ପଡ଼ିଅଛି । ବର୍ତ୍ତମାନ ନିରକ୍ଷରତା ଦୂରକରି ଦେଶରେ ପାଠକସଂଖ୍ୟା ବଢାଇବା ଏବଂ ହିନ୍ଦୀକୁ ରାଷ୍ଟ୍ରଭାଷା କରି ତହିଁରେ ବିଭିନ୍ନ ପ୍ରାଦେଶିକ ଭାଷାରୁ ପୁସ୍ତକ ତର୍ଜମା କରାଇବା ଦିଗରେ ପ୍ରାଦେଶିକ ସରକାରମାନେ ଯେଉଁ ଉଦ୍ୟମ କରୁଅଛନ୍ତି, ସେଥିସଙ୍ଗରେ ଦେଶର ସାଧାରଣ ବ୍ୟବସାୟ ବୃଦ୍ଧି ହେଲେ ଭାରତୀୟ ସାହିତ୍ୟର ଦୁର୍ଦ୍ଦଶା ଘୁଞ୍ଚିବ ବୋଲି ଆଶାହୁଏ ।

Image

 

ସଭ୍ୟତାର ପହିଲି ପେଶା

 

ମନୁଷ୍ୟସମାଜର ଇତିହାସ ଆଲୋଚନା କଲେ ଦେଖାଯାଏ ଯେ, ଆଦିମ ମାନବ ଜନ୍ତୁବିଶେଷ ଥିଲା । ଆଜି ମଧ୍ୟ ଆଫ୍ରିକାର କେତେ ଆଦିମ ଅଧିବାସୀ ବଣର ଫଳ ମୂଳ ଖାଇ କିମ୍ବା ପଷୁ, ପକ୍ଷୀ ବା ମାଛ ଶିକାର କରି ଜୀବିକାନିର୍ବାହ କରିଥାନ୍ତି । ସେତେବେଳେ ବନ୍ୟଜନ୍ତୁ ପରି ଖାଦ୍ୟ ଅନ୍ୱେଷଣ ପାଇଁ ତାହାକୁ ସ୍ଥାନେ ସ୍ଥାନେ ବୁଲିବାକୁ ହେଉଥିଲା; କୌଣସି ଏକ ସ୍ଥାନରେ ଘରଦ୍ୱାର କରି ସ୍ଥାୟୀଭାବରେ ରହିବାର ସୁବିଧା ନ ଥିଲା । ତାହା ପରେ ମନୁଷ୍ୟ ଛେଳି, ମେଣ୍ଢା, ଗୋରୁ, ଘୋଡ଼ା ଆଦି ପଶୁ ପୋଷିବାକୁ ଶିଖିଲା ଏବଂ ସେମାନଙ୍କୁ ସଙ୍ଗରେ ଘେନି ପୂର୍ବପରି ସ୍ଥାନେ ସ୍ଥାନେ ବୁଲିଲା । ଆଜି ମଧ୍ୟ ଆଫ୍ରିକାର ମାସାଇ ଲୋକେ ଏବଂ ଏସିଆ ଓ ଅଷ୍ଟ୍ରେଲିଆର ବହୁ ବନ୍ୟଜାତି ଏହିଭାବରେ ଚଳନ୍ତି ।

 

କିନ୍ତୁ ମନୁଷ୍ୟ ଯେତେବେଳେ ଭୂମି ଚାଷ କରିବାକୁ ଶିଖିଲା ଏବଂ ସେଥିରୁ ତାହାର ଭୋଜନ ପାଇଁ ଯଥେଷ୍ଟ ଖାଦ୍ୟ ମିଳିଲା, ସେହି ସମୟରୁହିଁ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବସତି କରି ରହିବା ତାହା ପକ୍ଷରେ ସମ୍ଭବ ହେଲା । ସେହି ସମୟରୁହିଁ ପୃଥିବୀପୃଷ୍ଠରେ ମାନବସଭ୍ୟତାର ଅୟମାରମ୍ଭ ବୋଲିବାକୁ ହେବ । ସେହି ସମୟରୁହିଁ ଯୁଗ ଯୁଗ ଧରି କେତେ ପ୍ରେରଣା, କେତେ ସାଧନା ଓ ତପସ୍ୟାବଳରେ ଏ ସଭ୍ୟତା ଉଜ୍ଜ୍ୱଳ ହୋଇ ଉଠିଅଛି । କେତେ ବିରାଟ ଚିନ୍ତା ଏ ସଭ୍ୟତା ମୂଳରେ ଜଳସେଚନ କରି ତାହାକୁ ସଜୀବ ଓ ସମୃଦ୍ଧ ରଖିଅଛି; କେତେ ବିପୁଳ କର୍ମପ୍ରବାହ ତାହାକୁ ଆହାର ଯୋଗାଇ ବଳିଷ୍ଠ ଓ ସୁପୁଷ୍ଟ କରିଅଛି । ଯୁଗ ଯୁଗ ବ୍ୟାପୀ କେତେ ଘର୍ମ, କେତେ ରୁଧିର, କେତେ ହାସ୍ୟ, କେତେ ଲୋତକର ପୁଞ୍ଜୀଭୂତ ପ୍ରକାଶ ଏହି ସଭ୍ୟତା । କେତେ ଉତ୍‌ଥାନପତନ, ଯୁଦ୍ଧବିଗ୍ରହର କ୍ଷତଚିହ୍ନ ବକ୍ଷରେ ଧରି ଏହା ଗତି କରିଅଛି; କେତେ ଶିଳ୍ପକଳାର ଗୌରବରେ ଏହା ସୁଷମିତ । ମିଶର, ବେବିଲୋନ୍‌ ଓ ରୋମୀୟ ସଭ୍ୟତା ଦିନେ ଏ ଧରାକୁ ଆଲୋକିତ କରି ଆଜି ଭୂମିତଳେ ସମାଧି ଘେନିଅଛି । ଭାରତ ଓ ଚୀନର ପ୍ରାଚୀନ ସଭ୍ୟତା ତୈଳହୀନ ଦୀପ ପରି ମ୍ରିୟମାଣ । ସେହି ପ୍ରାଚୀନ ଭିତ୍ତି ଉପରେ ଦଣ୍ଡାୟମାନ ହୋଇ ନବଯୁଗର ଶିଳ୍ପ ବା ଯନ୍ତ୍ର-ସଭ୍ୟତାର ଜୟଦୁନ୍ଦୁଭି ପୃଥିବୀର ଏକପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ବାଜି ଉଠିଅଛି ।

 

ଭାରତ, ଚୀନ ବା ମିଶର ଆଦି ଅତୀତ ମହିମାରେ ମହିମାନ୍ୱିତ ଦେଶମାନ, ଏପରି କି ନିଗ୍ରୋ ବା କନ୍ଧ କୋହ୍ଲ ପ୍ରଭୃତି ଆଦିମ ଜାତି ଆହାର-ବିହାର-ପରିଚ୍ଛଦ ଆଦି ନିତ୍ୟନୈମିତ୍ତିକ ବିଷୟରେ ମଧ୍ୟ ଏହି ନବସଭ୍ୟତାଦ୍ୱାରା ପ୍ରଭାବିତ । ଦେହ ଓ ମନର ସ୍ୱାସ୍ଥ୍ୟ ଏବଂ ସ୍ୱାଚ୍ଛନ୍ଦ୍ୟ ପାଇଁ ଚାରୁକଳା ବା ସାହିତ୍ୟରେ ଭାସ୍କର୍ଯ୍ୟ ବା ସ୍ଥାପତ୍ୟରେ, ରଣକୌଶଳ ବା ଚିକିତ୍ସାବିଜ୍ଞାନରେ ମନୁଷ୍ୟ ଯେଉଁ ଅଦ୍ଭୁତ ଶକ୍ତିର ପରିଚୟ ଦେଇଅଛି, ସେଥିରୁ ମନେହୁଏ, ଜଗତରେ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ଯେପରି କୌଣସି ବିଷୟ ବାକି ନାହିଁ । ଗୋଟାଏ ଗୋଟାଏ ଜିଲ୍ଲା ବା ପ୍ରଦେଶର ଜନସଂଖ୍ୟା ଘେନି ପ୍ରକାଣ୍ଡ ନଗର ନିର୍ମାଣ, ଜଳଧିବକ୍ଷରେ ଗୋଟିଏ ଗୋଟିଏ ଭାସମାନ ନଗରପରି ପୋତ, ଆକାଶ ଉପରେ ଉଡ୍‌ଡ଼ୀୟମାନ ପ୍ରାସାଦ ପରି ବ୍ୟୋମଯାନ, ନଭଶ୍ଚୁମ୍ବୀ ଶତ ଶତ ପ୍ରାସାଦ ଗଠନ ଏବଂ ଏ ସକଳକୁ ମୁହୂର୍ତ୍ତରେ ଧୂମରେ ପରିଣତ କରି ଦେବାପାଇଁ ଅଦ୍ଭୁତ ଯୁଦ୍ଧୋପକରଣମାନ ଯୁଗସଭ୍ୟତାର କୀର୍ତ୍ତି ଓ ଅପକୀର୍ତ୍ତି ଘୋଷଣା କରୁଅଛି ।

 

ତଥାପି ଏହି ବିରାଟ ସାଜସଜ୍ଜା ମୂଳରେ କୁଟୀରବାସୀ ସେହି ମେଷପାଳକ ଆଦିମାନବର ରୂପ ଲୁଚି ରହିଅଛି । ଭୂମିକର୍ଷଣର ପ୍ରଥମ ଉପକରଣ କାଷ୍ଠଲଙ୍ଗଳ ଉପରେହିଁ ଆଜିର ଏହି ପ୍ରକାଣ୍ଡ କଳକାରଖାନାଗୁଡ଼ିକ ପ୍ରତିଷ୍ଠିତ । ଆଜି ମଧ୍ୟ ପୃଥିବୀ ଉପରୁ ଆଦିସଭ୍ୟତାର ଚିହ୍ନ ଏକାବେଳକେ ଲିଭି ନାହିଁ । ଚୀନ ଏବଂ ଭାରତବର୍ଷ ପରି ଦୁଇଟି ମହାଦେଶ କୃଷିପ୍ରଧାନ ହୋଇ ରହିଅଛି ଏବଂ ଉଭୟ ଦେଶର କୃଷି ଉପକରଣରେ ଆଦିମ ଚିହ୍ନ ଅଙ୍କିତ । ଦୁଇ ଆଙ୍ଗୁଳରୁ ଅଧିକ ଭୂଗର୍ଭକୁ ଯିବାର ଅନୁପଯୋଗୀ ପୂରାକାଳର ସେହି କାଷ୍ଠ ଲଙ୍ଗଳହିଁ ଏ ଦେଶରେ କୃଷିଉତ୍ପନ୍ନର ସାମଗ୍ରୀ ଏବଂ ପୃଥିବୀରେ ସବୁଠାରୁ ମନ୍ଥର ଗଧ, ବଳଦ ବା ମନୁଷ୍ୟ ଉପରେହିଁ କୃଷିଜାତ ଦ୍ରବ୍ୟଗୁଡ଼ିକ ନେବା ଆଣିବା ହୋଇଥାଏ ।

 

ଭାରତବର୍ଷ ବା ଚୀନରେ ଅଧିକାଂଶ ଅଧିବାସୀଙ୍କର ଯେଉଁ ପେଶା, ପୃଥିବୀର ସବୁ ଦେଶରେହିଁ ଲୋକେ ପ୍ରଥମେ ସେହି କୃଷିକୁ ପ୍ରଧାନ ଅବଲମ୍ବନ କରି ଚଳୁଥିଲେ; କିନ୍ତୁ ବଂଶବୃଦ୍ଧି ସଙ୍ଗେ ସଙ୍ଗେ ଏବଂ ସ୍ଥାନ ଓ ଜଳବାୟୁ ଭେଦରେ ମନୁଷ୍ୟର ପେଶା ମଧ୍ୟ ବଦଳି ଯାଇଅଛି । ପୃଥିବୀର ମାନଚିତ୍ରରୁ ଦେଖାଯାଏ, ଇଂଲଣ୍ଡ, ଜର୍ମାନୀ ଫ୍ରାନ୍‌ସ, ଇଟାଲୀ ପ୍ରଭୃତି ୟୁରୋପର ପଚିଶଟି ଦେଶ ଯେତିକି ଭୂଖଣ୍ଡରେ ଅବସ୍ଥିତ, ଏକା ଭାରତବର୍ଷର ଆକାର ହିଁ ସେତିକି; ଏବଂ ଜନସୁମାରିରୁ ଜଣାଯାଏ, ଏହିସବୁ ଦେଶର ଲୋକସଂଖ୍ୟାର ସମଷ୍ଟି ଭାରତର ଲୋକସଂଖ୍ୟା ସଙ୍ଗେ ପ୍ରାୟ ସମାନ । ଅଥଚ ଏହି ଦୁଇଟି ବିଷୟ ବ୍ୟତୀତ ଆଉ କାହିଁରେ ୟୁରୋପ ସଙ୍ଗେ ଭାରତବର୍ଷକୁ ତୁଳନା କରିବା ପାଇଁ ସାହସ ହୁଏ ନାହିଁ । ସେସବୁ ଦେଶରେ ଶିଳ୍ପବାଣିଜ୍ୟର ଉନ୍ନତି ହିଁ ଏ ସମୃଦ୍ଧିର ସୁସ୍ପଷ୍ଟ କାରଣ ।

 

ବହୁନଦୀସେବିତ ଭାରତବର୍ଷର ମୃତ୍ତିକା ଏପରି ଉର୍ବର ଏବଂ କୃଷିଉପଯୋଗୀ ସମତଳ ଭୂମି ତହିଁରେ ଏତେ ପ୍ରଚୁର ଯେ, କୃଷି ଅପେକ୍ଷା ଶିଳ୍ପକୁ ସେଠାରେ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ହୋଇନାହିଁ । ଗ୍ରୀଷ୍ମପ୍ରଧାନ ଦେଶ ହୋଇଥିବାରୁ ଥଣ୍ଡା ଦେଶ ପରି ପୋଷାକପରିଚ୍ଛଦ, ବାସଗୃହ ବା ଯାନବାହନର ଉନ୍ନତି ପାଇଁ ସେଠାରେ ଲୋକଙ୍କୁ ୟୁରୋପୀୟମାନଙ୍କ ପରି ଚିନ୍ତା କରିବାକୁ ପଡ଼ି ନାହିଁ । ଏ ଦେଶର ବିସ୍ତୃତି ଓ ବିଶାଳତା ଲାଗି ମଧ୍ୟ ଏହାର ଅଧିବାସୀମାନଙ୍କର ଅନ୍ୟ ଦେଶରେ ଉପନିବେଶ କରିବାର ଆବଶ୍ୟକତା ଅନୁଭୂତ ହୋଇନାହିଁ । ଫଳତଃ ମଧ୍ୟ-ଏସିଆରୁ ଆର୍ଯ୍ୟମାନଙ୍କର ପ୍ରଥମ ଅଭିଯାନ ପରଠାରୁହିଁ ଭାରତୀୟମାନଙ୍କର ନିଜ ଦେଶ ଛାଡ଼ି ବାହାରକୁ ଯିବା ଯେତେ ଆବଶ୍ୟକ ହୋଇନାହିଁ, ବାହାର ଲୋକଙ୍କର ଏ ଦେଶକୁ ଆସିବା ସେତିକି ଆବଶ୍ୟକ ଓ ସୁବିଧା ହୋଇଅଛି । ଶକ, ହୁନ୍‌, ଗ୍ରୀକ୍‌, ମୋଗଲ, ଫରାସୀ, ଓଲନ୍ଦାଜ ବା ଇଂରେଜମାନେ ଦେଶଜୟ ବା ବ୍ୟବସାୟସୂତ୍ରରେ ଏ ଦେଶକୁ ଜଳ କିମ୍ବା ସ୍ଥଳପଥରେ ଆସିଥିଲେ-। ଏ ଦେଶର ଚାଷିଜମି ଯେପରି ପ୍ରତି ଚାଷୀପାଇଁ ଅତି ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇ ଗ୍ରାମେ ଗ୍ରାମେ ଛୋଟ କଳିତକରାଳ ବା ମାଲିମକଦ୍ଦମାର ସୃଷ୍ଟି କରିଥାଏ, ସେହିପରି ଏ ଦେଶର ଶାସନ ସାନ ସାନ ରାଜ୍ୟ ବା ସରକାରଦ୍ୱାରା ବିଭକ୍ତ ହୋଇ ପରସ୍ପର ମଧ୍ୟରେ କଳହ ଓ ଶତ୍ରୁତା ଲାଗିଥିବାରୁ ବାହାରର ଆଗନ୍ତୁକମାନଙ୍କ ପ୍ରତି ସମଷ୍ଟିଗତ ପ୍ରତିରୋଧ କରିବାର ଶକ୍ତି ଓ ସୁଯୋଗ ହରାଇଥିଲା । ସେଥିପାଇଁ ଭାରତ-ଇତିହାସରେ ଆଗନ୍ତୁକମାନଙ୍କ ପ୍ରତି କେତେକ ସ୍ଥଳରେ କ୍ଷୀଣ ପ୍ରତିରୋଧ ଏବଂ ଅଧିକାଂଶ ସ୍ଥଳରେ ପରାଜୟ ବା ବନ୍ଧୁତା ସ୍ୱୀକାର ଉଦାହରଣ ମିଳେ ଏବଂ ସବୁସ୍ଥଳରେ ହିଁ ଜୟ, ପରାଜୟ ବା ବନ୍ଧୁତାକୁ ବହୁମୂଲ୍ୟରେ ଏ ଦେଶକୁ କ୍ରୟ କରିବାକୁ ହୋଇଥିଲା-

 

ନିଜ ଚତୁଃସୀମା ମଧ୍ୟରେ ଆବଦ୍ଧ ରହି ଏ ଦେଶର ଦୃଷ୍ଟି ବାହାର ଅପେକ୍ଷା ଭିତରେହିଁ ଅଧିକ ନିବଦ୍ଧ ରହିଥିଲା । ବିଦେଶୀ ଆକ୍ରମଣକାରୀ ଅପେକ୍ଷା ପଡ଼ୋଶୀ ହିଁ ବେଶି ଭୟ ଓ ଲଜ୍ଜାର କାରଣ ହୋଇଛନ୍ତି । ବାହାରର ଶତ୍ରୁ ଅପେକ୍ଷା ଭିତରର ଷଡ଼ରିପୁ ଦମନ ପାଇଁ ତାହାର ଉଦ୍ୟମ ପ୍ରବଳତର ହୋଇପଡ଼ିଅଛି । ଦେହର ସ୍ୱାସ୍ଥ୍ୟଠାରୁ ଅନ୍ତରର ଶୌଚପ୍ରତି ବେଶି ଦୃଷ୍ଟି ଦିଆଯାଇଅଛି । ବୈଷୟିକ ଉନ୍ନତି ଛାଡ଼ି ଆଧ୍ୟାତ୍ମିକ ଉନ୍ନତିରେ ତାହାର ମୁକ୍ତି ବୋଲି ଧାରଣା ଜନ୍ମି ଅଛି । ସେଥିପାଇଁ ଚାରିମାଣ ଜମି ଚାଳିଶ ଖଣ୍ଡରେ ବିଭକ୍ତ ହୋଇଅଛି । ଚାରିଟି ଜାତି ଚାରିଶହ ଜାତିରେ ପରିଣତ ଏବଂ ଗୋଟିଏ ଦେବତା କୋଟିଏ ହୋଇଛନ୍ତି ।

 

ବର୍ତ୍ତମାନ କିନ୍ତୁ ଇଉରୋପ ବା ଆମେରିକାରେ ଅନ୍ୟ ସବୁ ବିଷୟ ପରି କୃଷିର ଯେଉଁ ଉନ୍ନତି ସାଧିତ ହୋଇଅଛି, ତାହା ଭାରତର ଚକ୍ଷୁକୁ ଖୋଲି ଦେଇଅଛି । ସେ ସବୁ ଦେଶର କୃଷକ ବୋଇଲେ ଅର୍ଦ୍ଧନଗ୍ନ, ଅର୍ଦ୍ଧାହାରୀ ଓ ସ୍ୱଳ୍ପଜୀବୀ ଭାରତୀୟ କୃଷକର ଚିତ୍ର ଧାରଣାକୁ ଆସେ ନାହିଁ ! କୃଷକର ଗୃହ ବୋଇଲେ ଭାରତୀୟ କୃଷକର ଭଗ୍ନବିକଳ କୁଟୀରକୁ ବୁଝାଏ ନାହିଁ । କୃଷକଶିଶୁର ଅର୍ଥ ଭାରତୀୟ କୃଷକ ସନ୍ତାନର ରୁଗ୍‌ଣ, ଧୂସର ଓ କାରୁଣ୍ୟର ଅବତାର ନୁହେଁ । ସେ ଦେଶରେ କୃଷକ ଯଥାର୍ଥରେ ଆଜି ସମାଜର ସ୍ତମ୍ଭ ହୋଇ ରହିଅଛି । ତାହାର ପରିଚ୍ଛଦ, ପାନାହାର ଓ ବାସଗୃହ ଏ ଦେଶର ବହୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଅପେକ୍ଷା ମଧ୍ୟ ଉତ୍କୃଷ୍ଟତର । ସେ ଦେଶରେ କୃଷିକ୍ଷେତ୍ର କହିଲେ ଏକତ୍ର ଶହ ଶହ ଏକର ଚାଷଜମିକୁ ବୁଝାଇଥାଏ । ଲଙ୍ଗଳ ପରିବର୍ତ୍ତରେ ବାଷ୍ପଚାଳିତ ବଡ଼ ବଡ଼ ଟ୍ରାକ୍ଟରଦ୍ୱାରା ଅଳ୍ପ ସମୟରେ ଶହ ଶହ ଏକର ଜମି ଚାଷ ହୁଏ-। ଦାଆ ସ୍ଥାନରେ ଯନ୍ତ୍ରସାହାଯ୍ୟରେ ଶହ ଶହ ଏକର ଜମିର ଫସଲ ଅଳ୍ପ କେତେ ଘଣ୍ଟା ମଧ୍ୟରେ କଟାଯାଏ । ଜଳସେଚନ, ବୀଜପବନ ପାଇଁ ମଧ୍ୟ ଯନ୍ତ୍ରର ସାହାଯ୍ୟ ନିଆଯାଇଅଛି । ଶସ୍ୟକୁ କୀଟପତଙ୍ଗ ବା ପଶୁପକ୍ଷୀଙ୍କ ଆକ୍ରମଣରୁ ରକ୍ଷା କରିବାପାଇଁ ବୈଜ୍ଞାନିକ ଉପାୟମାନ ଉଦ୍ଭାବିତ ହୋଇଅଛି ଏବଂ ରାସାୟନିକ ସାର ପ୍ରଭୃତିଦ୍ୱାରା ବର୍ଷମଧ୍ୟରେ ଏକାଧିକ ଥର ଫସଲ ଆମଦାନୀର ଚେଷ୍ଟା ମଧ୍ୟ ସଫଳ ହୋଇଅଛି । ଗୋଟିଏ କଥାରେ କହିବାକୁ ଗଲେ, ଭୂମିକର୍ଷଣ ଓ ବୀଜବପନଠାରୁ ଆରମ୍ଭ କରି ଆହାରରୂପେ ମନୁଷ୍ୟ ପାଖରେ ପରିବେଷଣ କରାଯିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ହିଁ ଆଜି ଯନ୍ତ୍ରଦ୍ୱାରା ସମ୍ଭବ ହୋଇ ପାରିଅଛି ।

 

କୃଷକର ଯାତାୟାତ ପାଇଁ ପଥଘାଟର ସୁବିଧା କରିବା, କୃଷକପଲ୍ଲୀରେ ବିଦ୍ୟୁତ୍‌ ଆଲୋକ ଯୋଗାଇବା, ତାହାର ପାନୀୟଜଳ ପାଇଁ ବ୍ୟବସ୍ଥା କରିବା, ତାହାର ସନ୍ତାନର ଶିକ୍ଷା ପାଇଁ ଉତ୍କୃଷ୍ଟ ଧରଣର ବିଦ୍ୟାଳୟ, ବୟସ୍କ ସ୍ତ୍ରୀପୁରୁଷଙ୍କ ପାଇଁ ପାଠାଗାର, ଚିକିତ୍ସା ପାଇଁ ନିକଟରେ ଡାକ୍ତରଖାନା, ଆମୋଦ ପ୍ରମୋଦ ପାଇଁ ଗ୍ରାମେଗ୍ରାମେ ବେତାର ରେଡ଼ିଓ ଯନ୍ତ୍ର ଓ କେନ୍ଦ୍ର ସ୍ଥାନମାନଙ୍କରେ ବାୟସ୍କୋପ, ସମ୍ବାଦ ନେବାଆଣିବା ପାଇଁ ପୋଷ୍ଟ ଓ ଟେଲିଗ୍ରାଫ ଅଫିସ ଆଦି ସ୍ଥାପନ କରିବା ଦିଗରେ ସବୁ ଉନ୍ନତ ଦେଶର ସରକାର ତତ୍ପର ।

 

ଅବଶ୍ୟ ବର୍ତ୍ତମାନ ଭାରତବର୍ଷର ମେରୁଦଣ୍ଡ କୃଷକସମାଜର ଦୁର୍ଦ୍ଦଶା ମେଣ୍ଟାଇବା ପାଇଁ ଭାରତସରକାରଙ୍କର ବହୁମୁଖୀ ଉଦ୍ୟମ ସର୍ବଦା ଉଲ୍ଲେଖଯୋଗ୍ୟ । ବିଭିନ୍ନ ରାଜ୍ୟରେ କୋଟିକୋଟି ମୁଦ୍ରାବ୍ୟୟରେ ବନ୍ୟାନିୟନ୍ତ୍ରଣ ଓ ଜଳସେଚନ ଲାଗି ଯେଉଁ ବିରାଟ ଜଳଭଣ୍ଡାରମାନ ସ୍ୱାଧୀନତା ପରେ ନିର୍ମିତ ହୋଇଛି; ପୁଣି ପଞ୍ଚବାର୍ଷିକ ଯୋଜନା ଗୁଡ଼ିକରେ କୃଷକର ସର୍ବବିଧ ଉନ୍ନତି ଲାଗି ଯେଉଁ ବିସ୍ତୃତ ବ୍ୟବସ୍ଥାମାନ କାର୍ଯ୍ୟକାରୀ ହେଉଛି, ତାହାଫଳରେ ଅଚିରେ କୃଷକର ଅବସ୍ଥା ଉନ୍ନତ ହେବ ବୋଲି ସ୍ପଷ୍ଟ ସୂଚନା ମିଳୁଅଛି । କୃଷିସମ୍ବନ୍ଧେ ବିଶେଷଜ୍ଞମାନଙ୍କୁ ନେଇ ଭାରତୀୟ କୃଷିଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହୋଇଅଛି ଏବଂ କୃଷିର ସମୂହ ଉନ୍ନତିପାଇଁ ସମ୍ୟକ୍‌ ଆଲୋଚନା କରାଯାଉଅଛି । ପ୍ରତି ଜିଲ୍ଲା ବା ମହକୁମାରେ ଆଦର୍ଶ କୃଷିଫାର୍ମ ଗଢ଼ାଯାଇ ତହିଁରେ ମୃତ୍ତିକାଭେଦରେ କି କି ଉନ୍ନତ ଫସଲ ଜନ୍ମିପାରେ, ତାହା ପରୀକ୍ଷିତ ହୋଇ ଲୋକଶିକ୍ଷା ଓ ପ୍ରଚାରପାଇଁ ସାହାଯ୍ୟ କରୁଅଛି । ପ୍ରତି ପ୍ରାଦେଶିକ ସରକାର କୃଷକକୁ ଋଣଭାରରୁ ମୁକ୍ତ କରିବାକୁ ଉଦ୍ୟମଶୀଳ ଏବଂ ନିଜେ ଚାଷ କରୁଥିବା ଜମି ଉପରେ ତାହାର ସ୍ୱତ୍ୱ କିପରି ପ୍ରତିଷ୍ଠିତ ହୋଇପାରେ, ସେଥିପାଇଁ ନୂତନ ଆଇନ ସଂଶୋଧନ କରିବା ଦିଗରେ ଧ୍ୟାନ ଦେଇଅଛନ୍ତି ।

 

ସୁତରାଂ, ଭାରତୀୟ କୃଷି ପୂର୍ବଠାରୁ ବର୍ତ୍ତମାନ ଅନେକ ପରିମାଣରେ ଅଗ୍ରସର ହୋଇ ପାରିଅଛି । ବିହାରର ପୃଷ୍ଠା କେନ୍ଦ୍ରରେ ଯେଉଁ ଗହମ ପରୀକ୍ଷିତ ହୋଇ ଉତ୍କୃଷ୍ଟ ବୋଲି ପ୍ରମାଣିତ, ତାହାର ଖ୍ୟାତି ଆଜି ଭାରତର ସୀମା ପାର ହୋଇଅଛି । ଏହି ଗହମ ଉତ୍ତର ଭାରତରେ ପ୍ରାୟ ଷାଠିଏ ଲକ୍ଷ ଏକର ଜମିରେ ଚାଷ କରାଯାଏ ଏବଂ ଉତ୍ତରପଶ୍ଚିମ ସୀମାନ୍ତ ପ୍ରଦେଶ, ବିହାର ତଥା ଓଡ଼ିଶାରେ ଏହି ଗହମହିଁ ପ୍ରଧାନ ବୋଲି ପ୍ରଚଳିତ । କୋଏମ୍ୱାଟୁର୍‍ ଏବଂ ଢାକାର କୃଷି-ଗବେଷଣା କେନ୍ଦ୍ରରେ ଉତ୍କୃଷ୍ଟ ଧାନ ବିହନ ପ୍ରସ୍ତୁତ କରାଯାଇଅଛି । ଆଖୁଚାଷର ଉନ୍ନତି ଭାରତୀୟ କୃଷି-ସଂସାରରେ ସବୁଠାରୁ ଏକ ଉଲ୍ଲେଖଯୋଗ୍ୟ ଘଟଣା । କୋଡ଼ିଏ ବର୍ଷ ପୂର୍ବେ ଭାରତକୁ ଜାଭା ଦ୍ୱୀପରୁ ଅନେକ ପରିମାଣରେ ଚିନି ରପ୍ତାନି ହେଉଥିଲା । ଅଥଚ ବର୍ତ୍ତମାନ ଏ ଦେଶରେ ପ୍ରାୟ ଦୁଇଶହ ଚିନି କାରଖାନା ପ୍ରତିଷ୍ଠିତ ହୋଇ ବିଦେଶରୁ ଚିନି ଆସିବା ବହୁ ପରିମାଣରେ କମିଯାଇଛି-। ଦଶବର୍ଷ ପୂର୍ବେ ଆଖୁଚାଷ ସମଗ୍ର ଭାରତବର୍ଷରେ ମୋଟେ ପଚାଶ ହଜାର ଏକର ଜମିରେ କରାଯାଉଥିଲା, ବର୍ତ୍ତମାନ ଏ ସଂଖ୍ୟା ସତେଇଶ ଲକ୍ଷ ଏକରକୁ ଉଠିଅଛି । ପ୍ରତିବର୍ଷର ହିସାବ ସଂଗ୍ରହ କଲେ ସବୁ ବିଭାଗରେ ହିଁ କୃଷିର ଉନ୍ନତି ଘଟୁଥିବାର ସୂଚନା ମିଳେ ।

 

ତଥାପି ଭାରତୀୟ କୃଷକ ଅବନତିର ଯେଉଁ ଅତଳ ସ୍ତରରେ ପଡ଼ିଅଛି, ଏ ସକଳ ଉନ୍ନତି ତାହାର ଅବସ୍ଥାରେ ଆଶା ଅନୁରୂପ ପରିବର୍ତ୍ତନ ଘଟାଇ ପାରିନାହିଁ । ସେଥିପାଇଁ ଘର, ସଂସାର ଓ ଆପଣାର ପେଶା ଛାଡ଼ି ଆଜି ସେ ବିଦେଶକୁ କୁଲିକାମ କରିବାକୁ ଧାଉଁଅଛି । ଏସବୁ ଚେଷ୍ଟା ସତ୍ତେ ହଇଜା, ବସନ୍ତ ବା ବନ୍ୟା, ଦୁର୍ଭିକ୍ଷରେ ଗାଁ ଗାଁ ଲୋକଶୂନ୍ୟ ହେବା ହିଁ ଭାରତବର୍ଷର ପ୍ରଧାନ ସମ୍ବାଦ ହୋଇରହିଛି । ଏସବୁ ଚେଷ୍ଟାସତ୍ତ୍ୱେ ଭାରତବାସୀର ସାଧାରଣ ପରମାୟୁ ଅଳ୍ପ । କୌଣସି ସଭ୍ୟଦେଶର ଶିଶୁମୃତ୍ୟୁ ବା ପ୍ରସୂତିମୃତ୍ୟୁର ସଂଖ୍ୟା ଏ ଦେଶପରି ରୋମାଞ୍ଚକର ନୁହେଁ ।

 

ଉନ୍ନତ ଦେଶର କୃଷକ ବନ୍ୟା ବା ବୃଷ୍ଟିଜଳକୁ କରାୟତ୍ତକରି ଏବଂ ପ୍ରକୃତିର ସକଳ ବାଧାକୁ ପ୍ରତିରୋଧ କରି ଜୟୋଲ୍ଲାସରେ ଗତି କରୁଥିବାବେଳେ ଏ ଦେଶର ଚଷା ଜଳସେଚନ ବିଭାଗରେ ଇନ୍ଦ୍ର ବ୍ୟତୀତ କୃଷିର ଆଉ କେହି ପ୍ରଭୁ ଥିବାର ବିଶ୍ୱାସ କରେ ନାହିଁ । ଉନ୍ନତ ଦେଶର ଚାଷୀ ନିଜ ଦେଶଉଦ୍ଭାବିତ ଊତ୍କୃଷ୍ଟ କୃଷି ଉପାଦାନ ଓ ଯନ୍ତ୍ରଦ୍ୱାରା ସକଳ କୃଷିକର୍ମ ନିର୍ବାହ କରୁଥିବା ବେଳେ ଏ ଦେଶ କୃଷିର ସବୁ ଫଳାଫଳ କୃଷକର ଦୃଷ୍ଟିର ଅତୀତ । ଅତଏବ ଅଦୃଷ୍ଟ ହିଁ ତାହାର ଏକମାତ୍ର ଭରସା । ଜୀବନଧାରଣର ପ୍ରଧାନ ଅବଲମ୍ବନ କୃଷି ଯେପରି ଅଦୃଷ୍ଟଦ୍ୱାରା ନିୟନ୍ତ୍ରିତ, ଆଉ ସବୁ ବିଷୟରେ ମଧ୍ୟ ସେହିପରି ଏ ଦେଶ ଲୋକଙ୍କର ଆତ୍ମପ୍ରତ୍ୟୟ ଖର୍ବ ହୋଇ ଦୈବ ହିଁ ସର୍ବୋପରି ଶାସନ କରୁଅଛି । ମନୁଷ୍ୟଜାତିର ପହିଲି ପେଶା କୃଷି ହିଁ ଏ ଦେଶର ଜୀବିକା ପାଇଁ ପ୍ରଧାନ ଅବଲମ୍ବନ ହୋଇଥିବାରୁ ଭାରତର ଧର୍ମ, ଦର୍ଶନ, ସାହିତ୍ୟ ଓ ରାଜନୀତି ଆଦି ସମାଜର ସକଳ ବିଭାଗର ଉନ୍ନତି ବା ଅବନତି କୃଷି ଉପରେ ନିର୍ଭର କରୁଅଛି । କୃଷି ଉପରେ ହିଁ ଏ ଦେଶର ଶିକ୍ଷା ଓ ସଭ୍ୟତା ନିହିତ ଏବଂ ଦେଶର ଶତ୍ରୁତା, ମିତ୍ରତା, ଦୁଃଖ ଅଥବା ସୁଖ କୃଷିଦ୍ୱାରା ହିଁ ନିୟନ୍ତ୍ରିତ-। ଅତଏବ, କୃଷିର ଉନ୍ନତିବିଧାନ ଏବଂ କୃଷକର ଅବସ୍ଥା ସୁଧାରିବାପାଇଁ ପ୍ରତ୍ୟେକ ବ୍ୟକ୍ତିର ଚିନ୍ତା କରିବା ଉଚିତ । ଉପସ୍ଥିତ ଉନ୍ନତିକର ଯୋଜନା ଫଳରେ ଏହି ଅବସ୍ଥା ଅଚିରେ ବଦଳିଯିବ ବୋଲି ଆଶାକରିବାର ଯଥେଷ୍ଟ ପ୍ରମାଣ ମିଳୁଅଛି ।

Image

 

ସାହିତ୍ୟ-ବିଚାର

ବେଗ ହିଁ ଉନ୍ନତିର ଲକ୍ଷଣ

 

ମଫସଲ ଗାଁରୁ ସହର ବଜାରକୁ ଗଲେ କିମ୍ବା ସାନ ସହରରୁ କଲିକତା ପରି ବଡ଼ ସହରକୁ ଗଲେ, ମନୁଷ୍ୟ କିପରି ମହାବେଗରେ ଧାଇଁଛି, ତାହା ସଫା ଆଖିରେ ଦେଖିହୁଏ । ଗାଡ଼ି, ମଟର, ଟ୍ରାମ୍‌ ଓ ବାସ୍‌ରେ ସମସ୍ତ ମନୁଷ୍ୟସମାଜ ସେଠାରେ ଯେପରି ଚଞ୍ଚଳ ହୋଇ ଉଠିଅଛି । ସେଠାରେ ଯେପରି ପ୍ରତି ଲୋକ ଆଗୁଆ ହେବାପାଇଁ ଅନ୍ୟ ସହିତ ପ୍ରତିଯୋଗିତା କରିବାକୁ ଚାହେଁ; ପ୍ରତି ସାଇକେଲ, ପ୍ରତି ମଟର ଅନ୍ୟକୁ ପଛରେ ପକାଇ ଯିବାକୁ ବ୍ୟଗ୍ର; ପ୍ରତି ଦୋକାନୀ ଆଗ ନିଜର ଜିନିଷ ବିକ୍ରୀ କରିବାକୁ ଚିତ୍କାର କରୁଅଛି; ପ୍ରତି ଖରିଦଦାର ଆଗ କିଣିବା ପାଇଁ ଭିଡ଼ ଭିତରେ ଠେଲି ଚାଲିଅଛି ।

 

ବଡ଼ ବଡ଼ ସହରକୁ ଗଲେ ଯାହା ଆଖି ଆଗରେ ପଡ଼େ, ଦେଶ ଦେଶ ଭିତରେ ମଧ୍ୟ ସେହି ପ୍ରତିଯୋଗିତା ଲାଗିଅଛି । ନାନା ଦିଗରେ ପ୍ରତି ଦେଶ ଅନ୍ୟ ଦେଶକୁ ପଛରେ ପକାଇ ଆପେ ଆଗୁଆ ହେବାର ଇଚ୍ଛାକୁ କାର୍ଯ୍ୟ ଉପରେ ପ୍ରମାଣ କରୁଅଛି । ଏହାର ଉଦାହରଣ ଆମେ ଭାରତବର୍ଷର ଦୂର ମଫସଲ ଗାଁରେ ରହି ମଧ୍ୟ ଅତି ପାଖରେ ଦେଖିବାକୁ ପାଉ । ଯେଉଁ ଲୁଗାଖଣ୍ତି ପିନ୍ଧି ଆମେ ଲଜ୍ଜା ନିବାରଣ କରୁଁ, ଯେଉଁ ଲଣ୍ଠନଟି ଜାଳି ଆମର ଅନ୍ଧାର ଘର ଆଲୁଅ ହୁଏ, ସେ ସବୁ ଏହି ପ୍ରତିଯୋଗିତାର ଭିତରେ ହିଁ ଆମ ହାତ ପାଖକୁ ଆସେ । ରାତିରେ ଶୋଇ ସକାଳେ ନିଦ ଭାଙ୍ଗିଲାବେଳକୁ ମନୁଷ୍ୟ ଆଜି ମାସ ମାସକର ବାଟ ପାରହୋଇ ଆସୁଛି । ହଜାର ହଜାର ମହଣ ମାର୍ଲ ଶହଶହ ମାଇଲ ଦୂରସ୍ଥାନକୁ ଅଳ୍ପ କେତେକ ଘଣ୍ଟା ମଧ୍ୟରେ ସହଜରେ ପଠାଯାଉଅଛି । ତଥାପି ରାତି ଭିତରେ ମନୁଷ୍ୟ ଯେତିକି ବାଟ ଯାଇପାରୁଛି, ତାହାର ଦୁଇଗୁଣ ବାଟ କିପରି ଯାଇପାରେ, ଯେତେ ମହଣ ମାର୍ଲ ପଠା ହେଉଛି, ତାହାର ତିନି ଗୁଣ ମାର୍ଲ କିପରି ପଠାଯାଇପାରେ, ସେ ଦିଗରେ ସବୁ ପ୍ରଗତିଶୀଳ ଦେଶ ଓ ସମାଜ ଅବିରାମ ଚେଷ୍ଟା କରୁଅଛନ୍ତି ।

 

ଜର୍ମାନୀର ବ୍ରିମେନ୍‌ ନାମକ ଜାହାଜ ଆତଲାନ୍ତିକ ମହାସାଗରକୁ ଯଦି ଚାରିଦିନ ସାଢ଼େ ଚାରିଘଣ୍ଟାରେ ପାରହୋଇ ଜଳପଥରେ ପୂର୍ବବର୍ତ୍ତୀ ସବୁ ବେଗର ସୀମାକୁ ଟପିଗଲା, ତାହାହେଲେ ପାନ୍‌ସ ‘ନରମାଣ୍ତି’ ନାମକ ପୃଥିବୀର ସବୁଠାରୁ ଏକ ବଡ଼ ଜାହାଜ ନିର୍ମାଣ କରି ସେହି ଦୂରତାକୁ ଚାରିଦିନ ତିନି ଘଣ୍ଟା ମଧ୍ୟରେ ଜୟକଲା ଏବଂ ଜଳଯାନ-ଜଗତରେ ବେଗ ଓ ଆକାର ତୁଳନାରେ ଆଜି ତାହା ପ୍ରଥମ ସ୍ଥାନ ଅଧିକାର କଲା । ସ୍ଥଳପଥରେ ଇଂଲଣ୍ତର ‘ସିଲଭର ଜୁବିଲି’ ନାମକ ରେଲଗାଡ଼ି ୧୯୩୫ ମସିହାରେ ଘଣ୍ଟାକେ ୧୧୩ ମାଇଲ ବେଗରେ ଗତି କଲା । ଅଥଚ ସେହି ବର୍ଷହିଁ ଜର୍ମାନୀର ଷ୍ଟିମ ଲାଇନ ଗାଡ଼ି ଘଣ୍ଟାକେ ୧୧୯ ମାଇଲ ବାଟ ଯାଇ ରେଲଗାଡ଼ି ବେଗର ସୀମା ନିର୍ଦ୍ଦେଶ କଲା ।

 

ପୃଥିବୀ ଏବଂ ସମୁଦ୍ର ଛଡ଼ା ଆକାଶପଥରେ ମଧ୍ୟ ପ୍ରତ୍ୟେକ ଦେଶ ଆଜି ନିଜର ଶ୍ରେଷ୍ଠତା ବଢ଼ାଇବା ପାଇଁ ବ୍ୟାକୁଳ । ୧୯୩୩ ମସିହାରେ ଇଟାଲିର ଉଡ଼ାଳୀ ଓଆଲିପୋଷ୍ଟ ଆଠ ଦିନ ଭିତରେ ସମଗ୍ର ପୃଥିବୀ ପ୍ରଦକ୍ଷିଣ କରି ଆସିଲେ । ତାହାର ପରବର୍ଷ ଗୋଟିଏ ଉଡ଼ାଜାହାଜ ୪୭,୩୫୦ ଫୁଟ ବା ନଅ ମାଇଲ ଉପରକୁ ଉଠିଥିଲା । ଆମେରିକାର ବଡ଼ ବଡ଼ ବ୍ୟୋମଯାନଗୁଡ଼ିକ ବର୍ଷ ଭିତରେ ପ୍ରାୟ ୫ ଲକ୍ଷ ଯାତ୍ରୀ ଏବଂ କୋଟିଏ ପାଉଣ୍ତ ଓଜନର ଡାକ ଧରି ୧୯୦୦୦ ମାଇଲ ଆକାଶପଥରେ ଯେତେଥର ଯା’ଆସ କରେ, ତାହାର ମୋଟାମୋଟି ହିସାବ ନିଆଯାଇଛି ୪୨୦ ଲକ୍ଷ ମାଇଲ । ରାତିରେ ଯିବା ଆସିବା ପାଇଁ ଏହି ପଥଟି ପ୍ରଦର୍ଶକ ଆଲୋକ ଦ୍ୱାରା ଆଲୋକିତ । ଆଧୁନିକ ଯୁଦ୍ଧ-ବ୍ୟୋମଯାନ ଗୁଡ଼ିକ ମହଣ ମହଣ ଓଜନର ବୋମା ଧରି ଏବଂ ଶତ୍ରୁର ଆକାଶ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ମେସିନ୍‌ଗନ୍‌ ଚାଳକ ନେଇ ଘଣ୍ଟାରେ ଦୁଇଶହ ମାଇଲରୁ ଅଧିକ ବେଗରେ ଗତି କରୁଅଛି । ପୁଣି ଭିତରେ କୌଣସି ଚାଳକ ନ ଥାଇ ମଧ୍ୟ କେବଳ ରେଡ଼ିଓ ବା ବେତାର ଯନ୍ତ୍ର ସାହାଯ୍ୟରେ ଯୁଦ୍ଧ-ଏରୋପ୍ଲେନ ଚଳାଇବାର ଚେଷ୍ଟା ଆଜି ସଫଳ ହୋଇଅଛି । ରେଲ କିମ୍ବା ଜାହାଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଯେତେ ସମୟ ଲାଗୁଥିଲା, ବର୍ତ୍ତମାନ ବ୍ୟୋମଯାନ ସାହାଯ୍ୟରେ ତାହାର ପ୍ରାୟ ଚାରିଭାଗରୁ ଭାଗେ ସମୟ ଲାଗୁଅଛି । ଏବେ ପୁଣି ବ୍ୟୋମଯାନର ଗତି ସହିତ ପ୍ରତିଯୋଗିତା କରି ‘ଏଇଷ୍ଟାନ’ ନାମକ ମଟର ଗାଡ଼ି ସ୍ଥଳପଥରେ ଘଣ୍ଟାକେ ୩୭୫ ମାଇଲ୍‌ ବେଗରେ ଚାଲିବାର ନମୁନା ଦେଖାଇଅଛି । ଅର୍ଥାତ୍‌ ପଥରେ କୌଣସି ବାଧା ନ ଥିଲେ ଏକ ମିନିଟରେ ପ୍ରାୟ ୭ ମାଇଲ ବେଗରେ ଏହା ସମସ୍ତ ପୃଥିବୀ ପୃଷ୍ଠକୁ ମାପିପାରେ ।

 

କେବଳ ଯିବା ଆସିବାରେ ଯେ ମନୁଷ୍ୟ ନିଜର ବେଗ ବଢ଼ାଇବାକୁ ଚାହେଁ, ତାହା ନୁହେଁ । ନାନା କ୍ଷେତ୍ରରେ ହିଁ ବେଗର ଉଦାହରଣ ଦେଖିବାକୁ ମିଳେ ଏବଂ ଏଥିପାଇଁ ବହୁ ବିଚିତ୍ର ବୈଜ୍ଞାନିକ ଉଦ୍ଭାବନ ଆଜି ସମ୍ଭବପର ହୋଇଅଛି । ତାର ଏବଂ ବେତାର ଯନ୍ତ୍ର ସାହାଯ୍ୟରେ ହଜାର ହଜାର ମାଇଲର ବାର୍ତ୍ତା ମୁହୂର୍ତ୍ତକେ ମିଳୁଅଛି । ଶହ ଶହ ମାଇଲର ଘଟଣା ଟେଲିଭିଜନରେ ପ୍ରତ୍ୟକ୍ଷ କରି ହେଉଅଛି । ଜଳ, ସ୍ଥଳ ଓ ଆକାଶକୁ ମନୁଷ୍ୟ ଆଜି ଯେପରି ଜୟ କରିଅଛି, ତାହାଦ୍ୱାରା କୌଣସି ସ୍ଥାନ ସୁଦୂର ବା ଦୁର୍ଗମ ହୋଇନାହିଁ; କୌଣସି ଶିଖରୀ ଆଜି ସୁଉଚ୍ଚ ନୁହେଁ, କୌଣସି ସମୁଦ୍ର ଅସୀମ ହୋଇନାହିଁ । ଦେଶ ଦେଶ ବା ଜାତି ଜାତି ମଧ୍ୟରେ ସମୁଦ୍ର ଅସୀମ ହୋଇନାହିଁ । ଦେଶଦେଶ ବା ଜାତି ଜାତି ମଧ୍ରରେ ଭାବବିନିମୟ ସହଜ ହୋଇଅଛି । ପ୍ରତିଦେଶ ଅନ୍ୟ ଯେ କୌଣସି ଦେଶର ପଡ଼ୋଶୀ ହୋଇପଡ଼ିଅଛି । ଅନ୍ୟ କଥାରେ ସମଗ୍ର ପୃଥିବୀଟା ହିଁ ମନୁଷ୍ୟ ପାଖରେ ଆଜି ପୂର୍ବ ଅପେକ୍ଷା ବହୁ ଗୁଣରେ ଛୋଟ ହୋଇଅଛି ।

 

ମନୁଷ୍ୟର ପରମାୟୁ ଯେତେଦୂର ସୀମାବଦ୍ଧ ଅଥଚ ସେହି ସୀମା ମଧ୍ୟରେ ତାହାକୁ ଯେତେ କାମ କରିବାକୁ ହେବ, ଯେତେ ବିଷୟ ଜାଣିବାକୁ, ଶୁଣିବାକୁ ବା ପଢ଼ିବାକୁ ହେବ ଏବଂ ଯେତେ ସ୍ଥାନ ଦେଖିବା ଆବଶ୍ୟକ, ତାହାର ସୀମା ଏପରି ବିରାଟ ଯେ ସେଥିପାଇଁ ଦ୍ରୁତଗାମୀ ହେବା ଅବଶ୍ୟମ୍ଭାବୀ । ସେଥିପାଇଁ ସମୟ ଓ ଦୂରତାକୁ ଜୟ କରିବା ହି ବହୁଯୁଗର ମନୁଷ୍ୟଜୀବନର ଲକ୍ଷ୍ୟ ହୋଇଅଛି ଏବଂ ଏହି ଲକ୍ଷ୍ୟ ଘେନି ପ୍ରଥମେ ସେ ଦୂରତାକୁ ଜୟକଲା । ଆମେରିକା, ଆଫ୍ରିକା, ବା ଅଷ୍ଟ୍ରେଲିଆ ପ୍ରଭୃତି ୟୁରୋପର ବହୁ ଦୂରବର୍ତ୍ତୀ ମହାଦେଶମାନ ଅନେକ ଆଗରୁ ଆବିଷ୍କୃତ ହୋଇଅଛି । ପୃଥିବୀ ଉପରର ଦୂରତାକୁ ବହୁ ପରିମାଣରେ ଜୟ କରିସାରି କଳକାରଖାନାର ପ୍ରସାର ଦ୍ୱାରା ମନୁଷ୍ୟ ସମୟକୁ ମଧ୍ୟ ନିଜର ଆୟତ୍ତ କରିବାକୁ ଯାଇ ସମ୍ୟକ୍‌ ଫଳବାନ୍‌ ହୋଇଅଛି ଏବଂ ସବୁଠାରୁ କମ୍‌ ସମୟ ଭିତରେ ସର୍ବାଧିକ ବ୍ୟବହାର ସାମଗ୍ରୀ ପ୍ରସ୍ତୁତି ଲାଗି ଅହରହ ଚେଷ୍ଟା ଚାଲିଅଛି । ରେଳ, ମଟର, ଜାହାଜ ବା ବ୍ୟୋମଯାନର ବେଗ ପରି ପ୍ରତି କଳକାରଖାନା ଘଣ୍ଟାରେ କେତେ ପରିମାଣରେ ତିଆରି ମାର୍ଲ ଉତ୍ପନ୍ନ କରିପାରେ, ତାହାର ସୀମା ମଧ୍ୟ ନିର୍ଦ୍ଦିଷ୍ଟ । ଟାଟା କମ୍ପାନୀର ଲୁହା କାରଖାନା କେତେ ପରିମାଣରେ କଡ଼ି, ବର୍ଗା ଆଦି ଉତ୍ପନ୍ନ କରିପାରେ, ଜୋକୋସ୍ଲୋଭାକିଆର ବାଟା କମ୍ପାନୀ କେତେ ଯୋଡ଼ା ଯୋତା ତିଆରି କରିପାରେ କିମ୍ବା ଆମେରିକାର ଫୋଡ଼ା କମ୍ପାନୀର ଯୋତା ତିଆରି କରିପାରେ କିମ୍ବା ଆମେରିକାର ଫୋଡ଼ କମ୍ପାନୀର କେତେଟା ମଟର ଗାଡ଼ି ନିର୍ମାଣ କରିବାର ଶକ୍ତି ଅଛି, ଘଣ୍ଟା ଅନୁସାରେ ସେ ସବୁର ଗୋଟିଏ ଧରାବନ୍ଧା ହିସାବ ରହିଅଛି ।

 

ମନୁଷ୍ୟର ଉଦ୍ଭାବିତ କଳ-କାରଖାନା ସଙ୍ଗେ ତାହାର ସକଳ କର୍ମ ନିବିଡ଼ ଭାବରେ ନିୟନ୍ତ୍ରିତ । ଯେଉଁ ବ୍ୟକ୍ତି ସମୟକୁ ଯେତେ ଆୟତ୍ତ କରିପାରେ, ସେହି ପରିମାଣରେ ସେ ଅଗ୍ରଗାମୀ ଏବଂ ପୃଥିବୀପୃଷ୍ଠରେ ବଞ୍ଚି ରହିବାର ଅଧିକାର ତାହାର ସେତିକି ବେଶି । ସେହି ଅନୁପାତରେ ହିଁ ଦୁନିଆ–ବଜାରରୁ ସେ ନିଜର ଦାମ ଅସୁଲ କରୁଛି । ଯେଉଁ ଟାଇପିଷ୍ଟ୍‌ ଘଣ୍ଟାକେ ସବୁଠାରୁ ବେଶି ଶବ୍ଦ ଟାଇପ୍‍ କରିପାରେ, ତାକୁ ଯେପରି ଆଗ ଚାକିରି ମିଳୁଅଛି, ଘୋଡ଼ା-ଦୌଡ଼ ପ୍ରତିଯୋଗିତାରେ ଯେଉଁ ସବାର ସମସ୍ତଙ୍କୁ ବଳି ଆଗୁଆ ହୁଏ, ସେ ଯେପରି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ପାଏ, ସେହିପରି ଯେଉଁ ଛାତ୍ର ଯେତେ କମ୍‌ ସମୟରେ ଯେତେ ବେଶି ବହି ପଢ଼ିପାରେ ବା ବେଶି ପାଠ ଆୟତ୍ତ କରିପାରେ, ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ଏବଂ ଆଦର ତାହାର ସେତିକି ଅଧିକ ।

 

ସମାଜର ସବୁ କ୍ଷେତ୍ରରେ ହିଁ ବ୍ୟଗ୍ରତାର ବହୁ ଉଦାହରଣ ଦେଖି ଏହାର କାରଣ ବୁଝିବା କଠିନ ହୁଏନାହିଁ । ଶିଳ୍ପବିଜ୍ଞାନ ବା ବାଣିଜ୍ୟ ବ୍ୟବସାୟରେ ଆଗଭର ହେବାପାଇଁ ଦେଶ ଦେଶ, ଜାତି ଜାତି, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯେଉଁ ତୀବ୍ର ପ୍ରତିଯୋଗିତାର ଉଦ୍ଭବ ହୋଇଅଛି, ତାହାର ମୂଳରେ ନିହିତ ଅଛି ତୀବ୍ରତର ଜୀବନ-ସଂଗ୍ରାମ । ଜୀବନ ଧରି ରଖିବା ପାଇଁ ମନୁଷ୍ୟର ଯାହା ଯାହା ଆବଶ୍ୟକ–କିପରି ଘର ହେଲେ ସେ ନିରାପଦରେ ରହିବ, କେଉଁ ଖାଦ୍ୟଦ୍ୱାରା ଦେହ ଶକ୍ତିଶାଳୀ ଓ କର୍ମଠ ହେବ, କିରୂପ ପରିଚ୍ଛଦରେ ଶୀତ ବା ବର୍ଷାରୁ ରକ୍ଷା ମିଳିବ ଏବଂ ରୋଗବ୍ୟାଧି ହେଲେ କିରୂପ ଚିକିତ୍ସା ଦରକାର, ଏହି ସବୁ ଆୟୋଜନ ପାଇଁ ତାହାକୁ କଠିନ ପରଶ୍ରମ କରିବାକୁ ପଡ଼େ । ପ୍ରତି ଲୋକକୁ ହିଁ ପରିଶ୍ରମ କରିବାକୁ ହୁଏ ଏବଂ ପରସ୍ପର ପ୍ରତିଯୋଗିତାରୁ ମନୁଷ୍ୟ ବେଶି ପରିଶ୍ରମ କରିବାର ଉତ୍ତେଜନା ପାଇଥାଏ । ପ୍ରତି ଲୋକକୁ ହିଁ ନିଜର ଗ୍ରାସାଚ୍ଛାଦନ ଅନ୍ୱେଷଣ ହିଁ ତାହାର ଗତିକୁ ଆଜି ପ୍ରଖର କରି ଦେଇଅଛି । ଏହାରି ଅଭିମୁଖରେ ହିଁ ଯେପରି ପ୍ରତି ଲୋକ ମହାବେଗରେ ଧାଇଁଅଛି । ବିଳମ୍ବ କଲେ ଅନ୍ୟ ପ୍ରତିଦ୍ୱନ୍ଦୀ ତାହା ଅଧିକାର କରିନେବ; କାରଣ ‘ଆଗ’ ଯେ ସେହି କେବଳ ‘ସୁନା ପାଗ’ର ଅଧିକାରୀ ।

 

ସୁତରାଂ ବେଗ ମନୁଷ୍ୟର ପ୍ରକୃତିଗତ; ଏହା ତାହାର ଦେହର ଧର୍ମ । ମନୁଷ୍ୟଶରୀରର ପ୍ରତି ଧମନୀରେହିଁ ରକ୍ତପ୍ରବାହ ମହାବେଗରେ ଧାବିତ । ଆଧୁନିକ ବସ୍ତୁବିଜ୍ଞାନ ପ୍ରମାଣ କରିଅଛି ଯେ, ଜଗତରେ କୌଣସି ଜୀବ ବା ଜଡ଼ ସ୍ଥାଣୁ ଅଥବା ଅଚଳ ନୁହେଁ, ଏପରି କି ପ୍ରକାଣ୍ତ ଶୈଳଗୁଡ଼ିକର ଅନ୍ୟ ନାମ ଅଚଳ ହେଲେ ମଧ୍ୟ ତାହାର ଗତି ଅଛି । ଘଣ୍ଟାକଣ୍ଟାର ଗତିଠାରୁ ବହୁଗୁଣରେ ମନ୍ଥର ସେଗୁଡ଼ିକର ଗତି ଲକ୍ଷ୍ୟ କରିବାର ସୂକ୍ଷ୍ମ ଦୃଷ୍ଟିଶକ୍ତି ମନୁଷ୍ୟର ନାହିଁ । ପୁଣି ଜଡ଼ପିଣ୍ତମାନ ଯେଉଁ ଉପାଦାନରେ ଗଢ଼ା ଏବଂ ଯେଉଁ ଅସଂଖ୍ୟ ଅଣୁପରମାଣୁର ତାହା ସମଷ୍ଟି, ସେହି ଅଣୁପରମାଣୁ ଗୁଡ଼ିକ ଅହରହ କ୍ଷିପ୍ରଗତିରେ ଧାବମାନ । ଅନ୍ୟାନ୍ୟ ଗ୍ରହ ଉପଗ୍ରହ ସହିତ ଆମ୍ଭମାନଙ୍କର ଏହି ପୃଥିବୀ ଯେପରି ସୂର୍ଯ୍ୟକୁ କେନ୍ଦ୍ର କରି ଗତି କରୁଅଛି ଏବଂ ପୃଥିବୀ ଯେପରି ସୂର୍ଯ୍ୟକୁ କେନ୍ଦ୍ରକରି ଗତି କରୁଅଛି ଏବଂ ସମଗ୍ର ସୌରଜଗତ ଯେପରି ଅନ୍ୟ ଏକ ଅଜ୍ଞେୟ କେନ୍ଦ୍ରର ଚତୁଷ୍ପାର୍ଶ୍ୱ ପ୍ରଦକ୍ଷିଣ କରେ, ସେହିପରି ପୃଥିବୀପୃଷ୍ଠରେ ପ୍ରତ୍ୟେକ ବସ୍ତୁ ହିଁ ଗତିଶୀଳ । ବସ୍ତୁ ଓ ଜୀବଭେଦରେ ଅବଶ୍ୟ ସେ ଗତିର ତାରତମ୍ୟ ଅଛି । ଜୀବଦେହରେ ସେ ଗତି ଉତ୍ତାପ ରକ୍ଷା କରେ ଏବଂ ତାହାକୁ ଅଲଗା କରିଦେଲେ ଦେହ ଶୀତଳ ହୋଇପଡ଼େ । ଅନ୍ୟ ଭାଷାରେ ଜୀବର ସେ ଅବସ୍ଥାକୁ ମୃତ୍ୟୁ କୁହାଯାଏ । ତେଣୁ ଗତି ହିଁ ଜୀବନର ଲକ୍ଷଣ ଏବଂ ଜୀବନର ସମୃଦ୍ଧି ବା ଉନ୍ନତି ପାଇଁ ଗତିର ପ୍ରଖରତା ସୁନିଶ୍ଚିତ ।

 

କିନ୍ତୁ ଏହି ବେଗର ସୀମା କେଉଁଠାରେ ? କେତେ ଦୂର ପର୍ଯ୍ୟନ୍ତ ଯାଇ ମନୁଷ୍ୟକୁ ଫେରିବାକୁ ହେବ ? କେଉଁ ସୀମାରେ ତାହାର ବିରାଟ ଯାତ୍ରାର ଅବସାନ ? କେଉଁଟି ତାହାର ଅସୀମ କ୍ଷୂଧାର ପରିତୃପ୍ତି ନିହିତ ? ତାହାର ଦେହ ବା ମନର ଉପାଦାନ କେତେ ଅଧିକ ବେଗ ସହିବାକୁ ଅନୁକୂଳ ? କୋଡ଼ିଏ ବର୍ଷ ପୂର୍ବେ ପଦାର୍ଥବିଜ୍ଞାନବିତ୍‌ ପଣ୍ତିତମାନେ ସ୍ୱୀକାର କରିଥିଲେ ଯେ, ବସ୍ତୁ ଏବଂ ଗତି ଅଭିନ୍ନ । ବସ୍ତୁଜଗତରେ ଏହି ଗତିର ବେଗ କେତେ ଗୁଣ ହୋଇପାରେ ଏବଂ ତାହାର ସୀମା କେଉଁଠାରେ ନିର୍ଦ୍ଦିଷ୍ଟ ଆଧୁନିକ ପଣ୍ତିତମାନେ ନାନା ଭାବରେ ତାହା ପରୀକ୍ଷା କରୁଅଛନ୍ତି । ଆମ୍ଭେମାନେ ରେଳଗାଡ଼ି କିମ୍ବା ବ୍ୟୋମଯାନର ଶବ୍ଦ ପ୍ରଥମେ ଶୁଣୁ, କିଛି ସମୟ ପରେ ତାହାକୁ ନିକଟରେ ଦେଖିବାକୁ ପାଉଁ । ପରୀକ୍ଷାଦ୍ୱାରା ପ୍ରମାଣିତ ହୋଇଅଛି, ବ୍ୟୋମଯାନର ଶବ୍ଦ ଘଣ୍ଟାକେ ପ୍ରାୟ ୭୫୦ ମାଇଲ ଗତି କରେ; ତେଣୁ ଗୋଟିଏ ବ୍ୟୋମଯାନ ଘଣ୍ଟାକେ ଯଦି ୭୫୦ ମାଇଲ ବେଗରେ ଚାଲେ, ତେବେ ତାହା ନିଜ ଶବ୍ଦ ସହିତ ସମାନ ବେଗରେ ଗତି କରିବ ଏବଂ ଶବ୍ଦକଚ ଆୟତ୍ତ କରି ପାରିବ; କିନ୍ତୁ ତଦ୍ଦ୍ୱାରା ନିଜ ଗତିପଥରେ ଏହା ଯେଉଁ ପ୍ରବଳ ତୋଫାନ ସୃଷ୍ଟି କରିବ, ସେ ତୋଫାନରେ ନିଜେ ହୁଏ ତ ଭସ୍ମ ହୋଇ ଶତଖଣ୍ତରେ ଭୂତଳରେ ପଡ଼ିବ ।

 

ତେଣୁ ବ୍ୟୋମଯାନର ବେଗ ଘଣ୍ଟାକେ ୭୫୦ ମାଇଲ କିମ୍ବା ତହିଁରୁ ବେଶି କରିବାକୁ ହେଲେ ସେଗୁଡ଼ିକୁ ଅନେକ ଭାରୀ ଓଜନ ନେଇ ବହୁଉଚ୍ଚରେ ଖୁବ୍‌ ପାତଳା ପବନରେ ଉଡ଼ିବାକୁ ହେବ । ସେଥିପାଇଁ ଏହାର ଯନ୍ତ୍ର ଏବଂ ଗଠନରୀତିର ପରିବର୍ତ୍ତନ ମଧ୍ୟ ଆବଶ୍ୟକ । ସେହିପରି ଓଆଟରଲୁ ଯୁଦ୍ଧରେ ଗୁଳିର ଗତି ଘଣ୍ଟାକେ ୫୦୦ ମାଇଲ ଥିଲା; କିନ୍ତୁ ଆଧୁନିକ କମାଣରେ ଗୁଳି ଘଣ୍ଟାକେ ୨୦୦୦ ମାଇଲ ବେଗରେ ଗତି କରେ । ଅର୍ଥାତ୍‌ ଆଖିର ପଲକ ପଡ଼ିବା ସମୟ ଭିତରେ ଅଧ ମାଇଲ ଦୂରରେ ଥିବା ବସ୍ତୁକୁ ଧ୍ୱଂସ କରିପାରେ । ତଥାପି ଏହାର ଗତିକୁ ଶବ୍ଦର ବେଗ ସଙ୍ଗେ ସମାନ କରିବାକୁ ଗଲେ ଲକ୍ଷ୍ୟ ଭୁଲ ହେବା ଅବଶ୍ୟମ୍ଭାବୀ; କାରଣ ତଦ୍ଦ୍ୱାରା ପବନର ପ୍ରତିରୋଧ ବହୁଗୁଣରେ ବଢ଼ିଯାଏ ।

 

ବସ୍ତୁଠାରୁ ଶବ୍ଦ ଯେପରି ଅଧିକ ବେଗଗାମୀ, ସେହିପରି ଶବ୍ଦ ଅପେକ୍ଷା ଆଲୋକର ଗତି ଦଶଲକ୍ଷ ଗୁଣ ବେଶି । ଜଗତରେ ସବୁଠାରୁ ଦ୍ରୁତ ବିରାଟ ବସ୍ତୁଗୁଡ଼ିକ ମଧ୍ୟରେ ସୁଦୂରବର୍ତ୍ତୀ କେତେକ ତାରାପୁଞ୍ଜର ଉଦାହରଣ ଦିଆଯାଇପାରେ । ତଥାପି ସେଗୁଡ଼ିକର ଗତି ଆଲୋକ ଗତିର ଏକଦଶମାଂଶ ବୋଲି ସ୍ଥିର ହୋଇଅଛି ।

 

ମନୁଷ୍ୟର ବେଗ ଆପାତତଃ ବ୍ୟୋମଯାନର ଶବ୍ଦକୁ ଆୟତ୍ତ କରିବା ପାଇଁ ଘଣ୍ଟାକେ ୭୫୦ ମାଇଲ ହେବାର ସମ୍ଭାବନା ଅଳ୍ପ ଥିବା ସ୍ଥଳେ, କେଉଁକାଳେ ସେ ଯେ ଆଲୋକ ସହିତ ସମାନ ବେଗରେ ଗତି କରିପାରିବ, ତାହା କଳ୍ପନା କରିବାକୁ ମଧ୍ୟ ସମୟ ଆସି ନାହିଁ । ମନୁଷ୍ୟର ଦେହବିଜ୍ଞାନ ଆଲୋଚନାରୁ ଦେଖାଯାଏ ଯେ, ତାହାପାଇଁ ବେଗଗତିର କୌଣସି ଧରାବନ୍ଧା ସୀମା ନିର୍ଦ୍ଦିଷ୍ଟ ହୋଇନାହିଁ । ଅର୍ଥାତ୍‌ ଯେତେ ବେଶି ବେଗରେ ଗତି କରୁ ପଛେ ତାହାର ଶ୍ୱାସ-ପ୍ରଶ୍ୱାସ ବା ନାଡ଼ୀର ରକ୍ତ ଚାଳନାରେ କିଛି ବାଧା ବିପଦର ଆଶଙ୍କା ନାହିଁ; କିନ୍ତୁ ଅତି ଦ୍ରୁତବେଗରେ ଗତି କରିବାକୁ ହେଲେ ଗୋଟିଏ ନିୟମ ତାହାକୁ ବରାବର ମାନିବାକୁ ହେବ । ବନ୍ଧୁକର ଗୁଳି ପରି କିମ୍ବା ଆଲୋକର ରଶ୍ମିପରି ତାହାର ଗତି ପଥକୁ ସିଧାସଳଖ ରଖିବା ଆବଶ୍ୟକ । ବାଧାବନ୍ଧପୂର୍ଣ୍ଣ ସ୍ଥଳ କିମ୍ବା ଜଳପଥର କଥା ଛାଡ଼ିଦେଇ କେବଳ ଅବାଧ ଆକାଶପଥର କଥା ଧରାଗଲେ, ସେଠାରେ ହଠାତ୍‌ ବକ୍ରଗତି ଦ୍ୱାରା ମନୁଷ୍ୟର ରକ୍ତ ଓ ଶ୍ୱାସପ୍ରଶ୍ୱାସର ଚାଳନାରେ ବାଧା ପଡ଼ି ତାକୁ ଅଚେତନ କରିଦିଏ, ଏବଂ ବେଗର ପରିମାଣ ଅତ୍ୟଧିକ ହେଲେ ସେହି ମୁହୂର୍ତ୍ତରେ ହିଁ ତାହାର ଜୀବନର ଯାତ୍ରାପଥ ସମାପ୍ତ ହୁଏ ।

 

ବସ୍ତୁର ଗତି ସମ୍ବନ୍ଧେ ଯେଉଁ ନିୟମ, ଜ୍ଞାନଜଗତରେ ବୋଧହୁଏ ସେହି ନିୟମ ପାଳିବାକୁ ପଡ଼େ; କାରଣ ବସ୍ତୁ ଓ ଜ୍ଞାନ ପରସ୍ପର ଅଭିନ୍ନ । ବସ୍ତୁଜଗତରେ ଘଟଣାବଳିର ପରିଣତି ଏବଂ ପ୍ରକାଶ ହିଁ ଜ୍ଞାନରୂପେ ଉଦ୍ଭାସିତ ହୋଇଥାଏ । ମନୁଷ୍ୟର ଜ୍ଞାନ ଆହରଣ ପାଇଁ ଧର୍ମ, ଦର୍ଶନ, ସାହିତ୍ୟ, ଇତିହାସ, ବିଜ୍ଞାନ ବା ଗଣିତ ପ୍ରଭୃତି ଯେତେଗୁଡ଼ିଏ ବିଭାଗ ବିଦ୍ୟାମାନ ଏବଂ ପ୍ରତି ବିଭାଗରେ ପୃଥିବୀର ନାନା ଭାଷାରେ ଯେତେ ଗ୍ରନ୍ଥ ଲିଖିତ ହୋଇଅଛି, ତହିଁମଧ୍ୟରୁ କୌଣସିଟି ଅପାର୍ଥିବ ନୁହେଁ । ଅର୍ଥାତ୍‌ ବସ୍ତୁଜଗତର ବହୁ ଘଟଣାବଳିର ପରୀକ୍ଷାର ଫଳ ହିଁ ତହିଁରେ ଲିପିବଦ୍ଧ ହୋଇଅଛି । ସୁତରାଂ ଜ୍ଞାନରାଜ୍ୟରେ ଯେଉଁମାନେ ଦ୍ରୁତବେଗରେ ଧାବମାନ, ସେମାନଙ୍କର ପ୍ରକୃତି ଓ ଆଚରଣ ସରଳ ଓ ଋଜୁ ହେବା ହିଁ ସ୍ୱାଭାବିକ । କୁଟିଳତା ସବୁପ୍ରକାର ବେଗ ଓ ଉନ୍ନତିର ପଥରୋଧ କରେ ।

 

ଆଜି ଯେଉଁସବୁ ‘ମିସିଲ୍‌’ ବା ଅଦ୍ଭୁତ କ୍ଷେପଣାସ୍ତ୍ରମାନ ଆବିଷ୍କୃତ ହୋଇ ମହାବେଗରେ ପୃଥିବୀର ଚତୁଃପାର୍ଶ୍ୱରେ ପ୍ରଦକ୍ଷିଣ କରୁଛନ୍ତି, କିମ୍ବା ଚନ୍ଦ୍ରଲୋକ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ତହିଁରୁ ମଧ୍ୟ ପ୍ରମାଣିତ ହୁଏ ଯେ ବେଗ ହିଁ ଉନ୍ନତିର ଲକ୍ଷଣ ।

Image

 

ହିନ୍ଦି ସାହିତ୍ୟର କଥାସମ୍ରାଟ୍‌ ପ୍ରେମଚନ୍ଦ୍‌

 

କାଶୀ ନଗରର ପାଞ୍ଚ ମାଇଲ ଦୂରରେ ପାଣ୍ତେପୁର ବୋଲି ଗୋଟିଏ ଛୋଟ ଗ୍ରାମ ଅଛି-। ଏହି ଗ୍ରାମରୁ ଗୋଟିଏ ବେଳକ ନିତି ସକାଳ ଆଠଟା ବେଳେ ବହିପତ୍ର ଧରି ବାହାରେ । କେତେବେଳେ ଖାଲିପାଦରେ, କେବେ ଅବା ଛିଣ୍ତା ପୁରୁଣା ଜୋତା ପିନ୍ଧି ଚାଲି ଚାଲି ବନାରସ ସହରରେ ପହଞ୍ଚେ । ସ୍କୁଲରୁ ସାଢ଼େ ତିନିଟା ବେଳେ ଛୁଟି ପାଇ ବନାରସ ସହରରେ ପହଞ୍ଚେ । ସ୍କୁଲରୁ ସାଢ଼େ ତିନିଟା ବେଳେ ଛୁଟି ପାଇ ସେଠାରୁ ସିଧା ଟୁଇଶନ୍‌ କରିବାକୁ ଯାଏ । ସନ୍ଧ୍ୟା ଛଅଟାଯାଏ ଟୁଇଶନ୍‌ କରି ପୁଣି ପାଞ୍ଚ ମାଇଲ ବାଟ ଚାଲିଚାଲି ରାତ୍ରି ଆଠଟା ବେଳକୁ ଗ୍ରାମରେ ଉପସ୍ଥିତ ହୁଏ । ଖରା, ବର୍ଷା, ଶୀତ-ବାରମାସ ଏହି ଭାବରେ ହିଁ ତାହାର ବିତିଯାଏ । ଏହି ଭାବରେହିଁ ନବଯୁଗର ହିନ୍ଦି ସାହିତ୍ୟର କଥାସମ୍ରାଟ ପ୍ରେମଚନ୍ଦ୍‌ଙ୍କର ପ୍ରାଥମିକ ଜୀବନ ଆରମ୍ଭ ହୋଇଥିଲା ।

 

୧୮୮୧ ମସିହାରେ ଏହି ପାଣ୍ତେପୁର ଗ୍ରାମର ଗୋଟିଏ ଦରିଦ୍ର କାୟସ୍ଥ ଗୃହରେ ପ୍ରେମଚନ୍ଦ୍‌ ଜନ୍ମିଥିଲେ । ତାଙ୍କର ପିତା ମାସକୁ କୋଡ଼ିଏ ଟଙ୍କା ଦରମାରେ ଡାକଘରେ ସାମାନ୍ୟ କିରାନି କାର୍ଯ୍ୟ କରୁଥିଲେ । ପ୍ରେମଚନ୍ଦ୍‌ଙ୍କର ମାତ୍ର ପନ୍ଦର ବର୍ଷ ବୟସରେ ତାଙ୍କୁ ବିବାହ କରାଇଦେଇ ବର୍ଷକ ପରେ ପିତା ଇହଧାମ ଛାଡ଼ି ଚାଲିଗଲେ । ପ୍ରେମଚନ୍ଦଙ୍କ ପାଖରେ ସେତେବେଳେ କିଛି ଧନ ନ ଥିଲା । ଯାହା ବା ଥିଲା, ପିତାଙ୍କ ଚିକିତ୍ସାରେ ସବୁତକ ଖର୍ଚ୍ଚ ହୋଇ ଯାଇଥିଲା । ସ୍କୁଲରେ ବିନା ଫିସ୍‌ରେ ପଢ଼ି ଏବଂ ଟୁଇଶନ୍‌ କରି ପ୍ରେମଚନ୍ଦ୍‌ ଦ୍ୱିତୀୟ ବିଭାଗରେ ମ୍ୟାଟ୍ରିକୁଲେଶନ୍‌ ପରୀକ୍ଷାଟି ପାଶ୍‌ କଲେ ।

 

ବନାରସ କୁଇନ୍‌ସ କଲେଜରେ କେବଳ ପ୍ରଥମ ବିଭାଗରେ ପାଶ୍‌ କରିଥିବା ଛାତ୍ରର ସ୍ଥାନ ଥିଲା । ଦ୍ୱିତୀୟ ବିଭାଗରେ ପାଶ୍‌ କରିଥିବାରୁ ପ୍ରେମଚନ୍ଦ୍‌ଙ୍କ ପାଇଁ କଲେଜ ଦ୍ୱାର ବନ୍ଦ ହେଲା-। ତଥାପି ପଢ଼ିବାର ଏକ ପ୍ରବଳ ଇଚ୍ଛା ଘେନି କଲେଜ ଯିବାକୁ ସେ ଚେଷ୍ଟା କଲେ । ଖଣ୍ତେ ସୁପାରିସପତ୍ର ନେଇ କୁଇନ୍‌ସ କଲେଜର ପ୍ରିନ୍‌ସିପାଲ ଡକ୍ଟର ରିଚାର୍ଡ଼ସନ୍‌ଙ୍କ ସଙ୍ଗେ ସେ ଦେଖାକଲେ । କଲେଜର ଅଳ୍ପ କେତେଗୋଟି ସ୍ଥାନ ପାଇଁ ତାଙ୍କ ସଙ୍ଗେ ବହୁ ଛାତ୍ର ପ୍ରତିଯୋଗୀ ଥିଲେ । ସମସ୍ତଙ୍କର ଗୋଟିଏ ପରୀକ୍ଷା କରାଗଲା । ଗଣିତରେ ଅପାରଗ ହେବାରୁ ପ୍ରେମଚନ୍ଦଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଲା । ତାହା ପରେ ମାସକୁ ପାଞ୍ଚଟି ଟଙ୍କା ବେତନରେ ଖଣ୍ତିଏ ଟୁଇଶନ୍‌ କରି ସେ ସହରରେ ରହିଲେ । ଏହି ଟଙ୍କାରେ ସେ ନିଜ ଖର୍ଚ୍ଚ ତୁଲାଇ କ୍ୱଚିତ୍‌ ଦି’ଟଙ୍କା ଟଙ୍କାଏ ବଳି ପଡ଼ିଲେ ସେତକ ଘରକୁ ପଠାଇ ଦେଉଥିଲେ । ଥରେ ନିଜ ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଗୋଟିଏ ମାତ୍ର ପଇସା ନ ଥିଲା । ନିଜେ କିଣିଥିବା ଖଣ୍ତିଏ ଅଙ୍କ ବହି ବିକ୍ରି କରିବାକୁ ଘରୁ ବାହାରିଲେ । ବହି ଦୋକାନରେ ପୁସ୍ତକଟିକୁ ଗୋଟିଏ ଟଙ୍କାରେ ବିକି ଫେରିବା ବେଳେ ଜଣେ ହେଡ଼ମାଷ୍ଟରଙ୍କ ସଙ୍ଗେ ତାଙ୍କର ସାକ୍ଷାତ ହୁଏ । ଉକ୍ତ ହେଡ଼୍‌ମାଷ୍ଟରଙ୍କ ଅନୁଗ୍ରହରୁ ତାଙ୍କ ସ୍କୁଲରେ ମାସକୁ ଅଠର ଟଙ୍କା ଦରମାରେ ପ୍ରେମଚନ୍ଦଙ୍କୁ ଗୋଟିଏ ଶିକ୍ଷକ କାର୍ଯ୍ୟ ମିଳିଥିଲା । ଏହା ୧୮୯୯ ମସିହାର ଘଟଣା ।

 

ଏହା ପରେ ସେ ଶିକ୍ଷାବିଭାଗରେ ସବ୍‌ଡ଼େପୁଟି ଇନ୍‌ସ୍‌ପେକ୍ଟର ପଦରେ ନିଯୁକ୍ତ ହୋଇ ଅନେକ ଦିନ ସେହି କାର୍ଯ୍ୟ କରିଥିଲେ ଏବଂ ବାହାର ଛାତ୍ରରୂପେ ଏଫ୍‌. ଏ. ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଭିନ୍ନ ଭିନ୍ନ ସ୍ଥାନରେ ଅଧିକାଂଶ ସମୟ ଗସ୍ତ କରି ପାନାହାରରେ ବ୍ୟତିକ୍ରମ ଏବଂ ବାଲ୍ୟଜୀବନର ଦୁଃଖଦାରିଦ୍ର୍ୟ ଯୋଗୁଁ ତାଙ୍କ ଉଦରରେ ନାନା ରୋଗ ଜନ୍ମି ଥିଲା । ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ସେ ଗୋରଖପୁର ଜିଲ୍ଲାର ନର୍ମାଲ ସ୍କୁଲରେ ଶିକ୍ଷକକାର୍ଯ୍ୟ ଗ୍ରହଣ କରିଥିଲେ । ଏହିଠାରେ ପୁଣି ବାହାର ଛାତ୍ର ରୂପେ ବି.ଏ. ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଉଦରର ରୋଗ ଉପଶମପାଇଁ ସେ ଜଳ-ଚିକିତ୍ସା ଆରମ୍ଭ କଲେ; କିନ୍ତୁ ଉକ୍ତ ଚିକିତ୍ସାରେ ରୋଗ ବେଶି ପରିମାଣରେ ବଢ଼ିଲା । ଯାହାହେଉ, କୌଣସି କାରଣରୁ ସେତେବେଳେ ସେ ଭଲ ହୋଇଗଲେ ।

 

୧୯୨୦ ମସିହାରେ ମହାତ୍ମାଗାନ୍ଧୀ ଗୋରଖପୁର ଯାଇଥିଲେ । ଅସହଯୋଗ ଆନ୍ଦୋଳନର ତାହା ଆରମ୍ଭକାଳ । ସେ ସମୟରେ ମହାତ୍ମା ଗାନ୍ଧୀଙ୍କର ଭାଷଣ ଶୁଣି ପ୍ରେମଚନ୍ଦ୍‌ ଲେଖିଥିଲେ, ‘‘ମହାତ୍ମାଜୀଙ୍କ ଦର୍ଶନର ପ୍ରତାପ ଏହି ଯେ, ମୁଁ ତାହାଦ୍ୱାରା ମରିବାଠାରୁ ହଠାତ୍‌ ଜୀଇଁ ଉଠିଲି ।’’ ଏହାପରେ ସେ ସରକାରୀ ଚାକିରି ତ୍ୟାଗ କରି ସାହିତ୍ୟକ୍ଷେତ୍ରରେ ପୂର୍ଣ୍ଣରୂପେ ଆତ୍ମସମର୍ପଣ କଲେ ।

 

ମୁନ୍‌ସି ପ୍ରେମଚନ୍ଦ୍‌ ପହିଲେ ଉର୍ଦ୍ଦୁ ଭାଷାରେ ହି ଲେଖୁଥିଲେ । ସାଧାରଣଃ ଦେଖାଯାଏ, ଔପନ୍ୟାସିକମାନେ ଆଗ ଛୋଟ ଗଳ୍ପରୁ ଆରମ୍ଭ କରିଥାନ୍ତି; କିନ୍ତୁ ପ୍ରେମ୍‌ଚନ୍ଦ୍‌ ଆଗ ଉପନ୍ୟାସ ଲେଖି ପରେ ଛୋଟ ଗଳ୍ପରେ ହାତ ଦେଇଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ୧୯୦୨ରେ ଏବଂ ଦୁଇବର୍ଷ ପରେ ଦ୍ୱିତୀୟ ଉପନ୍ୟାସ ବାହାରିଥିଲା । ୧୯୦୭ ମସିହାରେ ସେ କ୍ଷୁଦ୍ର ଗଳ୍ପ ଲେଖିବାକୁ ଆରମ୍ଭ କଲେ । ପ୍ରଥମେ ଉର୍ଦ୍ଦୁ ପତ୍ରିକାରେ ‘ନବାବରାୟ’ ନାମରେ ଲେଖୁଥିଲେ । ଏହି ନାମରେ ସେ ନିଜଘରେ ଜଣାଶୁଣା ଏବଂ ନିଜ ଗ୍ରାମରେ ମଧ୍ୟ ଏହି ନାମ ତାଙ୍କର ପରିଚୟ ଯେତେଦିନ ଉର୍ଦ୍ଦୁରେ ରଚନା କରୁଥିଲେ, ସେତେଦିନ ଉର୍ଦ୍ଦୁ ଜଗତର ସେ ବାଦଶା ଥିଲେ । ତାହାପରେ ୧୯୧୭ ମସିହାରେ ଯେତେବେଳେ ହିନ୍ଦି ସଂସାରରେ ପହିଲେ ପ୍ରବେଶ କଲେ, ସେଠାରେ ସେ ସମ୍ରାଟର ଆସନ ଅଧିକାର କରି ବସିଲେ । ହିନ୍ଦି ସାହିତ୍ୟାକାଶର ଉଜ୍ଜ୍ୱଳତମ ତାରକାରୂପେ ସମସ୍ତଙ୍କର ଦୃଷ୍ଟି ସେ ଆକର୍ଷଣ କଲେ । ସମସ୍ତଙ୍କ ସମ୍ମାନ ଶ୍ରଦ୍ଧା ଓ ସ୍ନେହ ଉପରେ ତାଙ୍କ ଆସନ ପ୍ରତିଷ୍ଠିତ ହେଲା ।

 

ଏ ଯୁଗର ହିନ୍ଦି ସାହିତ୍ୟରେ ମୌଳିକ ରଚନା ବେଶି ପରିମାଣରେ ନ ଥିଲା । ସଂସ୍କୃତ, ବଙ୍ଗଳା ଓ ଇଂରାଜିରୁ ବହୁ ଗଳ୍ପ ତର୍ଜମା କରାହୋଇ ଏ ସାହିତ୍ୟକୁ ପୁଷ୍ଟ କରିଥିଲା । ମୌଳିକ ରଚନା ନାମରେ ଯାହା ସବୁ ପ୍ରକାଶିତ ହେଉଥିଲା, ତାହା ଉପରେ ମଧ୍ୟ ଏହି ୟୁରୋପୀୟ ମହାଯୁଦ୍ଧ ସମୟରୁ ହିନ୍ଦି ସାହିତ୍ୟର ଜାଗରଣ ଦେଖାଗଲା । ଅନ୍ୟ ସାହିତ୍ୟର ଅନୁକରଣ ପ୍ରଭାବରୁ ମୁକ୍ତହୋଇ ଏହା ନିଜ ଗୋଡ଼ରେ ଠିଆ ହୋଇ ଶିଖିଲା ଏବଂ ଏହି ମୁକ୍ତିବାର୍ତ୍ତାର ସର୍ବପ୍ରଧାନ ଅଗ୍ରଦୂତ ଥିଲେ ମୁନସି ପ୍ରେମଚନ୍ଦ୍‌ । ସର୍ବୋତ୍କୃଷ୍ଟ ପ୍ରଥମ ମୌଳିକ ଲେଖକରୂପେ ସେ ହିନ୍ଦି ସାହିତ୍ୟର ପ୍ରାଣପ୍ରତିଷ୍ଠା କରିଥିଲେ । ହିନ୍ଦିସ୍ଥାନର ସ୍ୱରୂପ କଅଣ, ତାହାର ସମସ୍ୟା କଅଣ, ତାହାର ସୁଖଦୁଃଖ କେଉଁଠି, ତାହାର ପୁରୁଷ ଏବଂ ନାରୀ, ତାହାର କୃଷକ, କୁଲି ଓ ମଜୁରିଆ, ତାହାର କିରାନି, ତାହାର ଧନୀଜମିଦାର ବା ସାହୁକାରଙ୍କର ସହଜ ସତ୍ୟ ଜୀବନଚରିତ୍ର ହିଁ ପ୍ରେମଚନ୍ଦ୍‌ ସାହିତ୍ୟର ପ୍ରଧାନ କଥାବସ୍ତୁ । ତାଙ୍କ ଭାଷାରେ ମଧ୍ୟ ଯେଉଁ ସରଳ ସ୍ୱଚ୍ଛନ୍ଦ ଶୈଳୀର ପରିଚୟ ମିଳେ, ହିନ୍ଦି ସାହିତ୍ୟ କ୍ଷେତ୍ରରେ ତାହା ଅସାଧାରଣ । ଭାଷାରେ ଏହିରୂପେ ଶୈଳୀ ଆଣିବା ପାଇଁ ଲେଖକପକ୍ଷରେ ପ୍ରଗାଢ଼ ସାଧନା ଓ ଅଭ୍ୟାସର ଆବଶ୍ୟକ । ଉର୍ଦ୍ଦୁରେ ଲେଖିବା ସମୟରେ ହିଁ ପ୍ରେମଚନ୍ଦ୍‌ ଅଭ୍ୟାସଦ୍ୱାରା ତାହାକୁ ଆୟତ୍ତ କରି ପାରିଥିଲେ ।

 

‘ନବନିଧି’ ନାମକ ଗଳ୍ପସଂଗ୍ରହ ତାଙ୍କର ପ୍ରଥମ ପ୍ରକାଶିତ ହିନ୍ଦି ରଚନା । ଏହି ସଂଗ୍ରହ ମଧ୍ୟରୁ ଅଧିକାଂଶ ଗଳ୍ପ ମୋଗଲ ସାମାଜ୍ୟର ମଧ୍ୟାହ୍ନକାଳର ଘଟଣା ଉପରେ ଲିଖିତ । ଗଳ୍ପଗୁଡ଼ିକ ଇତିହାସର ଘଟଣା ମଧ୍ୟରେ ଆବଦ୍ଧ ରହିଥିବାରୁ ଲେଖକ ତହିଁରେ ସ୍ୱାତନ୍ତ୍ର୍ୟ ଫୁଟାଇ ପାରିନାହାନ୍ତି । ତେଣୁ ତାହା ଖୁବ୍‌ ଉଚ୍ଚ ଧରଣର ରଚନା ନୁହେଁ । ତଥାପି ସେଗୁଡ଼ିକର ବିଷୟ ନିରୂପଣରେ ଏବଂ ବର୍ଣ୍ଣନାଭଙ୍ଗିରେ ପ୍ରେମଚନ୍ଦ୍‌ଙ୍କର ନିପୂଣ ଲେଖନୀର ପରିଚୟ ମିଳେ । ‘ରାଜା ହରଦୌଲ’ ଏବଂ ‘ରାଣୀ ସାରନ୍ଧା’ ନାମକ ପ୍ରଥମ ଦୁଇଟି ଗଳ୍ପ ବୁନ୍ଦେଲର ବୀରତ୍ୱ କାହାଣୀ ଦ୍ୱାରା ପାଠକଚିତ୍ତକୁ ଐତିହାସିକ ଯୁଗକୁ ଟାଣିନିଏ ।

 

ତାଙ୍କର ଦ୍ୱିତୀୟ ଗଳ୍ପସଂଗ୍ରହ ‘ସପ୍ତ ସରୋଜ’ର କାହାଣୀଗୁଡ଼ିକ ହିନ୍ଦି ସାହିତ୍ୟର ନବଯୁଗର ସୂଚନା ଦେଇଥିଲା । ସେଥିରେ ଆଧୁନିକ ବିଶ୍ୱସାହିତ୍ୟର ଗଳ୍ପ-ଶୈଳୀ ବିକଶିତ । ଏହି ସଂଗ୍ରହର ‘ବଡ଼ ଘରର ଝିଅ’ ଓ ‘ପଞ୍ଚ ପରମେଶ୍ୱର’ ପ୍ରଭୃତି କେତେକ ଗଳ୍ପ ହିନ୍ଦି ସାହିତ୍ୟରେ ଅମର ହୋଇ ରହିବାର ପ୍ରତିଷ୍ଠା ଅର୍ଜନ କରିଅଛି । ‘ପ୍ରେମପୂର୍ଣ୍ଣିମା’ ନାମକ ଅନ୍ୟ ଏକ ଗଳ୍ପସଂଗ୍ରହ ‘ସପ୍ତ ସରୋଜ’ର ରଚନାରୀତିକୁ ଅନୁସରଣ କରିଅଛି । ଏହି ସଂଗ୍ରହ ମଧ୍ୟରେ ‘ଶଙ୍ଖନାଦ’ ଏବଂ ‘ଦୁର୍ଗଙ୍କ ମନ୍ଦିର’ ନାମକ ଦୁଇଟି ଗଳ୍ପ ପ୍ରେମଚନ୍ଦ୍‌ଙ୍କର ‘ପ୍ରେମ-ଦ୍ୱାଦଶୀ’ ନାମକ ସର୍ବୋତ୍କୃଷ୍ଟ ବାରୋଟି ଗଳ୍ପ ମଧ୍ୟରେ ସ୍ଥାନ ପାଇଅଛି ।

 

‘ପ୍ରେମପଚିଶି’ ନାମକ ଗଳ୍ପସଂଗ୍ରହରେ କେତେଗୁଡ଼ିଏ କଥା ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ରଚିତ ହୋଇଥିଲା । ସେଥିପାଇଁ ଅନେକ ଗଳ୍ପରେ ମହାତ୍ମା ଗାନ୍ଧିଙ୍କ ପ୍ରତି ଲେଖକଙ୍କର ଶ୍ରଦ୍ଧା ଓ ଅନୁରକ୍ତି ଫୁଟି ଉଠିଅଛି । ‘ସୋହାଗର ଶାଢ଼ୀ’, ‘ଦୁଃସାହସ’, ‘ଆଦର୍ଶ ବିରୋଧ’ ଏବଂ ‘ପଶୁଠାରୁ ମନୁଷ୍ୟ’ ପ୍ରଭୃତି ଗଳ୍ପରେ ରାଜନୈତିକ ରଙ୍ଗ ସୁସ୍ପଷ୍ଟ ।

 

ହିନ୍ଦି ଉପନ୍ୟାସ ମଧ୍ୟରେ ତାଙ୍କର ପ୍ରଥମ ପ୍ରକାଶିତ ‘ସେବାସଦନ’ ସାହିତ୍ୟକ୍ଷେତ୍ରରେ ଯୁଗାନ୍ତର ଆଣିଅଛି । ଏହି ଉପନ୍ୟାସରେ ପାରିବାରିକ ଓ ସାମାଜିକ ପରିସ୍ଥିତିର ବାସ୍ତବ ରୂପଟି ବିକଶିତ । ବର୍ତ୍ତମାନ ହିନ୍ଦୁ ସମାଜ କିପରି ଜଟିଳ ସମସ୍ୟାରେ ଜଡ଼ିତ ଏବଂ ତାହାଦ୍ୱାରା ପାରିବାରିକ ଜୀବନ କିପର କଷ୍ଟମୟ ହୁଏ, ବିବାହରେ ଦାନ ଯୌତୁକ ଆଦି କୁରୀତି ଓ କୁସଂସ୍କାର ଦ୍ୱାରା କିପରି ଏ ସମାଜ ଦିନକୁ ଦିନ ଦୁଃସ୍ଥ ଓ ଦୁର୍ବଳ ହୋଇ ପଡ଼ିଅଛି, କିପରି ଦୁର୍ଦ୍ଦଶା ଓ ଅବମାନନା ମଧ୍ୟରେ ହିନ୍ଦୁ ବିଧବାକୁ କାଳ କାଟିବାକୁ ହୁଏ; ସମାଜରେ ଓ ଘରେ ପ୍ରାଚୀନତା ଏବଂ ନବୀନତା ଭିତରେ କିପରି ନିରନ୍ତର ଦ୍ୱନ୍ଦ୍ୱ ଚାଲିଅଛି, ଇତ୍ୟାଦି ଚିତ୍ରର ନିର୍ମଳ ଅନୁଭୂତି ପୂର୍ଣ୍ଣ ଅଙ୍କନହିଁ ‘ସେବା -ସଦନ’ ଉପନ୍ୟାସର ବିଶେଷତ୍ୱ ।

 

ଏହାର ତିନି ଚାରି ବର୍ଷ ପରେ ତାଙ୍କର ‘ପ୍ରେମାଶ୍ରମ’ ନାମକ ଛଅ ଶହ ପୃଷ୍ଠାର ବଡ଼ ଉପନ୍ୟାସ ପ୍ରକାଶିତ ହେଲା; କିନ୍ତୁ ଆକାର ତୁଳନାରେ ଉପନ୍ୟାସଟିର ପ୍ରଭାବ ବା ଆଦର ଆଶାନୂରୁପ ହେଲା ନାହିଁ । କଳା ଏବଂ ତତ୍ତ୍ୱଜ୍ଞାନ ଦୃଷ୍ଟିରୁ ‘ରଙ୍ଗଭୂମି’ ପ୍ରେମଚନ୍ଦ୍‌ଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି । ସେଥିରେ ମନୁଷ୍ୟର ବ୍ୟକ୍ତିତ୍ୱ ଓ ସତ୍ୟ ଉପରେ ଅତି ନିଗୁଢ଼ ସୂକ୍ଷ୍ମ ବିଚାର କରାଯାଇଅଛି ଏବଂ ଦେହ ଉପରେ ଆତ୍ମାର ବିଜୟ ଘୋଷିତ ହୋଇଅଛି । ‘କର୍ମଭୂମି’ ଉପନ୍ୟାସରେ ସମାଜଚିତ୍ରଣରେ ଲେଖକଙ୍କର ଅସାମାନ୍ୟ ବିଚକ୍ଷଣତା ବିକଶିତ ହୋଇଅଛି । ‘ଗୋ ଦାନ’ ପ୍ରେମଚନ୍ଦଙ୍କର ଅନ୍ତିମ ରଚନା । ଏଥିରେ ଚିତ୍ର ଓ ସମସ୍ୟାଗୁଡ଼ିକର ସଜୀବ ସମାବେଶ ଦେଖାଯାଏ-। ଗ୍ରାମ୍ୟ ଜୀବନରେ ନିରାଟ ବାସ୍ତବ ରୁପହିଁ ଏହି ଉପନ୍ୟାସର ପ୍ରଧାନ ବିଷୟ । ନାଗରିକ ଜୀବନର ଚିତ୍ରଣ ହିନ୍ଦି ଉପନ୍ୟାସର ଅସଲ କଥାବସ୍ତୁରୂପେ ଏଥିପୂର୍ବେ ଗ୍ରହଣ କରାଯାଇଥିଲା । ପ୍ରେମ୍‌ଚନ୍ଦ୍‌ ଦେଖିଲେ ଯେ, ଏହା କେବଳ ୟୁରୋପୀୟ ଛାଞ୍ଚର ଅନୁକରଣ । ୟୁରୋପରେ ଅଧିକ ଲୋକ ନଗରରେ ରହନ୍ତି ଏବଂ ଗ୍ରାମର ସଖ୍ୟା ସେଠାରେ ଅଳ୍ପ । ଅତଏବ ସେ ଦେଶର ଔପନ୍ୟାସିକ ପକ୍ଷରେ ନାଗରିକ ଚରିତ୍ରଚିତ୍ରଣ ସ୍ୱାଭାବିକ; କିନ୍ତୁ ଭାରତବର୍ଷର ଅବସ୍ଥା ଏ ସମ୍ବନ୍ଧରେ ଠିକ୍‌ ବିପରୀତ ଥିବାରୁ ଏ ଦେଶର ସାହିତ୍ୟ ବେଶି ପରିମାଣରେ ଗ୍ରାମ ସହିତ ସଂଯୁକ୍ତ ରହିବା ଉଚିତ । ନଚେତ୍‌ ଏ ଦେଶର ସାହିତ୍ୟ ମୌଳିକ ନ ହୋଇ କେବଳ ଅସ୍ୱାଭାବିକ ଅନୁକରଣ ବଶବର୍ତ୍ତୀ ହୋଇ ରହିଥିବ । ‘ଗୋ ଦାନ’ ହିନ୍ଦି ସାହିତ୍ୟର ଦୃଷ୍ଟିକୋଣକୁ ଗ୍ରାମ ପ୍ରତି ଫେରାଇ ଆଣିଥିଲା ।

 

ଗ୍ରନ୍ଥ ରଚନା ବ୍ୟତୀତ ସେ ପତ୍ରିକା ସମ୍ପାଦନରେ ମଧ୍ୟକୃତିତ୍ୱ ଦେଖାଇ ଅଛନ୍ତି । ୧୯୨୭ ମସିହାଠାରୁ ଆରମ୍ଭକରି କେତକ ବର୍ଷ ସେ ଲକ୍ଷ୍ନୌର ବିଖ୍ୟାତ ହିନ୍ଦି ମାସିକ ‘ମାଧୁରୀ’ର ସମ୍ପାଦନ କରିଥିଲେ । ପରେ ସ୍ୱୟଂ ‘ହଂସ’ ନାମକ ଏକ ମାସିକ ଏବଂ ‘ଜାଗରଣ’ ନାମକ ସାପ୍ତାହିକ ପତ୍ର ପ୍ରକାଶ କରିଥିଲେ; କିନ୍ତୁ ସେଥିରେ ତାଙ୍କୁ ବହୁ ଆର୍ଥିକ କ୍ଷତି ସହିବାକୁ ହୋଇଥିଲା-। ‘ଜାଗରଣ’ରେ ମାସକୁ ପ୍ରାୟ ୨୦୦ ଟଙ୍କା କ୍ଷତି ହେଉଥିଲା । ୧୯୩୬ ମସିହା ଅକ୍ଟୋବର ୮ ତାରିଖରେ ପ୍ରେମଚନ୍ଦ୍‌ଙ୍କର ମୃତ୍ୟୁ ହେଲା । ‘ହଂସ’ ପତ୍ରିକାଟି ତାଙ୍କର ସ୍ମାରକରୂପେ ବହୁବର୍ଷ ପ୍ରକାଶିତ ହେଉଥିଲା । ଉକ୍ତ ପତ୍ରିକା ପ୍ରଥମେ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଶିବରାଣୀ ଦେବୀ ସମ୍ପାଦନ କରୁଥିଲେ । ତାପରେ ତାଙ୍କର ପୁତ୍ର ଶ୍ରୀଯୁକ୍ତ ଶ୍ରୀପତ୍‌ରାୟ ଏହାର ସମ୍ପାଦକ ହେଲେ ।

 

ପ୍ରେମଚନ୍ଦ୍‌ ଥିଲେ ଅଧୁନାତନ ପ୍ରଥମ ହିନ୍ଦି ଲେଖକ, ଯାହାଙ୍କ ରଚନା କେବଳ ଓଡ଼ିଆ, ବଙ୍ଗଳା, ଗୁଜୁରାଟୀ, ମରହଟ୍ଟୀ ବା ତାମିଲ ଆଦି ଭାରତୀୟ ଭାଷାରେ ନୁହେଁ, ଇଂରାଜୀ ଓ ଜର୍ମାନୀ ପ୍ରଭୃତି ବିଦେଶୀ ଭାଷାରେ ମଧ୍ୟ ତର୍ଜମା କରାଯାଇଅଛି । ବଡ଼ ସାହିତ୍ୟିକର ପ୍ରମାଣ ଏହି ଯେ ସେ ସବୁଠାରୁ ବେଶ ଲୋକପ୍ରିୟ ହୋଇଥାନ୍ତି ଏବଂ ସମସାମୟିକ ଓ ପରବର୍ତ୍ତୀ ବହୁ ସାହିତ୍ୟିକ ତାଙ୍କୁ ଅନୁକରଣ କରିଥାନ୍ତି । ପ୍ରେମଚନ୍ଦ୍‌ଙ୍କଠାରେ ଏ ସମସ୍ତ ହିଁ ସତ୍ୟ ହୋଇଅଛି । ବର୍ତ୍ତମାନ ଉର୍ଦ୍ଦୁ ଉପନ୍ୟାସ ଏବଂ ହିନ୍ଦି ଲେଖକମାନଙ୍କ ରଚନାଶୈଳୀ, ବର୍ଣ୍ଣନାଭଙ୍ଗି କିମ୍ବା ଭାଷାଗଠନରେ ପ୍ରେମଚନ୍ଦଙ୍କର ଛାୟା ପଡ଼ିଅଛି । ସମାଲୋଚକମାନେ ଋଷ ସାହିତ୍ୟର ବିଶ୍ୱବିଖ୍ୟାତ କଥାକାର ଟଲ୍‌ଷ୍ଟୟ ଏବଂ ଗର୍କିଙ୍କ ସହିତ ତାଙ୍କର ତୁଳନା କରିଥାନ୍ତି ।

 

ସାହିତ୍ୟକ୍ଷେତ୍ରରେ ବିସ୍ତୃତ ଖ୍ୟାତି ଅର୍ଜନ କରି ମଧ୍ୟ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଦାରିଦ୍ର୍ୟ ଓ ଅଭାବ ମଧ୍ୟରେ କାଳାତିପାତ କରିବାକୁ ପଡ଼ିଥିଲା । ‘ବିଶାଳ ଭାରତ’ ନାମକ କଲିକତାର ହିନ୍ଦିମାସିକ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ବେନାରସୀ ଦାସ ଚତୁର୍ବେଦୀ କଲିକତା ଯିବା ପାଇଁ ଅନେକ ଥର ତାଙ୍କୁ ନିମନ୍ତ୍ରଣ କରିଥିଲେ । ଜାପାନର ବିଶିଷ୍ଟ କବି ଓ ଦାର୍ଶନିକ ୟୋନ୍‌ନୋଗୁଚି ଯେତେବେଳେ କଲିକତା ଆସିଥିଲେ, ତାଙ୍କ ସଙ୍ଗେ ସାକ୍ଷାତ କରିବାପାଇଁ ଏବଂ ଆଉ ଥରେ ଦୀନବନ୍ଧୁ ଏଣ୍ତ୍ରୁଜଙ୍କ ସଙ୍ଗେ ଦେଖା କରିବାକୁ ତାଙ୍କୁ ସେ ଆହ୍ୱାନ କରିଥିଲେ । ଦୀନବନ୍ଧୁ ଏଣ୍ତ୍ରୁଜ ପ୍ରେମଚନ୍ଦ୍‌ଙ୍କର କେତେଗୁଡ଼ିଏ ଗଳ୍ପର ଇଂରାଜୀ ଅନୁବାଦ ନିଜେ ଦେଖିବେ ବୋଲି ସେତେବେଳେ ସ୍ୱୀକୃତ ହୋଇଥିଲେ, କିନ୍ତୁ ଅର୍ଥାଭାବରୁ ସେ ଆସି ପାରିଲେ ନାହିଁ ।

 

ଶୀର୍ଣ୍ଣ ଦେହରେ ରୋଗ ସହିତ ମଧ୍ୟ ଆଜୀବନ ଯୁଦ୍ଧ କରିବାକୁ ତାଙ୍କୁ ହୋଇଥିଲା । ତଥାପି ସବୁବେଳେ ସେ ମିଷ୍ଟଭାଷୀ ଓ ହର୍ଷମୁଖ ଥିଲେ । ଶ୍ରୀଯୁକ୍ତ ଚତୁର୍ବେଦୀ ବନାରସରେ ତାଙ୍କ ସଙ୍ଗେ ଦୁଇଟି ଦିନ ଅତିବାହିତ କରି ଲେଖିଛନ୍ତି, ‘‘ଏହି ଦୁଇ ଦିନ ଭିତରେ ଆମେ ଦୁହେଁ ପ୍ରାୟ ଶହେ ଥର ହସିଛୁଁ । ସେ ତୁମ ସଙ୍ଗେ ଘଣ୍ଟା ଘଣ୍ଟା କାଳ ହସି ପାରନ୍ତି । କଥାବାର୍ତ୍ତାରୁ ସେ ଯେ ଜଣେ ମହାନ୍‌ ସାହିତ୍ୟିକ, ତାହା ବୁଝିବା କଠିନ । ସମସ୍ତଙ୍କ ସଙ୍ଗେ ସମାନ ହୋଇ କଥା କହିବା ହିଁ ତାଙ୍କର ଅଭ୍ୟାସ । ଦୁଃଖ ଦାରିଦ୍ର୍ୟକୁ ସେ ଜୀବନର ସହଜ ଓ ସ୍ୱାଭାବିକ ଅବସ୍ଥା ରୂପେ ଗ୍ରହଣ କରିଥିଲେ । କୌଣସି ଧନଶାଳୀ ଲୋକକୁ ବଡ଼ଲୋକ ହେବାର କଳ୍ପନା ସେ କରିପାରୁ ନ ଥିଲେ-।’’ ନିଜର ଆକାଙ୍‍କ୍ଷା ସମ୍ବନ୍ଧେ ସେ କହିଅଛନ୍ତି, ‘‘ଧନ କିମ୍ବା ଯଶର ଲାଳସା ମୋହର ନାହିଁ-। ମୋଟର କିମ୍ବା କୋଠାବାଡ଼ି ମୋର ଲୋଡ଼ା ନୁହେଁ । ହଁ, ମୋର ଏକାନ୍ତ ଲୋଡ଼ା ଏହି ଯେ, ଦୁଇ ଚାରିଖଣ୍ତ ଉଚ୍ଚାଙ୍ଗ ପୁସ୍ତକ ଲେଖେଁ ।’’ ଦୁଇଟି ପୁତ୍ର ଏବଂ ଗୋଟିଏ କନ୍ୟାକୁ ନେଇ ପ୍ରେମଚନ୍ଦ୍‌ ନିଜର ଛୋଟ ପରିବାରଟି ଗଢ଼ିଥିଲେ । ପୁତ୍ରମାନଙ୍କ ସମ୍ବନ୍ଧେ ସେ ଲେଖିଛନ୍ତି, ‘‘ମୋର ଦୁଇଟି ପୁଅଙ୍କ ସମ୍ବନ୍ଧେ କୌଣସି ବଡ଼ ଲାଳସା ନାହିଁ । କେବଳ ଏତିକି ଚାହେଁ ଯେ, ସେମାନେ ସଚ୍ଚା ଓ ପକ୍‌କା ଲୋକ ହୁଅନ୍ତି । ବିଳାସୀ ଏବଂ ଧନୀ ଲୋକର ଖୁସାମତିଆ ସନ୍ତାନକୁ ମୁଁ ଘୃଣା କରେ । ମୁଁ ମଧ୍ୟ ଶାନ୍ତିରେ ବସିବାକୁ ଚାହେଁ ନାହିଁ । ସ୍ୱଦେଶ ଏବଂ ସାହିତ୍ୟ ପାଇଁ କିଛି କରିବା ହିଁ ମୋର ବଡ଼ ସୁଖ । ହଁ, ରୁଟିଡାଲି ଆଉ ତୋଳାଏ ଘିଅ ଏବଂ ମୋଟା ଲୁଗା ଖଣ୍ତେ ହିଁ ମୋ ପକ୍ଷରେ ଯଥେଷ୍ଟ ।

 

ପନ୍ଦର ବର୍ଷ ମାତ୍ର ବୟସରେ ଯାହାଙ୍କର ପାଣିଗ୍ରହଣ କରିଥିଲେ, ସେହି ଶିବରାଣୀ ଦେବୀ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଦୁଃଖସୁଖର ସଙ୍ଗିନୀ ହୋଇ କର୍ମର ପ୍ରେରଣା ଓ ଶକ୍ତିରୂପେ କାର୍ଯ୍ୟ କରିଥିଲେ । ପ୍ରେମଚନ୍ଦ୍‌ଙ୍କର ସାହଚର୍ଯ୍ୟ ଓ ସାହିତ୍ୟିକ ପ୍ରଭାବବଳରେ ଶିବରାଣୀଙ୍କର ଅନ୍ତରର ପ୍ରତିଭା ମଧ୍ୟ ବିକଶିତ ହୋଇଥିଲା ଏବଂ କେତେଗୁଡ଼ିଏ ଛୋଟ ଗଳ୍ପ ଲେଖି ହିନ୍ଦି ସାହିତ୍ୟରେ ସେ ସୁନାମ ଅର୍ଜନ କରି ପାରିଅଛନ୍ତି । ସ୍ୱାମୀଙ୍କର ମୃତ୍ୟୁଶଯ୍ୟାର ଚିତ୍ର ସେ ଏହିରୂପେ ଚିତ୍ରଣ କରିଅଛନ୍ତି–‘ବାବା ଧୁନ୍ନୁ, ଟିକିଏ ପଙ୍ଖା ଖୋଲିଦେ ତ, ବଡ଼ ଗରମ ହେଉଛି–ଏହି ସ୍ୱର ତାଙ୍କରି ଥିଲା-। ଟିକିଏ ପରେ ସାନପୁଅ ବନ୍ନୁ ଦୌଡ଼ି ଦୌଡ଼ି ମୁଁ ରହିଥିବା ଘର ଭିତରକୁ ଆସିଲା ଏବଂ କହିଲା, ‘‘ମା, ବାପାଙ୍କର ବାନ୍ତି ହୋଇଛି ।’’ ଆଶଙ୍କା, ଭୟ ଏବଂ ଦୁଃଖରେ ମୁଁ ଚମକି ପଡ଼ିଲି । ଝଟ୍‌କରି ଯେତେବେଳେ ସେଠି ପହଞ୍ଚି ତାଙ୍କ ରକ୍ତବାନ୍ତି ଦେଖିଲି, ସେତେବେଳେ ଥରି ଉଠିଲି । ମୋର ଦେହମୟ ବିଜୁଳି ଲାଗି ଯେପରି ଘାଆ ହୋଇଗଲା । ଟିକିଏ ପରେ ମୋତେ ସେ ଅସ୍ଫୁଟ ସ୍ୱରରେ କହିଲେ ‘‘ରାଣୀ, ଏବେ ମୁଁ ଚାଲିଲି । ’’

 

ଯେଉଁ ଭାଷାକୁ ଭାରତବର୍ଷରେ ସବୁଠାରୁ ବେଶି ଲୋକ କହନ୍ତି ଏବଂ ସବୁଠାରୁ ବେଶି ଲୋକ ବୁଝନ୍ତି, ସେଠି ଭାଷା–ବେଦୀର ଏ ଯୁଗର ସର୍ବଶ୍ରେଷ୍ଠ ପୁରୋଧା ସାମାନ୍ୟ ସମ୍ବଳ ଘେନି ସଂସାରକୁ ଆସିଥିଲେ ଏବଂ ସାମାନ୍ୟ ସମ୍ବଳରେ ହିଁ ମସ୍ତ ଜୀବନ ନିର୍ବାହ କରି ସଂସାର ଛାଡ଼ି ଯାଇଅଛନ୍ତି ।

Image

 

କୈଶୋର ଜ୍ଞାନ

 

ମନୁଷ୍ୟ ଜୀବନକୁ ସାଧାରଣତଃ ପାଞ୍ଚଗୋଟି ଅବସ୍ଥାରେ ବିଭକ୍ତ କରାଯାଇଥାଏ, ଯଥା–ଶୈଶବ, କୈଶୋର, ଯୌବନ, ପ୍ରୌଢ଼ ଓ ଜରା । ଏହିସବୁ ଅବସ୍ଥା ମଧ୍ୟରୁ କୈଶୋର ଏବଂ ଯୌବନ ମନୁଷ୍ୟ ଜୀବନର ପ୍ରଥମ ବିକାଶକାଳ । ଶିକ୍ଷାକ୍ଷେତ୍ରରେ ଆଧୁନିକ ପଣ୍ତିତମାନେ ଏହି ଅବସ୍ଥାକୁ ସମ୍ୟକ୍‌ ଆଲୋଚନା ଓ ବିଶ୍ଳେଷଣ କରିଅଛନ୍ତି । ଏଗାର ବର୍ଷଠାରୁ ଅଠର ବର୍ଷପର୍ଯ୍ୟନ୍ତ ସାତଟି ବର୍ଷକୁ କୈଶୋର ଏବଂ ଅଠର ବର୍ଷରୁ ପଚିଶବର୍ଷ ପର୍ଯ୍ୟନ୍ତ ସାତଟି ବର୍ଷକୁ ଯୌବନାବସ୍ଥାର ସମୟରୂପେ ନିରୂପଣ କରାଯାଉଅଛି । ଭାରତୀୟ ପ୍ରାଚୀନ ପ୍ରଥା ଅନୁଯାୟୀ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ଯତିବ୍ରତ–ଏହି ଚାରୋଟି ଆଶ୍ରମ ମଧ୍ୟରୁ ଉକ୍ତ ଅବସ୍ଥାଟି ପ୍ରଥମ ଆଶ୍ରମ ଏବଂ ଗୁରୁଗୃହରେ ଶିକ୍ଷାଲାଭ କରିବା ସମୟ । ବ୍ରହ୍ମଚର୍ଯ୍ୟ ପରେ ଗ୍ରାହସ୍ଥ୍ୟ ଆଶ୍ରମରେ ପ୍ରବେଶ କରିବାର ନିୟମ ଅଛି । ବର୍ତ୍ତମାନ ଯୁଗରେ ମଧ୍ୟ ସେହି ପ୍ରାଚୀନ ପ୍ରଥା କେତେକ ପରିମାଣରେ ଅନୁସତ ହେବାର ଦେଖାଯାଏ । ବିଶ୍ୱବିଦ୍ୟାଳୟମାନଙ୍କରେ ଏହି ସମୟ ମଧ୍ୟରେହିଁ ଶିକ୍ଷା ସମାପ୍ତ କରିବାର ବ୍ୟବସ୍ଥା ହୋଇଅଛି ଏବଂ ଅଧିକାଂଶ ସରକାରୀ ଚାକିରିରେ ପ୍ରବେଶ କରିବା ପାଇଁ ବୟସର ସୀମା ପଚିଶବର୍ଷ ନିର୍ଦ୍ଦିଷ୍ଟ ଅଛି ।

 

ଏଗାରଠାରୁ ଅଠରବର୍ଷ ବୟସ ପର୍ଯ୍ୟନ୍ତ କିଶୋର ଅବସ୍ଥାକୁ ଜୀବନର ପ୍ରଥମ ଉନ୍ମେଷକାଳ ବୋଲିବାକୁ ହେବ । ଏହି ସମୟରେହିଁ ମନୁଷ୍ୟର ଦେହ ଓ ମନରେ ଯେଉଁ ଦ୍ରୁତ ପରିବର୍ତ୍ତନ ଦେଖାଯାଏ, ତାହା ସମଗ୍ର ଭବିଷ୍ୟତ୍‌ ଜୀବନକୁ ନିୟନ୍ତ୍ରିତ କରିଥାଏ । ଏହି ବୟସରେ ହିନ୍ଦୁ ବାଳକମାନଙ୍କୁ ବ୍ରତ ଉପନୟନ ଦ୍ୱାରା ବ୍ରହ୍ମଚାରୀ ହେବାକୁ ପଡ଼େ ଏବଂ ଖ୍ରୀଷ୍ଟାନ ପିଲାମାନେ ଗୀର୍ଜା ଘରେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୁଅନ୍ତି । ଏପରି କି ଅଷ୍ଟ୍ରେଲିଆର ଆଦିମ ଅଧିବାସୀମାନେ ମଧ୍ୟ କିଶୋରମାନଙ୍କୁ ଭୂତପ୍ରେତପୂର୍ଣ୍ଣ ନିଜର ରହସ୍ୟମୂଳକ ଆଦିମ ଧର୍ମଶିକ୍ଷା ଦିଅନ୍ତି ।

 

ପ୍ରକୃତିର ନିୟମ ଅନୁଯାୟୀ ବାଳିକାମାନଙ୍କର କୈଶୋର ବାଳକମାନଙ୍କର ଦୁଇବର୍ଷ ପୂର୍ବରୁ ଆରମ୍ଭ ହୋଇଥାଏ । ସେଥିପାଇଁ ଉଚ୍ଚତା ଓ ଓଜନ ବାଳକ ଅପେକ୍ଷା ବାଳିକାର ଚଞ୍ଚଳ ବୃଦ୍ଧି ପ୍ରାପ୍ତ ହୁଏ । ଓଜନ କିମ୍ବା ଉଚ୍ଚତାରେ ବଢ଼ିବାର ଅର୍ଥ ସେମାନଙ୍କର ମାଂସପେଶୀ ଓ ଅସ୍ଥି ପୁଷ୍ଟ ଏବଂ ସବଳ ହୁଏ । ହସ୍ତପଦର ଅସ୍ଥିଗୁଡ଼ିକ ଲମ୍ବ ଏବଂ ଟାଣ ହୁଏ, ବକ୍ଷ ପ୍ରଶସ୍ତ ହୁଏ । ମାଂସପେଶୀ ଗୁଡ଼ିକର ବୃଦ୍ଧି ସଙ୍ଗେ ସଙ୍ଗେ ଦେହର ଶକ୍ତି ମଧ୍ୟ ଅଧିକ ହୁଏ । ବେଶ ଓଜନର ପଦାର୍ଥ ଉଠାଇବା କିମ୍ବା କୌଣସି କାର୍ଯ୍ୟରେ ବଳପ୍ରୟୋଗ କରିବାର ଇଚ୍ଛା ଜାଗ୍ରତ ହୁଏ । ଏଗାରଠାରୁ ଷୋଳ ବର୍ଷ ମଧ୍ୟରେ ବାଳକବାଳିକା ଉଭୟଙ୍କର ଶକ୍ତି ପୂର୍ବାପେକ୍ଷା ଦୁଇ ଗୁଣ ବୃଦ୍ଧି ପାଇଥାଏ । ତଥାପି ବାଳକର ଦୈହିକ ଶକ୍ତି ବାଳିକା ଅପେକ୍ଷା ବେଶି ଚଞ୍ଚଳ ବଢ଼େ । ବାଳକମାନଙ୍କର ପୌରୁଷର ଚିହ୍ନସ୍ୱରୂପ ମୁଖରେ ଲୋମ ଉଦ୍‌ଗତ ହୁଏ ଏବଂ କଣ୍ଠସ୍ୱର ଭାଙ୍ଗିପଡ଼େ । ମାଂସପେଶୀ ଓ ଅସ୍ଥି ବୃଦ୍ଧି ପାଇବାପାଇଁ ଅଧିକ ଆହାର ଆବଶ୍ୟକ କରେ ଏବଂ ସେଥି ସଙ୍ଗେ ପାକଶକ୍ତି ମଧ୍ୟ ବଢ଼ିଯାଏ । ମୁଖର ଅସ୍ଥି ଲମ୍ବ ଓ ଶକ୍ତି ହୁଏ ।

 

ଦେହର ଉପରେ ଯେଉଁ ସବୁ ପରିବର୍ତ୍ତନ ଦେଖଯାଏ, ଅଭ୍ୟନ୍ତରରେ ମଧ୍ୟରେ ଶ୍ନାସନଳୀ, ହୃଦ୍‌ଯନ୍ତ୍ର ଓ ପାକଯନ୍ତ୍ର ସେହି ଅନୁପାତରେ ବୃଦ୍ଧି ପାଏ । ଦେହର ପରିବର୍ତ୍ତନ ସଙ୍ଗେ ମାନସିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଚଞ୍ଚଳ ଓ ଅସ୍ଥିର ହୋଇପଡ଼େ । ନାନା ବିଷୟ ଜାଣିବାକୁ ବା ଶିଖିବାକୁ ସେ ଚେଷ୍ଟାକରେ, ଅଥଚ କୌଣସି ବିଷୟକୁ ଦୃଢ଼ାତା ସହିତ ଅନୁଶୀଳନ କରିବାର ସ୍ଥିରତା ତାହାର ଆସି ନଥାଏ । ସବୁ କାର୍ଯ୍ୟରେ ସେ ବ୍ୟଗ୍ର ହେବାର ଦେଖାଯାଏ ଏବଂ ଚାଲିବା ଅପେକ୍ଷା ଦୌଡ଼ିବା, ତାହା ହେବାର ଦେଖାଯାଏ ଏବଂ ଚାଲିବା ଅପେକ୍ଷା ଦୌଡ଼ିବା ତାହା ପକ୍ଷରେ ଅଧିକ ସହଜ ହୁଏ-। ବର୍ଷାନଦୀ ପରି ସକଳ ନିୟମବନ୍ଧନର ସୀମା ଲଙ୍ଘିବା ହିଁ ତାହାର ସାଧାରଣ କାର୍ଯ୍ୟ ହୋଇପଡ଼େ-

 

ବାଳିକାମାନେ ବାରଠାରୁ ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ଏବଂ ବାଳକମାନେ ଚଉଦଠାରୁ ପନ୍ଦର ବର୍ଷ ମଧ୍ୟରେ ଅଧିକ ପୁଷ୍ଟ ହୋଇ ଅଠର ବର୍ଷଯାଏ ଶୀଘ୍ର ଶୀଘ୍ର ବୁଦ୍ଧିପ୍ରାପ୍ତ ହୁଅନ୍ତି । ତେରଠାରୁ ଷୋଳ ବର୍ଷପର୍ଯ୍ୟନ୍ତ ବକ୍ଷ ଯେପରି ପ୍ରଶସ୍ତ ହୁଏ, ହୃଦୟ ମଧ୍ୟ ଆକାର ଓ ଶକ୍ତିରେ ବଢ଼ିଯାଏ । ହୃଦୟର ବୃତ୍ତିଗୁଡ଼ିକ ସେହି ପରିମାଣରେ ବିକଶିତ ହୁଏ । ଅଳ୍ପ କଥାରେ କାନ୍ଦିବା କିମ୍ବା ହସିବା ଏବଂ ଦୟା, କ୍ଷମା, ସହାନୁଭୂତି, ସ୍ନେହ, ପ୍ରୀତି, ବନ୍ଧୁତା ଆଦି ଏହି ସମୟରେ ଅତି ସହଜ ଘଟଣା ହୋଇପଡ଼େ । ସାମାନ୍ୟ ବିଷୟରେ ଉଲ୍ଲସିତ ବା ଉତ୍ସାହିତ ହେବାର ଦେଖାଯାଏ; କିନ୍ତୁ ହୃତ୍‌ପିଣ୍ତ ସହିତ ରକ୍ତକୋଷଗୁଡ଼ିକ ବଢ଼ି ନ ଥାଏ । ତେଣୁ ଶିରାପ୍ରଶିରା ଓ ରକ୍ତଚାଳନାର କେନ୍ଦ୍ରସ୍ଥାନ ମସ୍ତିଷ୍କର ବୁଦ୍ଧି ଓ ବିଚାରଶକ୍ତି ଅପେକ୍ଷାକୃତ ଅଳ୍ପ ବିକାଶିତ ହୋଇଥାଏ ।

 

କୈଶୋରର ମାନସିକ ଅବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି; ଯଥା :– (୧) ଚିନ୍ତା ଓ (୨) ଅନୁଭୁତି । ପ୍ରଥମେ, ଅତୀତ ଉପରେ ତାହାର ଘୋର ଅସନ୍ତୋଷ ଜାତ ହୁଏ । ବାଲ୍ୟବୟସରେ ସେ ଯେଉଁ ଯେଉଁ କାର୍ଯ୍ୟ କରିଥିଲା ଏବଂ ଯେଉଁ ଠାରେ ଯାହା କହିଥିଲା, ସେ ସକଳ ସ୍ମରଣକରି ଲଜ୍ଜିତ ହୁଏ । କଣ୍ଢେଇ ବା ଖେଳନାକୁ ଅକାରଣ ମୂଲ୍ୟହୀନ ବସ୍ତୁରୂପେ ସେ ତ୍ୟାଗକରେ । ବର୍ତ୍ତମାନ ବୟସ୍କମାନଙ୍କ ସଙ୍ଗେ ସମାନ ହେବାକୁ ସେ ଲୋଡ଼େ; ସମାନ ଆସନରେ ବସିବାକୁ, ସମାନ ହୋଇ ଚାଲିବାକୁ ଓ ସମାନଭାବରେ କଥା କହିବାକୁ ଇଚ୍ଛାକରେ; ଆଉ ଶିଶୁ ହୋଇ ରହିବାପାଇଁ ତାହାର ଘୃଣା ଜାତ ହୁଏ । ଭିତରେ ଭିତରେ ନୂତନ ଆଦର୍ଶ ଓ ନୂତନ ନେତୃତ୍ୱ ଦ୍ୱାରା ଚାଳିତ ହେବାର ବାସନା ନୀରବରେ ଜାଗ୍ରତ ହୁଏ । ପୂର୍ବେ ହୁଏତ ଇଞ୍ଜିନ ଡ୍ରାଇଭର ହେବାକୁ ତାହାର ଇଚ୍ଛାଥିଲା; ବର୍ତ୍ତମାନ ଚାହେଁ ଡାକ୍ତର ହେବାପାଇଁ । ପୂର୍ବେ ଅବା ଜଣେ ସ୍କୁଲ ମାଷ୍ଟର ହେବାକୁ କିମ୍ବା ସାଇକଲ ଚଳାଇବାକୁ ଆକାଙ୍‌କ୍ଷା ଥିଲା, କିନ୍ତୁ ବର୍ତ୍ତମାନ ତାହାର ଅଭିଳାଷ ଜଣେ ଦେଶନେତା ହେବାପାଇଁ ଅଥବା ବ୍ୟେମଯାନରେ ଉଡ଼ିବାକୁ । ଚିନ୍ତାଧାରା ଓ ଆଦର୍ଶର ଏହି ରୂପପରିବର୍ତ୍ତନ ସଙ୍ଗେ ସଙ୍ଗେ ତାହାର ଭବିଷ୍ୟତ ଜୀବନର ଭିତ୍ତି ଗଠିତ ହୋଇଥାଏ ।

 

ଦ୍ୱିତୀୟରେ, ତାହାର ଚିତ୍ତରେ ଏକ ନୂତନ କୌତୁହଳ ଜାଗ୍ରତ ହୁଏ । ବହିର୍ଜ୍ଜଗତ ସହିତ ଘନିଷ୍ଠଭାବରେ ପରିଚିତ ହେବାପାଇଁ ସେ ଲୋଡ଼େ । ସ୍ୱଦେଶ ବା ବିଦେଶର ବୀର କିମ୍ବା ମହାପୁରୁଷମାନେ କି ଭାବରେ ନିଜ ଜୀବନ ଗଠନ କରିଅଛନ୍ତି, କିପରି ଚିନ୍ତା ଏବଂ ଅଧ୍ୟବସାୟ, ସାହସ ବା ଶକ୍ତି ଦେଖାଇଅଛନ୍ତି ଅଥବା ସେମାନଙ୍କର ଦୋଷ, ତ୍ରୁଟି ଓ ଅଭାବ କେଉଁଠାରେ, ତାହା ଜାଣିବାପାଇଁ ପ୍ରବଳ ଇଚ୍ଛା ଜାତ ହୁଏ । ପଢ଼ିବାକୁ, ଖେଳିବାକୁ, ଅପରିଚିତ ସମବୟସମାନଙ୍କ ସଙ୍ଗେ ନୂତନ ବନ୍ଧୁତା କରିବାକୁ ସେ ଆଗ୍ରହ ପ୍ରକାଶ କରେ । ଆଉ ମଧ୍ୟ କେବେ କେବେ ନିର୍ଜନ ସ୍ଥାନରେ ବସି ଚିନ୍ତା କରିବାକୁ ସେ ସୁଖ ପାଏ । ନିଜର ପିତାମାତା ଓ ପରିବାର ମଧ୍ୟରେ ବହୁ ଅଭାବ ଦେଖି ତାହାର ଅସନ୍ତୋଷ ଜାତ ହୁଏ ଏବଂ ଶିକ୍ଷକଙ୍କ କଥାରେ ସନ୍ଦେହ ଜନ୍ମେ । ଭାରତୀୟ ସଂସ୍କାର ଓ ବେଷ୍ଟନୀ ଅନୁଯାୟୀ ଭାରତର ବହୁ କିଶୋରଙ୍କ ଜୀବନରେ ସମାଜ ଓ ପରିବାରର ବନ୍ଧନ କାଟି ସନ୍ନ୍ୟାସ କରିବାର ଚେଷ୍ଟା ଦେଖାଯାଏ । ମନେହୁଏ, ଆଜି ମଧ୍ୟ ଏ ଦେଶରେ ଧ୍ରୁବଙ୍କର ଆଦର୍ଶ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇନାହିଁ । ଏହି ସମୟରେ ହିଁ ବୁଦ୍ଧ ଏବଂ ଶଙ୍କର ଆଦି ମହାଯୋଗୀମାନେ ସଂସାର ତ୍ୟାଗ ପାଇଁ ପ୍ରସ୍ତୁତ ହୋଇଥିବାର ଜଣାଯାଏ ।

 

ତୃତୀୟରେ ନିଜକୁ ପ୍ରକାଶ କରିବାର ବାସନା ତାହାର ବଳବତୀ ହୋଇପଡ଼େ ଏବଂ ପୃଥିବୀପୃଷ୍ଠରେ ନିଜର ଯଥାସ୍ଥାନଟି ବାଛି ନେବାକୁ ସେ ଲୋଡ଼େ । ନିଜର ସ୍ୱାର୍ଥ ଅପେକ୍ଷା ଅପରର ହିତ ପ୍ରତି ସେ ମନ ବଳାଏ । ସେବା, ସାହଚର୍ଯଦ୍ୱାରା ସ୍ୱୀୟ ବିଶେଷତ୍ୱ ଫୁଟାଇବାକୁ ଇଚ୍ଛା ଜାତ ହୁଏ । ସାହିତ୍ୟ ଚର୍ଚ୍ଚା, କବିତା ରଚନା, ଡାଏରି ରଖିବା କିମ୍ବା ସଙ୍ଗୀତ ବା ଚିତ୍ରଶିଳ୍ପରେ ନିଜକୁ ପ୍ରକାଶ କରିବା ପାଇଁ ସେ ଚେଷ୍ଟିତ ହୁଏ ।

 

ପ୍ରକୃତି ପ୍ରତି ତାହାର ଭାବ ମଧ୍ୟ ନୂତନ ରୂପ ଗ୍ରହଣ କରେ । ଅଦୃଶ୍ୟ ଓ କାଳ୍ପନିକ ଆଡ଼କୁ ତାହାର ଚିତ୍ତ ଅଧିକ ଆକୃଷ୍ଟ ହୁଏ । ନିଜର ଅସ୍ପଷ୍ଟ ଭାବପ୍ରବଣତାକୁ ଘେନି ସେ ଅସଂଖ୍ୟ ତାରକାଖଚିତ ଆକାଶ କିମ୍ବା ଗଭୀର ସାଗର ସମ୍ବନ୍ଧେ ବହୁ ଅଦ୍ଭୁତ କଳ୍ପନା କରିବାକୁ ଶିଖେ । ସମସ୍ତ ପ୍ରକୃତି ଏକ ନୂତନ ବେଶରେ ତାହା ସମକ୍ଷରେ ଉଭା ହୁଏ । ବାଲ୍ୟାବସ୍ଥାରେ ଯେଉଁ ଚନ୍ଦ୍ରକୁ ‘ଜହ୍ନମାମୁଁ’ କହି କେବଳ ଗୋଟିଏ ସୁନା ଥାଳୀ ବୋଲି ସେ ବିଚାରୁଥିଲା କିମ୍ବା ଯେଉଁ ନଦୀଶଯ୍ୟାରେ ବୁଲି ଖୁସି ହେଉଥିଲା, ସେଗୁଡ଼ିକ ତାହାର କଳ୍ପନାକୁ ବର୍ତ୍ତମାନ ବିଚିତ୍ରଭାବରେ ପ୍ରଭାବିତ କରନ୍ତି । ଅରଣ୍ୟ, ପର୍ବତ, ଲତା, କୁସୁମ ଆଦି ନୂତନ ଅର୍ଥ ଘେନି ପ୍ରକାଶିତ ହୁଅନ୍ତି । କିଶୋରର ଧର୍ମଭାବ ମଧ୍ୟ ପରିବର୍ତ୍ତିତ ହୁଏ । ଜୀବନ ଅପେକ୍ଷା ମୃତ୍ୟୁଚିନ୍ତା ତାହାକୁ ଅଧିକ ଅଭିଭୂତ କରେ । ଜୀବନର ଦୁଃଖ ଦୈନ୍ୟ ଦେଖି ତାହାର କୋମଳ ପ୍ରାଣ ଆଲୋଡ଼ିତ ହୋଇଉଠେ-। ଶୈଶବର ନୈଶ୍ଚିନ୍ତ୍ୟ ଓ ଆନନ୍ଦରାଜ୍ୟରୁ ଆସି ନିଜର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଚିନ୍ତା କରିବାକୁ ସେ ଶିଖେ ।

 

ଶେଷରେ ବାଳକର ପୁରୁଷତ୍ୱ ଓ ବାଳିକାର ନାରୀତ୍ୱ ଉଦ୍ରେକ ହୁଏ । ଉଭୟ ବାଳକବାଳିକା ପରସ୍ପରଠାରୁ ପୃଥକ୍‌ ବୋଲି ଅନୁଭବ କରନ୍ତି । ଏଥିପୂର୍ବେ ଉଭୟେ ସମାନଭାବରେ ମିଳିମିଶି ଏକତ୍ର ଖେଳିବା, ବୁଲିବା, ଖାଇବା, ଶୋଇବା ଆଦି କର୍ମ ନିର୍ବିକାର ଚିତ୍ତରେ କରୁଥିଲେ । ବର୍ତ୍ତମାନ ଜଣେ ଅନ୍ୟ ନିକଟରେ କଥା କହିବାକୁ ମଧ୍ୟ ସଙ୍କୋଚ ବୋଧକରେ । ଶୁକଦେବ ଯେତେବେଳେ ସନ୍ନ୍ୟାସ କରିବାକୁ ବାହାରିଲେ, ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ପିତା ଅନୁଧାବନ କରିଥିଲେ । ପଥପାର୍ଶ୍ୱରେ ଗୋଟିଏ ପୁଷ୍କରିଣୀରେ କେତେକ କିଶୋରୀ ଉଲଗ୍ନ ଅବସ୍ଥାରେ ସ୍ନାନ କରୁଥିଲେ । ଶୁକମୁନିଙ୍କ ସଙ୍ଗେ ସେମାନେ ସେହି ଅବସ୍ଥାରେ ହିଁ କଥାବାର୍ତ୍ତା କଲେ, କିନ୍ତୁ ତାଙ୍କ ପିତାଙ୍କୁ ଦେଖି ପାଣି ଭିତରେ ପଶିଗଲେ । ପଚାରିବାରୁ ଉତ୍ତର କଲେ, ଶୁକମୁନିଙ୍କୁ ଦେଖି ସେମାନଙ୍କ ମନରେ କୌଣସି ବିକାର ଜାତ ହୋଇ ନ ଥିଲା, କିନ୍ତୁ ତାଙ୍କ ପିତାଙ୍କୁ ଦେଖି ବିକାର ଜନ୍ମିଥିଲା । ଏହି ଉପାଖ୍ୟାନଦ୍ୱାରା ଅବଶ୍ୟ ଶୁକମୁନିଙ୍କ ଚରିତ୍ରକୁ ଅସାଧାରଣରୂପେ ଚିତ୍ରଣ କରିବାର ଚେଷ୍ଟା କରାଯାଇଅଛି । କିନ୍ତୁ ତାଙ୍କ ପିତାଙ୍କ ପରି ସାଧାରଣ ସ୍ତ୍ରୀପୁରୁଷ ପରସ୍ପର ନିକଟରେ ସଚେତ ହୋଇ ପଡ଼ିଥାନ୍ତି ଏବଂ କିଶୋର ବୟସରେ ହିଁ ଏହି ଭାବର ଆରମ୍ଭ ହୋଇଥାଏ ।

 

କିଶୋର କିମ୍ବା କିଶୋରୀ ପରସ୍ପର ପାଶ୍ୱରେ ଲଜ୍ଜା ବୋଧକରେ ଏବଂ ଅନ୍ୟମାନେ ନିକଟରେ ଥିଲେ କିଶୋରର କଥାରେ ଉଚ୍ଛ୍ୱାସ ଓ ସ୍ୱରର ଉଚ୍ଚତା ଧରାପଡ଼ିଯାଏ । ଅନ୍ୟମାନଙ୍କ ଅପେକ୍ଷା ସ୍ୱୀୟ କଥାବାର୍ତ୍ତା ଓ ଭାବଭଙ୍ଗିରେ ସେ ବିଶେଷତ୍ୱ ଦେଖାଇ ହୁଏ । କିଶୋରୀ ମଧ୍ୟ କେତେବେଳେ ଚଞ୍ଚଳ ଓ କେତେବେଳେ ଲଜ୍ଜାନମ୍ର ହୋଇ ନିଜର ସଚେତ ଅବସ୍ଥାକୁ ଜଣାଇଦିଏ । କିଶୋରର ହଠାତ୍‌ ନିଜରୂପ ଉପରେ ଦୃଷ୍ଟିପଡ଼େ । ନିଜର କେଶ, ଦନ୍ତ, ନଖ ବା ପୋଷାକ ପରିଚ୍ଛଦକୁ ସୁନ୍ଦର ଓ ସୁଶ୍ରୀ କରିବା ଚେଷ୍ଟାରେ ରହେ । କିଶୋରୀ ମଧ୍ୟ ନିଜର ମୁଖ, ନିଜର ଶାଢ଼ୀ, ନିଜର ହାସ୍ୟ, ଚାହାଣୀ ଓ ଗତିବିଧିରେ ଗୋଟିଏ ସାମଞ୍ଜସ୍ୟ ଆଣିବାକୁ ଲୋଡ଼େ । ସୁତରାଂ ଉଭୟଙ୍କର ହିଁ ଏହି ସମୟରେ ପ୍ରଥମଥର ପାଇଁ ଦର୍ପଣଟା ଅତି ଆବଶ୍ୟକ ହୋଇପଡ଼େ ।

 

ଭାରତବର୍ଷରେ ଏହି ବୟସରୁ ହିଁ କିଶୋରୀମାନଙ୍କର କଠୋର ଅବରୋଧ ପ୍ରଥାର ଆରମ୍ଭ ହୋଇଥାଏ । ସାମାଜିକ ଅନୁଶାସନ ଅନୁସାରେ ଉଭୟଙ୍କୁ ପରସ୍ପରଠାରୁ ପୃଥକ୍‌ ରହିବାକୁ ହୁଏ ଏବଂ ବିବାହ ପର୍ଯ୍ୟନ୍ତ କେହି କାହାରି ସହିତ ସାକ୍ଷାତ୍‌ କରିବାପାଇଁ ନିଷେଧ କରି ଦିଆଯାଏ । ଏପରି କି କ୍ଷତ୍ରିୟ ଓ କରଣ ଆଦି ଯେଉଁ ସବୁ ପରିବାରରେ ଯୁବତୀ ବିବାହ ପ୍ରଚଳିତ, ସେଠାରେ ଅବିବାହିତା ଯୁବତୀକନ୍ୟା ପିତା ସମକ୍ଷରେ କିମ୍ୱା ଭଗିନୀ ଭ୍ରାତା ସମକ୍ଷରେ ମଧ୍ୟ ବାହାରେ ନାହିଁ । ତାହାର କାରଣ, ଏହି ସମୟରେ କିଶୋର କିଶୋରୀ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ନିଜ କାର୍ଯ୍ୟର ଫଳାଫଳ ଦେଖି ପାରନ୍ତି ନାହିଁ । ସେଥିଲାଗି ବହୁ ଭୟାବହ ଦୁର୍ଘଟଣା ଘଟିଥାଏ । କବି ରାଧାନାଥଙ୍କର ପାର୍ବତୀ କାବ୍ୟର କୌଶଲ୍ୟା ଚରିତ୍ର ଏବଂ କେଦାରଗୌରୀ କାବ୍ୟର ପିତା-କନ୍ୟା ଓ ଭ୍ରାତା-ଭଗିନୀଙ୍କ ମଧ୍ୟରେ ଏହିରୂପ ଦୁର୍ଘଟଣା ବର୍ଣ୍ଣିତ । ଅଧିକାଂଶ ଆତ୍ମହତ୍ୟା ଓ ଜୀବନବ୍ୟାପୀ ମହାବ୍ୟାଧି ଏହି ସମୟର ହିଁ ଦୁର୍ଘଟଣା ।

 

ତେଣୁ, ଏହି ଅବସ୍ଥାକୁ ସୁନିୟନ୍ତ୍ରିତ କରିବାପାଇଁ ପ୍ରାଚୀନ ଓ ଆଧୁନିକ ପଣ୍ଡିତମାନେ ବହୁ ଚିନ୍ତା ଓ ଗବେଷଣା ଲିପିବଦ୍ଧ କରିଅଛନ୍ତି । ଭାରତୀୟ ଆର୍ଯ୍ୟ ଋଷିମାନେ ବ୍ରହ୍ମଚାର୍ଯ୍ୟ ପାଳନ ପାଇଁ ବହୁ ସୂକ୍ଷ୍ମ ଦର୍ଶନର ଫଳସ୍ୱରୂପ ବ୍ୟବସ୍ଥାମାନ ଦେଇଅଛନ୍ତି । ଏ ସମୟରେ କିପରି ଆହାର କରିବା ଉଚିତ, କିପରି ବ୍ୟାୟାମ ଓ ପରିଚ୍ଛଦ ଆବଶ୍ୟକ ଇତ୍ୟାଦି ବିଷୟରେ ସେମାନେ ଆଲୋଚନା କରିଥିଲେ । ବର୍ତ୍ତମାନ ପଣ୍ଡିତମାନେ ମଧ୍ୟ କିଶୋରର ଜୀବନ ନିୟନ୍ତ୍ରଣ ପାଇଁ ଯୁଗୋପଯୋଗୀ ବ୍ୟବସ୍ଥାମାନ କରିଅଛନ୍ତି । କିଶୋର ଚିତ୍ତରେ ଯେଉଁ ଗଣଭାବ ଜାତ ହୋଇଥାଏ, ତାହା ଚରିତାର୍ଥ କରିବା ପାଇଁ ସ୍କୁଲ କଲେଜରେ ଆଲୋଚନା ସଭାର ବ୍ୟବସ୍ଥା ହୋଇଅଛି । ବ୍ୟାୟାମ ପାଇଁ ଡ୍ରିଲ୍‌, ଫୁଟବଲ, କ୍ରିକେଟ ଆଦି ଏବଂ ସେବା ଓ ସହଚାର୍ଯ୍ୟ ପାଇଁ ସ୍କାଉଟ୍‌ ସଂଗଠନ ପ୍ରଚଳିତ ।

 

ଏହିସବୁ ବ୍ୟବସ୍ଥା ସତ୍ତ୍ୱେ ପ୍ରତ୍ୟେକ କିଶୋରକିଶୋରୀ ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ପ୍ରଗାଢ଼ ଯତ୍ନନେବା ଆବଶ୍ୟକ । ନିଜେ ନ ପଢ଼ିଲେ କାହାରିକୁ ପଣ୍ଡିତ କରିଦେବା କୌଣସି ଶିକ୍ଷକ ପକ୍ଷରେ ଯେପରି ଅସମ୍ଭବ, ନିଜର ଚେଷ୍ଟା ଓ ଅଭିନିବେଶ ବ୍ୟତୀତ ସ୍ୱୀୟ ସ୍ୱାସ୍ଥ୍ୟ ଓ ମନୁଷ୍ୟତା ଗଠନ କରିବା ଅନ୍ୟ କାହାରି ପକ୍ଷରେ ସେହିପରି ସମ୍ଭବପର ନୁହେଁ ।

Image

 

ମୋହେନ୍‌-ଜୋ-ଦାରୋ

 

ମାନବ ସଭ୍ୟତାର ଯେଉଁ ସବୁ ବିବରଣୀ ଇତିହାସର ପୃଷ୍ଠାରେ ଧାରାବାହିକରୂପେ ଲିଖିତ, ତାହା ବ୍ୟତୀତ ଅଲେଖା ହୋଇ ମଧ୍ୟ ଅସଂଖ୍ୟ ବିବରଣୀ ପ୍ରତିଦେଶର ଭୂମିତଳେ ପ୍ରୋତ୍‌ଥିତ ରହିଅଛି । ପ୍ରତି ଉନ୍ନତ ଦେଶର ପତ୍ନତତ୍ତ୍ୱ ବିଭାଗମାନ ପ୍ରତିଷ୍ଠିତ ହୋଇ ଭୂମି-ଖନନଦ୍ୱାରା ସମାଧିପ୍ରାପ୍ତ ପ୍ରାଚୀନ ସଭ୍ୟତାକୁ ଆଲୋକକୁ ଆଣୁଅଛି । ବହୁ ଅର୍ଥବ୍ୟୟ ଓ ଅଧ୍ୟବସାୟ ଫଳରେ ଏହି ଖନନ କାର୍ଯ୍ୟଦ୍ୱାରା ମାନବ ସଭ୍ୟତାର ନାନା ନୂତନ ତଥ୍ୟ ଓ ବିବରଣୀ ଆବିଷ୍କୃତ ହେଉଅଛି ଏବଂ ମନୁଷ୍ୟର ଜ୍ଞାନରାଜ୍ୟକୁ ବିସ୍ତୃତତର କରୁଅଛି ।

 

ଭାରତବର୍ଷରେ ସରକାରୀ ପତ୍ନତତ୍ତ୍ୱବିଭାଗ ପ୍ରତିଷ୍ଠିତ ହୋଇଅଛି ଏବଂ ଭାରତର ଦେଶୀୟ ରାଜ୍ୟମାନଙ୍କରେ; ଯଥା– ଗୋଆଲିଅରର ବାଘଗୁମ୍ଫା, ହାଇଦ୍ରାବାଦର ଅଜନ୍ତା ଗୃହା କିମ୍ୱା ମୟୂରଭଞ୍ଜର ଖିଚିଙ୍ଗଠାରେ ମଧ୍ୟ ଏହିପରି ଖନନକାର୍ଯ୍ୟ ଫଳରେ ବହୁ ତଥ୍ୟ ଆବିଷ୍କୃତ ହୋଇଅଛି-। ବିହାରର ରାଜଗୃହଠାରେ ଖନନକ୍ରିୟାଦ୍ୱାରା ପ୍ରାଚୀନ ନାଗରିକ ଜୀବନ, ଶିକ୍ଷା ବା ସଭ୍ୟତା ସମ୍ବନ୍ଧେ ନାନା ଆଲୋକ ମିଳିଅଛି । ଓଡ଼ିଶାର ଲଳତିଗିରି ବା ପୁଷ୍ପଗିରି ସମୀପରେ ମଧ୍ୟ ଅତୀତ ଯୁଗରେ ଏକ ନଗର ଅବସ୍ଥିତ ଥିବାର ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସ ଥିବାର ହୁଏନ୍‌ସାଂଙ୍କ ବିବରଣୀରୁ ଜଣାଯାଏ; କିନ୍ତୁ ଭାରତବର୍ଷର ଅନ୍ୟ ଅନେକ ପ୍ରାଚୀନ ସ୍ଥାନ ପରି ଧନ ବା ଅଧ୍ୟବସାୟ ଅଭାବରୁ ଏହା ଅନାବିଷ୍କୃତ ।

 

ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱବିଭାଗର ସର୍ବବୃହତ୍‌ ଆବିଷ୍କାର ସିନ୍ଧୁ ପ୍ରଦେଶର ମୋହେନ୍‌-ଜୋ-ଦାରେ ଓ ପଞ୍ଜାବର ହରପ୍‌ପା ନାମକ ଦୁଇଟି ସ୍ଥାନ । ଉକ୍ତ ଦୁଇଟି ସ୍ଥାନର ଖନନ ଫଳରେ ପୃଥିବୀ ପୃଷ୍ଠର ଏକ ପ୍ରାଚୀନତମ ସଭ୍ୟତା ଆବିଷ୍କାର ହୋଇ ସମଗ୍ର ମାନବ ଜାତିର ଅତୀତ ଇତିହାସରେ ଯୁଗାନ୍ତର ଆଣିଅଛି । ଏହି ଧ୍ୱଂସସ୍ତୂପ ମଧ୍ୟରୁ ଯେଉଁ ଅବଶେଷ ମିଳୁଅଛି, ତାହା ଭାରତୀୟ ସଭ୍ୟତାର ପ୍ରାଚୀନତ୍ୱ ସମ୍ୱନ୍ଧେ ପୂର୍ବତନ ଧାରଣାକୁ ଅମୂଳ ପରିବର୍ତ୍ତିତ କରିଅଛି । ୧୯୨୨ ଖ୍ରୀଷ୍ଟବ୍ଦ ପୂର୍ବେ, ଯେତେବେଳେ ଏହି ସକଳ ସ୍ତୂପର ଖନନକାର୍ଯ୍ୟ ଆରମ୍ଭ ହୋଇ ନ ଥିଲା, ସେତେବେଳେ ପ୍ରାଗ୍‌ବୈଦିକ ଯୁଗର ସଭ୍ୟତାର ନିଦର୍ଶନ ସ୍ୱରୂପ ତମ୍ୱା ଅଥବା ପଥରଦ୍ୱାରା ପ୍ରସ୍ତୁତ ଅସ୍ତ୍ର ବା ଗୃହୋପକରଣ ଭାରତର ନାନା ସ୍ଥାନରୁ ଆବିଷ୍କୃତ ହୋଇଥିଲା, କିନ୍ତୁ ଏହି ସବୁ ବିକ୍ଷିପ୍ତ ବସ୍ତୁକୁ ନେଇ ସେକାଳର ସଭ୍ୟତା ସମ୍ବନ୍ଧେ ଯଥେଷ୍ଟ ଜ୍ଞାନଲାଭ କରିବା ସମ୍ଭବ ନ ଥିଲା ।

 

ସେ ପର୍ଯ୍ୟନ୍ତ ପଣ୍ଡିତମାନେ ଋଗ୍‌ବେଦର ସମୟକୁ ହିଁ (ଅର୍ଥାତ୍‌ ଖ୍ରୀଷ୍ଟଜନ୍ମର ୧୫୦୦ ବର୍ଷ ପୂର୍ବେ) ଭାରତୀୟ ସଂସ୍କୃତିର ପ୍ରାଚୀନତମ କାଳରୂପେ ନିର୍ଣ୍ଣୟ କରିଥିଲେ; କିନ୍ତୁ ହରପ୍‌ପା ଓ ମୋହେନ-ଜୋ-ଦାରୋର ପତ୍ନସମ୍ପଦ ପ୍ରମାଣିତ କରିଅଛି ଯେ ତାହାର ଦୁଇଗୁଣ ବା ଖ୍ରୀଷ୍ଟପୂର୍ବ ତିନିହଜାର ବର୍ଷ ପୂର୍ବ ଭାରତ ବକ୍ଷରେ ଏକ ବିଶାଳ ସଭ୍ୟତା ବିରାଜିତ ଥିଲା । ଏହି ସଭ୍ୟତାର ଚିହ୍ନ ସିନ୍ଧୁନଦୀ ତୀରରୁ ଏବଂ ତାହାର ନିକଟବର୍ତ୍ତୀ ବହୁ ସ୍ଥାନରୁ ମିଳିଅଛି । ସେଥିପାଇଁ ତାହା ସିନ୍ଧୁ-ସଭ୍ୟତା ନାମରେ ପରିଚିତ ।

 

ଉକ୍ତ ଆବିଷ୍କାର-ଯଜ୍ଞର ପଟ୍ଟପୁରୋଧା ଥିଲେ ପରଲୋକଗତ ପଣ୍ଡିତ ରାଖାଲଦାସ ବନ୍ଦୋପାଧ୍ୟାୟ । ସେ ମହାଶୟ ଇଂରାଜୀରେ ଓଡ଼ିଶାର ଏକ ସୁବୃହତ୍‌ ଇତିହାସ ଲେଖି ଏହି ପ୍ରଦେଶରେ ସୁପରିଚିତ । ମୋହେନ୍‌-ଜୋ-ଦାରୋ ଏବଂ ହରପ୍‌ପାର ସ୍ତୂପ ଆବିଷ୍କାର ପାଇଁ ବନ୍ଦୋପାଧ୍ୟାୟ ମହାଶୟ ଯେଉଁ ଧୈର୍ଯ୍ୟ ଓ ଅଧ୍ୟବସାୟ ସହିତ ସ୍ଥାନେ ସ୍ଥାନେ ବୁଲି ପରୀକ୍ଷା କରିଥିଲେ, ତାହା ତାଙ୍କର ପାଣ୍ଡିତ୍ୟ ସଙ୍ଗେ ସଙ୍ଗେ ତାଙ୍କୁ ଜଣେ ବିଶିଷ୍ଟ ସାଧକରୂପେ ପ୍ରମାଣିତ କରିଅଛି । ପ୍ରତ୍ନତତ୍ତ୍ୱ-ଆବିଷ୍କାର-ଜଗତରେ ସେ ଯେଉଁ ଅକ୍ଷୟ କୀର୍ତ୍ତି ରଖିଯାଇଛନ୍ତି, ସେଥିପାଇଁ ସେ ସ୍ମରଣୀୟ ।

 

ନବାବିଷ୍କୃତ ସିନ୍ଧୁ-ସଭ୍ୟତାର କୌଣସି ବିବରଣ କିମ୍ବଦନ୍ତୀ କିମ୍ୱା ପ୍ରାଚୀନ ସାହିତ୍ୟରୁ ମିଳେ ନାହିଁ । ମୋହେନ୍‌-ଜୋ-ଦାରୋ ବା ହରପ୍‌ପାରୁ ଯେଉଁ ଲିପି ଆବିଷ୍କୃତ ହୋଇଅଛି, ତାହା ଏ ପର୍ଯ୍ୟନ୍ତ କେହି ପଢ଼ି ବୁଝିବାକୁ ସମର୍ଥ ହୋଇନାହିଁ । ତେବେ ଉକ୍ତ ସ୍ଥାନର ଲୋକମାନଙ୍କର ଉନ୍ନତ ଧରଣର ଗୃହନିର୍ମାଣ, ପଥଘାଟର ବିନ୍ୟାସ ଏବଂ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡ଼ିକର ପରିପାଟୀ ସେ ଯୁଗର ରହସ୍ୟକୁ ବହୁ ପରିମାଣରେ ଉଦ୍‌ଘାଟିତ କରିଅଛି ।

 

ସିନ୍ଧୁ ସଭ୍ୟତା ତାମ୍ର ଏବଂ ପ୍ରସ୍ତର ଯୁଗର ସଭ୍ୟତା । ଏଠାରେ ଲୌହର କୌଣସି ନିଦର୍ଶନ ନାହିଁ । ଋକ୍‌ବେଦରେ ମଧ୍ୟ ଲୁହାର ଉଲ୍ଲେଖ କୌଣସିଠାରେ ଦେଖାଯାଏ ନାହିଁ । ବୈଦିକ ସଭ୍ୟତା ସିନ୍ଧୁ ସଭ୍ୟତାର ପରବର୍ତ୍ତୀ ଏବଂ ଏକ ପୃଥକ୍‌ଜାତି ଦ୍ୱାରା ଏହା ସୃଷ୍ଟି । ତଥାପି ତାମ୍ର ପ୍ରସ୍ତର ଯୁଗରେ ହିଁ ଉଭୟ ସଭ୍ୟତାର ଜନ୍ମ । ପଣ୍ଡିତମାନଙ୍କ ମତରେ ସିନ୍ଧୁ ଓ ପଞ୍ଜାବ ପ୍ରଦେଶର ଆବିଷ୍କାର ଦ୍ୱାରା ଯେଉଁ ପ୍ରାଚୀନ ସଭ୍ୟତାର ନିଦର୍ଶନ ମିଳିଅଛି, ତାହା ପ୍ରାଚୀନତର ଏକ ଭିତ୍ତି ଉପରେ ଦଣ୍ଡାୟମାନ ।

 

ସିନ୍ଧୁ-ସଭ୍ୟତାର ନିଦର୍ଶନ ହରପ୍‌ପା ଏବଂ ମୋହେନ୍‌-ଜୋ-ଦାରୋ ମଧ୍ୟରୁ ଶେଷୋକ୍ତ ସ୍ଥାନଟି ଅଧିକ ବିଖ୍ୟାତ । ସିନ୍ଧି ଭାଷାରେ ‘ମୋହେନ୍‌-ଜୋ-ଦାରୋ’ ଶବ୍ଦର ଅର୍ଥ ‘ମୃତର ସ୍ତୂପ’ । ସିନ୍ଧି ପ୍ରଦେଶର ଲରକାନା ଜିଲ୍ଲା ୨୪୦ ଏକରବ୍ୟାପୀ ଏକ ଉଷର ଭୂମି ଉପରେ ମୋହେନ୍‌-ଜୋ-ଦାରୋ ନଗରର ବହୁ ଧ୍ୱଂସସ୍ତୂପ ଦଣ୍ଡାୟମାନ । ସମସ୍ତ ନଗରଟି ବଡ଼ ବଡ଼ ରାସ୍ତା ବା ରାଜପଥଦ୍ୱାରା ବିଭିନ୍ନ ବଜାର ବା ସାହିରୂପେ ବିଭକ୍ତ । ରାଜପଥରେ ବହୁ କୋଠରୀପୂର୍ଣ୍ଣ ବଡ଼ ବଡ଼ ଅଟ୍ଟାଳିକାର ନିଦର୍ଶନ ମିଳେ । ରାଜପଥରୁ ଅନେକ ଛୋଟ ଛୋଟ ଗଳିରାସ୍ତା ଯାଇଥିବାର ମଧ୍ୟ ଦେଖାଯାଏ । ଗୋଟିଏ ଗଳିରୁ ଅନ୍ୟ ଗଳିକୁ ବା ରାଜପଥକୁ ଯାତାୟାତ ହେଉଥିଲା । ରାଜପଥ ଉପରେ ଅଟ୍ଟାଳିକାଗୁଡ଼ିକର ସମ୍ମୁଖସ୍ଥ ତଳମହଲାରେ ଦୋକାନ ବଜାର ବସୁଥିଲା ଏବଂ ଭିତରେ ଗୃହସ୍ଥମାନେ ବାସ କରୁଥିଲେ ।

 

ମଧ୍ୟଯୁଗର ଗୃହଗୁଡ଼ିକର ଇଟା, ପଥର ବା କାଠ ଉପରେ ଯେପରି ନାନା ବିଚିତ୍ର କାରୁକାର୍ଯ୍ୟ ଦେଖାଯାଏ, ମୋହେନ୍‌-ଜୋ-ଦାରୋର ହର୍ମ୍ୟରେ ତାହା ନାହିଁ । ଉଭୟ କଞ୍ଚା ଓ ପୋଡ଼ା ଇଟାରେ ଗୃହଗୁଡ଼ିକ ନିର୍ମିତ । ଇଟାଗୁଡ଼ିକ ଲମ୍ୱା ଚୌଡ଼ାରେ ଠିକ୍‌ ବର୍ତ୍ତମାନ ଯୁଗର ଇଟା ପରି । ନଗରର ପରିକଳ୍ପନା ମଧ୍ୟ ଅବିକଳ ଆଧୁନିକ ଧରଣର । ଘରଗୁଡ଼ିକରେ ଦୁଆର, ଝରକା ଓ ଉପର ମହଲାକୁ ପାହାଚ ଥିଲା ଏବଂ ପ୍ରତି ଘରେ ଇଟା କୂଅ ଥିବାର ପ୍ରମାଣ ମିଳେ । ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ମଧ୍ୟ ରାଜପଥ ପାର୍ଶ୍ୱରେ ପକ୍‌କା କୂଅ ଥିଲା । ସହରର ଜଳନିଷ୍କାସନ ପାଇଁ ନାଳ ଓ ବର୍ତ୍ତମାନ ଛୋଟ ଛୋଟ ସହରରେ ପ୍ରଚଳିତ ପକ୍‌କା ପାଇଖାନା ପରି ପାଇଖାନା ମଧ୍ୟ ଦେଖାଯାଏ । ସବୁଠାରୁ ଆଶ୍ଚର୍ଯ୍ୟ ଜିନିଷ, ଗୋଟିଏ ସୁବୃହତ୍‌ ସାଧରଣ ସ୍ନାନାଗାର । ଏହା ଉତ୍ତର-ଦକ୍ଷିଣରେ ୧୮୦ ଫୁଟ ଦୀର୍ଘ ଓ ପୂର୍ବ-ପଶ୍ଚିମରେ ୧୦୮ ଫୁଟ ପ୍ରସ୍ଥ । ଚତୁର୍ଦ୍ଦିଗ ପ୍ରାଚୀର ଦ୍ୱାରା ପରିବେଷ୍ଟିତ । ଏହି ସ୍ନାନାଗାର ମଧ୍ୟଭାଗରେ ଗୋଟିଏ ପ୍ରାଙ୍ଗଣ ଏବଂ ଉକ୍ତ ପ୍ରାଙ୍ଗଣରେ ପ୍ରାୟ ୨୬ ହାତ ଲମ୍ୱା ଓ ୧୦ ହାତ ଚୌଡ଼ାର ଗୋଟିଏ ସନ୍ତରଣ କୁଣ୍ଡ ଦେଖାଯାଏ ।

 

ନିରାମିଷ-ଖାଦ୍ୟ ମଧ୍ୟରେ ଯବ, ଗହମ, ଖଜୁରୀକୋଳି ଓ ଗାଈ ଦୁଧ ପ୍ରଚଳିତ ଥିବାର ପ୍ରମାଣ ମିଳେ ଏବଂ ଆମିଷ ମଧ୍ୟରେ ମାଛ, ଶୁଖୁଆ, କଇଁଛ, ମେଣ୍ଢା, ଘୁଷୁରି ଓ କୁକୁଡ଼ା ମାଂସ ବ୍ୟବହୃତ ହେଉଥିଲା । ଗୃହପାଳିତ ଜୀବ ମଧ୍ୟରେ ଗୋରୁ, ମଇଁଷି, ମେଣ୍ଡା, ହାତୀ, ଓଟ, ଘୁଷୁରି ଛେଳି ବା କୁକୁଡ଼ା ପ୍ରଭୃତି ଥିବାର ଅନୁମାନ କରାଯାଏ । କୁକୁର ଏବଂ ଘୋଡ଼ାର କଙ୍କାଳ ମଧ୍ୟ ଏଠାରୁ ମିଳିଅଛି; କିନ୍ତୁ ଘୋଡ଼ା ସମ୍ବନ୍ଧେ ଆଉ କିଛି ବିଶେଷ ପ୍ରମାଣ ଦେଖାଯାଏ ନାହିଁ । ବନ୍ୟଜନ୍ତୁ ମଧ୍ୟରେ ହରିଣ, ବନ୍ୟଗୋରୁ, ଗଣ୍ଡାର, ବାଘ, ବାନର, ଭାଲୁ, ନେଉଳ, ମୂଷା ପ୍ରଭୃତିର ଆକୃତି ପୋଡ଼ା ମାଟି ବା ପଥରର ମୋହର ଉପରେ ଅଙ୍କିତ ଥିବାର ଦେଖାଯାଏ । ସୁନା, ରୂପା, ତମ୍ୱା, ଟିଣ, ସୀସା, ଏବଂ ପିତ୍ତଳ ଧାତୁଦ୍ରବ୍ୟଗୁଡ଼ିକ ପ୍ରଚଳିତ ଥିଲା । ସୁନାରେ ହାର ପ୍ରଭୃତି ଅଳଙ୍କାର ତିଆରି ହୋଇ ଧନୀଗୃହରେ ରୌପ୍ୟପାତ୍ରରେ ତାହା ସଞ୍ଚିତ ହେଉଥିଲା । ତମ୍ୱାଦ୍ୱାରା ବର୍ଚ୍ଛା, ଛୁରୀ, ଖଣ୍ଡା, କୁରାଢ଼ି, ବାସନ, ବଳା ବା ମୁଦି ପ୍ରଭୃତି ପ୍ରସ୍ତୁତ ହେଉଥିଲା ।

 

କିନ୍ତୁ ପଥରର ବ୍ୟବହାର ପ୍ରଚୁର ନ ଥିଲା । ପଥରର ଶିଳ, ଚକି, ନିକ୍ତି, ମୋହର, ଦେବମୂର୍ତ୍ତି, ମାଳି ଓ ଅନ୍ୟାନ୍ୟ ଅଳଙ୍କାର ବ୍ୟତୀତ ଗୃହନିର୍ମାଣରେ ତାହାର ବ୍ୟବହାର ପ୍ରାୟ ଦେଖିବାକୁ ମିଳେ ନାହିଁ ।

 

ମୋହେନ୍‌ଜୋ-ଦାରୋରେ ନାନାଜାତୀୟ ଲୋକ ବାସ କରୁଥିଲେ । ସେମାନଙ୍କର ଅସ୍ଥି, କଙ୍କାଳ ପ୍ରଭୃତି ଦ୍ୱାରା ଏହା ପ୍ରମାଣିତ ହୋଇଅଛି । ସୁତରାଂ ପୋଷାକ ପରିଚ୍ଛଦ ବିଭିନ୍ନ ଥିଲା-। ଦୁଇଟି ମୂର୍ତ୍ତିରୁ ଦେଖାଯାଏ ଯେ ପୁରୁଷମାନେ ବାମସ୍କନ୍ଧ ଉପରୁ ଦକ୍ଷିଣ କକ୍ଷସ୍ଥଳ ବେଷ୍ଟନ କରି ଉତ୍ତରୀୟ ବ୍ୟବହାର କରୁଥିଲେ । ପୋଡ଼ା ମାଟିରୁ ପୁରୁଷମୂର୍ତ୍ତିଗୁଡ଼ିକର କେବଳ ମସ୍ତକାଭରଣ ବ୍ୟତୀତ ଦେହର ଅବଶିଷ୍ଟ ଅଂଶ ପ୍ରାୟ ନଗ୍ନ ଦେଖାଯାଏ ଏବଂ ନାରୀମୂର୍ତ୍ତିଗୁଡ଼ିକର ନିଶ ଦାଢ଼ୀ ଓ ମୁଣ୍ଡରେ ଦୀର୍ଘ କେଶ ରଖୁଥିଲେ । ନର୍ତ୍ତକୀ ମୂର୍ତ୍ତିରୁ ମୁଣ୍ଡରେ ଖୋଷା ପକାଇବା ଏବଂ ବେଣୀ ବାନ୍ଧିବାର ପ୍ରମାଣ ମିଳେ । ଉଭୟ ସ୍ତ୍ରୀପୁରୁଷ ହିଁ ହାର, ମୁଣ୍ଡଫିତା, ବଳା ଓ ମୁଦି ବ୍ୟବହାର କରୁଥିଲେ । ସ୍ତ୍ରୀଲୋକମାନଙ୍କ ପାଇଁ ଶଙ୍ଖା, ଅଣ୍ଟାସୂତା, କାନଫୁଲ ଓ ଗୋଡ଼ର ମଲ ପ୍ରଭୃତି ସୁନା, ରୂପା, ପିତ୍ତଳ, ତମ୍ୱା, ହାତୀଦାନ୍ତ ବା ମୂଲ୍ୟବାନ୍‌ ପଥରଦ୍ୱାରା ନିର୍ମିତ ହୋଇଥିଲା । ପୋଡ଼ା ମାଟିପାତ୍ର ଗୁଡ଼ିକରେ ଗାଢ଼ ନାଲି ଉପରେ କଳା ରଙ୍ଗରେ ତ୍ରିଭୁଜ, ଚତୁର୍ଭୁଜ ଆଦି ଜ୍ୟାମିତିକ ଚିତ୍ର ଓ ବଳୟ, ପାନିଆ, ମତ୍ସ୍ୟ, ବୃକ୍ଷଲତା ଚିତ୍ରିତ ଥିବାର ଦେଖାଯାଏ । ସେଥିରୁହିଁ ଚିତ୍ରବିଦ୍ୟା ସେତେବେଳେ ସ୍ଥୂଳ ଓ ଅପରିପକ୍ୱ ଅବସ୍ଥାରେ ଥିବାର ପ୍ରମାଣିତ ହୁଏ । ଅକ୍ଷରଗୁଡ଼ାକ ମଧ୍ୟ ଲତା, ପତ୍ର, ତୀର, ମତ୍ସ୍ୟ ବା ନିକ୍ତି ପ୍ରଭୃତି କେତେଗୋଟି ସଙ୍କେତ ମଧ୍ୟରେ ଆବଦ୍ଧ; ତେଣୁ ଏହାକୁ ପାଠ କରିବା ଦୁଃସାଧ୍ୟ ।

 

ମୋହେନ୍‌-ଜୋ-ଦାରୋ ବାସୀମାନଙ୍କର ଧର୍ମ ସମ୍ୱନ୍ଧେ ଯେଉଁ ପ୍ରମାଣ ମିଳିଅଛି, ତାହା କେବଳ ପଥର ମୋହର ବା ତାମ୍ରଫଳକର ଖୋଦିତ ଛବି ଏବଂ ମାଟି, ପଥର ବା ଧାତୁନିର୍ମିତ ମୂର୍ତ୍ତି ବ୍ୟତୀତ ଆଉ କିଛି ନୁହେଁ । ଏଠାରୁ ଯେଉଁ ମାତୃକା ମୂର୍ତ୍ତି ମିଳିଅଛି, ସେହିପରି ମୂର୍ତ୍ତି ପାରସ୍ୟ, ଏଲାମ, ମେସୋପଟେମିଆ, ଏସିଆମାଇନର, ସିରିଆ, ପାଲେଷ୍ଟାଇନ, ବଲ୍‌କାନ ଏବଂ ଇଜିପ୍‌ଟ ପ୍ରଭୃତି ମଧ୍ୟ-ଏସିଆର ସ୍ଥାନମାନଙ୍କରୁ ବହୁ ପରିମାଣରେ ଆବିଷ୍କୃତ ହୋଇଅଛି ଏବଂ ସେ ସକଳ ସ୍ଥାନରେ ଏହି ମାତୃକା-ପୂଜା ପ୍ରଚଳିତ । ଏଥିରୁ ହିଁ କେହି କେହି ଅନୁମାନ କରନ୍ତି ଯେ, ଏକ ସମୟରେ ନାଇଲ ନଦୀକୂଳରୁ ସିନ୍ଧୁନଦୀ ପର୍ଯ୍ୟନ୍ତ ଗୋଟିଏ ସଭ୍ୟତା ଓ ସଂସ୍କୃତି ବିଦ୍ୟମାନ ଥିଲା । ଏହି ଦେବୀମୂର୍ତ୍ତି ପରବର୍ତ୍ତୀ କାଳରେ ଆଦ୍ୟା ପ୍ରକୃତି ବା ଶକ୍ତିରୂପେ ହିନ୍ଦୁ-ସମାଜରେ ପୂଜିତ ।

 

ମାତୃକା-ପୂଜା ସଙ୍ଗେ ସଙ୍ଗେ ଶିବପୂଜା ପ୍ରଚଳିତ ଥିବାର ଗୋଟିଏ ମୋହରର ଚିତ୍ରରୁ ପ୍ରମାଣିତ ହୋଇଅଛି । ଏଥିରେ ଯୋଗାସନରେ ଉପବିଷ୍ଟ ଏକ ତ୍ରିବକ୍ର ଦେବମୂର୍ତ୍ତିର ଚତୁଃପାର୍ଶ୍ୱରେ ବ୍ୟାଘ୍ର, ହସ୍ତୀ, ଗଣ୍ଡାର, ମହିଷ ଏବଂ ନିମ୍ନରେ ମୃଗ ଖୋଦିତ ହୋଇଅଛି । ତେଣୁ ଶିବଙ୍କୁ ଏଠାରେ କେବଳ ମହାଯୋଗୀରୂପରେ ନୁହେଁ, ପଶୁପତି ଭାବରେ ମଧ୍ୟ କଳ୍ପନା କରାଯାଇଅଛି । ଏହିରୂପ କେତେଗୋଟି ପ୍ରସ୍ତରମୂର୍ତ୍ତି ମଧ୍ୟ ମୋହେନ୍‌-ଜୋ-ଦାରୋରୁ ମିଳିଅଛି ଏବଂ ଶୈବ ଓ ଶାକ୍ତଧର୍ମକୁ ଭାରତର ପ୍ରାଚୀନତମ ଧର୍ମରୂପେ ପ୍ରମାଣିତ କରିଅଛି ।

 

ଫକୀରମୋହନଙ୍କ ଚରିତ୍ରଚିତ୍ରଣ

‘‘ସ୍ତ୍ରୀୟାଂ ଚରିତ୍ରଂ ପୁରୁଷସ୍ୟ ଭାଗ୍ୟମ୍‌

ଦେବାଃ ନ ଜାନାନ୍ତି କୁତଃ ମନୁଷ୍ୟାଃ ।’’

 

ସ୍ତ୍ରୀ ଚରିତ୍ର ଓ ପୁରୁଷ ଭାଗ୍ୟକୁ ଦେବତାମାନେ ସୁଦ୍ଧା ଜାଣନ୍ତି ନାହିଁ, ମନୁଷ୍ୟ ଅବା କି ଛାର ! ସେଇଥିପାଇଁ ବୋଧହୁଏ ସ୍ତ୍ରୀପୁରୁଷଙ୍କ ଚରିତ୍ର ଓ ଭାଗ୍ୟ ବିଶ୍ଳେଷଣ କରିବାପାଇଁ କବି, ଔପନ୍ୟାସିକ ଓ ନାଟ୍ୟକାରମାନଙ୍କର ପ୍ରବଳ ଉଦ୍ୟମ ଦେଖାଯାଏ । ରାମାୟଣ, ମହାଭାରତ ତଥା ଅନ୍ୟାନ୍ୟ କାବ୍ୟ, ପୁରାଣ ଓ ଇତିହାସର କେତେକ ଚରିତ୍ର ସେଇଥିପାଇଁ ଆଜି ଆମ ଆଗରେ ଜୀବନ୍ତ ଓ ଆଦର୍ଶ ।

 

ଯୁଗଧର୍ମ ଅନୁଯାୟୀ ସମାଜର ନୀତି ବା ଆଦର୍ଶର ମୂଲ୍ୟବୋଧ ବଦଳିଯାଏ । ଭକ୍ତି, ପ୍ରୀତି, ଦୟା, ଓ ସ୍ନେହ ଆଦି ମଣିଷର ମୌଳିକ ସଦ୍‌ଗୁଣଗୁଡ଼ିକ ସହିତ ଲୋଭ, କ୍ରୋଧ, ହିଂସା, ଘୃଣା, ଗର୍ବ ଓ ଅହଙ୍କାର ଆଦି ଦୁର୍ଗୁଣ ସବୁ ତାହାର ଚାରିତ୍ରିକ ଆଦିମ ବ୍ୟାଖ୍ୟା । ଏଇସବୁ ସୁଗୁଣ ବା ଦୁର୍ଗୁଣକୁ ମଣିଷ ଜୀବନରୁ ଅଲଗା କରିହେବ ନାହିଁ । ସେ ସବୁର ସମଷ୍ଟି ହିଁ ଜୀବନ । କିନ୍ତୁ ସେ ସବୁ ସୁଗୁଣ ବା ଦୁର୍ଗୁଣ ପଟ୍ଟଭୂମି ଉପରେ ବ୍ୟକ୍ତି ସଙ୍ଗେ ପରିବାର, ସମାଜ ଓ ରାଷ୍ଟ୍ରର ସମ୍ପର୍କ ବିଚାର କଲେ ଅତୀତ ସଙ୍ଗେ ବର୍ତ୍ତମାନର ଅନେକ ପ୍ରଭେଦ ଆଖିରେ ପଡ଼େ । ରାମାୟଣ ଓ ମହାଭାରତ ଯୁଗରେ ସତ୍ୟ, ସତୀତ୍ୱ, ପିତାପୁତ୍ର, ପତିପତ୍ନୀ, ନ୍ୟାୟାନ୍ୟାୟ, ଧର୍ମାଧର୍ମର ବିଚାର ଯାହା ଥିଲା, ଆଜି ଠିକ୍‌ ସେହିପରି ନାହିଁ । ସତ୍ୟରକ୍ଷା କରିବାକୁ କେହି ଆଜି ବନବାସୀ ହୁଏ ନାହିଁ, କିମ୍ବା ସତୀତ୍ୱ ପରୀକ୍ଷା ପାଇଁ ଅଗ୍ନିରେ ପଶେ ନାହିଁ ।

 

ତଥାପି ମନୁଷ୍ୟ ଭିତରେ ପାପପୂଣ୍ୟ, ଦେବତା ରାକ୍ଷସ ଓ ଆଲୁଅ ଅନ୍ଧାର ଆଜି ମଧ୍ୟ ନାନା ଭାବରେ ଦେଖାଦିଏ । ସେମାନଙ୍କ ତାରତମ୍ୟ ଫୁଟାଇ ଆଜିର ନାଟକ ଓ ଉପନ୍ୟାସ ଲେଖାଯାଏ । ପ୍ରତିଲୋକର ଚେହେରା ଭଳି ତାହାର ଚରିତ୍ର ମଧ୍ୟ ଅନ୍ୟ ଜଣଙ୍କଠାରୁ ଫରକ୍‌ । ଚିତ୍ରକରର ତୂଳୀ ପରି ନାଟ୍ୟକାର କିମ୍ବା ଔପନ୍ୟାସିକର ଲେଖନୀଦ୍ୱାରା ସେ ସବୁ ଚେହେରା ବା ଚରିତ୍ରର ବୈଚିତ୍ର୍ୟ ଫୁଟି ଉଠେ । ପୁଣି ପ୍ରତିଚରିତ୍ରଠାରୁ ଅପର ଚରିତ୍ରର ବୈଶିଷ୍ଟ୍ୟ ଦେଖାଇବା ହେଲା ନିପୁଣ ଶିଳ୍ପୀର ପରିଚୟ ।

 

ଇଂରାଜୀ ସାହିତ୍ୟରେ ରାଣୀ ଏଲିଜାବେଥ୍‌ଙ୍କ ସମୟରୁ ଭିକ୍ଟୋରିଆଙ୍କ ଯୁଗ ପର୍ଯ୍ୟନ୍ତ ନାଟ୍ୟକାର ଓ ଔପନ୍ୟାସିକମାନେ ଭାରତୀୟ ସାହିତ୍ୟର ପୌରାଣିକ ଯୁଗଭଳି ଆଦର୍ଶ ଚରିତ୍ରଚିତ୍ରଣ ଉପରେ ଅଧିକ ଦୃଷ୍ଟି ଦେଉଥିଲେ । ଫକୀରମୋହନ ମଧ୍ୟ ସେହି ରୀତି ଅନୁସରଣ କରି ଓଡ଼ିଆ ଉପନ୍ୟାସର ପ୍ରାଣପ୍ରତିଷ୍ଠା କରିଛନ୍ତି । ଆଜି କିନ୍ତୁ ବିଶ୍ୱସାହିତ୍ୟରେ ଚରିତ୍ରଚିତ୍ରଣ ଗୌଣ ସ୍ଥାନରେ ଆସି ପହଞ୍ଚିଲାଣି । ଆଦର୍ଶର ସ୍ଥାନକୁ ଅଧିକାର କରିଛି ବାସ୍ତବତା । ଆଦର୍ଶ-ଦେବତୁଲ୍ୟ କିମ୍ବା ଆଦର୍ଶ-ପିଶାଚ ଚରିତ୍ର କୌଣସି ଏକ ମନୁଷ୍ୟଠାରେ ଦେଖାଇବା ସତ୍ୟ ନୁହେଁ; ବରଂ ସତ୍ୟର ଅପଳାପ । କି ସ୍ତ୍ରୀ କି ପୁରୁଷ ପ୍ରତିମନୁଷ୍ୟ ଭିତରେ ଦେବତା ପିଶାଚର ପ୍ରଭାବ ପଡ଼ିଥାଏ; ପାରିପାର୍ଶ୍ୱିକ ଅବସ୍ଥା ଓ ଘଟଣାଚକ୍ରକୁ ଘେନି । ସେହି ଅବସ୍ଥା ଓ ଘଟଣାଚକ୍ରର ପ୍ରଭାବରେ ଭଲ ଚରିତ୍ର ମନ୍ଦ ହୋଇଯାଇପାରେ; ପୁଣି ତାହାର ଠିକ୍‌ ଓଲଟା ମଧ୍ୟ ଖୁବ୍‌ ସମ୍ଭବ । ତେଣୁ ଚରିତ୍ରର ଦୋଷାଦୋଷ ଅପେକ୍ଷା ଅବସ୍ଥା ଚକ୍ରର ଦୋଷାଦୋଷ ଉପରେ ଆଜିର ଲେଖକ ଅଧିକ ଧ୍ୟାନନିଷ୍ଠ । ଘଟଣାବଳୀର ଦ୍ରୁତ ପରିବର୍ତ୍ତନ ଭିତରେ ମନସ୍ତାତ୍ତ୍ୱିକ ସମୀକ୍ଷା ମଧ୍ୟ ଆଧୁନିକ ଉପନ୍ୟାସର ଆଉ ଗୋଟିଏ ଦିଗ । ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜ କିମ୍ବା ‘ଚମ୍ପା’ର ଚରିତ୍ର ଯେପରି କେବେହେଲେ ଭଲ ହୋଇ ନପାରେ, ସେଇପରି ମଙ୍ଗରାଜ ଗୃହିଣୀଙ୍କ ଚରିତ୍ରରେ କୌଣସି ପ୍ରକାର ଦୋଷାରୋପ କଳ୍ପନାତୀତ । ତେଣୁ ଏସବୁ ହେଲେ ଆଦର୍ଶ ଚରିତ୍ର ।

 

ସେହିପରି ଶାରୀଆ ଭଗିଆଙ୍କର ମୂର୍ଖତା ଓ ସହଜ ଅନ୍ଧବିଶ୍ୱାସ ଦୂରହେବା ଅସମ୍ଭବ । ସେ ଦୁହିଁଙ୍କର ଆଦରପାଳିତ ଗାଈଟି ଆଉ ଛମାଣ ଆଠଗୁଣ ଜମି ସୁଦ୍ଧା ମଙ୍ଗରାଜଙ୍କ ପାଇଁ ଅଭିପ୍ରେତ; ଯେଉଁ ମଙ୍ଗରାଜ ତାଙ୍କ ସହକର୍ମୀଙ୍କ ଜରିଆରେ ଠାକୁର ରୂପେ ଅବତରି ପାରନ୍ତି; ବ୍ରାହ୍ମଣ ଭୋଜନ, ଦାନପୂଣ୍ୟ ଅର୍ଜିବାକୁ ଯାଇ ନିଜ କୃପଣତାକୁ ଲୁଚାଇ ପାରନ୍ତି ନାହିଁ; ସତ୍ୟ ଓ ନ୍ୟାୟର ଛଳନା ଦେଖାଇ ଅସତ୍ୟ ଓ ଅନ୍ୟାୟକୁ ପୂରା ପ୍ରଶ୍ରୟ ଦିଅନ୍ତି; କିନ୍ତୁ ‘ଛମାଣ ଆଠଗୁଣ୍ଠ’ ବର୍ଣ୍ଣିତ ଚରିତ୍ରମାନଙ୍କର ଅନ୍ତିମ ଅବସ୍ଥା ବିଚାର କଲେ କଣ ବୁଝାଯାଏ ? ମୃତ୍ୟୁ ଯେପରି ସବୁ ଭଲମନ୍ଦ, ପାପାପୂଣ୍ୟ, ଧର୍ମାଧର୍ମକୁ ଅତି ବିକଳରୂପେ ଏକାକାର କରି ପକାଇଛି । ରାମଚନ୍ଦ୍ର ମଙ୍ଗରାଜ ଶାରୀଆକୁ ହତ୍ୟା କରିଥିବା ଅପରାଧରେ ଜେଲ ଯାଇଛନ୍ତି । ସେଠାରେ ଡକାୟତମାନଙ୍କଠାରୁ ପ୍ରହାର ଖାଇ ପୁଣି ପାଗଳ ଅବସ୍ଥାରେ ଭଗିଆଦ୍ୱାରା ଆହତ ହୋଇଛନ୍ତି । ଶେଷରେ ମୁକୁଳି ଘରକୁ ଫେରିଛନ୍ତି । ମୃତ୍ୟୁଶଯ୍ୟାରେ ନିଜର ସାଧ୍ୱୀ ପତିପରାୟଣା ସ୍ତ୍ରୀଙ୍କ ସ୍ମୃତି ଛଡ଼ା ତାଙ୍କର ଶାନ୍ତି ସାନ୍ତ୍ୱନା ଲାଗି ଆଉ କିଛି ନାହିଁ । ଚମ୍ପା ତାଙ୍କର ସର୍ବସ୍ୱ ଅପହରଣ କରି ନିହତ ହୋଇଛି, ଭଗିଆ ପାଗଳ ହୋଇ ମରିଛି, ଶାରୀଆ ମରିଛି ଅନାହାରରେ ।

 

‘ଛମାର ଆଠଗୁଣ୍ଠ’ର ନାରୀଚରିତ୍ର ଚମ୍ପା ସଙ୍ଗରେ ‘ମାମୁଁ’ ଉପନ୍ୟାସର ଚିତ୍ରକଳା ତୁଳନୀୟା । କିନ୍ତୁ ଚିତ୍ରକଳା ଯେପରି ନାଜର ନଟବର ଦାସଙ୍କୁ ନିଜର ରୂପ ଭିତରେ ହଳାହଳ ଖୁଆଇ ଶେଷ କରିଛି, ଚମ୍ପା ସେପରି କରିନାହିଁ ମଙ୍ଗରାଜଙ୍କୁ; ବରଂ ମଙ୍ଗରାଜଙ୍କ ଲୋଭଦୁର୍ନୀତିର ରୂପ ଘେନି ସେ ତାଙ୍କ ଧ୍ୱଂସର କାରଣ ହୋଇଛି । ମଙ୍ଗରାଜଙ୍କ ଭଳି ନଟବର ମଧ୍ୟ ନିଜ ଅର୍ଜିତ ପାପ ଓ ଅନ୍ୟାୟର ପ୍ରାୟଶ୍ଚିତ ରୂପେ ଜେଲ ଭୋଗିଛନ୍ତି ! ସେହି ସୁଯୋଗରେ ସ୍ୱରୂପ ପ୍ରକାଶ ପାଇଛି ଚିତ୍ରକଳାର । ନଟବରଙ୍କ ନିଜ ବିଧବା ଭଉଣୀ ଚାନ୍ଦମଣିର ସବୁ ଧନ ଚୋରକରି ଶେଷରେ ସେ ନିଜେ ମଧ୍ୟ ଗିରଫ ହୋଇଛି ଓ ଜେଲ ଭୋଗିଛି ।

 

ନାରୀ ଚରିତ୍ର ଓ ପୁରୁଷର ଭାଗ୍ୟ ଜାଣିବାକୁ ଯେ ଦେବତାମାନେ ମଧ୍ୟ ଅପାରଗ, ବାସ୍ତବିକ ଚିତ୍ରକଳା-ନଟବର ଏବଂ ମଙ୍ଗରାଜ-ଚମ୍ପାଙ୍କ ଉଦାହରଣରୁ ତାହାର କିଛି ସୂଚନା ମିଳେ । ଚିତ୍ରକଳା ଓ ଚମ୍ପାର ଉଦାହରଣରୁ ତାହାର କିଛି ସୂଚନା ମିଳେ । ଚିତ୍ରକଳା ଓ ଚମ୍ପାର ଚରିତ୍ର ବୁଝିବାକୁ ନଟବର କିମ୍ବା ମଙ୍ଗରାଜ ଯେପରି ଅକ୍ଷମ ହୋଇ ତାଙ୍କ କୂଟଚକ୍ରର ଶିକାର ହୋଇ ପଡ଼ିଛନ୍ତି, ସେହିପରି ସେ ଦୁଇଟି ପୁରୁଷଙ୍କ ଭାଗ୍ୟକୁ ଏହି ସ୍ତ୍ରୀ ଦୁହେଁ ମଧ୍ୟ ଗଢ଼ିଆଣିଛନ୍ତି । ତାଙ୍କ ଆର୍ଥିକ ଜୀବନର ଉତ୍‌ଥାନ ଯେମିତି ଏଇ ଦୁଇ ନାରୀଙ୍କ କୂଟ କୌଶଳ, ଦୁର୍ନୀତି ଓ ଦୁଶ୍ଚରିତ୍ର ବଳରେ ଘଟିଛି, ସେମିତି ଦୁଇ ପୁରୁଷଙ୍କ ଘୋର ପତନ ଲାଗି ମଧ୍ୟ ଏଇ ଦୁଇଜଣ ନାରୀ ଦାୟୀ । ଅବଶ୍ୟ ଗାଉଁଲି ସ୍ତ୍ରୀ ଚମ୍ପା ଓ ଗାଁ ମାମଲତକାର ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରର ତୀକ୍ଷ୍‌ଣତା ପୁଣି ନଗ୍ନତା ସହରୀ ନାଜର ନଟବର ଦାସ ଓ ସହରିଆଣୀ ଚିତ୍ରକଳାଠାରେ ଅନେକ ପରିମାଣରେ ମାର୍ଜିତ ମୁଲାୟମ ହୋଇପଡ଼ିଛି । ହେବାର କଥା । ଏଇଠି ଆଧୁନିକ ଶିକ୍ଷା ପାଇଥିବା ନଟବର ଓ ସହରି ଚାଲିଚଳନରେ ଅଭ୍ୟସ୍ତା ଚିତ୍ରକଳାର ଛାପଚିକଣ ଘୋଡ଼ଣୀ ତଳେ ଚମ୍ପା ଓ ମଙ୍ଗରାଜଙ୍କର ସେଇ ଗ୍ରାମ୍ୟ ଆଦିମ ପିଶାଚ ହିଁ ମୁଣ୍ଡ ଟେକିଛି ।

 

ଆଧୁନିକ ଧୋବଧାଉଲିଆ ଶିକ୍ଷା ସଙ୍ଗେ ସଭ୍ୟତାର ସଦର ମଫସଲ ତଫାତ୍‌ଟାକୁ ‘ମାମୁଁ’ ଓ ‘ଛମାଣ ଆଠଗୁଣ୍ଠ’ର ଚରିତ୍ରମାନଙ୍କ ଜରିଆରେ ଫକୀରମୋହନ ପଦାରେ ପକାଇ ଦେଇଛନ୍ତି । ଆଧୁନିକ ଶିକ୍ଷାର ଆଉ ଏକ ପରିଣାମ ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସର ନାୟକ ଗୋବିନ୍ଦଚନ୍ଦ୍ରଙ୍କ ଚରିତ୍ର । କଳ୍ପନାପ୍ରବଣ ଗୋବିନ୍ଦଚନ୍ଦ୍ର କଲେଜରେ ପଢ଼ିବା ବେଳେ ପ୍ରେମାଭିନୟ କରିବାକୁ ଗଲେ । ସେହି କାଳ୍ପନିକ ପ୍ରେମକୁ କେନ୍ଦ୍ରକରି ତାଙ୍କର ବଢ଼ି ଉଠିଲା ସମାଜ-ସଂସ୍କାର ସ୍ପୃହା । ରାଜୀବଲୋଚନଙ୍କ ଛଳନାର ଶିକାର ହୋଇ ଇନ୍ଦୁମତୀର କବିପ୍ରତିଭା ବିଷୟରେ ତାଙ୍କର ସନ୍ଦେହ ଜନ୍ମିଲା ନାହିଁ । ସୁନ୍ଦରୀ ଗୁଣବତୀ ଇନ୍ଦୁମତୀକୁ ପାଇବା ଲାଗି ସେ ନିଜର ବାପମା, ସମାଜ ଓ ପରିବାରକୁ ସୁଦ୍ଧା ତ୍ୟାଗକଲେ । ବିବାହ ସରିବା ପରେ ଦିନେ ରାତି ଅଧରେ ଲୁଚି ଛପି ଶଶୁର ଘରକୁ ଆସୁଥିବା ବେଳେ ଚୋର-ସନ୍ଦେହରେ ସେ ଯେଉଁ ପ୍ରହାର ପାଇଲେ ସେଥିରେ ତାଙ୍କର ପ୍ରେମ ଓ ସମାଜସଂସ୍କାର ସ୍ୱପ୍ନ ଭାଙ୍ଗିଗଲା ।

 

‘ଛମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜ ଜେଲରୁ ଖଲାସ ହୋଇ ମୃତ୍ୟୁଶଯ୍ୟାରେ ଅନୁତାପ କରିଛନ୍ତି; ସେଇ ଜେଲ ଗାରଦରେ ହିଁ ହୋଇଛି ‘ମାମୁଁ’ର ନଟବର ଦାସଙ୍କ ଅନୁଶୋଚନ; ଆଉ କଟକ ଡାକ୍ତରଖାନାରେ ନିଜକୃତ ଅନ୍ୟାୟର ପ୍ରାୟଶ୍ଚିତ କରିଛନ୍ତି ଗୋବିନ୍ଦଚନ୍ଦ୍ର । ଏହି ତିନିଗୋଟି ଉପନ୍ୟାସର ପ୍ରଧାନ ନାୟକମାନଙ୍କର ଶିକ୍ଷାଦୀକ୍ଷା ପରିବେଶ ମଧ୍ୟରେ ସେତେବେଳର ସାମାଜିକ ଜୀବନ ଚିତ୍ର ପ୍ରତ୍ୟକ୍ଷରୂପେ ପାଠକ ସମକ୍ଷରେ ଫୁଟିଉଠେ । ତାହା ଯେପରି, ବାସ୍ତବ, ସେହିପରି ମାନବୀୟ ଆଦର୍ଶରେ ପରିପୂର୍ଣ୍ଣ ।

 

ଫକୀରମୋହନଙ୍କ ଚତୁର୍ଥ ଉପନ୍ୟାସ ‘ଲଛମା’ । ‘ଲଛମା’ ଅନ୍ୟ ତିନିଟି ଉପନ୍ୟାସ ଭଳି ସାମାଜିକ ନୁହେଁ, ଐତିହାସିକ । ମୁସଲମାନ ଓ ମରହଟ୍ଟାମାନଙ୍କର ପରସ୍ପର ବିବଦମାନ କ୍ଷୟଷ୍ଣୁ ଶାସନର ଚିତ୍ର ଏଥିରେ ପ୍ରତିଫଳିତ । ପୁଣି ହିନ୍ଦୁମୁସଲମାନ ମଧ୍ୟରେ ଯେଉଁ ଉଗ୍ର ସାମ୍ପ୍ରଦାୟିକତା ଭାରତକୁ ଦୁର୍ବଳରୁ ଦୁର୍ବଳତର କରି ପକାଇଥିଲା ଏବଂ ଯାହାର ସୁଯୋଗ ନେଇ ଇଂରେଜ ଶାସନ ଏ ଦେଶରେ ପ୍ରତିଷ୍ଠିତ ହେଲା, ସେହି ଐତିହାସିକ ସନ୍ଧିକ୍ଷଣ ଉପନ୍ୟାସର ଭୂମିକା-

 

ବାଲେଶ୍ୱର ଜିଲ୍ଲା ରାୟବଣିଆ ଦୁର୍ଗର ଅଧିପତି ସାମନ୍ତରାୟ ରାଘବ-ରାଟସିଂହ-ଜଗଦ୍ଦେବ-ବୈରୀଗଞ୍ଜନ-ମାନ୍ଧାତା ନିଃସନ୍ତାନ । ଦଳେ ପଶ୍ଚିମା ଜଗନ୍ନାଥ ଯାତ୍ରୀଙ୍କ ଉପରେ ବର୍ଗୀମାନଙ୍କ ଆକ୍ରମଣ ହୁଏ । ଯାତ୍ରୀଙ୍କ ଭିତରୁ ଲଛମା ଓ ତାହାର ସ୍ୱାମୀ ବାଦଲ ସିଂ ପରସ୍ପରଠାରୁ ଅଲଗା ହୋଇଯାନ୍ତି । ଲଛମାକୁ ଆଶ୍ରୟ ମିଳେ ରାୟବଣିଆ ଦୁର୍ଗରେ । ବାଦଲ ସିଂ ଆଶ୍ରୟ ପାଏ ନବାବ ଆଲିବର୍ଦ୍ଦି ଖାଁଙ୍କ ଶିବିରରେ । ମରହଟ୍ଟା-ମୁସଲମାନ ମଧ୍ୟରେ ପ୍ରଥମେ ହଳଦୀପଦା ଓ ପରେ ଫୁଲ୍‌ଓଆର ଠାରେ ଯେଉଁ ଯୁଦ୍ଧ ହୁଏ, ତହିଁରେ ରାୟବଣିଆର ପାଇକମାନେ ମୁସଲମାନ ପକ୍ଷରେ ଲଢ଼ି ବର୍ଗୀମାନଙ୍କୁ ହଟାଇ ଦିଅନ୍ତି ।

 

ମରହଟ୍ଟାମାନଙ୍କ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଲଛମା ପୁରୁଷ ବେଶରେ ସଜ୍ଜିତା ହୁଏ । ବାଦଲ ସିଂ ମଧ୍ୟ ତାହାର ପିତୃହନ୍ତା ବର୍ଗୀମାନଙ୍କ ଉପରେ ପ୍ରତିଶୋଧ ନେବାଲାଗି ସୁଯୋଗ ଖୋଜୁଥିଲେ । ଶେଷରେ ବାଦଲ ସିଂ ଓ ପୁରୁଷବେଶଧାରିଣୀ ଲଛମା ଦୁହେଁ ଦୁହିଁଙ୍କ ଅଜଣାରେ ମରହଟ୍ଟା ସେନାପତି ଭାସ୍କର ପଣ୍ଡିତଙ୍କୁ ଆକ୍ରମଣକରି ହତ୍ୟାକଲେ । ପୁରସ୍କାରସ୍ୱରୂପ ଆଲିବର୍ଦ୍ଦିଖାଁ ସେ ଦୁହିଙ୍କୁ ରାୟବଣିଆ ଦୁର୍ଗର ଅଧିପତି କରିଦେଲେ । ବୀରତ୍ୱ, ସାହାସ ଏବଂ ଯୁଦ୍ଧବର୍ଣ୍ଣନାର ଚମତ୍କାରିତାରେ ଶାରଳା ଦାସ ଓ ବଜ୍ରନାଥ ବଡ଼ଜେନାଙ୍କ ପରମ୍ପରା ରକ୍ଷା କରିଛନ୍ତି ଫକୀରମୋହନ ‘ଲଛମା’ ଉପନ୍ୟାସରେ ।

 

ନାଟକ କିମ୍ବା ଉପନ୍ୟାସର ପ୍ରଧାନ ନାୟକନାୟିକାମାନଙ୍କ ଚରିତ୍ରର ବୈଶିଷ୍ଟ୍ୟ ବିକଶିତ ହୋଇଥାଏ, ଗୌଣ ଚରିତ୍ରଗୁଡ଼ିକ ସାହାଯ୍ୟରେ । ଫକୀରମୋହନଙ୍କ ଚରିତ୍ରଚିତ୍ରଣର କୌଶଳ ଏହି ଗୌଣ ଚରିତ୍ରମାନଙ୍କ ବିଶ୍ଲେଷଣଦ୍ୱାରା ବୁଝାପଡ଼େ । ‘ମାମୁଁ’ ଉପନ୍ୟାସରେ ନଟବର ଓ ଚିତ୍ରକଳାକୁ ଛାଡ଼ି ସରସ୍ୱତୀ ଦେଈ, ଚାନ୍ଦମଣି, ବିଶାଖା, ଗେହ୍ଲେଇ, ଛାମୁକରଣ ଘର ବଡ଼ବୋହୂ, ମକ୍ରା ମା, ଚମ୍ପୀଅପା, ଶାରୀଆ ଚେମି ନଣନ୍ଦ, କଉଶୁଲୀ, ପାରୀ, ନାକଫୋଡ଼ିଆ ମା, ସାଧୁ ସାହୁ, ସାହୁଆଣୀ, ଶ୍ୟାମ ସାମଲ ଓ ହରିବୋଲ ବାରିକର ନାମକରଣ ଦ୍ୱାରା ହିଁ ଆମେ ଏକ ନିପଟ ଓଡ଼ିଆ ପରିବେଶରେ ଥିଲାପରି ଅନୁଭବ କରୁଁ । ସେହିପରି ‘ଛମାଣ ଆଠଗୁଣ୍ଠ’ରେ ମଙ୍ଗରାଜ, ଚମ୍ପା ଓ ଶାରୀଆଙ୍କ ଛଡ଼ା ଗୋବରା ଚୌକିଦାର, ଦିଲ୍‌ଦାର ମିଆଁ ଜମିଦାର, ଯଶୋଦା, ମାରକଣ୍ଡିଆ ମା, ମୁକୁନ୍ଦା, ଗୋବିନ୍ଦା ଓ ‘ପ୍ରାୟଶ୍ଚିତ’ରେ ଗୋବିନ୍ଦଚନ୍ଦ୍ର, ଇନ୍ଦୁମତୀ, ରାଜୀବଲୋଚନ, ବୈଷ୍ଣବଚରଣ, ସଇତା, ସଦାନନ୍ଦ, କମଳଲୋଚନ ପୁଣି ‘ଲଛମା’ରେ ମଧୁମଲ୍ଲ, କାନ୍ଥିଗାଁର ଜଗା ଫତେସିଂହ ମା ବୁଢ଼ୀର ଚରିତ୍ର ଅନ୍ୟାନ୍ୟ ଚରିତ୍ରଗୁଡ଼ିକ ପରି ଅପରିହାର୍ଯ୍ୟ ହୋଇପଡ଼ିଛନ୍ତି । ଏହି ଗୌଣ ଚରିତ୍ରମାନଙ୍କର ସ୍ୱାତନ୍ତ୍ର୍ୟ କେବଳ ନାମରେ ନୁହେଁ, ଗୁଣରେ ମଧ୍ୟ ପରିଷ୍ଫୁଟ ।

 

କ୍ଷୁଦ୍ର ଗଳ୍ପଗୁଡ଼ିକ ମଧ୍ୟ ଗୋଟିଏ ଗୋଟିଏ ବାସ୍ତବ ଚରିତ୍ରର ବିକାଶକୁ ଘେନି ଗୁନ୍ଥା ଯାଇଛି । ‘ରେବତୀ’, ‘ଲଛମନିଆ’, ‘ରାଣ୍ଡୀପୁଅ ଅନନ୍ତା’, ‘ପେଟେଣ୍ଟ ମେଡ଼ିସିନ୍‌’, ‘ମୌନାମୌନି’, ‘ପୁନମୂଷିକୋଭବ’, ‘କମଳାପ୍ରସାଦ ଗୋରାପ’ ମଧ୍ୟରେ ଯେତେ ହସକାନ୍ଦର ରୂପ ସେ ଆଙ୍କି ଯାଇଛନ୍ତି, ତହିଁରେ ଅବଶ୍ୟ କେଉଁଠି କେଉଁଠି ଅତିରଞ୍ଜନ ଓ ସାମଞ୍ଜସ୍ୟହୀନତାର ପରିଚୟ ମିଳିଥାଏ । କିନ୍ତୁ ଚରିତ୍ର ବର୍ଣ୍ଣନା ମଧ୍ୟରେ ଯେଉଁ ସବୁ ବ୍ୟଙ୍ଗ ବିଦ୍ରୂପ ହାସ୍ୟରସ ସୃଷ୍ଟିର ସଙ୍କେତ ବିଦ୍ୟମାନ, ତାହା ଫକୀରମୋହନଙ୍କର ଅନନୁକରଣୀୟ ବିଶେଷ ଶୈଳୀ । ଯଥାର୍ଥରେ ଓଡ଼ିଆ ସାହିତ୍ୟରେ ବାସ୍ତବବାଦୀ ଚରିତ୍ରଚିତ୍ରଣର ଆଧୁନିକ ମୂଳଦୁଆ ପକାଇଛନ୍ତି ଫକୀରମୋହନ ।

 

ସମୁଦାୟ ଗ୍ରହଉପଗ୍ରହ ସୂର୍ଯ୍ୟ ଚାରିପାଖେ ପରିକ୍ରମା କଲାଭଳି ଫକୀରମୋହନଙ୍କ ଚରିତ୍ରରାଜିର କେନ୍ଦ୍ରସ୍ଥଳ ଗୋଟିଏ । ତାହା ହେଉଛି ଆଲୋକ ଓ ଆନନ୍ଦ; ଆଦର୍ଶ ସମାଜ ଓ ଅମୃତ ଜୀବନ ହିଁ ସେମାନଙ୍କର ଲକ୍ଷ୍ୟସ୍ଥଳ ।

Image

 

ଦକ୍ଷିଣାୟନ

 

ଉତ୍ତରରେ ଦେବତାତ୍ମା ନଗାଧିରାଜ ହିମାଳୟ–ଯେଉଁଠାରେ କୁମାରଙ୍କର ସମ୍ଭବ ହେଲା, ଉତ୍ପତ୍ତି ହେଲା ଆର୍ଯ୍ୟ ସଭ୍ୟତାର କୌମାର୍ଯ୍ୟ; ନୈମିଷାରଣ୍ୟର ଛାୟାଚ୍ଛନ୍ନ ଶୀତଳତା ମଧ୍ୟରେ ଉଦ୍ଭାସି ଉଠିଲା ମାନବ ପ୍ରତିଭାର ଅନିର୍ବାଣ ଔଜ୍ଜ୍ୱଲ୍ୟ । ଆଉ ଦକ୍ଷିଣରେ ସମ୍ଭତା କନ୍ୟାକୁମାରୀ । ଦୁଇ ଦିଗରେ ଦୁଇ ସୀମାରେଖା ଟାଣି ଆମେ କେବଳ ଉତ୍ତର ଦକ୍ଷିଣ ଦିଗ ନିର୍ଣ୍ଣୟ କରୁଁ । ନ ହେଲେ ଉଭୟେ ଏକ । ଏକ ସୂର୍ଯ୍ୟ ହିଁ ଦକ୍ଷିଣାୟନ ଓ ଉତ୍ତରାୟଣ କରେ, ପୂର୍ବ ପଶ୍ଚିମରେ ତା’ର ଉଦୟ ଅସ୍ତ ହୁଏ । ଅଥଚ ବାସ୍ତବରେ ସୂର୍ଯ୍ୟର ଉଦୟ ଅସ୍ତ, ଉତ୍ତର ଦକ୍ଷିଣ କିଛି ନାହିଁ । ସେ ସ୍ଥିର, ସ୍ଥାଣୁ, ଅଚଞ୍ଚଳ, ସନାତନ । ଗତି କେବଳ ଆମର, ଆମର ଏଇ ଧରିତ୍ରୀ ମାତାର-। ତାହାରି ନିୟମ ମାନି ଆମେ ଗତି କରୁଁ, ତାହାକୁ ହିଁ ଖଣ୍ଡ ବିଖଣ୍ଡ କରି ଆମେ ଉତ୍ତର ଦକ୍ଷିଣ, ପ୍ରାଚ୍ୟ ପାଶ୍ଚାତ୍ୟ, ଦେଶ ବିଦେଶରେ ନାମିତ କରୁଁ, ସୃଷ୍ଟି କରୁଁ ଅସଂଖ୍ୟ ଭେଦ ବିଭେଦ ଆର୍ଯ୍ୟ, ଦ୍ରାବିଡ଼, ଧବଳ, କୃଷ୍ଣ, ହରିତ, ଲୋହିତ ବର୍ଣ୍ଣବିଦ୍ୱେଷ ।

 

ପୃଥିବୀର ଏହି ଅବିଶ୍ରାନ୍ତ ଘୂର୍ଣ୍ଣାୟମାନ ଗତି ହିଁ ସୃଷ୍ଟିକଲା ଦିବାରାତ୍ର, ଆଲୋକ ଅନ୍ଧକାର, ବର୍ଷା ବସନ୍ତ, ଶୀତ ଉଷ୍ଣ, ସୁଖ ଦୁଃଖ, ପଣ୍ଡିତ ମୂର୍ଖ, ସବଳ ଦୁର୍ବଳ । ପୃଥିବୀ ସହିତ ଗତିକରେ ଜୀବ, ଉଦ୍ଭିଦ, ମନୁଷ୍ୟ । ଇଚ୍ଛା ନ କଲେ ମଧ୍ୟ ସେ ଏହି ଗତିର ଦାସ । ନ ହେଲେ ତାହାକୁ ପୃଥିବୀ ଉପରୁ ଅଲଗା ରହିଯିବାକୁ ହେବ । ବେଗବାନ୍‌ ହେଲେ ଏଇ ଗତି ହିଁ ହୁଏ ପ୍ରଗତି–ପ୍ରୋଗ୍ରେସ୍‌ । ବେଗ ହିଁ ପ୍ରଗତିର ଲକ୍ଷଣ–ଆଉ ସେ ପ୍ରଗତିର ଚରମ ଚିହ୍ନ ହେଲା ପୃଥିବୀର ଗତି ସଙ୍ଗେ ସମାନ ହେବା–ରେଲ, ଜାହାଜ, ମଟର, ବ୍ୟୋମଯାନ, ସ୍ପୁଟ୍‌ନିକ, ମିସିଲସ୍‌ ଦ୍ୱାରା ପୃଥିବୀରେ ବେଗ ସଙ୍ଗେ ମଣିଷର ବେଗକୁ ସମାନ କରିବାକୁ ହେବ । ସେଥିପାଇଁ ଚାଲିଛି ଗତିର ଦୌଡ଼–କ୍ଷିପ୍ରତର ହୋଇ ପଡ଼ୁଚି ଘଡ଼ିକି ଘଡ଼ି ମଣିଷର ରେସ୍‌-ଗତିର ଏଇ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଯାହାର ବେଗ ଯେତେ ବେଶି, ଯେତିକି ଯେ ଆଗେଇଲା ସେତିକି ସେ ପ୍ରଗତିଶୀଳ, ଉନ୍ନତ, ସୁସଭ୍ୟ । ଆଉ ସେ ଆଗେଇଯିବା ଭିତରେ ଯେତିକି ସେ ରାତିକୁ ଦିନ, ଅନ୍ଧାରକୁ ଆଲୁଅ କରି ପାରିଲା, ସେତିକି ସେ ଯୋଗ୍ୟତର ।

 

ସେ ରାତିରେ କଟକ ଷ୍ଟେସନରୁ ମାନ୍ଦ୍ରାଜ ମେଲ ଧରିବା ବେଳେ ଏ ସବୁ କଥା ମୁଁ ଭାବୁ ନ ଥିଲି । ଭାବିବାକୁ ସମୟ ଅବା କାହିଁ ? ବଳଦଟଣା କିମ୍ବା ମଣିଷଟଣା ଗାଡ଼ିର ରାଜ୍ୟରେ ରେଳମଟର ହିଁ ଆମର ପ୍ରଧାନ ପ୍ରଗତି । ତେବେ ସେଇ ପ୍ରଧାନ ପ୍ରଗତି ଲାଗି ମଧ୍ୟ କମ୍‌ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ।

 

ସ୍ୱାଧୀନତା ପରେ ରେଲ ଗାଡ଼ିର ଚାରିଟି ଶ୍ରେଣୀ ଭିତରୁ ଗୋଟିଏ ଶ୍ରେଣୀକୁ ଉଠାଇ ଦେଇ ସବା ଉପରେ ଶୀତତାପ ନିୟନ୍ତ୍ରଣ ଶ୍ରେଣୀ ରଖାଯାଇଛି । ଶ୍ରେଣୀହୀନ ହେବାକୁ ଅନେକ ବାକୀ; ଶୈଶବ, ଯୌବନ, ଜରା, ମରଣ; ତୁ, ତୁମେ, ଆପଣ, ଆଜ୍ଞା, ଅବଧାନ ଏସବୁ ଦୂର ନ ହେବା ପର୍ଯ୍ୟନ୍ତ । ତଳ ଶ୍ରେଣୀରେ ବସିବାକୁ ଥାନ, ଉପର ଶ୍ରେଣୀରେ ଶୋଇବାକୁ ଥାନ । ଦୁନିଆ ଭିତରେ ଏଡ଼େ ସହଜରେ କଣ ଥାନ ମିଳେ ? ମାନ୍ଦ୍ରାଜ ମେଲ କଲିକତାରୁ ଉପରଓଳି ଛାଡ଼ି ରାତି ଅଧକୁ ପହଞ୍ଚେ କଟକ ଷ୍ଟେସନ । ଉପର ଶ୍ରେଣୀରେ ଦଶ ଦିନ ଆଗରୁ ରିଜର୍ଭେସନ୍‌ କରିବାକୁ ହେବ । ତେବେ ସୁଦ୍ଧା ସ୍ଥିରତା ନାହିଁ । ରେଲଗାଡ଼ିର ପ୍ରକୃତି ଯେ ହେଲା ଅସ୍ଥିର ! କଟକ-ଓଆଲ୍‌ଟେୟାର କୋଚ୍‌ରେ ଆଗ ସ୍ଥାନଟିଏ ଅଧିକାର କରିନେବା ନିରାପଦ । ପରଦିନ ପଛେ ଓଆଲଟେୟାର ଠାରେ ଡବା ବଦଳ କରାଯିବ । ରିଜର୍ଭେସନ କ୍ଲାର୍କଙ୍କର ଏହି ସହାନଭୂତିସୂଚକ ପରାମର୍ଶ ଗ୍ରହଣ କଲି ।

 

ଖ୍ରୀଷ୍ଟଜନ୍ମର ୧୯୫୭ ସାଲ ସେପ୍ଟେମ୍ବର ମାସ ୨୯ ତାରିଖରେ ମାନ୍ଦ୍ରାଜ ମେଲ ଦୂରରୁ ଆଲୋକ ରଶ୍ମି ଛୁଟାଇ କଟକ ଷ୍ଟେସନରେ ଆସି ଅଟକିଲା । ହଠାତ୍‌ ଖବର ମିଳିଲା ରିଜର୍ଭେସନ ଅଛି । ଗାଡ଼ି ଛାଡ଼ିବାକୁ ଅଳ୍ପ ବାକୀ । ଓଆଲଟେୟାର୍‌ କୋଚ୍‌ରୁ ବିଛଣାପତ୍ର ଗୁଡ଼ାଇ ଯିବାପାଇଁ କମ୍‌ସେ କମ୍‌ ଅଧମାଇଲ । ଗାଡ଼ି ଛାଡ଼ିବାର ଷ୍ଟେସନ ଘଣ୍ଟା ଟିଂଟିଂ କଲାଣି । ଗାର୍ଡ଼ ହାତରେ ନେଳି ଲଣ୍ଠନ ଓ ମୁହଁରେ ହୁଇସିଲ ଗୁଞ୍ଜି ଦଣ୍ଡାୟମାନ । ବିଛଣାପତ୍ର ଗୁଡ଼ାଇ ଦେ ଦୌଡ଼ ଗାଡ଼ିଟାର ଗୋଟାଏ ସୀମାରୁ ଅନ୍ୟ ସୀମାକୁ । ତା’ପରେ ଦୀର୍ଘନିଶ୍ୱାସ, ଗାଡ଼ି ଇଞ୍ଜିନ୍‌ ସହିତ ରେଲଯାତ୍ରୀର ଏଥର ନିରାଲମ୍ବ ହୋଇ ଶୋଇଯିବାକୁ ହେବ । ପରଦିନ ଓଆଲ୍‌ଟେୟାର୍‌ଠାରେ ଏହି ପର୍ବଟାର ଯେଉଁ ଅଭିନୟ କରିବାକୁ ପଡ଼ିଥାନ୍ତା, କଟକ ଷ୍ଟେସନରୁ ତଦୁପରି ଆପାତତଃ ଯବନିକା ପାତହେଲା ।

 

ଶୋଇବା ଭିତରେ ପାର ହୋଇ ଆସିଲି ଓଡ଼ିଶାର ବିଲ-ପର୍ବତ-ନଦୀ-ଗ୍ରାମର ସୁପରିଚିତ ଦୃଶ୍ୟାବଳୀ । ବିଶେଷକରି ‘‘ମରାଳମାଳିନୀ ନୀଳାମ୍ବୁଚିଲିକା’’ର ପ୍ରଶାନ୍ତ କୋମଳ ଦିଗହରା ଛବି । ଆଖି ଫିଟିଲା ସୂର୍ଯ୍ୟର ଆଘାତରେ । ରେଲଗାଡ଼ିର ଦୁଇ ପାଖରେ ମହାବେଗରେ ପଛକୁ ଛୁଟିଛି ପ୍ରତିକ୍ରିୟାଶୀଳ ତାରଖମ୍ବ ସମେତ ଗୋଟିକ ପରେ ଗୋଟିଏ ଲେଖାଁ ସାନ ସାନ ରେଳ ଷ୍ଟେସନ; ପୁଣି ତାଳ, ଖଜୁରି, ଆମ୍ବ ଓ ପଣସ ଗଛ ସହିତ ଗୋଟିଏ ପରେ ଗୋଟିଏ ଗ୍ରାମ କିମ୍ବା ସହର । ଅଥଚ ଯାତ୍ରୀ ସମେତ ରେଳ ଡବାଟି ଯେପରି ସ୍ଥିର ନିଶ୍ଚଳ ! ପ୍ରଗତିଶୀଳ ଠିକ୍‌ ଆମର ଏଇ ପୃଥିବୀ ଭଳି ।

 

କାଳିଦାସଙ୍କର ‘ତମାଳତାଳବନରାଜିନୀଳା’ ବର୍ଣ୍ଣନାଟିକୁ ଚାରିପାଖର ଦୃଶ୍ୟ ମନେ ପକାଇଦିଏ । ବାସ୍ତବିକ୍‌ ଏପରି ଗହନ ନିଘଞ୍ଚ ତାଳବନ ଭାରତର ଅନ୍ୟତ୍ର ବିରଳ । ରେଳ ଷ୍ଟେସନରେ ତାଳସଶ, ତାଳପତ୍ରପଙ୍ଖା, ତାଳପତ୍ରରେ ଛାଉଣି ଘର । ଅଳ୍ପ କେତେକ ଘଣ୍ଟା ଭିତରେ ଓଡ଼ିଶା ଛାଡ଼ି ମୁଁ ଯେ ଆନ୍ଧ୍ର ରାଜ୍ୟରେ ହେଲିଣି, ଏହା ବେଶ୍‌ ବୁଝିହୁଏ । ପୁରୁଷମାନଙ୍କ କଳା ମଚମଚ ଚମଡ଼ା ଉପରେ ନିର୍ମଳ ଧୋବ ଫରଫର ପରିଧାନ । ରମଣୀମାନଙ୍କର ଅବଗୁଣ୍ଠନଶୂନ୍ୟ କେଶ ପ୍ରସାଧନର ଅପୂର୍ବ ଭଙ୍ଗି । ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଦାକ୍ଷିଣାତ୍ୟ-ପରାକାଷ୍ଠାର ଯେଊଁ ଅବିମିଶ୍ର ମୌଳିକ ପରିଚୟ ମିଳେ, ଉତ୍ତର ଭାରତରେ ତାହା ବିରଳ । ଅବିବାହିତା କିମ୍ବା ବିବାହିତା କନ୍ୟାମାନେ ମୁଣ୍ଡରେ ଲୁଗା ଦିଅନ୍ତି ନାହିଁ । ସେ ପ୍ରଥା କେବଳ ମୁଣ୍ଡିତକେଶା ବିଧବାମାନଙ୍କ ପକ୍ଷରେ ପ୍ରଯୁଜ୍ୟ, କେବଳ ଶୋକଛାୟାଚ୍ଛନ୍ନ ନିରାଭରଣଟା ଯେ ଲୋକଲୋଚନରୁ ଗୋପନୀୟ, ତାହା ଦାକ୍ଷିଣାତ୍ୟରେ ନିଷ୍ଠାବତୀ ନାରୀ ଅଧିକ ବୁଝେ । ସୌନ୍ଦର୍ଯ୍ୟ ହିଁ ସ୍ୱୟଂ ପ୍ରକାଶ ।

 

ଗାଡ଼ି ଭିତରେ ଆହାର ଲାଗି ସୁନ୍ଦର ସୁବ୍ୟବସ୍ଥା । ମାନ୍ଦ୍ରାଜ ମେଲରେ ଅବଶ୍ୟ ଡାଇନିଂକାର ଅଛି । ମାତ୍ର ନିରାମିଷାଶୀ ଶକାହାରୀମାନଙ୍କ ଲାଗି ଷ୍ଟେସନର ବନ୍ଦୋବସ୍ତ ଅଳ୍ପବ୍ୟୟରେ ଅଧିକ ପରିଷ୍କୃତ ପରିଚ୍ଛନ୍ନ ପରି ମନେହୁଏ । ପୂର୍ବ ଷ୍ଟେସନମାନଙ୍କରୁ କ୍ଷୂଧାର ସ୍ମାରକ ରୂପେ ପାଞ୍ଚସୁଉକା ପଇସା ଦେଲେ ଖଣ୍ଡିଏ ଟିକେଟ ମିଳେ-। ପରବର୍ତ୍ତୀ ନିର୍ଦ୍ଦିଷ୍ଟ ଷ୍ଟେସନରେ ଖାଦ୍ୟ ମିଳିବାର କଥା । ସେଠାରେ ଗୋଟିଏ ପରିଷ୍କାର ଟିଫିନ କେରିୟରରେ ଗରମ ଭାତ, ଡାଲି, ସମ୍ବର, ଚାରୁ, ଚହ୍ଲା, ଚଟଣି, ଟିକିଏ ଭଲ ଘିଅ, ଚିକ୍‌ଚିକ୍‌ ଲୋଟା ଭିତରେ ନିର୍ମଳ ପାଣି, ପୁଣି ଟିଫିନ କେରିୟର ଉପରେ ଖୋସାଯାଇଥିବା ଖଣ୍ଡିଏ କଦଳୀପତ୍ର ଧରି ଗାଡ଼ି ଭିତରେ ହାଜର ହୁଅନ୍ତି ଜଣେ ଶୁଚିମନ୍ତ ପରିବେଷକ । ଖାଦ୍ୟର ପରିମାଣ ଦୁଇଜଣ ସାଧାରଣ ଭଦ୍ରଲୋକଙ୍କ ପାଇଁ ଯଥେଷ୍ଟ । ଆୟୋଜନ ଦେଖିଲେ ଅଗ୍ନିମାନ୍ଦ୍ୟ ରୋଗୀର ମଧ୍ୟ ଉଦରାଗ୍ନି ପ୍ରଜ୍ୱଳିତ ହେବା ସଙ୍ଗେ ସଙ୍ଗେ ଭୋଜନ ବ୍ୟବସ୍ଥା ନ କରି ସେ ରହିପାରେ ନାହିଁ । ଷ୍ଟେସନର ଭିଡ଼ ପାରହୋଇ ଗାଡ଼ି ଛାଡ଼ିଦିଏ–ମାତ୍ର ଏ କଣ !

 

ଝରକାର ଉଭୟ ପାର୍ଶ୍ୱରେ ହଠାତ୍‌ ଆବିର୍ଭୂତ ହୁଏ ଦୁଇଚାରିଟା କଳାକୋତରା ମଣିଷ ମୁହଁ । ଗାଡ଼ି ଭିତରକୁ ହାତ ବଢ଼ାଇ ଛିଡ଼ା ହୋଇଛନ୍ତି ଜଣ କେତେ ନଗ୍ନଦେହ ଭିକାରୀ ବାଳକ ଓ ଯୁବକ । ଆଖିରେ ଓଠରେ ଭିକ୍ଷାର କାକୁତି ! ଚଳନ୍ତାଗାଡ଼ିର ବାହାର ପଟେ ଏହି ଅମୃତସ୍ୟ ପୁତ୍ରମାନଙ୍କୁ ଛିଡ଼ା କରାଇ କାହାର ଗୁଣ୍ଡା ଅବା ପାଟିକି ଯିବ ! କେଉଁ ଆର୍ଯ୍ୟସନ୍ତାନ ନିଜର ଦଗ୍‌ଧ ଉଦର ପାଇଁ ଏଡ଼େ ବଡ଼ ମହତ୍‌ପାତକ କରି ବସିବ !

 

ଆମେ କିନ୍ତୁ ଶ୍ରୀଜଗନ୍ନାଥ ଧାମର ଓଡ଼ିଶା ଅଧିବାସୀ । ପୁରୀ ମନ୍ଦିର ଭିତରେ ମହାପ୍ରସାଦ ସେବନ କାଳରେ ଏହାଠାରୁ ଢେର ବିକଟତର ଦୃଶ୍ୟରେ ଅଭ୍ୟସ୍ତ । ମାତ୍ର ସେ ହେଲା ଖାସ୍‌ ପବିତ୍ର ମନ୍ଦିର ଅଭ୍ୟନ୍ତର ବ୍ୟାପାର । ସେଠାରେ ଗୃହପାଳିତ ପଶୁଙ୍କ ପରି ଭିକ୍ଷୁକମାନେ ବ୍ୟବହୃତ ହେଲେହେଁ ସବୁ ପାପ କ୍ଷାଳିତ ହୁଏ । ଏଠାରେ କିନ୍ତୁ ଅନ୍ୟ ଭଦ୍ରଲୋକମାନଙ୍କ ସଙ୍ଗେ ଏକରେଳଡ଼ବା ଭିତରେ ବସି, ଏଇ କ୍ଷୁଧିତ ଭିକ୍ଷୁକମାନଙ୍କ ଲୋଲୁପ ଦୃଷ୍ଟି ପ୍ରତି ନିର୍ଲିପ୍ତ ରହି ଭୋଜନରେ ଲିପ୍ତ ହେବାଟା ଭଦ୍ରତା, ସଦାଚାର ଓ ସୌଜନ୍ୟ ଉପରେ କିପରି ଟିକିଏ ଆଘାତ ଆଶ୍ୱସ୍ତି ଆଣେ । ଯାହାହେଉ ଭୋଜନରତ ଜଣେ ସହଯାତ୍ରୀ ଏହି ଅସୁବିଧାରୁ ସମସ୍ତଙ୍କୁ ଉଦ୍ଧାରକଲେ । ଉଠିଯାଇ ସେ ଭିକ୍ଷୁମାନଙ୍କ ପ୍ରତି ଯେଉଁ ଘୃଣା ବ୍ୟଞ୍ଜକ ଭାଷାବାଣ ନିକ୍ଷେପକଲେ ତାହା ବୁଝିବାକୁ ମୋର ଉପାୟ ନଥିଲା । ଭିକାରୀମାନେ ମଧ୍ୟ ବୁଝିଲେ କି ନାହିଁ । ମାତ୍ର ସ୍ୱସ୍ଥାନରେ ଅବିଚଳିତ ରହିଲେ । ତାହାପରେ ଯେମିତି ରାଗରେ ସେ ରେଲ ଝରକାର କାଠ କବାଟଗୁଡ଼ିକୁ ଖଟ୍‌ଖାଟ୍‌କରି ବନ୍ଦ କରିଦେଲେ, ସେତେବେଳେ ତାହା ସବୁରି ବେଶ୍‌ ବୋଧଗମ୍ୟ ହେଲା ।

 

ଭିକାରୀମାନେ ରହିଲେ ବାହାରେ, ଆଉ ଆମେ ପ୍ରଥମ ଶ୍ରେଣୀର ଯାତ୍ରୀମାନେ ଗାଡ଼ି ଭିତରେ ନିଶ୍ଚିନ୍ତରେ ଆହାରରେ ବ୍ୟାପୃତ ରହି ସରକାରଙ୍କ ଅପାରଗତା ଓ ଦେଶବାସୀଙ୍କ ନିଶ୍ଚେଷ୍ଟତାକୁ ତୀବ୍ର ଭାବରେ ସମାଲୋଚନା କରିବାରେ ଲାଗି ପଡ଼ିଲୁଁ । ବାସ୍ତବିକ ଘରେ, ହୋଟେଲରେ କିମ୍ବା ରେଲଡବାରେ କବାଟ ଆବିଷ୍କାର କରି ମନୁଷ୍ୟ ଯେଉଁ ବୁଦ୍ଧିର ପରିଚୟ ଦେଇଛି, ମନେ ମନେ ତାହାର ତାରିଫ ନ କରି ରହି ପାରିଲି ନାହିଁ । ବିଶେଷକରି ମନୁଷ୍ୟର ଜୀବନଧାରଣ ଲାଗି ଅଗଣିତ ବୁଭୁକ୍ଷୁ ଭିକ୍ଷୁକମୁଖରୁ ଛଡ଼ାଇ ଲୁଚାଇ ନିଜେ ଆଢ଼ୁଆଳରେ ଆହାର କରିବା ଲାଗି କବାଟର ଆବଶ୍ୟକତା ଅସାମାନ୍ୟ । ତଥାପି ଭିକ୍ଷାର ଅବସାନ ନାହିଁ ।

 

ପ୍ରତି ଷ୍ଟେସନରେ ରୁଗ୍‌ଣ, ବିକଳାଙ୍ଗ, ବୃଦ୍ଧ, ଶିଶୁ, ବାଳକ ଓ ବାଳିକା ହାତପତେଇ ଭିକ ମାଗୁଛନ୍ତି । ପୁଣି ଆହୁରି ଏକ ବିଚିତ୍ର ଭିକାରୀ ଦେଖିଲି । ହାତରେ ତାଙ୍କର ଗୋଲାକର ପେଡ଼ି । ପେଡ଼ି ଭିତରୁ ଫେଣା ଟେକିଛି ବିଷାକ୍ତ ସର୍ପ । ଅହି ସର୍ବତ୍ର ବାଧ୍ୟତେ । ଯାତ୍ରାକାଳରେ ଏହି ଅଶୁଭ ସଙ୍କେତ ଦର୍ଶନ ! କିନ୍ତୁ ବିଶୁଦ୍ଧ ଭିକାରୀ ଶ୍ରେଣୀଟା ସମାଜ ପକ୍ଷରେ କୌଣସି ଅଂଶରେ କମ୍‌ ବିଷାକ୍ତ, କମ୍‌ ଅଶୁଭ କି ?

 

ବେଜ୍‌ଓ୍ୱାଡା ଷ୍ଟେସନରେ ଗାଡ଼ି ଲାଗିଲା ବେଳକୁ ରାତି ହୋଇଯାଇଥାଏ । ରେଳ ଉପରୁ ବେଜ୍‌ଓ୍ୱାଡା ସହରର ଦୃଶ୍ୟ କି ଚମତ୍କାର ! ବିପୁଳ ବିସ୍ତୃତ ବିଦ୍ୟୁତ ଆଲୋକରାଶି ନଦୀ ଜଳରେ ପ୍ରତିଫଳିତ ହୋଇ ମନୋହର ମାୟାପୁରୀର ଭ୍ରମ ଜନ୍ମାଉଥାଏ । ଅପରିଚିତ ସ୍ଥାନରେ ହିଁ ରହସ୍ୟମୟ କଳ୍ପନା ଅଧିକ ଘନୀଭୂତ ହୁଏ । ଶଙ୍କା, ସଙ୍କୋଚ ଓ ସନ୍ଦେହ ମିଳିତ ହୋଇ ସ୍ପଷ୍ଟକୁ ଅସ୍ପଷ୍ଟ ପୁଣି ବାସ୍ତବକୁ ରହସ୍ୟମୟ କରିଥାନ୍ତି ।

 

ଅକ୍ଟୋବର ପହିଲା ସକାଳେ ଗାଡ଼ି ମାନ୍ଦ୍ରାଜ ଷ୍ଟେସନରେ ପହଞ୍ଚିଲା । ମହାଭାରତବର୍ଣ୍ଣିତ ମଦ୍ର ଦେଶ । ଦୁଇଟି ମଦ୍ରଦେଶ ମଧ୍ୟରୁ ଗୋଟିଏ ଉତ୍ତର ସୀମାରେ ପଞ୍ଜାବ ଅନ୍ତର୍ଗତ ଈରାବତୀ ଓ ଚନ୍ଦ୍ରଭାଗା ମଧ୍ୟବର୍ତ୍ତୀ ଭୂମି; ଅନ୍ୟଟି ଦକ୍ଷିଣ ସୀମାରେ ମାନ୍ଦ୍ରାଜ ଯେଉଁଠି ଇଂରେଜମାନଙ୍କର ପ୍ରଥମ ପଦକ୍ଷେପରେ ଚିହ୍ନ ଇତିହାସରେ ଅଙ୍କିତ । ସେହି କାରଣରୁ କି କଣ, ମାନ୍ଦ୍ରାଜ ଷ୍ଟେସନରେ ଘୋଘା, ପାଟିତୁଣ୍ଡ ହାଉଡ଼ା ପ୍ରଭୃତି ଅନ୍ୟ ବୃହତ୍‌ ରେଲଷ୍ଟେସନମାନଙ୍କ ତୁଳନାରେ ଢେର କମ୍ । ମୁଣ୍ଡବୋଝିଆ କୁଲିଙ୍କ ସଂଖ୍ୟା ମଧ୍ୟ ତଦ୍ରୂପ । ବିଛଣା ବାକସ ନେବା ପାଇଁ ହାତଠେଲା ଟ୍ରଲିର ପ୍ରଚଳନ ବେଶି । ଯାତ୍ରୀମାନେ ନୀରବରେ ଗାଡ଼ିରୁ ଓହ୍ଲାଇଛନ୍ତି । ଷ୍ଟେସନରେ ଭେଟିବାକୁ ଆସିଥିବା ବନ୍ଧୁମାନଙ୍କ ସଙ୍ଗେ ସଂଯତ ଭାବରେ ହସି ମିଳିତ ହେଉଛନ୍ତି । ଯେପରିକି ନିଜ ଭାଗ୍ୟରେ ସେମାନେ ବାକ୍‌ସଂଯମ ଅଭ୍ୟାସ କରି ବାହାରେ ଅତିଭାଷୀ ହୋଇପଡ଼ିଥିବାର ଦେଖାଯାନ୍ତି ।

 

ଉତ୍ତର ଦକ୍ଷିଣର ମଧ୍ୟସ୍ଥଳରେ ଅବସ୍ଥିତ ରହି ଓଡ଼ିଶା ନା ଉତ୍ତର ନା ଦକ୍ଷିଣ ହୋଇ ପାରିଲା । ତାହାର ସଂଗୀତ, ନୃତ୍ୟ, କଳା ଓ ସାହିତ୍ୟ ହିନ୍ଦୁସ୍ଥାନୀ କିମ୍ବା କର୍ଣ୍ଣାଟକୀ ହୋଇ ନ ପାରି ତ୍ରିଶଙ୍କୁ ଭଳି କେବଳ ଓଡ଼ିଶୀ ହୋଇ ରହିଗଲା । ଆମର ସାହିତ୍ୟ, ଆମର ମନ୍ଦିର ନିର୍ମାଣ ପ୍ରଣାଳୀ ଉତ୍ତର କିମ୍ବା ଦକ୍ଷିଣରୁ ବେଶି ଆହରଣ କରି ନିଜତ୍ୱ ପ୍ରତିଷ୍ଠା କରିଛି, ତାହା ଆଜି ଗଭୀର ଗବେଷଣାର ବିଷୟ; ତଥାପି ଆମେ ହିନ୍ଦି, ବଙ୍ଗଳା ଯେତେ ପରିମାଣରେ ବୁଝିପାରୁଁ, ଦକ୍ଷିଣ ଭାରତୀୟ ଭାଷା ତାହାର ଶତାଂଶରୁ ଏକାଂଶ ବୁଝିବା ମଧ୍ୟ ଆମ ପକ୍ଷରେ କଷ୍ଟକର । କେବଳ ଆନ୍ତର୍ଜାତୀୟ ଭାଷା ଇଂରାଜୀ ଶିଖିଥିଲେ କୌଣସି ଅସୁବିଧା ନାହିଁ । ହିନ୍ଦି ମଧ୍ୟ ଏଠାରେ କେହେ କେହି ବୁଝନ୍ତି ।

 

ମାନ୍ଦ୍ରାଜ ଷ୍ଟେସନରେ ଯେଉଁ ସଂଯମଶିଷ୍ଟତାର ପରିଚୟ ମିଳେ, ତାହାକୁ ଦକ୍ଷିଣ ଭାରତୀୟ ସଂସ୍କୃତି ମୁଖବନ୍ଧ ବୋଲା ଯାଇପାରେ । ଆହାର, ବିହାର, ବେଶ ଓ ପରିଚ୍ଛଦ ସର୍ବତ୍ର ଏକ ସୁଚିନ୍ତିତ ପରିପାଟୀ ଓ ଶୃଙ୍ଖଳା ଦେଖାଯାଏ । ମିତବ୍ୟୟିତା ମଧ୍ୟରେ ସୌନ୍ଦର୍ଯ୍ୟ ଓ ସୌକୁମାର୍ଯ୍ୟର ବିକାଶ ସାଧନ ଯେପରି ଦାକ୍ଷିଣାତ୍ୟର ପ୍ରଧାନ କୃଷ୍ଟି । ଯୋଗ୍ୟମ୍‌ ଯୋଗ୍ୟେନ ଯୁଞ୍ଜୟେତ୍‌–ଯାହାର ସ୍ଥାନ ଯେଉଁଠି, ସେ ସମ୍ପର୍କରେ ବୋଧହୁଏ ସେମାନେ ଉତ୍ତରଭାରତୀୟମାନଙ୍କ ଅପେକ୍ଷା ଅଧିକ ଅବହିତ । ସେଥିପାଇଁ ଦକ୍ଷିଣ ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର-ବିକ୍ଷୋଭ ଏତେ ଅଳ୍ପ । ଅଥଚ ବିଦ୍ୟାରେ, ବୁଦ୍ଧିରେ ଓ କର୍ମଠତାରେ ସେମାନେ ଏତେ ବେଶି ପାରଦର୍ଶୀ ।

 

ଟ୍ୟାକ୍‌ସି କିମ୍ୱା ରିକ୍‌ସା ଭଡ଼ା କଲିକତା ଓ ବମ୍ୱେ ତୁଳନାରେ ମାନ୍ଦ୍ରାଜରେ ନିଶ୍ଚୟ ଅଧିକ-। ସାଇକେଲ ରିକ୍‌ସାରେ ଏକାଧିକ ଯାତ୍ରୀଙ୍କୁ ବସାଇ ଏବଂ ବାକ୍‌ସ ବିଛଣାର ପ୍ରାଚୁର୍ଯ୍ୟରେ ସେମାନଙ୍କ ଦୈହିକ ସତ୍ତା ଲୋପକରି ନଗର ରସ୍ତାର ଦୃଶ୍ୟକୁ ହାସ୍ୟାସ୍ପଦ କରିବା ମାନ୍ଦ୍ରାଜ୍‌ କର୍ପୋରେଶନ୍‌ ଦ୍ୱାରା ନିଷିଦ୍ଧ । ଜଣେ ରିକ୍‌ସାବାଲା କେବଳ ଜଣେ ଯାତ୍ରୀକୁ ଟାଣି ନେବାହିଁ ସମୀଚୀନ । ଜଣେ ରିକ୍‌ସାବାଲା ଉପରେ ଏକାଧିକ ଆରୋହୀ ବୋଝେଇ ହେବାଟା ମନୁଷ୍ୟର ସାଧାରଣ ମର୍ଯ୍ୟାଦା ପକ୍ଷରେ ଯେ ହାନିକର, ମାନ୍ଦ୍ରାଜ କର୍ପୋରେସନର ଏହି ନିୟମଦ୍ୱାରା ତାହା ସ୍ଥିରୀକୃତ ହୋଇଛି । ଆମ୍ଭେମାନେ ନିୟମଟି ଜାଣି ନ ଥିବାରୁ ଏହି ଅସୁବିଧା ସମ୍ମୁଖୀନ ହୋଇ ଅଗତ୍ୟା ଫୁଟ୍‌ପାଥର ଆଶ୍ରୟ ନେଇଥିଲୁ ।

 

ନଗରୀ ମଧ୍ୟରେ ଅବସ୍ଥିତ ପ୍ରଧାନ ମନ୍ଦିର ଭିତରେ ସୁଦ୍ଧା ଅଦଦ୍ଭୁତ ଶୃଙ୍ଖଳାର ପରିଚୟ ମିଳେ । ପଣ୍ଡାମାନଙ୍କର ଉତ୍ପାତ ଏଠାରେ ସ୍ୱପ୍ନ । ଦର୍ଶନ କରାଇବା ପାଇଁ ଟଣା ଓଟରା ନାହିଁ କିମ୍ୱା ଦାନ ଦକ୍ଷିଣା ପାଇଁ ଜବରଦସ୍ତି ନାହିଁ । ମାନ୍ଦ୍ରାଜରେ ନବନିର୍ମିତ ଯେଉଁ ଦାସପ୍ରକାଶ ହୋଟଲରେ ରହିଲୁଁ, ତାହାର ନିରାଡ଼ମ୍ୱର ନିରମିଷ ଖାଦ୍ୟ ପେୟ ସହିତ ସଦାଚାର ପରିପାଟୀ ଉଲ୍ଲେଖଯୋଗ୍ୟ-। ଆମିଷ ହୋଟେଲଗୁଡ଼ିକ ଏଠାରେ ମିଲିଟାରି ହୋଟଲ ନାମରେ ପରିଚିତ । ସୈନ୍ୟମାନଙ୍କ ଯୋଗ୍ୟ ଆମିଷ ଆହାର ଏହି ଭୋଜନାଳୟ ଗୁଡ଼ିକର ବିଶେଷ ଆକର୍ଷଣ । ଆମେରିକାର ୱାସିଂଟନ ରାଜଧାନୀ ଭଳି ରୁଫ୍‌ଗାର୍ଡ଼ନ ବା ଗୃହ ଗୁଡ଼ିକର ଛାତଉପରେ ଉଦ୍ୟାନ-ସଜ୍ଜା ମାନ୍ଦ୍ରାଜ ନଗରର ଏକ ବିଶେଷତ୍ୱ । ଏହା ଦକ୍ଷିଣ ଭାରତୀୟ ସୌନ୍ଦର୍ଯ୍ୟ-ବୋଧର ଅନ୍ୟତମ ନମୁନା । ଲତାପୁଷ୍ପ ଶୋଭିତ ଛୋଟ ବଡ଼ ଉଦ୍ୟାନ ନ ଥିବା ଗୃହର ସଂଖ୍ୟା ମାନ୍ଦ୍ରାଜରେ ଅଧିକ ନୁହେଁ । ନାନା ଜାତିର ଶ୍ୟାମାୟମାନ ଲତାଗୁଳ୍ମ ମଧ୍ୟରେ ବିଚିତ୍ର ରଙ୍ଗର ପୁଷ୍ପସ୍ତବକ ତରୁଣୀ ରମଣୀର କେଶବିନ୍ୟାସ ପରି ଗୃହଗୁଡ଼ିକୁ ଋଦ୍ଧିମନ୍ତ ରସୋତ୍ତୀର୍ଣ୍ଣ ରଚନାର ବୈଦଗ୍‍ଧ୍ୟ ଆଣି ଦେଇଛି ।

 

ମାଧ୍ୟହ୍ନରେ ଏଡ଼ିୟାର କଳାକ୍ଷେତ୍ର ଦେଖିବାକୁ ଗଲି ଏବଂ ସନ୍ଧ୍ୟାରେ ମ୍ୟାରିନା ବିଚ୍‌ । ସୁଶୀତଳ ଦ୍ରୁମଛାୟାତଳେ ଏଡ଼ିୟାର କଳାକ୍ଷେତ୍ରର ବେଷ୍ଟନୀ ଶାନ୍ତିନିକେତନର ଶାନ୍ତ ସମାହିତ ମନୋରମ ଦୃଶ୍ୟକୁ ସ୍ମରଣ କରାଇ ଦିଏ । ବୁଲି ବୁଲି ଯେତିକି ଦେଖିଲୁଁ, ତହିଁରୁ ମନେହେଲା କଳାକ୍ଷେତ୍ରରେ ଏକ ପୌରାଣିକ ପବିତ୍ରତା ସୁରକ୍ଷିତ । ଆନିବେସାନ୍ତଙ୍କର ଏଇ ଅପୂର୍ବ କୀର୍ତ୍ତି ଦକ୍ଷଣ ଭାରତୀୟ କଳା ସଂସ୍କୃତି ଚର୍ଚ୍ଚାର ପୀଠସ୍ଥଳ ରୂପେ ଆଜି ମଧ୍ୟ ବିଦ୍ୟମାନ ।

 

କିଛି ଦୂରରେ ମ୍ୟାରିନା ବିଚ୍‌ । ସାନ୍ଧ୍ୟ ସମୀରଣ ସେବନ ଲାଗି ବହୁ ସଂଖ୍ୟକ ନରନାରୀମାନଙ୍କର ସମାବେଶ । ଲାଉଡ଼ସ୍ପିକର ସାହାଯ୍ୟରେ ରେଡ଼ିଓ କାର୍ଯ୍ୟନିର୍ଘଣ୍ଟନ ଦ୍ୱାରା ଏହା ଅହରହ ମୁଖରିତ । ପୁରୀର ସଂକୀର୍ଣ୍ଣ ଉପକୂଳ ଭଳି ସମୁଦ୍ର ଏଠାରେ ଉପଭୋଗ୍ୟ ନୁହେଁ, ଉପକୂଳଟି ହିଁ ଉପଭୋଗ୍ୟ । ସମୁଦ୍ର ଢେଉର କ୍ରୀଡ଼ା ଦେଖିବା ଲାଗି ବହୁଦୂର ବାଲୁକା ପଥ ଅତିକ୍ରମ କରିବାକୁ ହୁଏ । ଉପକୂଳର ବିସ୍ତୃତି ସମକ୍ଷରେ ସାଗର ନୀଳ ଲହରୀ ଯେପରି ଦୂରକୁ ସଂକୁଚିତ ହୋଇ ପଡ଼ିଛି ।

 

ଅକ୍ଟୋବର ୨ ତାରିଖ ସନ୍ଧ୍ୟାରେ କୋଚିନ୍‌ ଏକ୍‌ସପ୍ରେସ୍‌ ଧରିଲି । ଏହି ରେଲ ଲାଇନଟି ଭାରତ ଉପଦ୍ୱୀପର ପୂର୍ବ ଉପକୂଳରୁ ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ଗତି କରିଛି । ରାତି ପାହିବା ପରେ ଆଭାଡ଼ି (ଏଠାରେ ଜାତୀୟ କଂଗ୍ରେସର ଅଧିବେଶନ ହୋଇଥିଲା) ଅତିକ୍ରମ କରି ଗାଡ଼ି କେରଳ ରାଜ୍ୟରେ ପ୍ରବେଶ କରିଥିଲା ।

 

କେରଳ ଯେ ଏକ ପୃଥକ୍‌ ରାଜ୍ୟ, ଏହା ତାହାର ନାରିକେଳ ବନର ପ୍ରାଚୁର୍ଯ୍ୟରୁ ଜଣାପଡ଼ିଗଲା । ନାରିକେଳରୁହିଁ କେରଳ ନାମଟି ଅପଭ୍ରଂଶ । ନାରିକେଳ ବ୍ୟତୀତ ତାଳ, ଖଜୁରି, ଆମ୍ୱ, ଲଙ୍କାମ୍ୱ, ପଣସ ବୃକ୍ଷରେ ରେଳ ଲାଇନର ଉଭୟପାର୍ଶ୍ୱ ଆଚ୍ଛାଦିତ । ମାତ୍ର ସେ ସବୁ ଅବିନ୍ୟସ୍ତ ନୁହେଁ । ସର୍ବତ୍ର ଯେପରି ମନୁଷ୍ୟ ହସ୍ତର ଯତ୍ନ ଅଙ୍କିତ । ଘରଗୁଡ଼ିକ ଛଡ଼ା ଛଡ଼ା-ଅଧିକାଂଶ ଇଟା କାନ୍ଥ, ଟାଇଲ ଛପର । ମାଙ୍କଡ଼ା ପଥର ପାଚେରି । ଆମ୍ର, ନାରିକେଳ କୁଞ୍ଜ ମଧ୍ୟରେ ତାହା ନିର୍ମିତ । କେରଳ ଏକ ନଦୀ ପର୍ବତର ରାଜ୍ୟ । ମାତ୍ର ପାର୍ବତ୍ୟ ଭୂମିରେ ନାରିକେଳ ଜନ୍ମୁ ନ ଥିବାର ଧାରଣା ଏଠାରେ ଦୂର ହୋଇଯାଏ । ପାହାଡ଼ ପର୍ବତ ଉପରେ ନାରିକେଳ ବନ ମଧ୍ୟରେ ମନୁଷ୍ୟର ଆବାସ । ସମତଳ ଭୂମିରେ ଧାନ ଚାଷ । ପର୍ବତ, କନ୍ଦର, ନଦୀ, ନାଳ, ବିଲ, ହିଡ଼ ସର୍ବତ୍ର ମନୁଷ୍ୟ ହସ୍ତର ସଯତ୍ନ ସ୍ପର୍ଶ । ଏଥିରୁ ହିଁ ପ୍ରମାଣିତ ହୁଏ ଯେ କେରଳର ଆନୁପାତିକ ଲୋକସଂଖ୍ୟା ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ । ପୁରୁଷମାନେ ଯେତେ କୃଷ୍ଣକାୟ ହେଲେ ମଧ୍ୟ ଅଳ୍ପ ପରିଧାନରେ ବେଶି ପରିଷ୍କାର ପରିଚ୍ଛନ୍ନ । କେହିକେହି ଅସୁନ୍ଦରୀ ହେଲେ ମଧ୍ୟ କେରଳର କନ୍ୟା ସୁହାସିନୀ, ସୁବେଶିନୀ, ସୁକେଶିନୀ ।

 

ପୁରୁଷମାନଙ୍କ ଅଣ୍ଟାରେ ଖଣ୍ଡେ ଚାରିହାତି ଧଳାଲୁଙ୍ଗି ଏବଂ ଦେହରେ ହାଫ୍‌ସାର୍ଟ-ବାସ୍-! ଲାଖପତି ନାୟାର ନମ୍ବୁଦ୍ରିପଦାଠାରୁ ଦିନ ମଜୁରିଆ ପର୍ଯ୍ୟନ୍ତ ସବୁରି ଏକ ବେଶ । ଏକାଧିକ ଶିକ୍ଷିତ ପୁରୁଷଙ୍କ ବେକରେ ସୁନାଚେନ୍‌ ଝୁଲୁଛି । ନାରୀମାନଙ୍କ ଆଭରଣରେ ମଧ୍ୟ ଏକ ସାରଲ୍ୟ ଓ ସଂଯମର ପରିଚୟ ମିଳେ । ଅବଶ୍ୟ ମୂଲ୍ୟବାନ ଜରିପାଡ଼ ଶାଢ଼ୀ ଲାଗି କେରଳର ରାଜଧାନୀ ତିବିନ୍ଦ୍ରମ୍‌ ବିଖ୍ୟାତ । ତଥାପି ସେଇ ଶାଢ଼ୀ ପରିଧାନରେ ମଧ୍ୟ କେରଳ ରମଣୀର ସୌଷ୍ଠବ ପରିଷ୍ଫୁଟ-। ଧୋବଶାଢ଼ୀ ହିଁ ଯୁବତୀ ପ୍ରୌଢ଼ା ସବୁରି ସାଧାରଣ ପରିଧେୟ । ରଙ୍ଗୀନର ପ୍ରଚଳନ ସାମାନ୍ୟ ।

 

କୋଚିନ୍‌ ଏକ୍‌ସ୍‌ପ୍ରେସ୍‌ରୁ ଏର୍ଣ୍ଣାକୁଲମଠାରେ ଓହ୍ଲାଇପଡ଼ି କୋଟାୟମ୍‌ ଗାଡ଼ିରେ ଉଠିଲୁଁ । କୋଟାୟମ୍‌ ସହରରେ ପହଞ୍ଚିଲା ବେଳକୁ ଅପରାହ୍‌ଣ ଚାରିଟା । କୋଟାୟମ୍‌ ଏକ ସୁରମ୍ୟ ପାର୍ବତ୍ୟ ସହର । ଏହିଠାରେ ଆଜିଠାରୁ ସାତ ତାରିଖ ପର୍ଯ୍ୟନ୍ତ ସମସ୍ତ କେରଳ ସାହିତ୍ୟ ସମ୍ମିଳନୀର ୨୬ଶ ଅଧିବେଶନ ଅନୁଷ୍ଠିତ ହେଉଛି । ଉକ୍ତ ସମ୍ମିଳନୀ ହିଁ ମୋର ଏହି ଦାକ୍ଷିଣାତ୍ୟ ଭ୍ରମଣର ଲକ୍ଷ୍ୟସ୍ଥଳ ।

 

କେରଳର ଭାଷା ମାର୍ଲୟଲମ୍‌ ହେଲେ ମଧ୍ୟ କେରଳ-ସାହିତ୍ୟ ପରିଷଦ-ପୀଠରେ ଆଲୋଚିତ ହୋଇଥିଲା ବିଭିନ୍ନ ଭାରତୀୟ ସାହିତ୍ୟ । ପ୍ରାୟ ପାଞ୍ଚ ସହସ୍ର ଶ୍ରୋତାଙ୍କ ଉପଯୋଗୀ ନିର୍ମିତ ହୋଇଥାଏ ଆଲୋକମାଳାସଜ୍ଜିତ ଏକ ସୁଦୃଶ୍ୟ ସଭାମଣ୍ଡପ । ମଣ୍ଡପର ଏକ ପାର୍ଶ୍ୱରେ ସମ୍ମିଳନୀ କାର୍ଯ୍ୟାଳୟ, ଅପର ପାର୍ଶ୍ୱରେ ବିରାଟ ପୁସ୍ତକ ଓ ଚିତ୍ର ପ୍ରଦର୍ଶନୀ । ପ୍ରଥମ ଦିନ ସାହିତ୍ୟ ପରିଷଦର ଉଦ୍‌ଘାଟନ କରିଥିଲେ ଭାରତର କେନ୍ଦ୍ରମନ୍ତ୍ରୀ ଏବଂ ବଙ୍ଗର ସୁପରିଚିତ କବି ଓ ସାହିତ୍ୟିକ ଅଧ୍ୟାପକ ହୁମାୟୁନ କବୀର ।

 

ପାଞ୍ଚିଦିନ ଧରି ସମ୍ମିଳନୀ ମଣ୍ଡପ ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଶ୍ରୋତାମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ଗଳ୍ପ, କବିତା, ନାଟକ, ଉପନ୍ୟାସ, ଜୀବନୀ, ଭ୍ରମଣକାହାଣୀ, ଲୋକନୃତ୍ୟ, ଲୋକଗୀତ ପୁଣି ଶାସ୍ତ୍ରୀୟ ସଙ୍ଗୀତାଦିର ଆଲୋଚନା ବ୍ୟତୀତ ଭାରତର ବିଭିନ୍ନ ଭାଷାରେ ନାଟକ ଓ ରଙ୍ଗମଞ୍ଚ ବିଷୟକ ଇଂରାଜୀ ପ୍ରବନ୍ଧମାନ ସମାଗତ ପ୍ରତିନିଧିମାନେ ପାଠ କରିଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା, ପ୍ରତି ଅଧିବେଶନରେ ମନେହେଉଥାଏ ସମ୍ମିଳନୀ ମଣ୍ଡପରୁ ଜଣେ ହେଲେ ଶ୍ରୋତା ଯେପରି କେବେ କାହିଁ ଯାଇନାହାନ୍ତି । ପ୍ରଥମ ଦିନ ଯେ ଯେଉଁ ଆସନରେ ବସିଥିଲେ, ଶେଷ ଦିନ ପର୍ଯ୍ୟନ୍ତ ସେହିଠାରେ ହିଁ ସେ ରହିଯାଇଛନ୍ତି ଯେମିତି ଅବା ! ପଞ୍ଚମ ଦିନ ଯେଉଁ ଶିଶୁସାହିତ୍ୟ ସମ୍ମିଳନୀ ବସିଥିଲା ଏବଂ ପ୍ରାୟ ପାଞ୍ଚସହସ୍ର ବାଳକ ବାଳିକାଙ୍କ ମଧ୍ୟରେ ବାରତେର ବର୍ଷ ବୟସ୍କ ଶ୍ରୀ କୁମାର ସଭାପତିତ୍ୱ କରିଥିଲେ, ସେଥିରେ ମଧ୍ୟ ଏହି ଅଦ୍ଭୁତ ଶୃଙ୍ଖଳା ଜ୍ଞାନର ପରିଚୟ ମିଳିଥିଲା । ମନେହେଲା, ଶୃଙ୍ଖଳାଜ୍ଞାନଟା କେବଳ ମନୁଷ୍ୟର ନୁହେଁ, କେରଳ ପ୍ରକୃତିର । କେରଳୀୟ ବର୍ଷାନୁଭୂତି ଜୀବନରେ ଭୁଲିବାର ନୁହେଁ । ଅର୍ଦ୍ଧରାତ୍ରିରେ ଥରେ ହଠାତ୍‌ ନିଦ୍ରାଭଗ୍ନ ହେଲା ଜଳପତନର ଶବ୍ଦ ଶୁଣି । ଅଥଚ ଦିନରେ ଆକାଶ ଥିଲା ସମ୍ପୂର୍ଣ୍ଣ ନିର୍ମଳ । ସେ ପୁଣି କିପରି ବର୍ଷଣ ! ବଜ୍ରବିଦ୍ୟୁତ୍‌ ବା ବତାସ ନାହିଁ, ଅଥଚ ଅନର୍ଗଳ ବାରିବର୍ଷା, କ୍ରନ୍ଦନ ଚିତ୍କାରହୀନ ଅବିଶ୍ରାମ ଅଶ୍ରୁଧାରା ଯେପରି ।

 

ମାର୍ଲୟଲମ୍‌ କବିସମ୍ମିଳନୀର ଉଦ୍‌ଘାଟନ ଉତ୍ସବର ପୌରୋହିତ୍ୟ କରିଥିଲେ ‘ଆକାଶବାଣୀ’ର ଡିରେକ୍ଟର ଜେନେରାଲ ଶ୍ରୀ ଜଗଦୀଶଚନ୍ଦ୍ର ମାଥୁର । ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନମ୍ବୁଦ୍ରିପାଦ ଏବଂ ଶିକ୍ଷାମନ୍ତ୍ରୀ ଶ୍ରୀ ମୁଣ୍ଡେଶରୀ ମଧ୍ୟ ବିଭିନ୍ନ ଉତ୍ସବର ପୁରୋଧା ହୋଇଥିଲେ । ସବୁଠାରୁ ମୋର ଶ୍ରେଷ୍ଠସୌଭାଗ୍ୟର ବିଷୟ ହୋଇଥିଲା, ମହାକବି ଭାଲାଥୋଲଙ୍କର ଦର୍ଶନଲାଭ-। ଆଧୁନିକ ମାର୍ଲୟଲମ୍‌ ସାହିତ୍ୟର ସମୃଦ୍ଧିଲାଗି ସେ ମୁଖ୍ୟତଃ ଦାୟୀ ।

 

କେରଳ-ସାହିତ୍ୟ-ସମ୍ମିଳନୀର ଆଦର୍ଶ ଓ କେରଳର ଆତିଥେୟତାରେ ଆପ୍ୟାୟିତ ଅଭ୍ୟାଗତମାନଙ୍କୁ କନ୍ୟାକୁମାରୀ ଦେଖାଇବାର ସୁବ୍ୟବସ୍ଥା ମଧ୍ୟ ହୋଇଥିଲା । ଭାରତର ଦକ୍ଷିଣ ସୀମାରେ ଅବସ୍ଥିତ କନ୍ୟାକୁମାରୀ ଦର୍ଶନ ! କେହି କି କେବେ ସେ ସୁଯୋଗ ଛାଡ଼ିପାରେ ?

 

ସାତ ତାରିଖ ସକାଳେ ଯାତ୍ରା ଆରମ୍ଭ କଲୁ କୋଟାୟମ୍‌ଠାରୁ ରାଜଧାନୀ ତ୍ରିବିନ୍ଦ୍ରମ୍‌ ଅଭିମୁଖରେ । ସେଥିଲାଗି ମଟର ଗାଡ଼ିର ବ୍ୟବସ୍ଥା ହୋଇଥିଲା । ଚମତ୍କାର ! ତେବେ ତ କେରଳକୁ ଆହୁରି ନିକଟରୁ ଦେଖିବାର ସୁବିଧା ! ଗ୍ରାମ ପରେ ଗ୍ରାମ ଛାଡ଼ି ମଟର ଗାଡ଼ି ପ୍ରାୟ ଶହେମାଇଲ ରାସ୍ତା ଧାବିତ ହେବାକୁ ଲାଗିଲା ସିଧା ଦକ୍ଷିଣ ଦିଗରେ । ମାତ୍ର କେଉଁଠାରେ ଯେ ଗୋଟିଏ ଗ୍ରାମ ଶେଷ ହୋଇ ଆଉ ଗୋଟିଏ ଆରମ୍ଭ ହୋଇଛି, ତାହା ଜାଣିବା କଷ୍ଟକର । ପୁଣି ପାଣ୍ଡାଲମ୍‌ ଏବଂ ଆଦୁର ଦୁଇଟି ସହର ହେଲେ ମଧ୍ୟ ଉଭୟ ମଧ୍ୟରେ ବ୍ୟବଧାନ ମାତ୍ର ଛଅ ମାଇଲ ।

 

ପ୍ରତି ଗ୍ରାମରେ ସ୍କୁଲ୍‌ ଏବଂ ଅଧିକାଂଶ ଗ୍ରାମରେ ଖ୍ରୀଷ୍ଟଆନ୍‌ ଗୀର୍ଜା ଦେଖାଯାଏ । ବାଳକବାଳିକାମାନେ ହାତରେ ବହି ଓ ଜଳଖିଆ ଟିଣ ଧରି ସ୍କୁଲ୍‌କଲେକଜୁ ଚାଲିଛନ୍ତି ଧାଡ଼ି ଧାଡ଼ି ହୋଇ । ଶୈଶବରୁ ଯେପରି ଏମାନଙ୍କୁ ଅଭ୍ୟାସ କରିବାକୁ ହୁଏ ଏକ ସୈନିକଶୃଙ୍ଖଳା । ଭାସ୍କୋଡ଼ାଗାମାଙ୍କ କାଲିକଟ୍‌ଆଗମନ କାଳରୁ ପ୍ରାୟ ପାଞ୍ଚସହ ବର୍ଷ ହେଲା କେରଳବାସୀ ଖ୍ରୀଷ୍ଟଧର୍ମ ଓ ବୈଦେଶିକ ସଂସ୍କୃତି ସହିତ ପରିଚିତ ହୋଇ ଆସିଛନ୍ତି । କେରଳରେ ଶିକ୍ଷିତସଂଖ୍ୟା, ବିଶେଷ କରି ସ୍ତ୍ରୀ ଶିକ୍ଷା ସେହି କାରଣରୁ ହିଁ ଅଧିକ ବୋଲି କାହାରି କାହାରି ମତ ।

 

ସାତ ତାରିଖ ତ୍ରିବିନ୍ଦ୍ରମ୍‌ର ଅତିଥି ଭବନରେ ଅତିବାହିତ କରି ପରଦିନ ସକାଳ ୯ଟାରେ କନ୍ୟାକୁମାରୀ ଯାତ୍ରା କଲୁ । ଆକାଶଚୁମ୍ବୀ ପଶ୍ଚିମଘାଟ ପର୍ବତମାଳା ମଧ୍ୟରେ ଯେତିକି ଆଗକୁ ସମୁଦ୍ରର ନିକଟବର୍ତ୍ତୀ ହେଉଥାଉଁ, ସେତିକି ବେଶି କନ୍ୟାକୁମାରୀ ଦର୍ଶନର ଆଗ୍ରହ ଆକାଙ୍‌କ୍ଷା ଜାଗରିତ ହୋଇ ଉଠୁଥାଏ । ଚାହୁଁ ଚାହୁଁ ପର୍ବତ ଶ୍ରେଣୀର ଅନ୍ତରାଳରୁ ବିଶାଳ ସୁନୀଳ ଭାରତ ମହାସାଗରର ଦୃଷ୍ଟି ପଥାରୂଢ଼ ହେଲା । ଏହିଠାରେ ଆରବ ସାଗରର ସଙ୍ଗମ । ତାହାର ଈଷତ୍‍ ପିଙ୍ଗଳବର୍ଣ୍ଣ ସଲିଳଭାଗ ଭାରତ ମହାସାଗରର ସ୍ୱଚ୍ଛ ସୁନୀଳ ଜଳରାଶିକୁ ଆଲିଙ୍ଗନ କରୁଛି ଧ୍ୟାନରତ ଶିବଙ୍କ ଅଙ୍କରେ ତପସ୍ୱିନୀ ପାର୍ବତୀ ଭଳି । ଏହିଠାରେ ଉଠିଆସିଛି ସୁନୀଳ ସାଗର ଗର୍ଭରୁ ଭାରତବର୍ଷ । ପଶ୍ଚିମଘାଟର ସୁଉଚ୍ଚ ପର୍ବତମାଳା ଭାରତ ଉପଦ୍ୱୀପର ଏହି ସୀମାବିନ୍ଦୁକୁ ପରମ ପୁଲକରେ ସ୍ପର୍ଶକରି ଅପୂର୍ବ ଗାମ୍ଭୀର୍ଯ୍ୟମୟ ମହନୀୟ କରି ରଖିଛି । ଏହିଠାରେ ଯାତ୍ରୀ ତାହାର ସମୁଦାୟ ପୁଞ୍ଜୀଭୂତ ସ୍ମୃତି ଓ ସତ୍ତାକୁ ନିଶ୍ଚିନ୍ତରେ ସମର୍ପଣ କରିଦେବାକୁ ଲୋଡ଼େ । ଏହିଠାରେ ବିବେକାନନ୍ଦ ଓ ଗାନ୍ଧୀଙ୍କ ଧ୍ୟାନଘାଟ ସ୍ନାନଘାଟ ଅବସ୍ଥିତ । ଏହିଠାରେ ମୋର ସମଗ୍ର ଦେହ ମନକୁ ଅଜାଡ଼ି ଦେଇ ମହାମହିମାମୟୀ ପୂଣ୍ୟଭୂମି ଭାରତମାତା ଉଦ୍ଦେଶ୍ୟରେ ନିଃଶେଷ କରିଦେଲି ମୋର ସକଳ ନମସ୍କାର ।

Image